Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Romance

2.8  

Prasant Kumar Nath

Romance

ପ୍ରେମ ଚିଠି

ପ୍ରେମ ଚିଠି

4 mins
8.7K


ଆଜିକାଲି ଚିଠି ଲେଖିବା ବା ଦେଖିବା ସାତ ସପନ ହେଇ ଗଲାଣି । ଚିଠି ଲେଖିଲେ ମଧ୍ୟ କେତେବେଳେ ତାହା ପହଂଚୁଛି ତ କେତେବେଳେ କୁଆଡେ ଗାଏବ ହେଇ ଯାଉଛି । କେତେଜଣ ଖବର କାଗଜ ଆଉ ମତାମତ ଦେବାକୁ ଏହି ଚିଠି ଲେଖା ପରମ୍ପରାକୁ ବଞ୍ଚେଇ ରଖିଛନ୍ତି । ସେଥିରେ ପୁଣି କେତେବେଳେ ପୋଷ୍ଟ ଅଫିସରେ ପୋଷ୍ଟ କାର୍ଡ ମିଳୁଛି ତ କେତେବେଳ ମିଳୁନି ।

ଆଜିକାଲି ଏହି ଫେସବୁକ,ହ୍ଵାଟ୍ସଆପ ଯୁଗରେ କିଏବା କାହିଁ ଚିଠି ଲେଖିବ । ଆଜିକାଲି ଏହି ଅନଲାଇନ୍ ଯୁଗରେ ଚିଠି ଲେଖିବା ଏକ ପ୍ରକାର ସପନ ହୋଇଗଲାଣି । ଯେତେବେଳେ ହ୍ଵାଟ୍ସଆପ ମେସେଞ୍ଜରରେ ସଙ୍ଗେସଙ୍ଗେ ଖବର ସବୁ ଜାଣି ହେଉଛି କିଏ ବା କାହିଁ ଚିଠି ଲେଖି ଅପେକ୍ଷା କରିବ । ହେଲେ ସମସ୍ତେ କଣ ଜାଣିଛନ୍ତି ଯେ ଅପେକ୍ଷାର ଫଳ ବହୁତ ମିଠା ।

ଚିଠି ଭିତରେ ପ୍ରେମ ଚିଠିର କଥା ଟିକେ ନିଆରା । ନାଲି, ନେଳି, ହଳଦିଆ ରଙ୍ଗ ଭରା କାଗଜରେ ସୁନ୍ଦର ସୁନ୍ଦର ଅକ୍ଷରରେ ଲେଖା ଯାଇଥିବ । ଆଉ ଖୋଳର ଉପରଟି ସୁନ୍ଦର ଭାବରେ ସଜା ଯାଇଥିବ । ପାନ ପତରରେ ତୀର ମରାଯିବାର ଛବିଟିଏ ଥିବ । ସେତେବେଳେ ହଁ ନାଁ କହିବା ଆଗରୁ ଚିଠିଟିକୁ ଧରୁ ଧରୁ ତାର ମଧୁର ସ୍ପର୍ଶରେ ଅଧା ପ୍ରେମ ହେଇଯିବ। ସ୍ୱପ୍ନ ଆଉ ଭାବନରୁ ହିଁ ପ୍ରେମ ଜାଗ୍ରତ ହୋଇଥାଏ । ଚିଠିର ଅକ୍ଷର ଆଉ ଶବ୍ଦ ସଂଯୋଜନା ଯଦି ସୁନ୍ଦର ହୋଇଥିବ ଜଣଙ୍କୁ ଭାବିବାକୁ ବା ସ୍ୱପ୍ନ ଦେଖିବାକୁ ବାଧ୍ୟ କରିବ । ଆଉ ଆପେ ଆପେ ତାକୁ ପ୍ରେମ ହେଇଯିବ ।

ରାହୁଲ ସେତେବେଳେ କଲେଜରେ ପଢୁଥାଏ । ସେଦିନ ଥିଲା କଲେଜର ଅନୁଆଲ ଫଙ୍କସନ । ସେଇଠି ତାର ଦେଖା ହୋଇଥିଲା ରଶ୍ମିତା ସହିତ । ରଶ୍ମିତା ସେଦିନ ଏକକ ଅଭିନୟରେ ଭାଗ ଦେଇଥିଲା । ଏକ ଦମଦାର୍ ବିଷୟକୁ ନେଇ ଅଭିନୟ କଲା ସେ । ଆଜିକାଲି ଶିକ୍ଷିତ ବୋହୂମାନେ ଆଧୁନିକତା ନାମରେ କେମିତି ନିଜର ସ୍ଥିତିକୁ ଭୁଲି ନିଜର ଶାଶୂ ଶଶୁର ପ୍ରତି ଅବହେଳା କରୁଛନ୍ତି । ତାକୁ ନେଇ ସେ ଅଭିନୟ କରିଥିଲା 'ଶାଶୂ ଘରେ ବୋହୂର ଭୂମିକା' ଯାହା ସମସ୍ତଙ୍କ ମନକୁ ଛୁଇଁଥିଲା । ତାର ଏହି ଅଭିନୟ ଦେଖି ରାହୁଲ ତା ପ୍ରତି ଆକର୍ଷିତ ହୋଇ ପଡ଼ିଥିଲା । ଆଉ ତାକୁ ବେଶି ମୋହିତ କରିଥିଲା ରଶ୍ମିତାର ବଧୂବେଶ । ଶାଢୀରେ ରଶ୍ମିତା ବହୁତ ସୁନ୍ଦର ଦେଖା ଯାଉଥିଲା । କେଜାଣି କାହିଁକି ସେହି ଦିନରୁ ରାହୁଲକୁ ପ୍ରେମ ହୋଇଗଲା । ହେଲେ କେମିତି ପ୍ରକାଶ କରିବ ନିଜର ପ୍ରେମ ଭାବନାକୁ ? କେମିତି କହିବ ରଶ୍ମିତାକୁ ମୁଁ ତୁମକୁ ଭଲପାଏ ? ବହୁତ ଥର ଚେଷ୍ଟା କରିଛି ମୁହାଁମୁହିଁ କହିଦେବ ବୋଲି କିନ୍ତୁ ପାରିନି । ମନରେ ଗୋଟିଏ ଭୟ ଥାଏ । ଯଦି ରଶ୍ମିତା ମନା କରିଦିଏ ? ରାହୁଲ ସେତେବେଳକୁ ଏକ କବିର ମାନ୍ୟତା ପାଇ ସାରିଥିଲା । ଅନେକ ପତ୍ରପତ୍ରିକା ଆଉ ଖବରକାଗଜ ମାନନଙ୍କରେ ତାର ଲେଖା ମାନ ପ୍ରକାଶିତ ହୋଇ ସାରିଥିଲା। ତେଣୁ ଲେଖାଲେଖି ପ୍ରତି ତାର ରୁଚି ଥିଲା । ଭାବିଲା ରଶ୍ମିତାକୁ ଚିଠି ଲେଖି ଜଣେଇ ଦେଵ । ସେଥିପାଇଁ ପ୍ରେମପତ୍ର ଲେଖା କାଗଜ କିଣିଲା ଯେଉଁ କାଗଜରେ ୱାଟର ମାର୍କ ଥିଲା ହୃଦୟକୁ ତୀର ମାରୁଥିବାର ଛବି ।

ଗୋଟେ ଚିଠି ଲେଖିବାକୁ ଅନେକ ରାତି କାଟିଦେଇଛି । ଅନେକ କାଗଜ ଚିରି ଦେଇଛି । ଏତେ କବିତା ଲେଖି ସାରିଥିଲେ ବି କେବେବି ତାର କଲମ ତାକୁ ଏତେ ଧୋକା ଦେଇନଥିଲା । ଯାହା ଗୋଟେ ଚିଠି ଲେଖିବାରେ ଦେଉଛି । ବହୁତ ଦିନ ପରେ ସେ ଚିଠିଟେ ଲେଖିଛି । ସୁନ୍ଦର ସୁନ୍ଦର ଶବ୍ଦର ସମାହାର ହୋଇଛି ଚିଠିରେ । ଲେଖି ସାରିବା ପର ଠାରୁ ଅତି କମରେ ଶହେ ଥର ପଢି ସାରିଲାଣି । ଲେଖାଟି ଯେମିତି ତାର ମୁଖସ୍ତ ହୋଇ ଗଲାଣି । ଚିଠିରେ ଅନେକ କବିତାର ଛନ୍ଦ ମଧ୍ୟ ଭରି ଦେଇଛି ସେ ।

ଅନେକ ଥର ଚିଠିଟିକୁ ନେଇ କଲେଜ ଯାଇଛି । ହେଲେ ଦେଇ ପାରିନି । ବହୁତ ଦିନ ପରେ କାଲି ସେ ରଶ୍ମିତାର ସାଙ୍ଗକୁ କହିଥିଲା ମୁଁ କାଲି ଗୋଟେ ଜିନିଷ ଦେବି ଟିକେ ରଶ୍ମିତାକୁ ଦେଇଦେବ । ତା ଅନୁମତି ପାଇ ଅତି ଯତ୍ନର ସହିତ ରାହୁଲ ଆଜି ଚିଠିଟିକୁ ଧରି ଆସିଛି । ଶେଷ ଥର ପାଇଁ ଚିଠିଟିକୁ ଖୋଲି ପଢୁଛି ।

ପ୍ରିୟ ରଶ୍ମିତା,

ତୁମକୁ ଗୋଟେ କଥା କହିବି କହିବି ଭାବି ମଧ୍ୟ ଆଜି ଯାଏ କହି ପାରିଲିନି । ବହୁତ ଥର ଚେଷ୍ଟା କରି ମଧ୍ୟ ବିଫଳ ହୋଇଛି । ତୁମକୁ କହିବାକୁ ଅନେକ କିଛି ଭାବିଥାଏ କେଜାଣି କାହିଁକି ତୁମକୁ ଦେଖିଲା ମାତ୍ରେ ସବୁ କିଛି ଭୁଲିଯାଏ । ତୁମକୁ କେମିତି ବା କହିଥାନ୍ତି ।

ଆଖି ପଲକରେ ତୁମେ ତ ରହିଛ

ସ୍ଵପ୍ନ ଝଲକରେ ତୁମେ

ମୋ ସଞ୍ଜ ସକାଳ ତୁମଠୁଁ ଆରମ୍ଭ

ଶେଷ ବି ତୁମରି ନାମେ ।

ହୃଦୟରେ ମୋର ଘରଟିଏ କରି

ତୁମେ ତ ଯାଇଛ ରହି

ସବୁ ରାତିଦିନ ଵିତୁଛି ମୋହର

ତୁମରି ପଥକୁ ଚାହିଁ ।

ମୁଁ ଜାଣିନି କେମିତି ଆଉ କେତେବେଳେ ତୁମ ପ୍ରେମରେ ପଡ଼ିଗଲି । ହେଲେ ଏବେ ମୁଁ ତୁମ ପ୍ରେମରେ ଏତେ ପାଗଳ ଯେ କେତେବେଳେ ନିଜ ଛବି ଦେଖିବାକୁ ଆଇନା ଆଗରେ ଠିଆ ହୋଇଗଲେ କେଜାଣି କାହିଁକି ମୋତେ ତୁମରି ଛବି ଦେଖା ଯାଉଛି । ଦୁନିଆ ଆଜି ମୋତେ ପାଗଳ ପ୍ରେମୀ କହୁଛି । କାହିଁକିନା ମୁଁ ତୁମକୁ ଭଲ ପାଉଛି ।

ଜାଣିନି କେମିତି ଭଲ ପାଇଗଲି

କେତେବେଳେ ପ୍ରେମ ହେଲା

କିଏ ଆସି ପୁଣି ହୃଦୟରେ ମୋର

ତୁମ ନାମ ଲେଖିଦେଲା ।

ଏତିକି କଥା କହିବାକୁ ମୋର ସାହସ ପାଇନି । କାଳେ ତୁମେ ରାଗିଯିବ ଆଉ ମୋର ପ୍ରେମକୁ ପ୍ରତ୍ୟାଖ୍ୟାନ କରିବ। ହେଲେ ମୁଁ ଜାଣିଛି ଜୋର ଜବରଦସ୍ତି ପ୍ରେମ କରାଯାଏନା । ପ୍ରେମ ହୃଦୟରୁ ଜାତ ଏକ ମୂଲ୍ୟବାନ ବସ୍ତୁ । ସେଥିପାଇଁ ମୁଁ ତୁମ ସାଙ୍ଗ ଜରିଆରେ ତୁମକୁ କହିବାକୁ ଚାହିଁଲି । ମୋତେ ଭୁଲ୍ ବୁଝିବନି ।

ଚିଠି ପଢୁ ପଢୁ ରଶ୍ମିତାର ସାଙ୍ଗ ଆସି ରାହୁଲକୁ କହିଲା । ରାହୁଲ ତୁମେ ଦେବାକୁ ଚାହୁଁଥିବା ଗିଫ୍ଟ ବୋଧେ ଅସ୍ମିତା ଭାଗ୍ୟରେ ନାହିଁ । କାଲି କଲେଜରୁ ଫେରିବା ବେଳେ କେତେଜଣ ମାଂସ ଲୋଭୀ ରାକ୍ଷସ ମାନେ ତାକୁ ଦୁଷ୍କର୍ମ କଲା ପରେ ତାକୁ ମାରି ନାଳକୁ ଫିଙ୍ଗି ଦେଇଛନ୍ତି ।

ରାହୁଲର ପାଦତଳୁ ମାଟି ଖସି ପଡ଼ିଲା । ଆଉ ତାର ଆଖିରୁ ବୋହିଗଲା କେଇବୁନ୍ଦା ଲୁହ । ଆଉ ତାର ପ୍ରେମ ଚିଠି ସେମିତି ସବୁ ଦିନ ପାଇଁ ବନ୍ଦ ଲଫାଫା ଭିତରେ ରହିଗଲା ।

************

ପ୍ରଶାନ୍ତ କୁମାର ନାଥ

ନଂ -10,ଫାଷ୍ଟ ଫ୍ଲୋର,ଫାଷ୍ଟ ବି କ୍ରସ,ଏସ.ଜି.ଏନ ଲେଆଉଟ,

କସମିକ ଏମ୍ବାସୀ,ବାଙ୍ଗାଲୋର-560027


Rate this content
Log in

Similar oriya story from Romance