Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Soumya Shubhadarshinee

Others

3  

Soumya Shubhadarshinee

Others

ଘଟସୂତ୍ର

ଘଟସୂତ୍ର

6 mins
272


 


 ଘଡିକେ ଘୋଡା ଛୁଟେ ଆଜିର ଜୀବନରେ , କେତେବେଳେ କେଉଁ କଥା ଜାଣିବା ମୁସ୍କିଲ । ତେଣୁ ମାପି ଚୁପି ଚାଲିବାକୁ ହୁଏ ଦୁନିଆ ଦାଣ୍ଡରେ !


  ସଭିଙ୍କ ଆଖିରେ ଦୁଷ୍ଟ ଇସାରା , ଚୁପି ଚୁପି କଥା , ହାଲ୍କା ଇଙ୍ଗିତ । ସାରା ଅଫିସର ପୁରୁଷ କର୍ମଚାରୀଙ୍କ ଲାଗି , ତା' ଆସିବା ସବୁବେଳେ ଗୋଟେ ସୁଖ , ଆଖି ପାଇଁ ଉପହାର ଆଉ ମନ ପାଇଁ ଲୋଭ । 


  ତା' ରୂପ ଆଉ ପରିପାଟି ମଧ୍ୟ ଖୁବ୍ ଆକର୍ଷଣୀୟ , ଯେ କେହି ପ୍ରଭାବିତ ହେଇଯିବ ଅଚିରେ । ତା' ମାର୍ଜିତ ବ୍ୟବହାର ମଧ୍ୟ ବେଶ ପ୍ରଭାବଶାଳୀ । ତେଣୁ ଯେବେ ସେ ଆସେ ଗୋଟେ ମଳୟର ସ୍ପର୍ଶ ନେଇ ଆସେ , ଧୀର ମଧୁର ବଂଶୀ ସ୍ୱନ ଶୁଭେ ସବୁଠି , ହଜାରେ ଗୋଲାପ ଫୁଟି ଯାଏ ଅଫିସର ଶୁଷ୍କ ପୃଥିବୀରେ । ଆଉ ତା' ପଦପାଦ ହେବା କ୍ଷଣି ସଭିଏଁ ନିଜକୁ ନଟନାଗର ରୂପରେ ସଜେଇ ନିଅନ୍ତି ମନେ ମନେ । 


  ଖାସ ତା' ଲାଗି ଆଜିକାଲି ଅଫିସର ଅଳିଆ , ଲୋଚାକଚା , ଦାଢ଼ି ମୁହାଁ ଲୋକ ମେଞ୍ଚାକ ବଡ଼ ଚଇନି ଚିକଣ ହେଇ ଦୃଶ୍ୟ ହେଉଛନ୍ତି । କଡା ପାନଖିଆ ଝାଳୁଆ ଦେହ ଗୁଡ଼ାକରୁ ମନ ମତାଣିଆ ସେଣ୍ଟ ବାସ ଚହଟୁଛି । ଇସ୍ତ୍ରୀ କରା ପିନ୍ ପିନ୍ ପୋଷାକ ସହ ପଲିସ କରା ଜୋତା ଚପଲ ଶୋଭା ପାଉଛି । ଅଫିସର କାୟା ପଲଟ ହେଇଯାଇଛି ଯେମିତି । ଅବଶ୍ୟ ନାରୀ ମାନଙ୍କର ପ୍ରଭାବ ବଡ଼ ମୁସ୍କିଲ । ଯେହେତୁ ନନ୍ଦନପୁର ଟ୍ରେଜେରୀ ଅଫିସରେ ମହିଳା କର୍ମଚାରୀ ନାହାନ୍ତି ତେଣୁ ଟିକେ ମନ ହେଉନଥିଲା ସଜବାଜ ହେବାକୁ । ହେଲେ ଏଇ ସୁନ୍ଦରୀ ପାଇଁ ଏବେ ପ୍ରଯତ୍ନ ଲୋଡ଼ା । ହାଁ ବଡ଼ ଜରୁରୀ ଏଇନେ ନିଜକୁ ଅପ୍ ଟୁ ଡେଟ୍ ରଖିବା । କିଏ ଜାଣେ କେତେବେଳେ ଚାନ୍ସ ମିଳିଯିବ । 


 ଅଫିସରେ କେହି ତା' ହଳଦୀ ଗୋରୀ ରୂପ ପାଇଁ ତ କେହି ତା' ଲମ୍ବା କେଶ ପାଇଁ ମତୁଆଲା ହୁଅନ୍ତି । ଆଉ କେହି କେହି ତା' ସହ ଓପରେ ପଡି କଥା ପଦେ ହେବାକୁ ହାଇଁ ପାଇଁ ହୁଅନ୍ତି । ତା' ନିକଟବର୍ତ୍ତୀ ହେବାର ଘୋଡା ଦୌଡ଼ରେ ସଭିଏଁ ଥାନ୍ତି ଅଳ୍ପ ବହୁତ । କେବଳ ଜଣେ ସୁଲଗ୍ନା ମହାନ୍ତି ପାଇଁ ଟିକିଏ ମଧ୍ୟ ଉତ୍ସାହ ଦେଖାଏ ନାହିଁ । ଆଉ ସେଥିପାଇଁ ସେଇଟି ଏକଦମ ବେରସିକ , ଅସାମାଜିକ , ଅଣପୁରୁଷା , ଅନାଡି ଭାବରେ ପରିଗଣିତ ହୁଏ ସଭିଙ୍କ ଆଖିରେ । 


ଦଳେଇ ବାବୁ ତ ମୁହଁରେ କୁହଁନ୍ତି , 

'' ଆଛା ଅମିତ ବାବୁ ତୁମର କିଛି ଗୋଳମାଳିଆ ଅଛିକି ମୁଣ୍ଡ ମେସିନ୍ ଭିତରେ । ଝିଅ ପିଲାଙ୍କ ଛାଇ ଦେଖି ତୁମ ନାହି ଡିଏଁ କିଆଁ ?''


 ଅମିତ କେବଳ ହସିଦିଏ , ହେଲେ ପଦୁଟିଏ ଉତ୍ତର ରଖେନି । କେବେ ଖୋଲି କୁହେନି ଯେ ସେ ସୁଲଗ୍ନା ପ୍ରତି ତା'ର ମନୋଭାବ ? 


 ଯେଉଁଠି ସୁଲଗ୍ନା ଭଳି ଅନିନ୍ଦ୍ୟ ସୁନ୍ଦରୀ ପାଇଁ ମଣିଷ କ'ଣ ଦେବତା ମଧ୍ୟ ଲାଳାୟିତ ହେବେ ସେଇଠି ଅମିତ ତା' ସହ ରୁକ୍ଷ ବ୍ୟବହାର କରେ କେମିତି କେହି ବୁଝିପାରନ୍ତି ନାହିଁ । କିନ୍ତୁ ବିଧିର ବିଧାନ ବିଚିତ୍ର ସୁଲଗ୍ନା ମହାନ୍ତି କେବଳ ସେଇ ଅମିତ ସହହିଁ କଥା ହୁଏ କାରଣ ତା' ଏରିଅର୍ ଟଙ୍କାର ବିଲ୍ ଏଇ ଅମିତବାବୁ ପାଖରେ ହିଁ ଅଟକିଛି ।


 ସରକାରୀ ଚାକିରୀ ଭିତରେ ଫାଇଲ ପ୍ରସଙ୍ଗ ବଡ଼ ସେଂସିଟିଭ୍ । ଜଣା ସଭିଙ୍କୁ , ଯଦି ଅଟକିଯାଏ କିଛି କାରଣ ବଶତଃ ମୁକୁଳେଇବା ଟିକେ ଅଡୁଆ । ତେଣୁ ମିସ୍ ସୁଲଗ୍ନା ଦୌଡୁଛନ୍ତି ଅଫିସ । ଆହାଃ ! ତନୁ ପାତଳୀ , ନିରୀମାଖୀ ମିସ୍ ସୁଲଗ୍ନା, ସଭିଙ୍କ ମନରେ ତାଙ୍କ ଲାଗି ବେଜାଏ ଦୟା । କିନ୍ତୁ କାମଟା କେମିତି ହେବ ସେତକ ପ୍ରଚେଷ୍ଟା କରୁନାହାଁନ୍ତି କେହି । 


 ଗଲା ବର୍ଷ ପ୍ରବଳ ଟାଇଫଏଡ୍ ରେ ଆକ୍ରାନ୍ତ ହେଇ ଦୁଇମାସ ଛୁଟି ନେବାକୁ ପଡିଥିଲା ସୁଲଗ୍ନାକୁ । ସରକାର କର୍ମଚାରୀଙ୍କୁ ଅସୁସ୍ଥତା ପାଇଁ ଛୁଟି ମଞ୍ଜୁର କରିବାରେ ସିନା ବଡ଼ ଉଦାର କିନ୍ତୁ ଛୁଟି ସମୟର ପାଉଣା ତକ ଦେବାର ବଡ଼ କୃପଣ । ଏରିଅର୍ ଟଙ୍କା ମଞ୍ଜୁର ହେବା ପାହାଡ଼ ଚଢ଼ିବା ଭଳିଆ କାଠିକର ପାଠ । କିନ୍ତୁ ସବୁଠି ଗଳା ବାଟ ରହିଥାଏ । ଆଉ ଏଇଠି ବୃଷଭଙ୍କ କୃପା ଦୃଷ୍ଟି ପାଇ କାମ କରିବାର ବନ୍ଦୋବସ୍ତ ଅଛି । ସୁଲଗ୍ନା ବୁଦ୍ଧିମତୀ ଆଉ ଯୁଗକୁ ମଧ୍ୟ ଏକଦମ ଫିଟ୍ । ସେ ସମସ୍ତ ବନ୍ଦୋବସ୍ତ ସୁଚାରୁ ରୁପେ ସାରିଛି। କିନ୍ତୁ ତଥାପି ଅଟକିଛି ବିଲ୍ । କାହିଁକି ଥରକୁ ଥର ଅବଜେକ୍ସନ୍ ହେଉଛି ବୁଝାପଡୁନି ସୁଲଗ୍ନାକୁ। ତେଣୁ ପ୍ରତି ମାସରେ ଦରମା ବିଲ୍ ଯିବା ସହ ସୁଲଗ୍ନା ମଧ୍ୟ ଆସୁଛି ଟ୍ରେଜେରୀ ଅଫିସ । ଆଉ ସୁନ୍ଦରୀ ସୁଲଗ୍ନାର ଦର୍ଶନ କରି ନିଜକୁ କୃତାର୍ଥ କରୁଛନ୍ତି ସଭିଏଁ ।


 ସେ ଚିରାଚରିତ ଭାବେ ଅମିତ ବାବୁଙ୍କ ସହ ଭେଟ କରୁଛି ଆଉ ଅବଜେକ୍ସନ୍ ର କାରଣ ବୁଝିବାକୁ ପ୍ରୟାସ କରୁଛି । ଅମିତବାବୁ କିନ୍ତୁ ସବୁବେଳେ ବଡ଼ ବେପରୁଆ ଭାବେ ଛୋଟ ମୋଟ ଭୁଲ ଦେଖେଇ ନିରାଶ ହିଁ କରୁଛନ୍ତି ସୁଲଗ୍ନାକୁ । ଇତ୍ୟବସରେ ଚାରି ମାସ ହେଇଗଲାଣି । 



  ଆଜି ସକାଳୁ ସୁଲଗ୍ନାର ଆସିବାର ଖବର ବିଜୁଳି ଭଳି ଖେଳିଯାଇଛି ପୂରା ଅଫିସରେ ।


  ଗୋଟେ ଚମତ୍କାର ନୀଳ ଶାଢ଼ୀ , ମ୍ୟାଚିଂ ଚୁଡି , ବିନ୍ଦି , ରବର ବ୍ୟାଣ୍ଡ ସହ ଆଜି ସେ ନୀଳ ପରୀ ସାଜିଛି । କିନ୍ତୁ ତା'ର ସେ ଗଜଗାମିନୀ ଚାଲି ଆଜି ଦେଖା ଯାଉନି କି ସେ ମୃଗନୟନୀ ନଜର ଆଜି ଛାତିରେ ତୀର ବିନ୍ଧୁନି । ସେଠି ଅଛି ରଣଚଣ୍ଡୀ ଚାଲି ଆଉ ଅଗ୍ନି ବର୍ଷି ଦୃଷ୍ଟି । ଯେମିତି ଗୋଟେ ଭୟଙ୍କର ଯୁଦ୍ଧ କରିବାର ପୁର୍ବ ପ୍ରସ୍ତୁତି କରିକି 

ଆସିଛି। 


 ଏଥର କୁଆଡେ ତା' ଏରିଅର୍ ବିଲ୍ ହଜିଯାଇଛି । ହେ ପ୍ରଭୁ , ଗତ ମାସରେ ଘଣ୍ଟାଏ କାଳ ଅମିତ ବାବୁଙ୍କ ପାଖରେ ବସି ସବୁକିଛି ଭଲ ଭାବେ ବୁଝି ଠିକ କରିଥିଲା ସେ ବିଲ୍ । ଆଉ ସଠିକ ସମୟରେ ଆସି ଦାଖଲ କରିଥିଲା ଅଫିସରେ । କେମିତି ହଜିଗଲା ? ଏଇତକ ବଡ଼ ବ୍ୟସ୍ତ କରିଥିଲା ତାକୁ । ତେଣୁ ଆଉ ଅମିତ ନୁହେଁ ସେଇ ଅଫିସର ଆଉ ଗୋଟେ କ୍ଳରିକାଲ ଷ୍ଟାଫ ସହ କଥା ହେଲା ଆଉ କିଛି ଭୋଗ ଲଗେଇ ହାତେଇଲେ ବିଶେଷ ଖବର । ବିଲ୍ ସେମିତି ଅଛି ଫାଇଲ ଭିତରେ କିନ୍ତୁ ଅମିତ ବାବୁ ପଠେଇ ନାହାଁନ୍ତି । ଆଶ୍ଚର୍ଯ୍ୟ କଥା , ଏମିତି କାହିଁକି କରୁଛନ୍ତି ଯେ ? ବଡ଼ ବିଚିତ୍ର ଲୋକ , ଗୋଟେ ଭଲ ଧନ୍ଦା ଲଗେଇଛନ୍ତି ।

 

 ତେଣୁ ଆଜି ସୁଲଗ୍ନା ଆସିଛି ଏଇ ଜାଣିସିଆଣିଆ କାମର ସମାଧାନ ପାଇଁ । ବହୁତ ହେଲା ଭଦ୍ରାମି , ଏଇ ଲୋକ ଗୁଡା ସେ ଭାଷା ବୁଝନ୍ତି ନାହିଁ । ତାଙ୍କୁ ଯେଉଁ ଭାଷା ବୁଝାପଡ଼େ ଆଜି ସେଇ ଭଷା ଶୁଣେଇବାକୁ ପଡିବ ।


-- "ମୋ ବିଲ୍ ଏଥର ମଧ୍ୟ କଲେନି କାହିଁକି ?"


-- "ମ୍ୟାମ୍ ବିଲ୍ ବୋଧେ ମିସ୍ ପ୍ଲେସ୍ ହେଇଯାଇଛି ।''


--'' ନା ସେଇ ଗ୍ରୀନ ଫାଇଲରେ ହିଁ ଅଛି , ଟିକେ ଦେଖନ୍ତୁ ଅମିତ ବାବୁ ।''


--'' ନା' ମ୍ୟାମ୍ ମୁଁ କହୁଛି ନାହିଁ ତଥାପି କାହିଁକି ଜିଦ ।"


--'' ଏଥିପାଇଁ କି ମୋତେ ଜଣା , ବୁଝିଲେ ବହୁତ ହେଲା ଖେଳ , ଭଲରେ ଭଲରେ ମୋ କାମ କରନ୍ତୁ ନହେଲେ ବିଲକୁଲ ଠିକ ହେବନି । ''


 ବାପରେ ଆଜି ସୁଲଗ୍ନା ମହାନ୍ତିର କି ତୋଡ , ଏକଦମ ଗରମ । ମୁହଁ ରାଗ ତମତମ ଆଉ କଥା ବଡ଼ ରୁକ୍ଷ । ବାପଧନ ଅମିତ କୁମାର ତୋର ତ୍ରାହି ନାହିଁ , ଏଥର ପଡ଼ିଲୁ ହରଡ଼ ଘଣାରେ । ଝିଅ ଦେବ ପାନେ । ଆଉ ଖସିପାରିବୁନି । 


 ଅଫିସରେ ଏମିତି କୁହା କୁହି , ଖୁଜୁବୁଜୁ ସଭିଏଁ । ଏଥର କଣ କରିବ ଅମିତ ??.....


ଟୁପୁରୁ ଟାପୁରୁ ସେମିତି ଚାଲିଥିଲା , ସଭିଙ୍କ ପାଇଁ ଅମିତ ଦାସ ଗୋଟେ ରୋଚକ ଖବର ହେଇଗଲା । 


--'' କି ମନ୍ତ୍ର ବୋଲିବ ଏବେ ପୁଅ ଏ ଫଁ ଫଁ ନଗୁଣୀ ମଣ କରିବାକୁରେ ବାବା !''


 ଏଡ଼େ ବଡ଼ ଆଖି କରି ଫିସ ଫିସ ହେଇ କହୁଥିଲା ଦଳେଇ ବାବୁ । ଆଉ ତା' କଥାର ସମର୍ଥନରେ ଥିଲେ ବାକି ଗୋଟାକ ଯାକ ଅଫିସ । 


 କେମିତି ଜଳନ୍ତା ଅଙ୍ଗାର ଉପରେ ପାଣି ଛାଟିବ ଅମିତ କେଜାଣି ?


ଅମିତ ଦାସ କିନ୍ତୁ ନିଜ ଷ୍ଟାଇଲ ଛାଡିଲା ନାହିଁ , ସେମିତି ବେପରୁଆ ଢ଼ଙ୍ଗରେ କହିଲା , '' ଆଛା ଏଇ ଗ୍ରୀନ୍ ଫାଇଲ୍ ଓଃ ! ଦେଖୁଛି ମ୍ୟାମ୍ ଯଦି ଅଛି ଆଜି 

ପଠେଇବି । ''


 ସୁଲଗ୍ନା କିଛି କହିଲା ନାହିଁ , କେବଳ ଅପେକ୍ଷା କଲା । ଆଉ ଅମିତ ଖୋଲିଲା ଫାଇଲ୍ । ଇସ୍ ବିଲ୍ ତ ଅଛି , ତେବେ ଶ ' ଟୋକା ସତରେ ଖେଳାଳି । ଝିଅଟା ଠିକ ଧରିଛି , ଏଥର ମଲା ।


 --'' ଏଇଟା କ'ଣ ଅମିତ ବାବୁ ?''


--'' ଓଃ ! ମ୍ୟାମ୍ ମଣିଷ ମାତ୍ରକେ ଭୁଲ ।

 ଏମିତି ଘଟଣା ନୂଆ ନୁହେଁ । ଏବେ ପଠେଇ ଦେବି ରୁହନ୍ତୁ ।''


 ସଙ୍ଗେ ସଙ୍ଗେ ବିଲ୍ ପଠେଇବାର ବନ୍ଦୋବସ୍ତ କରିଦେଲା ଅମିତ । ସୁଲଗ୍ନାର ମୁହଁ ଏଇ ଉପକ୍ରମରେ ଉଜ୍ଜ୍ୱଳ ଦେଖାଗଲା ଆଉ ସାରା ଅଫିସ ଦୁଃଖି । ଯା' ଆଉ ଆସିବନି ସୁନ୍ଦରୀ । ତା' ହିସାବ କିତାବ ଖତମ । ଏଇନେ ପୁଣି ପଡିଆ ପଡିବ ମନ ଉପବନ ,ଧେତ୍ !... 



 ଏଇ ଘଟଣାର ମାସେ ପରେ ଅମିତ ଦାସ ହଠାତ ଛୁଟିରେ । ହେଁ ! କି କାମ ପୂରା ପନ୍ଦର ଦିନିଆ ଗସ୍ତ । ଅଛି ନିଶ୍ଚିତ ଅଛି ସାରୁ ଭିତରେ ମାରୁ । ବାବୁ କରୁଛନ୍ତି କିଛି ଭିତିରିଆ କାରବାର । ଅମିତ ଦାସକୁ ନେଇ ରୋଚକ ଗସିପ୍ ଆହୁରି ବାତିଲା ସାରା ଅଫିସରେ । କିନ୍ତୁ ପିଲାର ଦେଖା ନାହିଁ । ଫୋନ୍ ବି ସ୍ୱିଚ ଅଫ , ବାପରେ !


 ସନ୍ଦେହ ଘୋର ସନ୍ଦେହ ସଭିଙ୍କ ମନରେ । କିଛି କିନ୍ତୁ କରିବାର ନାହିଁ , ପିଲାଟିର ଗାଁ ଖବର କାହା ପାଖରେ ନାହିଁ । ତେଣୁ କାନମୁଣ୍ଡ ଆଉଁସି ରୁହ ।


 ଦୁଇଦିନ ପାରେ ସଭିଙ୍କୁ ମିଳିଲା ବାହାଘର କାର୍ଡ : ଅମିତ ସହ ସୁଲଗ୍ନାର। ସଭିଏଁ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେବାକୁ ବିଶେଷ ଅନୁରୋଧ ସହ ।

 

 ଇସ୍ ଏଇ ଚମତ୍କାର କେମିତି ହେଲା , 

ଇଏ କ'ଣ ସେଇ ସୁଲଗ୍ନା ?????...


 କେଜାଣି , ଜଣା କେବଳ ଅମିତ 

ଦାସକୁ । କିନ୍ତୁ ବୁଝିବାକୁ ତ ପଡିବ । ଦଳେଇ ବାବୁ ଆଉ ରହି ପାରିଲେ ନାହିଁ । ଫୋନ୍ କରି ପଚାରିଦେଲେ , '' କିହୋ ଏ କିମିଆ କେମିତି କଲ ପ୍ରଭୁ ?"


--'' ଏଇଟା ପରା ଘଟସୁତ୍ର କିମିଆ , ଆପଣ କ'ଣ ଅବୁଝା ହେଉଛନ୍ତିମ !''


 ହସି ହସି କହିଲା ଅମିତ ଦାସ । 


 ଆପଣଙ୍କ ଗୋଚରାର୍ଥେ ଜଣେଇ ଦେବା । ଦାସେ ଅପଣେ ଏଠିକି ଆସିବା ପୂର୍ବରୁ ଖବର ନେଇଥିଲେ କିଏ ତାଙ୍କ ଲାଗି ସଠିକ ସହଯାତ୍ରୀଣୀ ସାଜିବ ଏଇ ନନ୍ଦନପୁରରେ । ସବୁ ଖବର ଅନ୍ତର ବାଦେ ଖୋଜାହେଲେ ମିସ ସୁଲଗ୍ନା ମହାନ୍ତି । କିନ୍ତୁ ଯୋଗସୂତ୍ର ବିନା ଘଟସୂତ୍ର ଆଉ କେମିତି । ସେଇଥିପାଇଁ ଥରକୁ ଥର ଡ଼କା ହେଉଥିଲେ ମ୍ୟାଡ଼ମ୍ ଅଫିସ । ଆଉ ଏଇ ମଉକାରେ ଧୀରେ ଧୀରେ ଧରାଦେଲେ ହାତରେ । ବିଲ୍ ଖାଲି ବାହାନା ଥିଲା ନା' । ସୁଲଗ୍ନା ଉପରେ ଏମିତି ବେପରୁଆ ନଜର ନ' ଛାଟିଥିଲେ କଥାଟା ଓଲମ ବିଲମ ହେଇଯାଇନଥାନ୍ତା ! 


 ଗୃହ ଶତ୍ରୁ ଏଠି କ'ଣ କମ କି ! ସତରେ ପୂରା ଶେହେ ଶହେରେ ଖେଳ । ହେଲେ ଏତକ ଆଉ କେମିତି ବୁଝିବେ ଦଳେଇ ବାବୁ , ଯେତେବେଳେ ମିସ୍ ସୁଲଗ୍ନା ଖୋଦ ବୁଝିନାହାଁନ୍ତି ଏଯାଏଁ !


 ବିଲ୍ ଅଡୁଆ କରିବା ଲୋକ ତୁଟେଇବା ବାହାନାରେ ଯେଉଁ ଘଟସୂତ୍ର ଯୋଡିଲେ ସବୁ ତାରି କମାଲ । ବାକି ଭୋଜିଭାତ ଖବର ସଭିଙ୍କୁ ଜଣା । 



Rate this content
Log in