Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -3
ଜହ୍ନମାମୁଁ -3
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

4 Minutes   7.4K    15


Content Ranking

ସଚ୍ଚା ଶିଳ୍ପୀ

ମନ୍ଦାକିନୀ ନଦୀ ତୀରରେ ମରକତପୁର ଗୋଟିଏ ସମୃଦ୍ଧ ଗ୍ରାମ ଥିଲା । ଏ ଗ୍ରାମର ଲୋକେ ସାହିତ୍ୟ, ସଂଗୀତ, ନୃତ୍ୟ ଇତ୍ୟାଦି କଳାର ବିଶେଷ ଆଦର କରୁଥିଲେ । ସେଥିପାଇଁ ସାରା ରାଜ୍ୟରେ ଏ ଗ୍ରାମର ବିଶେଷ ଖ୍ୟାତି ଥିଲା ।

ଗ୍ରାମବାସୀମାନେ ବାରମାସରେ ତେର ପର୍ବ ପାଳନ କରୁଥିଲେ । ତେବେ ସବୁଠାରୁ ବଡ ଉତ୍ସବ ଦେବୀ ମଙ୍ଗଳାଙ୍କ ବାର୍ଷିକ ପୂଜା ଥିଲା । ମଙ୍ଗଳା ସେ ଗ୍ରାମର ଆରାଧ୍ୟା ଦେବୀ ବୋଲି ସମସ୍ତ ଗ୍ରାମବାସୀ ଏ ଉତ୍ସବରେ ମନପ୍ରାଣ ଢାଳି ଅଂଶ ଗ୍ରହଣ କରୁଥିଲେ ।

ଉତ୍ସବ ତିନିଦିନ ଧରି ବ୍ୟାପି ଚାଲୁଥିଲା । ନୃତ୍ୟଶିଳ୍ପୀ ମାଳବିକା ଶେଷ ସନ୍ଧ୍ୟାରେ ନୃତ୍ୟ ପରିବେଷଣ କରୁଥିଲେ । ତାଙ୍କ ନୃତ୍ୟହିଁ ଉତ୍ସବର ସବୁଠାରୁ ବେଶି ଜନପ୍ରିୟ ଆକର୍ଷଣ ଥିଲା ।

ମାଳବିକା ବାସ୍ତବିକ ଜଣେ କୁଶଳୀ କଳାକାର ଥିଲେ । ନୃତ୍ୟକୁ ସେ ଜୀବନ ବୋଲି ଗ୍ରହଣ କରିନେଇଥିଲେ । ତାଙ୍କ ଯୋଗୁଁ ମରକତପୁରର ଅଧିବାସୀମାନେ ଯେ ଗର୍ବ ଅନୁଭବ କରୁଥିଲେ, ଏଥିରେ କୌଣସି ସନ୍ଦେହ ନାହିଁ ।

ବର୍ଷେ ଅସୁସ୍ଥତା ଯୋଗୁଁ ସେ ଆଉ ନାଚି ପାରିଲେ ନାହିଁ । ଉତ୍ସବ ପରେ ତାଙ୍କୁ ଯିଏ ଦେଖିଲା ସିଏ କହିଲା, “ମାଳବିକା! ତୁମ ନୃତ୍ୟ ବିନା ଉତ୍ସବ ଏଥର ଶୁଖିଲା ଲାଗିଲା!”

ମାଳବିକା ମନେ ମନେ ବୁଝିଲେ ଯେ ତାଙ୍କୁ ବାଦ୍ ଦେଲେ ଉତ୍ସବ ବିଶେଷତ୍ୱ ହରାଇବ ।

ପରବର୍ଷ ଯେତେବେଳେ ଉତ୍ସବ ସମୟ ପାଖ ହୋଇ ଆସିଲା ଏବଂ ଉତ୍ସବ ସମିତି ଆୟୋଜନରେ ଲାଗି ପଡିଲେଣି ବୋଲି ମାଳବିକା ବୁଝିଲେ, ସେ ସମିତିର କର୍ମକର୍ତ୍ତାମାନେ ତାଙ୍କୁ ଭେଟନ୍ତୁ ବୋଲି ଖବର ପଠାଇଲେ ।

ମାଳବିକା ଏଭଳି ନିର୍ଦେଶ ଦେବା ସମିତିର କର୍ମକର୍ତ୍ତାମାନଙ୍କୁ ନୂଆ ଲାଗିଲା । ତେବେ ହୁଏତ ରଙ୍ଗମଞ୍ଚ ବା ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ତାଙ୍କର କିଛି କହିବାର ଥିବ, କର୍ମକର୍ତ୍ତାମାନେ ଏଇଆ ଭାବିଲେ ।

ସମିତିର ସମ୍ପାଦକ ଓ କୋଷାଧ୍ୟକ୍ଷ ତାଙ୍କୁ ଭେଟିବାକୁ ଆସିଲେ ।

ମାଳବିକା ସେମାନଙ୍କୁ କୌଣସି ସମ୍ମାନ ନ ଦେଖାଇ କହିଲେ, “ଦେଖନ୍ତୁ, ଆପଣମାନେ ମୋତେ ମୋ ନୃତ୍ୟ ପାଇଁ ପ୍ରତିବର୍ଷ ମାତ୍ର ଶହେ ସ୍ୱର୍ଣ୍ଣମୁଦ୍ରା ଦିଅନ୍ତି । କିନ୍ତୁ ଏଣିକି ଦୁଇଶହ ସ୍ୱର୍ଣ୍ଣମୁଦ୍ରା ନହେଲେ ମୋ ପକ୍ଷରେ ନୃତ୍ୟ ପ୍ରଦର୍ଶନ କରିବା ଆଦୌ ସମ୍ଭବପର ହେବ ନାହିଁ । ସେହି ଅନୁସାରେ ବ୍ୟବସ୍ଥା କରନ୍ତୁ ।”

ମାଳବିକାଙ୍କ ଏଭଳି ବ୍ୟବହାରରେ କର୍ମକର୍ତ୍ତାମାନେ ଅତ୍ୟନ୍ତ ବିସ୍ମିତ ହେଲେ । ନୃତ୍ୟ ପ୍ରଦର୍ଶନ ହେବ ବୋଲି ପ୍ରଚାର ହୋଇ ଯାଇଥିଲା । ଦୂରରୁ ଲୋକେ ଆସିବେ । ଅଥଚ ମାଳବିକାଙ୍କୁ ଅଧିକ ଶହେ ସ୍ୱର୍ଣ୍ଣମୁଦ୍ରା ଦେଲାଭଳି ପୁଞ୍ଜି ସମିତିର ନଥିଲା । ପୁଣି, ସେ ରାଜ୍ୟର ନିୟମ ଅନୁସାରେ ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣରୁ ଅଧିକ ଚାନ୍ଦା ଆଦାୟ କରିବାକୁ ହେଲେ ରାଜାଙ୍କ ଅନୁମତି ଲୋଡା ।

ସମିତିର ସଭାପତି ଓ ସମ୍ପାଦକ ରାଜାଙ୍କ ପାଖକୁ ଗଲେ ଓ ଯେଉଁ ସମସ୍ୟା ଉପୁଜିଥିଲା, ସେକଥା ସେମାନେ ରାଜାଙ୍କୁ ଜଣାଇଲେ । ରାଜା ଟିକିଏ ଚିନ୍ତା କରି କହିଲେ, “ଆଚ୍ଛା, ଅଧିକା ଅର୍ଥ ମୁଁ ଦେଇଦେବି । ଚାନ୍ଦା ଅସୁଲ୍ କରିବା କିଛି ଦରକାର ନାହିଁ । ତମ ଉତ୍ସବର ଶେଷ ଦିନ ପରା କେହି ବିଶିଷ୍ଟ ବ୍ୟକ୍ତି ପ୍ରବଚନ ଦିଅନ୍ତି? ଏ ବର୍ଷ କିଏ ଦେବେ?”

ସମିତିର ସଭାପତି କହିଲେ “ମହାରାଜ! ଏଯାଏଁ ତ ଆମେ ତାହା ସ୍ଥିର କରି ନାହୁଁ ।”

ରାଜା ପଚାରିଲେ “ବେଶ୍ । ମୋର ଜଣେ ବନ୍ଧୁ ସାଧୁ ହୋଇ ହିମାଳୟରେ ଥିଲେ । ତାଙ୍କ ନାମ ଧୀରାନନ୍ଦ । ତାଙ୍କୁ ପଠାଇବି?”

ସଭାପତି ଓ ସମ୍ପାଦକ କହିଲେ, “ମହାରାଜ! ତାହାଠୁ ବଳି ଆଉ କ’ଣ ବା ଭଲ ହୋଇପାରେ?”

ଉତ୍ସବର ଶେଷ ଦିନ ଯଥା ସମୟରେ ସ୍ୱାମୀ ଧୀରାନନ୍ଦ ଆସି ସେଠାରେ ପହଁଚିଗଲେ । ଗ୍ରାମବାସୀମାନେ ତାଙ୍କୁ ବହୁତ ଶ୍ରଦ୍ଧା ସମ୍ମାନ ଦେଖାଇ ସ୍ୱାଗତ କଲେ ।

ସନ୍ଧ୍ୟାରେ ନୃତ୍ୟ ଆରମ୍ଭ ହେବା ପୂର୍ବରୁ ସ୍ୱାମୀ ଧୀରାନନ୍ଦ ବକ୍ତୃତା ଦେଲେ । ତାଙ୍କୁ ସ୍ୱୟଂ ରାଜା ପଠାଇଥିବା ଯୋଗୁଁ ସବୁ ବିଶିଷ୍ଟ ଲୋକେ ସେହି ସଭାରେ ଥା’ନ୍ତି । ଆଗରେ ମାଳବିକା ମଧ୍ୟ ବସିଥାନ୍ତି ।

କିଛି ଆଧ୍ୟାତ୍ମିକ କଥା କହିସାରି ଧୀରାନନ୍ଦ କହିଲେ, “ମଣିଷର ମହତ୍ୱ ଜଣାଯାଏ ତା’ର କରୁଣା ବୋଧ କେତେଦୂର, ତହିଁରୁ । ଯେତେବେଳେ ଶିଶୁ କହେ, ‘ମା! ତମେ କାଲି କୁଆଡେ ଚାଲିଗଲ? ମୋତେ ଏକୁଟିଆ ବହୁତ ଭୟ ଲାଗିଲା!’ ସେତେବେଳେ ମା ମନେ ମନେ ସିଦ୍ଧାନ୍ତ କରେ କି ସେ ଆଉ ଶିଶୁକୁ ଏକୁଟିଆ ଛାଡି କୁଆଡେ ଯିବ ନାହିଁ । ମା ସେତେବେଳେ ଲାଭ କ୍ଷତିର ବିଚାର କରେ ନାହିଁ । ଏହି ମାତୃ-କରୁଣାହିଁ ଯେ କୌଣସି ସ୍ତ୍ରୀ ଲୋକର ସବୁଠାରୁ ବଡ ଗୁଣ । ଏହି କରୁଣା ଖାଲି ଶିଶୁ ପ୍ରତି ନୁହେଁ, ସ୍ୱାମୀ ତଥା ଅନ୍ୟ ସମସ୍ତଙ୍କ ପ୍ରତି ପ୍ରବାହିତ ହୁଏ । ସେହିପରି ଯିଏ ଗାୟୀକା ବା ନର୍ତକୀ, ସିଏ ଲାଭ କ୍ଷତିର ବିଚାର କରେ ନାହିଁ । ଭଗବାନ ତାକୁ କଳାଜ୍ଞାନ ଦେଇଛନ୍ତି । ତାକୁ ପରିବେଷଣ କରିବା ତା’ର ସ୍ୱାଭାବିକ ଧର୍ମ ବୋଲି ସେ ତାହା କରେ । ଯେତେବେଳେ ଦର୍ଶକମାନେ କହନ୍ତି, ‘ତମେ ନାଚିଲ ନାହିଁ ବୋଲି ଆନନ୍ଦରୁ ବଞ୍ଚିତ ହେଲୁ’, ସେତେବେଳେ ସଚ୍ଚା ଶିଳ୍ପୀ ନିଜକୁ ଆଉ ସମ୍ଭାଳି ପାରେ ନାହିଁ । ସେ ନିଜର ସବୁ ପ୍ରତିଭା ଖଟାଇ ନାଚେ । ଏହାହିଁ ତା’ର ମାତୃ-ହୃଦୟର ପରିଚୟ, ମହତ୍ କରୁଣାର ପରିଚୟ । ମଣିଷ ଏହିଭଳି ମହତ୍ୱ ଯୋଗୁଁ ମଣିଷ ପଦବାଚ୍ୟ ।”

ମାଳବିକା ସ୍ତବ୍ଧ ହୋଇ ପ୍ରବଚନ ଶୁଣୁଥିଲେ । ସେ ସଭା ପରେ ଧୀରାନନ୍ଦଙ୍କୁ ଭେଟିବାକୁ ମନ୍ଦିର-ସଂଲଗ୍ନ କୋଠରୀ ଭିତରକୁ ଯାଇ ଆଶ୍ଚର୍ଯ୍ୟ ହୋଇ ଦେଖନ୍ତି ତ ଧୀରାନନ୍ଦ ବଦଳରେ ରାଜା ଠିଆ ହୋଇଛନ୍ତି । ସେ ବୁଝିଲେ, ରାଜାହିଁ ଧୀରାନନ୍ଦର ଛଦ୍ମବେଶରେ ଆସିଥିଲେ ।

ମାଳବିକା କାନ୍ଦି ପକାଇ କହିଲେ, “ମହାରାଜ! ମୋତେ କ୍ଷମା କରନ୍ତୁ । ଅହଂକାରର ବଶୀଭୁତ ହୋଇ ମୁଁ ମୋ କଳା ପ୍ରତି ଅସମ୍ମାନ କରିଛି । ଆପଣ ମୋର ଚକ୍ଷୁ ଖୋଲିଦେଲେ । ମୋର ମୋଟେ ପାରିଶ୍ରମିକ ଲୋଡା ନାହିଁ ।”

ଏହାର କିଛି ସମୟ ପରେ ମାଳବିକା ଯେଉଁ ନୃତ୍ୟ ପରିବେଷଣ କଲେ, ତାହା ଦେଖି ଦର୍ଶକମାନେ ଧନ୍ୟ ଧନ୍ୟ କହିଲେ । ନୃତ୍ୟ ଶେଷରେ ରାଜା ଘୋଷଣା କଲେ କି ମାଳବିକା ତେଣିକି ରାଜ୍ୟର ସମ୍ମାନିତ ନୃତ୍ୟଶିଳ୍ପୀ ରୂପେ ଗଣା ହେବେ । ସେ ରାଜକୋଷରୁ ଭତ୍ତା ପାଇବେ । ରାଜାଙ୍କ ଏ ଘୋଷଣାରେ ସମସ୍ତେ ଆନନ୍ଦିତ ହେଲେ ।

ମାଳବିକା କ୍ରମେ ନୃତ୍ୟଶିଳ୍ପୀ ହିସାବରେ ଅଧିକରୁ ଅଧିକ ଖ୍ୟାତି ଲାଭ କଲେ । ଯେଉଁ କନ୍ୟାମାନେ ନୃତ୍ୟ ଶିଖିବା ଦିଗରେ ଆଗ୍ରହ ପ୍ରକାଶ କଲେ, ସେମାନଙ୍କୁ ମଧ୍ୟ ସେ ନୃତ୍ୟ ଶିକ୍ଷା ଦେଲେ । କିନ୍ତୁ ସମସ୍ତଙ୍କୁ ସେ କହନ୍ତି, “କଳାର ମୂଲ୍ୟ ଟଙ୍କା ଦ୍ୱାରା ନିରୂପଣ କରିବ ନାହିଁ ।”

ନଦୀ କଳାକାର ମହାରାଜ

Rate the content


Originality
Flow
Language
Cover design

Comments

Post

Some text some message..