Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sulagna Mohanty

Inspirational Drama

5.0  

Sulagna Mohanty

Inspirational Drama

ପରିଧି

ପରିଧି

4 mins
7.6K


ଶ୍ରୀମତୀଙ୍କ ଜନ୍ମଦିନରେ ଆମାଜନରୁ ପୁଅର ଗିଫ୍ଟ ଆସି ପହଞ୍ଚିଲା। ଶ୍ରୀମତୀ ଗଦଗଦ ହେଇ ଗିଫ୍ଟଟି ଖୋଲି ପକେଇଲେ। ସୁନ୍ଦର ଦାମୀ ମୋବାଇଲ ଫୋନଟିଏ। “ଦେଖିଲ, ମୋ ପୁଅ କେମିତି ମୋ ମନଜାଣି ମୋବାଇଲ ପଠେଇଛି। ତମକୁ କହିକହି ମୋର ସେଇ ପୁରୁଣା ମୋବାଇଲଟା ବଦଳଉ ନଥିଲ। ଏବେ ଦେଖ ମୋର ନୂଆ ସୁନ୍ଦୁରିଆ ମୋବାଇଲ। ଏବେ ଫେସବୁକ ହ୍ଵାଟ୍ସଆପ ସବୁ କରିବି ଏଠି। ତମେ ତ ନିଜ ଫୋନରେ ସବୁ କରିପକଉଛ। ଘରେ କମ୍ପୁଟରଟେ ରଖ କହିଲେ ବି ରଖୁନା। ଏବେ ଯାଇ ଭଗବାନ ମୋ ମନକଥା ଶୁଣିଛନ୍ତି। ଆଜି ମୁଁ ବହୁତ ଖୁସି।” ମୁଁ ୟୁନିଭରସିଟିରୁ ଫେରି ପେପର ପଢ଼ୁଥିବା ସମୟରେ ମତେ କହୁଣୀମାରି ଶ୍ରୀମତୀ ମତେ ଏତିକି କଥା ମୋ ଗୋଟିଏ ନିଶ୍ୱାସରେ ଗାଇଗଲେ। ନିଜ ପାଖରେ ଫୋନ୍ ନଥିଲେ କଣ ହବ ଦିନସାରା ନିଜର ସ୍ମାର୍ଟ ପଡ଼ୋଶିନିଙ୍କ ସାଙ୍ଗରେ ସମୟ ବିତାଉଥିବାରୁ ମୋ ଶ୍ରୀମତୀଙ୍କୁ ସ୍ମାର୍ଟ ଫୋନ୍ ଚଲେଇବା ଅଳ୍ପେବହୁତ ଜଣାଥିଲା। ତେଣୁ ଖୁବଶୀଘ୍ର ସେ ହ୍ଵାଟ୍ସଆପ ଆଉ ଫେସବୁକ କରିବାରେ ଓସ୍ତାଦ ହେଇଗଲେ। ନୂଆ ଫୋନ୍ ମିଳିଲା ପରେ ସକାଳୁ ମତେ ଆଡ଼ ଆଖିରେ ବି ନ ଚାହୁଁଥିବା ଆଉ ରାତିରେ ଫୋନ୍ ଧରି ମତେ ପଛ କରି ଶୋଉଥିବା ମୋ ଶ୍ରୀମତୀ ମତେ କିନ୍ତୁ ସବୁଦିନ ସକାଳୁ ଗୁଡ଼ ମର୍ଣ୍ଣିଙ୍ଗ ଆଉ ରାତିରେ ଗୁଡ଼ ନାଇଟ ମେସେଜ ପଠେଇବାରେ ହେଳା କରୁନଥିଲେ। ମୁଁ ଭାବିଲି ଯାହାହଉ ଭଲ। ଶ୍ରୀମତୀ ଏମିତି ମୋବାଇଲରେ ଲାଗି ରହିଲେ ତାଙ୍କୁ ଆଉ ମୋ ସାଙ୍ଗରେ ଝିକଝିକ ହବାକୁ ସମୟ ମିଳିବନି। ମୁଁ ଶାନ୍ତିରେ ନିଶ୍ୱାସ ମାରିବି।

କିନ୍ତୁ ନାଁ!!!! ଶାନ୍ତିରେ ନିଶ୍ୱାସ ମାରିବାକୁ ବସିଲାବେଳକୁ ଆମ ପଡ଼ୋଶିନି ଶ୍ରୀମତୀଙ୍କ ପାଇଁ ଫେସବୁକରେ ଆକାଉଣ୍ଟଟେ ଖୋଲିଦେଲେ। ଶ୍ରୀମତୀ ତାପରେ ମତେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠେଇଲେ। ତା ସାଙ୍ଗରେ ପଠେଇଲେ ପୁଅ ଆଉ ବୋହୁଙ୍କୁ। ଆଉ ତାପରେ କିଛି ସାଙ୍ଗସାଥି ଆଉ ବନ୍ଧୁ ବାନ୍ଧବଙ୍କୁ ବି। ବାସ!! ଶ୍ରୀମତୀଙ୍କୁ ଆଉ ସମ୍ଭାଳେ କିଏ!! ସକାଳୁ ସନ୍ଧ୍ୟା ସମସ୍ତଙ୍କ ଫଟୋ ଦେଖିବାରୁ ତାଙ୍କୁ ଆଉ ଫୁରସତ ମିଳୁନଥାଏ। ସେ ଯେମିତି ଏବେ ଡିଟେକ୍ଟିଭ ବ୍ୟୋମକେଶ ବକ୍ସି ଆଉ ହାତରେ ତାଙ୍କର ଗୋଟେ ଯବକାଚ। ଗୋଟେ କିଏ କେମିତି ମୋଟା ଥିଲା ଏବେ କଙ୍କି ଭଳି ଦିଶୁଛି। କିଏ କଙ୍କିରୁ ଏବେ ହାତୀ ହେଇଯାଇଛି। କିଏ କାଳୀ ମାତା ଥିଲା ଏବେ ଧୋବ ଫରଫର ହେଇଯାଇଛି। ଆଉ କାହାର ଝିଅକୁ ଚାହିଁ ଜ୍ୱାଇଁ ହେଇନି। ସୁପ୍ରିମକୋର୍ଟର ଜଜ ଭଳି ସମସ୍ତଙ୍କୁ ଦେଖି ଶ୍ରୀମତୀ ନିଜର ରାୟ ଦେଇ ଚାଲିଥିଲେ।

କାଠଗଡ଼ାରେ ଦୁନିଆ ଯାକର ଲୋକ ଠିଆ ହେଇଥିଲେ କିଛି ଅସୁବିଧା ନାହିଁ। ଅସୁବିଧା ହୁଏ ଘରଲୋକ ଠିଆହେଲେ। ଅସୁବିଧା ହୁଏ ରାୟ ଦେଲାଵାଲାକୁ ବି ଆଉ ରାୟ ଶୁଣିଲାଵାଲାକୁ ବି। ଶ୍ରୀମତୀଙ୍କ ଯବକାଚ ଏବେ ଧୀରେ ଧୀରେ ପୁଅ ଆଉ ବୋହୂର ପ୍ରୋଫାଇଲ ଆଡକୁ ମୁହାଁଇଲା। “ଆରେ ସିନୁ ଆଉ ରିମାର ଏଇ ଫଟୋଗୁଡାତ ତମେ ମତେ ଦେଖେଇ ନଥିଲ??” ଶ୍ରୀମତୀ ଖଟା ଖାଇଲା ଭଳି ମୁହଁକରି ମତେ ପଚାରିଲେ। ମୋର ତୁଳା ରାଶି। ମୁଁ ସବୁବେଳେ ସବୁ ଜିନିଷରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରେ। ଘରଲୋକଙ୍କ ଭିତରେ ବି। ତେବେ ଆଜି ଘରର ସନ୍ତୁଳନ ବିଗିଡିବାର ଆଭାସ ମତେ କିଛିଦିନ ଆଗରୁ ମିଳି ସାରିଥିଲା। ତେଣୁ ମୁଁ ଆଶ୍ଚର୍ଯ୍ୟ ହେଲିନି। ସେଦିନ ରାତିରେ ସିନୁ ପାଖକୁ ଫୋନ୍ ଲଗାହେଲା।

…..ଆରେ ସିନୁ ତୁ ଆଉ ରିମା ଯୋଉ ଗୋଆ ଯାଇଥିଲ ସେଠି ରିମା କଣ ଏମିତି ଜଙ୍ଘ ଉପରକୁ ପ୍ୟାଣ୍ଟ ପିନ୍ଧିଛି??? ତାକୁ ପୁଣି ଫେସବୁକରେ ଦେଇଛି। ତୁ ସେଗୁଡା କରିବାକୁ ତାକୁ ମନା କରିପାରିଲୁନି???…..

……. ଆଚ୍ଛା, ତୋ ଜନ୍ମଦିନରେ ଯୋଉ ବାହାରକୁ ଖାଇବାକୁ ଯାଇଥିଲ ସେଦିନ ତ ଶନିବାର ଥିଲା ନା? ତୁ କଣ ଭେଜ ଖାଇଲୁ ବୋଲି କହୁଥିଲୁ!! ତାହେଲେ ସେ ଫେସବୁକ ଫଟୋରେ ପ୍ଲେଟରେ ଚିକେନ୍ ଅଛି ଯେ???……

….. ଆଉ ରିମା ହାତରେ ସେଇଟା କଣ ଧରିଛି?? ସର୍ବତ ନା ଆଉ କିଛି? ……

……. ଆଚ୍ଛା, ଟିକେ ରିମାକୁ ଫୋନ୍ ଦେଲୁ। ଆଲୋ ରିମା, ତୁ ଏଠିକି ଆସିଲେ ତ ଚୁଡି ଟିକିଲି ସିନ୍ଦୁର ସବୁ ଲଗଉଛୁ ସେଠି ତ କୋଉ ବି ଫଟୋରେ ମୁଁ ତତେ ଚୁଡି କି ଟିକିଲି ଲଗେଇବା ଦେଖୁନି??…..

….. ତୋ ସୁଦଶା ବ୍ରତଟା କୁଆଡେ ଗଲା??

….. ତୋର ଦୁଇ ହାତ ପୁରା ଖାଲି ଅଛି ଯେ?? ଆମ ଘର ବୋହୁ ଏମିତି ହେଇ ବୁଲୁଛି ଦେଖିଲେ ବାହାରଲୋକ କଣ କହିବେ??…..ଇତ୍ୟାଦି ଇତ୍ୟାଦି ଇତ୍ୟାଦି!!!!!

ମୋ ପୁଅ ସାନ ଥିଲାବେଳେ ଥରେ ମତେ “ଆ ବଳଦ ମତେ ବିନ୍ଧ”ର ମାନେ ପଚାରିଥିଲା। ମୁଁ ତାକୁ ୟାର ମାନେ ବୁଝେଇବାକୁ ଚେଷ୍ଟା କରିଥିଲି। ମୋ କଥା ଶୁଣିସାରି ସେ କହିଥିଲା, “ଏମିତି ଗୋଟେ କିଏ କେବେ କରେ? ଷଣ୍ଢକୁ କିଏ କେବେ କୁହେ ଆସିକି ମତେ ମାରେ ବୋଲି?? ଏଇଟା ବାଜେ ରୁଢିଟେ।” ମୁଁ ହସିଥିଲି। ଆଜି ପୁଅ ମୋର ନିଶ୍ଚିତ ଏଇ ବାଜେ ରୁଢିର ମାନେ ନିଶ୍ଚିତ ବୁଝିପାରିଥିବ। ଶ୍ରୀମତୀଙ୍କୁ ଚାହିଁଲି। ସେ ନାଗୁଣୀ ଭଳି ଫଁଫଁ ହଉଥିଲେ। “ଆରେ ୟାଙ୍କୁ କିଛି ନ କହିଲା ବେଳକୁ ନିଜର ମନଖୋଦି ଚଲେଇଛନ୍ତି। ବିଲେଇ ଲୁଚିଲୁଚି କ୍ଷୀର ପିଇବ ଆଉ ଭାବିବ କେହି ଦେଖୁନାହାଁନ୍ତି। ଭଲହେଲା ଏଇ ଫେସବୁକ ଆସିଲା। ଏବେ ସବୁ ଜାଣିହବ କିଏ କେତେ ଗହୀର ପାଣିରେ ଅଛି।” ଏତିକି କହି ଶ୍ରୀମତୀ ରୋଷେଇଘରେ ପଶିଗଲେ।

ସେ ଯାହାହଉ ତାପରେ ଦିନା କେତେ ଶ୍ରୀମତୀ ଆମର ଶାନ୍ତ ରହିଲେ। କିନ୍ତୁ ଦଶଦିନ ପରେ ପୁଅ ଆଉ ବୋହୁଙ୍କ ଫେସବୁକ ପ୍ରୋଫାଇଲ ଆଉ ମିଳିଲାନି। ଶ୍ରୀମତୀ ସାଙ୍ଗେସାଙ୍ଗେ ସିନୁକୁ ଫୋନ୍ ଲଗେଇଲେ। ପଚାରିଲେ, “ଆରେ, ତମମାନଙ୍କ ସାଙ୍ଗରେ କଣ୍ଟାକ୍ଟରେ ରହିବି ବୋଲି ମୁଁ ଫେସବୁକରେ ଆସିଲି। ଆଉ ତୁମେ ସବୁ କୁଆଡେ ଗଲ??”। ସିନୁ କହିଲା, “ମା, ଫେସବୁକରେ ବହୁତ ସମୟ ନଷ୍ଟ ହଉଛି। ରିମାକୁ ବି ମନା କରିଛି ଫଟୋଗୁଡା ଫେସବୁକରେ ନ ରହୁ ବୋଲି। ସେଥିପାଇଁ ଏବେ ଆମ ପ୍ରୋଫାଇଲ ଡିଲିଟ କରିଦେଇଛୁ। ଇଚ୍ଛା ହେଲେ ପୁଣି ଖୋଲିବୁ। କିଛି ବଡ଼ କଥା ନୁହେଁ।” ଶ୍ରୀମତୀ “ଆଚ୍ଛା ହଉ” କହି ମୁହଁ ଶୁଖେଇ ଫୋନ ରଖିଲେ ଆଉ ଖାଇବା ବାଢିବାରେ ମନଦେଲେ। ମୁଁ ତାଙ୍କୁ କିଛି କହିବାକୁ ମୁହଁ ଖୋଲିଲି। କିନ୍ତୁ କହିପାରିଲିନି।

ମୁଁ କହିପାରିଲିନି ଯେ “ପୁଅବୋହୁଙ୍କ ଫେସବୁକ ଦୁନିଆରେ ମୁଣ୍ଡ ପୁରେଇବାରୁ ଆଜି ସେମାନେ ଆମକୁ ଫେସବୁକରେ ବ୍ଲକ କରିଦେଇଛନ୍ତି। କାଲି ତାଙ୍କର ଅସଲି ଦୁନିଆରେ ମୁଣ୍ଡ ପୁରେଇଲେ ତାଙ୍କ ଜୀବନରୁ ବି ସେମାନେ ଆମକୁ ବ୍ଲକ କରିଦେବେ। ତେଣୁ ଆଲୋ ସଖୀ ଆପଣା ମହତ ଆପେ ରଖି ନିୟମ ନେଇ ଜୀବନ ବଞ୍ଚିବାକୁ ହବ।” ଜୀବନ ସାରା ପିଲାଙ୍କୁ ସୌରବିଜ୍ଞାନ ପଢେଇଥିବା ପ୍ରାଧ୍ୟାପକ ହିସାବରେ ମୁଁ ଶ୍ରୀମତୀଙ୍କୁ ବୁଝେଇ ପାରିଲିନି ଯେ, “ଆଧୁନିକ ଯୁଗରେ ଏଇ ପରିବାର ନାମ୍ନୀ ସୌରଜଗତରେ ଆମେ ସବୁ ଏକାକୀ ଗ୍ରହ। ନିଜ ନିଜ ପରିଧିରେ ଘୁରି ବୁଲିବା ଆମର ଏକମାତ୍ର କାମ। ପଥଚ୍ୟୁତ ହେଇ ନିଜ ପରିଧି ଛାଡି ଆଉ କେଉଁ ଗ୍ରହର ପରିଧିରେ ପଶିଲେ କେବଳ ବିତ୍ପାତ ହବ ଆଉ ନିଜର ବିନାଶ କରିବା ସାର ହେବ।” କିନ୍ତୁ ଏସବୁ କିଛି ବି ନ କହି ମୁଁ ପାଟି ପାକୁପାକୁ କରି ରହିଗଲି ଆଉ ମୋ ଶବ୍ଦଗୁଡା ମୋ ଦୀର୍ଘ ନିଃଶ୍ୱାସ ସାଙ୍ଗରେ ପବନ ସହ ମିଳେଇଗଲା।

 

ସୁଲଗ୍ନା ମହାନ୍ତି


Rate this content
Log in

Similar oriya story from Inspirational