Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anil Kumar Parhi

Inspirational

4.0  

Anil Kumar Parhi

Inspirational

ଦର୍ପଣ - 12

ଦର୍ପଣ - 12

7 mins
15.2K


ପିଏମଜି ଆଡୁ ଯାଇ ଠିକ୍ ବୁଦ୍ଧ ମନ୍ଦିର ଟ୍ରାଫିକ୍ ପାଖରେ ବୁଲିଯାଇ ରାମ ମନ୍ଦିର ରାସ୍ତାରେ ପ୍ରଦର୍ଶନୀ ପଡିଆ ପାଖରେ ପହଞ୍ଚିବାର ଥିଲା। ମୋ କାର୍ ର ହେଡଲାଇଟ କାମ କରୁନଥିଲା। ରାତିରେ ତ ଡିପରର କାମ। ହେଲେ, ମୁଁ ଟିକିଏ ଅନ୍ୟମନସ୍କ ଥିଲି। ସାମ୍ନାରୁ ଗୋଟିଏ ଲାଇଟ୍ ମୋ ମୁହଁରେ ଏମିତି ପଡିଲା ଯେ ଗାଡିଟାକୁ ମୁଁ ଡିଭାଇଡର ଉପରେ ଚଢେଇଦେଲି। ବନ୍ଧୁ ଚିତ୍କାର କରିଉଠିଲେ - ହେ ହେ। ବ୍ରେକ୍ ବ୍ରେକ୍। ପାଖରେ ଥିବା ଲୋକ କି ଟ୍ରାଫିକ ପୋଲିସ ବ୍ୟସ୍ତ ବି ହେଲେନି। ଏଠିକାର ନିତିଦିନିଆ ଘଟଣା। ହଁ, କେହି ଯଦି ଦରମରା ହୋଇ ଆତୁର କଣ୍ଠରେ ଡାକେ ତାହେଲେ ଦୋସରା କଥା! ମୁଁ ଗାଡି ବ୍ୟାକ୍ କରି ପଛକୁ ଆଣିଲି ଏବଂ ସ୍ବାଭାବିକ ଭାବରେ ଚଲେଇଲି।

ବୁଦ୍ଧ ମନ୍ଦିର ପାଖରେ ଜାଗା ଥିଲା। ମୁଁ କହିଲି - ଭାଇ, ଏଇଠି ଗାଡି ପାର୍କ କରିଦେବା। ଆଗକୁ ବହୁତ ଭିଡଥିବ। ବନ୍ଧୁ ହସିଲେ - ପାଗଳ! ଏ କଣ ସାଧାରଣ ମେଳା ହେଇଛି! ଇଏ ପରା ପୁସ୍ତକମେଳା। ଏ ମେଳାକୁ କିଏ ଆସିବ ଯେ! ଚାଲ ଚାଲ, ଗେଟ ସାମ୍ନାରେ ବି ଜାଗା ପାଇବ।

ଗେଟ୍ ସାମ୍ନାରେ ଅବଶ୍ୟ ଜାଗା ମିଳିଗଲା।

ପୁସ୍ତକମେଳା ଗେଟ୍। ଦି ପାଖରେ ମନୋହରୀ ଦୋକାନ। ତା ପାଖକୁ ଚଣା,ମଟର, ଚନାଚୁର। ଆଉଗୋଟେ ପାଖରେ ଲଙ୍କାଚପ୍, ହଟ୍ ଜିଲାପି। ସେମାନଙ୍କ ମଧ୍ୟବର୍ତ୍ତି ସ୍ଥାନ ଯାହାକୁ ରାସ୍ତା ବୋଲି କୁହାଯିବ ସେଇଠି ପାଞ୍ଚଛ ଭବିଷ୍ୟତ ନଥିବା ଭଳି ଟୋକା। ହାତକୁ ଖଣ୍ଡେଖଣ୍ଡେ ରଙ୍ଗୀନ କାଗଜ ବଢେଇଲେ। ମୁଁ ପଢିବାକୁ ଯାଉଥିଲି ବନ୍ଧୁ ଛଡେଇନେଇ କହିଲେ - କଣ କୋଉଠି ଇଞ୍ଜିନିୟରିଂ କୋଚିଙ୍ଗ ନବାର ଅଛି ନା ବିନା ଅପରେସନ ମଳକଣ୍ଟକ ଚିକିତ୍ସା କରିବାର ଅଛି! ତମେ ଆଜିଯାଏ ମ୍ୟାଚୁର୍ଡ ହେଲନି!

ମୁଁ ବିନା ବାକ୍ୟବ୍ୟୟରେ ବନ୍ଧୁଙ୍କୁ ଅନୁସରଣ କଲି। ବାମ ପଟେ ପୁସ୍ତକମେଳାର ସାହିତ୍ୟିକ-ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଞ୍ଚ। ଯେଉଁ ଅନୁଷ୍ଠାନର କାମ ଥିବ, ତାହାର କର୍ମକର୍ତ୍ତା ଠିକ୍ ବାଦାମବାଡି ବସଷ୍ଟାଣ୍ଡ ପାଖରେ ଥିବା ଟିଫିନ ରେଡି/ ମିଲ୍ସ ରେଡି ଦୋକାନର କର୍ମଚାରୀମାନେ ରାସ୍ତା ଉପରୁ ଗ୍ରାହକ ଟାଣିନେଲା ପରି ଶ୍ରୋତାମାନଙ୍କୁ ଗୋଟାଉଥିବେ। କାହାର ପୁରସ୍କାର ପ୍ରଦାନ ଉତ୍ସବ, କାହାର ଉନ୍ମୋଚନ! ପୁସ୍ତକମେଳା ମଞ୍ଚ ଶସ୍ତା, ସୁନ୍ଦର ଆଉ ମଜବୁତ। ସାଧାରଣ ଧାରଣା ଯେ ଏଠି ଶ୍ରୋତା ମିଳିବା କଠିନ କାମ ନୁହେଁ।

ପ୍ରକୃତ କଥା କିନ୍ତୁ ଅଲଗା। ଶ୍ରୋତାମାନେ ପୁସ୍ତକମେଳା ପଡିଆ ମଝିରେ ବେମତଲବ ଠିଆହେବେ ବରଂ ମଞ୍ଚ ଆଗ ଚେୟାରରେ ବସିବେନି। ଶ୍ରୋତା ବି ବିବସ। ଘରେ ସ୍ତ୍ରୀ ପାଖରୁ ଶୁଣିବେ, ଅଫିସରେ ଅଫିସର ପାଖରୁ ଶୁଣିବେ। ଆଉ ଶୁଣିବାରେ କୋଉ କଥା ବାକୀ ରହିଲା ଯେ ଏଠି ସାହିତ୍ୟିକଙ୍କୁ ଶୁଣିବେ! ଶୁଣିବାର ଗୋଟେ ସୀମା ତ ପୁଣି ଅଛି! ଆୟୋଜକମାନଙ୍କୁ ଦେଖ, ଯୋଉ ପ୍ୟାକେଟଟା ଦେବେ ସେ ସଭା ଶେଷ ବେଳକୁ। ଶୁଖିଲା, ମୁରୁକୁଟିଆ ବଡା ଗୋଟେ, ଗୋଟେ ପିଆଜି ତ ଆଉ ଗୋଟେ ହାତରେ ଧରା ପଡୁନଥିବା ଗୋଲାପଜାମୁନ!

ଡାହାଣ ପଟେ କଣ୍ଟ୍ରୋଲରୁମ୍। ମୋତେ ଏଇ ରୁମଟାକୁ ଭାରି ଡର। ବେଳେବେଳେ ଚିହ୍ନାପରିଚୟର ଆୟୋଜକମାନେ ଏମିତି ବ୍ୟବହାର କରିବେ ଯେମିତି ତମେ ଫାଇଭଷ୍ଟାର ହୋଟେଲର ଦୁର୍ଭେଦ୍ୟ ପାଚେରୀକୁ ଟପି ଭିତରକୁ ପଶିଆସିଥିବା ମାମୁଲି ଲୋକଟେ।

ଏଇ କଣ୍ଟ୍ରୋଲରୁମ ସାହିତ୍ୟ, ସାହିତ୍ୟିକକୁ ତିଆରି କରେ, ସେମାନଙ୍କର ଯୈସାତୈସା ବି କରିଦିଏ। ଆଗରେ ଶୁଭ୍ର ଚାଦର ଦ୍ବାରା ଆବୃତ ଲମ୍ବା ଟେବୁଲ। ପଛକୁ ବସିଥିବେ କର୍ମକର୍ତ୍ତା। କେତେଜଣ ନାରୀ ଓ ପୁରୁଷ ନଇଁପଡିଥିବେ।

ବନ୍ଧୁ କହିଲେ - ଟିକେ ଦେଖାକରି ଯିବା।

କାହାକୁ? ମୁଁ ପଚାରିଲି। ଏଠି ମୋତେ କେହି ଚିହ୍ନନ୍ତି ନାହିଁ।

ବନ୍ଧୁ କହିଲେ - ସେଇଥିପାଇଁ ତ ଯିବା। ଅନେକେ ଭାବନ୍ତି ତମେ ଆର ବୁକ ଫେୟାରର ହିତୈଷୀ।

ମାନେ! ମୁଁ ବିସ୍ମିତ ହେଲି।

ତମେ ଜାଣିନା କି ଗୋଟିଏ ପୁସ୍ତକମେଳାର ଆୟୋଜକ ସହ ଅନ୍ୟଟିର ପଡେନା। ଘୋର ଶତୃ। ଏବେ ତ ପାଞ୍ଚଟା ପୁସ୍ତକମେଳା ହେଉଛି, ଆଗକୁ ପନ୍ଦର ଯାଏ ଯିବ!

ନାଇଁ ମୁଁ ଯିବିନି। ମୁଁ ଦୃଢ କଣ୍ଠରେ କହିଲି। ମଞ୍ଚରୁ ସେତେବେଳେ ଘୋଷଣା ଚାଲିଥିଲା - ଆଉ ଅଳ୍ପସମୟ ପରେ ଆମର କାର୍ଯ୍ୟକ୍ରମ ଆରମ୍ଭ ହେବ। ଚାଲ ପୁସ୍ତକମେଳା ବୁଲିଆସିବା।

ବନ୍ଧୁ ବାଧ୍ୟ ହୋଇ ରାଜିହେଲେ।

କିଛି ବନ୍ଧୁ କରମର୍ଦ୍ଦନ କଲେ। କିଛି ବାଟ କାଟିଲେ। କୋଉଠି ଇଚ୍ଛା ନଥାଇ ହସିବାକୁ ହେଲା, କୋଉଠି କୁଶଳ ଜିଜ୍ଞାସା କରିବାକୁ ହେଲା। ଯାହା ହେଉ ପୁସ୍ତକମେଳା ଗୋଟିଏ ବିପ୍ଳବ ଆଣିଛି। ଲୋକମାନଙ୍କ ସଂଖ୍ୟା ବି କିଛି କମ୍ ନଥିଲା। ମୁଁ ବନ୍ଧୁଙ୍କୁ ପଚାରିଲି - ଭାଇ, ଏତେ ଲୋକ, ବହି ବିକ୍ରି ହେଉନାହିଁ ବୋଲି ପ୍ରକାଶକ ମିଛରେ କହୁଛନ୍ତି ନା କଣ! ବନ୍ଧୁ ତାଙ୍କର ଚିହ୍ନା ଜଣେ ପ୍ରକାଶକ ପାଖକୁ ନେଇଗଲେ। ବୋଧେ କୋଡିଏ ବାଇ ଦଶର ଷ୍ଟଲ୍। ଗଦାଗଦା ବହି। ଲୋକେ ଯାଉଥାନ୍ତି ଆସୁଥାନ୍ତି। ବହି ଓଲଟେଇ ପକାଉଥାନ୍ତି। ହେଲେ, କିଣୁଛି କିଏ!

ଜଣେ ଗ୍ରାହକ ପହଞ୍ଚିଲେ। କିଛି ବହି ଖେଳେଇସାରିଲା ପରେ ପଚାରିଲେ - ଆଜ୍ଞା! ବାସ୍ତୁ ଉପରେ କିଛି ବହି ଅଛି?

ବନ୍ଧୁ ମୋତେ କେଞ୍ଚିଦେଇ କହିଲେ - ଦେଖିଲ ତ! ଇଏ ଆମ ସାହିତ୍ୟ ମାନସିକତା!

ଆମେ ବୁଲୁଥାଉ। ଗୋଟିଏ ଷ୍ଟଲ ଆଗରେ କିଛି ଚେୟାର ପଡିଥାଏ। ଭିତରକୁ ଗଳି ପରି। ସେଇଠୁ ଆସୁଥାଏ ମାଇକ ଶବ୍ଦ। ମୋ କାନ ଆଉ ଆଖି ଛାଏଁ ଟାଣି ହୋଇଗଲା। ମୁଁ ପ୍ରାୟ ମୁହଁଛପା ଦେଇ ଭିତରକୁ ଅନେଇଲି। ଆରେ ଏ ସଂକୁଚିତ ଗଳାପଥରେ ଚାଲିଛି କବି ସମ୍ମିଳନୀ। କୌତୁହଳ ବଢିଲା। ଆଠଜଣ ପାଖାପାଖି କବି( ବୟତ୍ରୀ) ବସିଥାନ୍ତି। ମଝିରେ ସିଂହାସନ ଆରୋହଣ କରିଥାନ୍ତି ମହାମହିମ। ଦୁଇପଟେ ଦୁଇ ବିଶିଷ୍ଟ ଯୁବ କବୀ।

କଣ୍ ଚାଲିଛି କି ହୋ? ମୁଁ ବନ୍ଧୁଙ୍କୁ ପଚାରିଲି।

କବି ସମ୍ମିଳନୀ ପରା! ସେ କହିଲେ।

ସେଠି ପରା ଷ୍ଟେଜ ବନ୍ଧାହେଇଛି! ବିସ୍ମୟରେ ମୁଁ କହିଲି।

ଇଏ ଗୋଟେ ନୂଆ କନ୍ସେପ୍ଟ। ନାନୋ କବି ସମ୍ମିଳନୀ! ବନ୍ଧୁ ଉତ୍ତରଦେଲେ।

ମହାମହିମ ଅାଚ୍ଛା ଆଚ୍ଛା ସଭାକୁ ନାହିଁ କରିଦେଉଛନ୍ତି, ଅଥଚ ଏଠି! ମୁଁ କ୍ଷୋଭ ପ୍ରକାଶ କଲି।

ବନ୍ଧୁ କହିଲେ - ହେଇ ମ, ସେପଟକୁ ଅନାଅ। ଆଉକିଛି ବିଶିଷ୍ଟ ସାହିତ୍ୟିକ କେମିତି କୁଙ୍କୁରିକାଙ୍କୁରି ବସିଛନ୍ତି! ଆହା, ବାପାମା ଛେଉଣ୍ଡ ଅଭାଗା ଯେମିତି!

ମୁଁ ଟିକିଏ ଖତେଇହବା ପରି କହିଲି - ଏଠି ଓଡିଶାରେ ବିଶିଷ୍ଟ ଗୋଟେ ପ୍ରଶଂସା ନୁହେଁ ହୋ। ସେଇଟା ବିଷ୍ଟା। ଏଇ ବିଶିଷ୍ଟଙ୍କ ଭିତରୁ ଶତକଡା ସତୁରୀ ପରା ବେପାରୀ! ବିଶିଷ୍ଟ ଗୋଟେ ଗାଳି ବନ୍ଧୁ!

ଭିତରକୁ ଭିତରକୁ ଆଉ ଦୁଶିଲାନାହିଁ। ଯାହା ବି ଦୁଶିଥାନ୍ତା ଜଣେ ଦୀର୍ଘକାୟା ବିଶିଷ୍ଟ କବୀ ବାହାରକୁ ହଠାତ୍ ବାହାରି ଆସିଲେ। ତାଙ୍କ କଣ୍ଠ କଠୋର ଶୁଭିଲା - କିଏ ଶଳା ଝାଙ୍କୁଥିଲା ବେ! ବନ୍ଧୁ ମୋତେ ଟାଣିଟାଣି ନେଇଆସି କହିଲେ - ରକ୍ଷା! ଦେଖା ହୋଇନାହିଁ। ଆମର ମୁଖା ଖୋଲିଯାଇଥାନ୍ତା!

କଣ୍ ଟା ହେଇଥାନ୍ତା ଯେ! ମୁଁ ବେପାରୁଓ୍ବା ହୋଇ କହିଲି। ଆମର ମୁଖା ଥିଲେ ତ! ନା ଆମେ ନୁଙ୍ଗୁରା ନା ପଛଗୋଡାଣିଆ।

କଣ୍ ହୋଇଥାନ୍ତା! ଓଡିଶାର କବିତା ଜଗତ ତା ହାତ ପାପୁଲିରେ ବନ୍ଦ ହୋଇ ଅଛି। ସେ ସାରା ଓଡିଶାର କବି ଓ କବିତାକୁ ନିୟନ୍ତ୍ରଣ କରୁଛି ପରା!

ହେଃ। ମୁଁ କଣ ତା କବିତା ପଢିନି! ପ୍ରତି ଧାଡିରେ ଭୁଲ ଆଉ ଶେଷରେ ସେଇଟା ଗୋଟେ କବିତା ନା..... ଆଉ ଯୋଉ ଇଙ୍ଗ୍ରାଜୀ ଲେଖୁଛି! କର୍ତ୍ତା, କର୍ମ, କ୍ରିୟା ନାହିଁ ହୋ! ମୁଁ ଜୋରରେ ହସିଲି।

ଆମେ ଆଗେଇଗଲୁ। ବରହମପୁର ଆଚାରର ବାସ୍ନାରେ ପାଟିରୁ ଲାଳ ଗଡିଆସୁଥାଏ। ମିଠା ଆଚାର ଠି ମୋର ଲୋଭ। ଭୋକ ବି ଲାଗିଲାଣି। ଗୁଡାଏ ଖାଇବା ଦୋକାନ। ଚାର୍ଟ ଆଉ ଠୁମକା ପୁରୀ ଦୋକାନରେ ସବୁଠୁ ବେଶୀ ଭିଡ। ଦାମ ବି ଚଢା। ବନ୍ଧୁ କହିଲେ - ଜାଣିଛ, ଡିସକାଉଣ୍ଟ ପରେ ଗୋଟିଏ ଚାର୍ଟ ପ୍ଲେଟ ପଇସାରେ ବହିଟିଏ ଆସିଯାନ୍ତା!

ମୁଁ ହସିଲି।

ଛଅ କି ସାତଜଣ ତରୁଣୀ ହଠାତ୍ ଶୂନ୍ୟରୁ ବାହାରି ଆସିଲା ପରି ଆମ ପାଖାପାଖି ପହଞ୍ଚିଗଲେ। ଯେମିତି ଏମାନେ ଏଠିକାର ଅପସରୀ। ଦରଚିହ୍ନା ମୋର। ଏମାନେ ବୋଧେ କବିତା ଲେଖନ୍ତି। ଯେଉଁ ଷ୍ଟଲ ଆଗରେ ସେମାନେ ପହଁଚିଯାଉଥାନ୍ତି ସେଠାରେ ଫଟୋଉଠାର ପ୍ରତିଯୋଗୀତା ଚାଲିଥାଏ। ସ୍ବୟଂ ପ୍ରକାଶକ ମାରାଥନ ସେଲ୍ଫିରେ ଭାଗନେଇ ନିଜକୁ ଧନ୍ୟ ମନେକରୁଥାନ୍ତି।

ଦଳଟି ଆମକୁ ଅତିକ୍ରମ କରିଗଲା। ସେମାନଙ୍କ କୃତ୍ରିମ ଔଜଲ୍ୟ, ପରଫ୍ୟୁମର ବାସ୍ନା ଏବଂ ସାମ୍ପୁକରା କେଶର ଖଣ୍ଡିଉଡାରେ ପୁସ୍ତକମେଳା ଅଚାନକ ଏକ ଅପେରାରେ ବଦଳିଗଲା। ବନ୍ଧୁ ମୋ ମୁହଁର ପାଚିଲା ଦାଢି, ଲୋଚାକୋଚା କମିଜ ଦେଖି ବିରକ୍ତିରେ କହିପକେଇଲେ - ନିଜକୁ ମେଣ୍ଟେନ କରିବା ଶିଖ!

ମୁଁ ମଧ୍ୟ ପରିହାସ ଛଳରେ କହିଲି - କାଇଁ, ସେଲ୍ଫି ନେବାର ଥିଲା କି! ଏଇଟା ପୁସ୍ତକମେଳା ନା ଫେସନ ଶୋ ଯେ!

ବନ୍ଧୁ ବିରକ୍ତ ହେଲେ। ଆମେ ଷ୍ଟଲରୁ ଷ୍ଟଲ ବୁଲୁଥାଉ। କିଛି ବହି ବି କିଣିସାରିଥାଉ। ପୁସ୍ତକମେଳାରେ ଆଉ ବେଶୀ ସମୟ ରହିବାକୁ ଇଚ୍ଛା ହେଉନଥାଏ। ମୋର ଗୋଡ ସେତେବେଳକୁ ଥକ୍କି ପଡିଲାଣି। ଚାର୍ଟ ଦୋକାନ ପାଖ ଗୋଟାଏ ଚେୟାରରେ ମୁଁ ବସିପଡିଲି। ବନ୍ଧୁ ବସିବାକୁ ବାଧ୍ୟ ହେଲେ।

ହଠାତ୍ ମୋ ମୁଣ୍ଡଟା କବନ୍ଧରୁ ଅଲଗା ହୋଇଗଲା। ଗୋଟାଏ ଚକ୍ର ସାଏଁ କରି ଆସି କାଟିଦେଇଗଲା। ତଥାପି ଜୀବିତ ଥାଏ ମୋ ଶିର। ସେ ପଚାରୁଥାଏ - ମୋର ଏ ଦଶା କାହିଁକି ଅଦୃଶ୍ୟ! ମୋର ଭୁଲ କଣ!

ଅଦୃଶ୍ୟର ସ୍ବର ବାଜୁଥାଏ କାନରେ - ଏ ସାହିତ୍ୟର ମହାଭାରତରେ କାହାକୁ ନା କାହାକୁ ତ ବେଲାଳସେନ ବନିବାକୁ ହେବ ମିତ୍ର!

ସାହିତ୍ୟ ସୌହାର୍ଦ୍ଦ୍ୟର ଭୂମି, ସହାବସ୍ଥାନ, ପ୍ରେମ, ଉତ୍ସର୍ଗର ଭୂଇଁ। ଯୁଦ୍ଧ କ୍ଷେତ୍ର କି ରୁଦ୍ଧ କ୍ଷେତ୍ର ନୁହେଁ। ମୁଁ କହିଲି।

କୁଆଡୁ ହସ ଭାସିଆସିଲା। ଦେଖିବ? ହେଇ ଦେଖ।

ବେଲାଳସେନ ପାଲଟି ଯାଇଥିବାରୁ ସେହି ଚା୍ର୍ଟ ଦୋକାନରେ ବସି ମୁଁ ସବୁ ଦେଖିପାରୁଥିଲି।

ହେଇ ଦେଖ। ଏଇଠି। କହିଲା ଅଦୃଶ୍ୟ।

ପ୍ରାୟ କୋଡିଏ ବର୍ଷର ଯୁବକଟିଏ ଠିଆହୋଇଥିଲା ନିରୋଳା ଜାଗାରେ। ଜଣେ ଯୁବ ପ୍ରକାଶକ ତାକୁ ଘେରିଥିଲେ ( ଏକେଲା କାହାକୁ ଘେରିବାର ବିରଳ ଦୃଷ୍ଟାନ୍ତ )।

ଏଠି କଣ୍ ହେଉଛି। ମୁଁ ପଚାରିଲି।

ଶୀକାର! କହିଲା ଅଦୃଶ୍ୟ।

କାହାର? ମୁଁ ପଚାରିଲି।

ଏ ଯୁବକର! ସେ କହିଲା। ଆଠ ହଜାର ମାସିକ ଦରମା, ବହି ଛାପିବ ପଚିଶ ହଜାର ଖର୍ଚ୍ଚ କରି!

ତିନିମାସରୁ ଅଧିକ ଦିନର ଦରମା! ସାହିତ୍ୟ ପାଇଁ! ମୋର ଉକ୍ତି।

ତମେ କେବେ ସଂଧ୍ୟାରେ ଗାଡିଆରୁ ଜାଲ ପକେଇ ମାଛ ଧରିଛ? ସେ ପଚାରିଲା।

ହଁ, ବଡଭାଇ ଧରନ୍ତି। ମୁଁ ମାଛଖାଳି ଧରି ଠିଆହୁଏ। ଆମେ ପ୍ରଥମେ ଗାଡିଆର କିଛି ଜାଗାରେ କୁଣ୍ଡା ବିଞ୍ଚିଦେଇ ଆସୁ। ମାଛ ଗବେଇଲେ ଭାଇ ଜାଲ ପକାଏ। ମୁଁ କହିଲି।

ସାବାସ! କେଉଁ ମାଛ ବେଶୀ ପଡନ୍ତି? ପଚାରିଲା ଅଦୃଶ୍ୟ।

କଉ ମାଛ। ମୁଁ ଉତ୍ତର ଦେଲି।

ହେଇ ଦେଖ। ଇଏ ସାହିତ୍ୟର ଗୋଟିଏ କଉମାଛ। ବିଏ ପଢୁଛି। ଦୁଇଟା ବହି। ସିନିୟରମାନଙ୍କ ନାମ ନେଇ ଡାକେ! ହେଇ ଦେଖ, ଆଉ ଗୋଟାଏ କଉ। ହସିଲାବେଳେ ଓଠ ଚାଖଣ୍ଡେ ମେଲିଯାଉଛି। ଛୋଟ ପିଲା, ବେକାର। କିନ୍ତୁ ତା ସାଙ୍ଗରେ କଥା କହି ଦେଖ ତ!

କଉମାଛ କେମିତି? ମୁଁ ପଚାରିଲି।

ଦେଖିନ କେଳାହୋଇ କରେଇରେ ପଡିଲା ପରେ ବି କେମିତି ଡେଇଁ ପଡନ୍ତି! ଯେମିତି ଶଳେ ପାଣିରେ ଛାଡିଦେଲେ ବଞ୍ଚିଯିବେ! ଅଦୃଶ୍ୟ କହିଲା।

ମୁଁ ମ୍ରିୟମାଣ ଦିଶିଲି।

ତମେ କଣ୍ ଭାବୁଛ ଏଠି ଅର୍ଦ୍ଧାଧିକ ପ୍ରକାଶକ ବହି ବିକିବା ପାଇଁ ଟଙ୍କା ଦେଇ ଷ୍ଟଲ ନେଇଛନ୍ତି!

ମୁଁ ଚକିତ ହେଉଥିଲି।

ଏଇଟା ଲେଖକ ଧରିବାର ପେଣ୍ଠସ୍ଥଳ। ଏଇଠି ନୂଆ ଲେଖକମାନେ ଶୀକାର ହୁଅନ୍ତି। ବହି ଛାପିବାର ଡିଲ୍ ହୁଏ!

ମୋତେ ବେକ କଟିବାର ବ୍ୟଥା ଲାଗିବା ଆରମ୍ଭ ହୋଇସାରିଥାଏ।

ହେଇ ଦେଖ! ସେ କହିଲା।

ଦଳେ ଲେଖକ ବସିଥିଲେ। ମୁଁ ପଚାରିଲି - କଣ ହେଲା!

ଏମାନେ ଏଠି ବସି ସାହିତ୍ୟ ଚର୍ଚ୍ଚା କରୁନାହାଁନ୍ତି। ହେଇ ଦେଖ, ଦୂରରେ ଆଉ ଗୋଟିଏ ଦଳ। ହେଇ ସେଠି ଆଉ ଗୋଟେ। ଆଉ ଗୋଟେ। ଏମାନେ ପରସ୍ପରପରସ୍ପର ବିରୁଦ୍ଧରେ ଆଲୋଚନା କରୁଛନ୍ତି। ଏମାନଙ୍କ ଇଲାକା, ଆଧିପତ୍ୟ ଅଲଗା ଅଲଗା। ଭିକାରୀମାନଙ୍କ ଇଲାକା ଥାଏ, ଡନ୍ ମାନଙ୍କର ବି ଥାଏ। ତମେ ଯାହା ଭାବିପାର!

ମୁଁ ଶୁଷ୍କ ହସଟିଏ ହସିଲି।

ଏଠି ସାହିତ୍ୟ ପରକୀୟା ଶିଖାଏ, ହୀନମନ୍ୟତା ଶିଖାଏ। ଏଠି ଯୋଡି ଭାଙ୍ଗେ। ସାହିତ୍ୟିକମାନେ ଚିର ସବୁଜ! ସେ କହିଲା।

ମୋର ଧୈର୍ଯ୍ୟଚ୍ୟୁତି ଘଟିସାରିଥାଏ। ମୁଁ ଯୋଡହସ୍ତରେ ନିବେଦନ କଲି - ମୋତେ ମୋ କବନ୍ଧ ଫେରେଇଦିଅ ଅଦୃଶ୍ୟ। ବଡ କଷ୍ଟ ବେଲାଳସେନ ବନିବା।

ବନ୍ଧୁ ମୋତେ ଜୋରରେ ହଲେଇଦେଲେ - ଆରେ ଶୋଇପଡିଲ ନା କଣ!

ମୁଁ ସ୍ବାଭାବିକ ହେବାକୁ ଚେଷ୍ଟା କରୁଥିଲି।

ଚାଲ ଯିବା! କହିଲେ ବନ୍ଧୁ।

ଆମେ ଶେଷ ଷ୍ଟଲଗୁଡିକ ସାମ୍ନାରେ ବୁଲିଦେଇ ଫେରୁଥିଲୁ। ଟିକିଏ ସାମାନ୍ୟ ଅନ୍ଧାରୁଆ ଜାଗାରେ ଛୋଟ ପଲିଥିନ୍ ପକେଇ ଲୋକଟିଏ ବସିଥାଏ। ପୁସ୍ତକମେଳାର ଏ ତିକ୍ତ ଅନୁଭବ ମୋତେ ମ୍ରିୟମାଣ କରିସାରିଥିଲେ ବି ମୁଁ ସେହି ଲୋକ ଆଡକୁ ଆକର୍ଷିତ ହୋଇଗଲି। ମଧ୍ୟବୟସ୍କ ଲୋକଟି। କିଛି ପତଳା ପେପରବ୍ୟାକର ବହି ମେଲେଇ ପକାଇଥାଏ।

ଖଣ୍ଡେ ଉଠେଇନେଲି।

ମୋର କବିତା ବହି। ଲୋକଟି କହିଲା। ନିଜେ ଛାପିଛି।

ମୁଁ ଗୋଟିଏ କବିତା, ତାପରେ ଆଉଗୋଟିଏ କବିତା ଉପରେ ଦୃଷ୍ଟି ପକାଇ ଚକିତ ହୋଇଉଠିଲି। ବନ୍ଧୁଙ୍କୁ ଦେଖେଇଲି। ବନ୍ଧୁ ବି ଆଶ୍ଚର୍ଯ୍ୟ ହେଲେ। କି ଚମତ୍କାର କବିତାସବୁ!

କୋଡିଏ ଟଙ୍କା ଦାମ୍। ତିରିଶ ପରସେଣ୍ଟ ଡିସକାଉଣ୍ଟ ପରେ ଚଉଦଟଙ୍କା। ସେ କହିଲା। ଆଲୁଅରେ ବସୁଥିଲି, ହେଇ ସେଇ ଆଗରେ। ଆୟୋଜକ କହିଲେ ଅସୁନ୍ଦର ଦିଶୁଛି। ଅନୁରୋଧ କରି ଏଇଠି ବସିଛି।

କୋଡିଏ ଖଣ୍ଡ ଦିଅନ୍ତୁ। ମୁଁ କହିଲି।

କାହିଁକି ଆଜ୍ଞା! ପଢିବେ ତ ଖଣ୍ଡେ। ଆଉ ଊଣେଇଶ ଖଣ୍ଡ?

ମୋ ପାଖରେ ରଖିବି। ମୁଁ କହିଲି।

କଣ୍ ଆଜ୍ଞା, ମୁଁ ଗରୀବ କବିଟେ ବୋଲି ଇଏ ଆପଣଙ୍କ ଦୟା!

ମୁଁ ଉତ୍ତର ଦେଇପାରିଲିନି।

ଆଜ୍ଞା, ସାହିତ୍ୟିକ ଯେଉଁଦିନ ନିଜର ସ୍ବାଭିମାନ ହରେଇଦେଲା, ସେଦିନ ମରିଗଲା। ଆପଣ ଦୁଇଜଣ, ଦୁଇଖଣ୍ଡ ବହି ହିଁ ମୁଁ ଦେବି। କହିଲେ ସେ।

ତିନୋଟି ଦଶଟଙ୍କିଆ ବଢେଇଲି। ସେ ଦୁଇଟଙ୍କା ଫେରେଇଦେଇ କହିଲେ - ଭଲ ଲାଗିଲେ ବହିରେ ଥିବା ଠିକଣାରେ ଚିଠି ଖଣ୍ଡେଖଣ୍ଡେ ଦେବେ। ସେଇଟା ମୋ ପାଉଣା।

ଆମେ ଫେରିଆସିଲୁ। ମଞ୍ଚ ଉପରେ ବେକରେ ଉତ୍ତରୀୟ, ହାତରେ ମାନପତ୍ର ଧରି ଠିଆ ହୋଇଥାନ୍ତି ପୁରସ୍କୃତ ପ୍ରତିଭାମାନେ। ବୋଧେ ଫଟୋ ସେସନ ଚାଲିଥାଏ। ପ୍ରାୟ କେହି ଦର୍ଶକ ନଥାନ୍ତି।

ମାଇକ୍ ରେ ଘୋଷଣା ଚାଲିଥାଏ। ହେଲେ ଦୁଇଦଳ କୁକୁର ଭୋଭୋ ହୋଇ ଏତେ ଜୋରରେ ଝଗଡା ଲାଗିଥାନ୍ତି ଯେ କିଛି ଶୁଭୁନଥାଏ।

କଣ୍ କହିଥିଲେ ସେ ବିଦଗ୍ଧ କବିଜଣକ ଯେ ସ୍ବାଭିମାନ ନଥିବା ଲେଖକ ମୃତ! ମୁଁ ଶେଷଥର ପାଇଁ ପୁସ୍ତକମେଳା ଆଡେ ଚାହିଁଲି। ମୋତେ ଲାଗିଲା ପଡିଆ ସାରା ଛିନଛତ୍ର ହୋଇ ପଡିଛନ୍ତି ଶବମାନେ। କେବଳ ଶବ!!

ଘଟଣା, ଚରିତ୍ର ସବୁ କାଳ୍ପନିକ।

ଅନୀଲ କୁମାର ପାଢୀ


Rate this content
Log in

Similar oriya story from Inspirational