sushama Parija

Romance


2  

sushama Parija

Romance


ଭିନ୍ନ ଏକ ପ୍ରେମ କଥା ________

ଭିନ୍ନ ଏକ ପ୍ରେମ କଥା ________

5 mins 7.7K 5 mins 7.7K

ଭିନ୍ନ ଏକ ପ୍ରେମ କଥା

_______________

ଆଜି ଅନେକ ବର୍ଷ ପରେ ଈଶ୍ବରୀକୁ ଦେଖିଲି ଫେସବୁକରେ । ବୟସର ଛାପ ମୁହଁରେ ପଡିଥିଲେ ମଧ୍ୟ ରଙ୍ଗଟା ସେମିତି ଅକ୍ଷୁର୍ଣ୍ଣ ଅଛି । ସେଇ ବନହଂସୀ ପରି ସଫେଦ୍ ରଙ୍ଗର ହୃଷ୍ଟପୃଷ୍ଟ ଚେହେରା, ପାୱାର ଚଷମା ଭିତରୁ ବି ସ୍ପଷ୍ଟ ଭାବେ ଦେଖା ଯାଉଛି ସେଇ ଟଣା ଟଣା ନିରୀହ ଆଖି ଦୁଇଟି ଯାହାକୁ ଦେଖି ଦିନେ

ପ୍ରେମ ରେ ପଡିଥିଲା ମୋର ବନ୍ଧୁ ଅତନୁ । ଈଶ୍ବରୀ ମୁଁହରେ ଆଜି ବି ଲାଖି ରହିଛି ସେଇ ମନମୋହିନୀ

ହସ ଧାରେ ଯାହା ପାଇଁ ଦିନେ ପାଗଳ ହୋଇଥିଲା ଅତନୁ । ମୁଁ ଆଚମ୍ବିତ ହେଲି ,ଏମିତି କ' ଣ ହୋଇପାରେ ? ଆଜି ବି ଶୋଭା ପାଉଛି ଈଶ୍ବରୀ ମୁହଁରେ ଯେଉଁ ପ୍ରାଣ ପ୍ରାଚୁର୍ଯ୍ୟର ହସ ସେ କ'ଣ

ବିଗତ ଅଠେଇଶ ବର୍ଷ ଭିତରେ କେବେ ବି ମଳିନ ପଡି ନାହିଁ ? କେମିତି ?? କେମିତି ???

ଅତନୁ ଥିଲା ମୋର ସହକର୍ମୀ । ଉଭୟଙ୍କର ନୃଆ ନୂଆ ଚାକିରୀ ଆଉ ସମାନ ବୟସର ହୋଇ ଥିବାରୁ ମୋ ସହ ତା'ର ବନ୍ଧୁତା ଟା ବେଶ୍ ଜମିଥିଲା। ଅତନୁ ର ନାଁ କିନ୍ତୁ ପ୍ରଥମରୁ ଅତନୁ ନଥିଲା, ତା' ନାଁ ଥିଲା ସୁକନ୍ୟା ମହାନ୍ତି । ଚାକିରୀ ରେ ଯୋଗଦେଇ ଆମ ଝିଅ ମାନଙ୍କ ସାଙ୍ଗରେ ମିଶି ବସୁଥିଲା ସତ କିନ୍ତୁ ତା'ର ବ୍ୟବହାର ଆମ ଝିଅଙ୍କ ଭଳି ନଥିଲା । କେମିତି ଗୋଟାଏ ଖାପଛଡା ପଣ ଥିଲା ତା' ବ୍ୟବହାର । ଆମ ସହକର୍ମୀ ପୁଅ ମାନଙ୍କ ସହିତ ତା' ର ଭଲ ଜମୁଥିଲା। ଆମ ଝିଅ ମାନେ ସେଥିଲାଗି ତାକୁ କମେଣ୍ଟ୍ ବି

ମାରୁଥିଲେ । କିନ୍ତୁ ସେ କାହାରିକୁ କିଛି ପ୍ରତି ଉତ୍ତର ଦେଉ ନଥିଲା । ସେ ଥିଲା ପ୍ରଚଣ୍ଡ ମେଧାବୀ ।

ଖୁବ୍ ସୁନ୍ଦର ହସ୍ତାକ୍ଷର ରେ ସୁନ୍ଦର ସୁନ୍ଦର କବିତା ବି ଲେଖୁଥିଲା । ତା'ର ଏଇ ନିଆରାପଣ ଆମ ବନ୍ଧୁତା

କୁ ଆହୁରି ପ୍ରଗାଢ କରିଥିଲା । ମୁଁ ଥିଲି ବିବାହିତା ଏବଂ ଗୋଟିଏ ଦଶ ମାସର କନ୍ୟା ସନ୍ତାନ ର ମାଆ। ତେଣୁ ଶାଶୁଘରେ ଯୌଥ ପରିବାର ସହିତ ରହୁଥିଲି । ଅନେକ ସମୟରେ ଆମେ ଟିଫିନ୍ ଖାଉ ଖାଉ ଘରକଥା ଝିଅ କଥା ଆଲୋଚନା କରୁଥିଲା ବେଳେ ସେ କେମିତି ଅନ୍ୟ ମନସ୍କ ହୋଇ ଯିବାର ଲକ୍ଷ୍ୟ କରୁଥିଲି ମୁଁ। କାରଣ ପଚାରିଲେ ସୁନ୍ଦର ଭାବରେ ଏଡ଼ାଇ ଯାଏ ସୁକନ୍ୟା । ଫିକ୍ କରି ହସି ଦିଏ। ତା'ର

ପତଳା ଚେହେରାକୁ ସେ ହସଟା ଭାରି ମାନେ। ଝିଅ ଙ୍କ ଭଳି ପୋଷାକ ନପିନ୍ଧି ସେ ପୁଅ ମାନଙ୍କ ଭଳି ପ୍ୟାଣ୍ଟ୍ ସାର୍ଟ ପିନ୍ଧେ କିନ୍ତୁ ଲମ୍ବା ବେଣୀ ଟାଏ ପଛରେ ଝୁଲୁଥାଏ। କଥା ରେ ଚାଲିରେ ସବୁଥିରେ ତରତର କିନ୍ତୁ ସବୁ ବେଳେ ଅନ୍ୟ ମନସ୍କ ହେତୁ ପ୍ରାୟତଃ କାମ ରେ ଭୁଲ୍ କରେ ଆଉ ବସ୍ ଙ୍କ ପାଖରୁ ଗାଳି ଖାଇବା ରୁ ବର୍ତ୍ତିବାକୁ ମୋର ସାହାଯ୍ୟ ଲୋଡେ।

ଅଶୀ ଦଶକ ରେ ମୋବାଇଲ୍ ଫୋନର ପ୍ରଚଳନ ନଥିଲା ଓଡିଶାରେ , ତେଣୁ ସେ ପ୍ରତି ପନ୍ଦର ମିନିଟରେ ନିଜ ସିଟରୁ ଉଠି ଯାଇ ଟେଲିଫୋନ୍ କରେ କାହାକୁ । ମୁଁ ଭାବେ ଘରେ ବୋଧହୁଏ କେହି ଅସୁସ୍ଥ ଅଛନ୍ତି ସେଥିଲାଗି ବାରମ୍ବାର ଫୋନ୍ କରି ତାଙ୍କ ଖବର ବୁଝୁଛି । ଏମିତି କିଛିଦିନ ଗଲା ପରେ ଦିନେ ଆମର ଜଣେ ପୁଅ ସାଙ୍ଗ ଗୁମର ଖୋଲିଲେ। ସୁକନ୍ୟା ତା'ର ଜଣେ ବାନ୍ଧବୀ କୁ ପ୍ରାଣ ରୁ ବଳି ଭଲପାଏ ଏବଂ ଘରଲୋକେ ଏ କଥାକୁ ବିରୋଧ କରିବାରୁ ସେ ଘରଛାଡି ଭୁବନେଶ୍ବର ରେ ରହୁଛି ସେଇ ବାନ୍ଧବୀ ସାଥୀରେ । ଏଇ ସତ୍ୟ ଟି ଅଫିସରେ ଗୋଟିଏ ରୋଚକ ଖବର ହୋଇ ଘୁରି ବୁଲିଲା କାନରୁ କାନକୁ। ସେ ସମୟରେ ଏମିତି ଘଟଣା କୁ କେହି ସାଧାରଣ ଭାବରେ ଗ୍ରହଣ କରୁ ନଥିଲେ । ମହିଳା ସହକର୍ମୀ ମାନେ ଦୂରେଇ ଦୂରେଇ ରହିଲେ , ସେମାନଙ୍କର ସନ୍ଦେହୀ ଦୃଷ୍ଟି ଘୁରି ବୁଲୁଥିଲା ସୁକନ୍ୟା ର ଚାରିପଟେ । ପୁରୁଷ ସହକର୍ମୀ ମାନେ ତାକୁ ଅଶ୍ଳୀଳ ମନ୍ତବ୍ୟ ଦେବାକୁ ପଛାଉ ନଥିଲେ କିନ୍ତୁ ତା ' ସହିତ ମୋ ବନ୍ଧୁତାରେ ଏସବୁର କିଛି ପ୍ରଭାବ ପଡୁ ନଥିଲା । ପୂର୍ବବତ୍ ସେ ମୋ ସାଥିରେ ହସଖୁସି ଥଟ୍ଟା ମଜା କରୁଥିଲା, ମୋ ସହିତ ଟିଫିନ୍ ସେୟାର୍ କରୁଥିଲା, ସୁଖ ଦୁଃଖ ପଚାରି ବୁଝୁଥିଲା କାରଣ ମୁଁ କେବେ ବି ତା'ର ବ୍ୟକ୍ତିଗତ ଜୀବନରେ ମୁଣ୍ଡ ଖେଳାଉ ନଥିଲି।

ସେଦିନ କ'ଣ ହେଇଥିଲା କେଜାଣି ସେ ଅଫିସ୍ ଆସିଲାବେଳକୁ ଖୁବ୍ ଦୁଃଖିତ ଆଉ ବ୍ୟତିବ୍ୟସ୍ତ ଜଣା ପଡୁଥିଲା । ଆଖି ଦୁଇଟା ଲାଲ୍ ଦିଶୁଥିଲା ଜଣା ପଡୁଥିଲା ସେ ରାତି ସାରା ଶୋଇ ପାରିନି। ଆଖିରୁ ବାରମ୍ବାର ଜକେଇ ଆସୁଥିବା ଲୁହ କୁ ଲୁଚାଇବାକୁ ସେ ଥର କୁ ଥର ଚଷମା କାଢି ପୋଛୁଥିଲା। ମୁଁ

ସେଇଦିନ ସାହସ ସଂଚୟ କରି ତା'କୁ ଘଟଣା କ'ଣ ବୋଲି ପଚାରିଲି। ନାହିଁ ନାହିଁ କରୁ କରୁ ହଠାତ୍ ମୋ ହାତ ଧରି ଭିଡି ନେଇଗଲା ସେ ଅଫିସ୍ ର ଗୋଟିଏ କଣିକିଆ ରୁମ୍ କୁ ଯେଉଁଠି ଅଫିସ୍ ର ଷ୍ଟେସନାରୀ ସବୁ ଷ୍ଟୋର୍ କରା ହୁଏ ସେଇଠିକୁ । ମୋ ହାତ ଦୁଇଟିକୁ ଧରି କାନ୍ଦି କାନ୍ଦି ଲୋଟି ପଡିଲା ସେ। କହିଲା '' ଈଶ୍ବରୀର ଘରଲୋକେ ତା'ର ବାହାଘର ଠିକ୍ କରି ଦେଇଛନ୍ତି ଆଉ ଜଣଙ୍କ ସାଙ୍ଗରେ। ଆଠ ଦିନ ପରେ ବାହାଘର, ସେଥିଲାଗି କାଲି ରାତିରେ ସେମାନେ ଈଶ୍ବରୀକୁ ମୋ ପାଖରୁ ଛଡେଇ ନେଇ ଯାଇଛନ୍ତି ତାଙ୍କ ଘରକୁ। ଈଶ୍ବରୀ ମୋର ପ୍ରାଣ , ତାକୁ ଛାଡି ମୁଁ ବଂଚି ପାରିବି ନାହିଁ , ସିଏ ବି ମୋ ବିନା ମୂହୁର୍ତ୍ତଟିଏ ବଂଚି ପାରିବ ନାହିଁ। ଆମେ ଦିହେଁ ମରିଯିବୁ। ମୁଁ କ'ଣ କରିବି କହ ? କ'ଣ କଲେ ଈଶ୍ବରୀ କୁ ପାଇବି ? କ'ଣ କଲେ ଈଶ୍ବରୀ ର ଘରଲୋକେ ଆଉ କାହାକୁ ତାକୁ ସମର୍ପି ଦେବେନାହିଁ ? କଇଁ କଇଁ ହୋଇ କାନ୍ଦୁଥାଏ ସୁକନ୍ୟା ଆଉ ମୁଁ ଦାରୁଭୂତ ମୁରାରି ହୋଇ ଶୁଣୁଥାଏ ତା'କଥା। ସେ ସମୟରେ ଏସବୁ ପ୍ରଶ୍ନର ଉତ୍ତର ଆଜି କାଲି ଭଳି ଏତେ ସହଜ ନଥିଲା । ଏଗୁଡିକ ଅସ୍ପୃଶ୍ୟ ବିଷୟବସ୍ତୁ ଭାବରେ ପରିଗଣିତ ହେଉଥିଲା ଆଉ ତା'ର ସମାଧାନ ମୋ ପକ୍ଷରେ କୌଣସି ମତେ ସମ୍ଭବ ନଥିଲା । ମୁଁ ଉପାୟଶୂନ୍ୟ ହୋଇ ବସି ରହିଲି। ସେ କିନ୍ତୁ ବସି ରହିନଥିଲା , ପୃଥିବୀ ର ଏ କୋଣ ରୁ ସେ କୋଣ ଯାଏ ଖୋଜି ବୁଲୁଥିଲା ସମସ୍ୟା ର ସମାଧାନ ର ବାଟ।

ଶେଷରେ ତା'ର ପାଗଳପ୍ରାୟ ଅବସ୍ଥା ଦେଖି ଆମର ଜଣେ ସିନିୟର ସହକର୍ମୀ ତା'କୁ ସାହାଯ୍ୟର ହାତ ବଢ଼ାଇଲେ। ପଣ୍ଡିଚେରୀ ର ଜିପ୍ ମର୍ ହସ୍ପିଟାଲ ରେ କାର୍ଯ୍ୟରତ ତାଙ୍କର ଜଣେ ଡାକ୍ତର ବନ୍ଧୁ ଙ୍କ ସହିତ ଯୋଗାଯୋଗ କରି ଲିଙ୍ଗ ପରିବର୍ତ୍ତନ ସର୍ଜରୀ ମାଧ୍ୟମରେ ସମସ୍ୟା ର ସମାଧାନ ର ସୂତ୍ର ଟି ବଢାଇ ଦେଲେ । ନବେ ଦଶକରେ ଏମିତି ଏକ ଅପରେସନ୍ ଯେତିକି ବ୍ୟୟ ବହୁଳ ଥିଲା ସେତିକି କଷ୍ଟକର ମଧ୍ୟ । ତଥାପି ଡରି ଗଲା ନାହିଁ ସୁକନ୍ୟା । ଈଶ୍ବରୀ କୁ ଲୁଚି ଲୁଚି ଯୋଗାଯୋଗ କରି ସବୁକଥା ଜଣାଇଲା ସେ ,

ତା'ର ଫେରିବା ଯାଏ ଅପେକ୍ଷା କରିବାକୁ କହି ପଣ୍ଡିଚେରୀରେ ପହଞ୍ଚିଲା । ତା 'ପରେ ଚାଲିଲା ତା'ର ଝିଅରୁ ପୁଅ ହେବାର କୁଛ୍ର ସାଧନା । ପାଞ୍ଚ ମାସ ପରେ ଅଫିସ୍ ଆସିଲାବେଳକୁ ସେ ସୁକନ୍ୟା ମହାନ୍ତି ରୁ ପରିବର୍ତ୍ତିତ ହୋଇ ସାରିଥିଲା ଅତନୁ ରାୟ ରେ। ତା'ର ଶରୀର ଶୁଖ କଣ୍ଟା ହୋଇ ଯାଇଥିଲା , ରଙ୍ଗ ମହଳଣ ପଡି ଯାଇଥିଲା, ବୟକଟ୍ ଚୁଟି କାଟି ସେ ଅବିକଳ ପୁଅ ଟିଏ ଭଳି ଦିଶୁଥିଲା। ତା'ର ହରମୋନ୍ ଥେରାପି ଚାଲୁଥିଲା । ସେଥିଲାଗି ମୁଣ୍ଡ ଘୁରାଉ ଥିଲା।ବହୁତ କଷ୍ଟ ରେ ସେ ଅଫିସ୍ କୁ ଆସିଥିଲା ଖାଲି

ତା'ର ଏଇ ଲିଙ୍ଗ ପରିବର୍ତ୍ତନ ର ସାର୍ଟିଫିକେଟ ଆଉ ନାମ ପରିବର୍ତ୍ତନ ର ଆଫିଡାଭିଟ୍ ଟି ଦାଖଲ କରିବା ପାଇଁ। ଅଫିସ୍ ରେ ସମସ୍ତେ ଧାଇଁ ଯାଇଥିଲେ ତା'କୁ ଏଇ ପରିବର୍ତ୍ତିତ ରୂପ ରେ ଦେଖିବା ପାଇଁ କିନ୍ତୁ ସେ

ଆସିଥିଲା ମତେ ଦେଖା କରିବାକୁ । ତା'କୁ ଦେଖି ମୁଁ କୋହ ସମ୍ଭାଳି ପାରିନଥିଲି , ମୋ ସିଟ୍ ରୁ ଉଠି ଭାଇ ବୋଲି ଡାକି କୁଣ୍ଢାଇ ପକାଇଥିଲି । ଦୁଇ ଜଣଙ୍କର ଲୁହ ଏକ ହୋଇ ବୋହି ଯାଇଥିଲା ସେଦିନ । କିଛି ଦିନ ପରେ ଭଲ ଲାଗିଲେ ଆସି ଅଫିସ୍ ଜଏନ୍ କରିବି କହି ଫେରି ଯାଇଥିଲା ସେ।

ତା' ପରର ଘଟଣା ସବୁ ସାଧାରଣ । ଈଶ୍ବରୀ ତଙ୍କ ଘରେ ଜିଦ୍ କରି କୋର୍ଟ ମ୍ୟାରେଜ୍ କରିଥିଲା ଅତନୁକୁ। ଦିହେଁ ମିଶି ରହୁଥିଲେ ଈଶ୍ବରୀ ର ରୁବନେଶ୍ବରସ୍ଥିତ କ୍ଵାର୍ଟର ରେ। କାଳକ୍ରମେ ସେମାନେ ପୋଷ୍ୟ ସନ୍ତାନ ଟିଏ ଗ୍ରହଣ କରି ତାଙ୍କର ସଂସାରକୁ ପୂର୍ଣ୍ଣ କରିଥିଲେ । ସଂସାର ଜଞାଳ ରେ ବୁଡି ରହି ଆମେ ଦିହେଁ ପରସ୍ପରକୁ ଅଧିକାଂଶ ସମୟରେ ଭେଟି ପାରୁ ନଥିଲେ ମଧ୍ୟ ମୁଁ ପ୍ରତି ବର୍ଷ ରାକ୍ଷୀ ପୂର୍ଣ୍ଣିମା କୁ ତା'କୁ

ରାକ୍ଷୀଟିଏ ପଠାଇବା ପାଇଁ ଭୁଲୁ ନଥିଲି କି ସିଏ ମତେ ଫୋନଟିଏ କରି ଦୁଃଖ ସୁଖ ପଚାରି ବୁଝିବାକୁ ଭୁଲୁ ନଥିଲା । ଈଶ୍ବରୀକୁ ମୁଁ ଭାଉଜ ବୋଲି ସମ୍ବୋଧନ କରୁଥିଲି। ସେଇ ଯୁଗେ ତଳେ ଭାଇ ତା'ର

ଛାତି ପକେଟ୍ ରୁ କାଢି ଦେଖାଇଥିବା ଈଶ୍ବରୀର ସେ ମନଲୋଭା ମୁହଁଟି ଏ ଯାବତ୍ ମୋ ମାନସ ପଟଳରେ ଉଜ୍ଜୀବିତ ଅଛି। ମୋ ଭାଇର ସେ ନିଆରା ପ୍ରେମ କାହାଣୀ ମୋ ମନ ଦର୍ପଣରେ ଚିରକାଳ ଲାଗି ପ୍ରତିଭାତ ହେଉଥିବ ।


Rate this content
Originality
Flow
Language
Cover Design