Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଛଅ ନଅ ତେର
ଛଅ ନଅ ତେର
★★★★★

© Rasmi Rekha Tripathy

Inspirational

5 Minutes   21.1K    9


Content Ranking

ଘର ଭିତରେ ପଶୁ ପଶୁ ଗୋଟିଏ ଅଭାବନୀୟ ଦୃଶ୍ୟ ଦେଖିଲି । ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ୍ ଟେକ୍ନୋଲୋଜିରୁ ଫେସନ୍ ଡିଜାଇନିଂ କୋର୍ସ୍ ସାରି ମୁମ୍ବାଇର ଏକ ମଲଟି ନ୍ୟାସନାଲ୍ କମ୍ପାନୀରେ ମାସକୁ ୪୦୦୦୦ ଟଙ୍କା  ଦରମା ପାଉଥିବା, ସଦ୍ୟ ବିବାହିତା ଝିଆରୀ ମୋର ବସି ପଡିଛି ପାଞ୍ଜି ଧରି । ସଦ୍ୟବିବାହିତା କହିବାଟା ଅବଶ୍ୟ ଭୁଲ ହେବ । କାରଣ ଆଠ ମାସ ହୋଇଗଲା ତାର ବାହାଘର । ଆଠ ମାସ ପରେ ତା ସ୍ୱାମୀର ବିଦେଶରେ ଗୋଟିଏ କମ୍ପାନୀରେ ଚାକିରୀ ହୋଇଯିବାରୁ ସେ ବିଦେଶ ଚାଲିଗଲା । ଶ୍ୱେତାର ଶାଶୁ ଘର ରାଜି ହେଲେନି ସିଏ ବମ୍ବେରେ ଏକା ରହି ଚାକିରୀ କରିବାକୁ । ଏଣୁ ଚାକିରୀ ଛାଡି ଆସିଛି ।

ଶ୍ୱେତା ମୋ ଭାଇର ଝିଅ । କୋଟିକରେ ଗୋଟିଏ ଭାଇ ମୋର । ଆମେ ଛଅ ଭଉଣୀ । ସମସ୍ତଙ୍କ ପଛରେ ଭାଇ ମୋର ଠିଆ ହୋଇଥାଏ ପାହାଡ ଭଳି । ସୁବିଧା ଅସୁବିଧା କିଛି ବି ଆସିଲେ ଚିନ୍ତା ଲାଗେନି, କାରଣ ପଛରେ ଅଛି ଆମ ଭାଇ । ନନା ଆମର ନିଜ ସାଧ୍ୟ ମତେ ଛଅ ଭଉଣୀଙ୍କୁ ବିବାହ ଦେଇଥିଲେ । ଧନର ପ୍ରାଚୁର୍ଯ୍ୟ ନଥିଲେ ବି ଅଭାବ ନ ଥିଲା କାହାର । ମନ ଚାହିଁ ଭାଉଜଟିଏ ମିଳିଥିଲା ଆମକୁ । ଭାଉଜ ପାଇଁ ଆମେ ଫ୍ୟାସନ୍ କଣ ଜାଣିଲୁ । ସୀମୀତ ଆୟ ଭିତରେ ବି ନିଜକୁ କେମିତି ସମକାଳୀନ ସ୍ରୋତରେ ସାମିଲ କରି ହେବ ସେହି କଳା ବେଶ୍ ଜଣାଥିଲା ମୋ ଭାଉଜକୁ । ଭାଇ ଭାଉଜ ଦୁହେଁ ପ୍ରଫେସର୍ ଥିଲେ । ଶ୍ୱେତା ଏବଂ ପ୍ରୀତି ଦୁଇ ଝିଅ ଏବଂ ଏକ ମାତ୍ର ପୁଅ ରୋହିତ୍ । ଶ୍ୱେତା ପ୍ରତି ମୋ ଭାଇର ଆଟାଚମେଣ୍ଟ୍ ଟିକେ ଅଧିକ । ତାହାର ମଧ୍ୟ କାରଣ ଅଛି । ରୋହିତ୍ ଓ ପ୍ରୀତି ପରେ ସେମାନେ ତୃତୀୟ ସନ୍ତାନ ଚାହୁଁ ନ ଥିଲେ । ବିଶେଷ କରି ସୁମି ଭାଉଜ ତ ମୋଟେ ଚାହୁଁ ନ ଥିଲା । ଏଣୁ ମୋ ସହିତ ଯାଇଥିଲା ଗର୍ଭପାତ କରିବା ପାଇଁ । ଆମେ ଡକ୍ଟରଙ୍କୁ ଅପେକ୍ଷା କରିଥିଲୁ । ହଠାତ୍ ସଞ୍ଜୟ ପହଞ୍ଚି ଏକ ପ୍ରକାର ଜବରଦସ୍ତ ଆମକୁ ଫେରାଇ ଆଣିଲା ଘରକୁ ଏବଂ ସେହି ଛୁଆଟି ହିଁ ଥିଲା ଶ୍ୱେତା । ଭାଉଜର ନିଜ ପ୍ରତି ଅବହେଳା ଯୋଗୁଁ ଶ୍ୱେତା ଛୁଆ ବେଳୁ ଖୁବ୍ ଦୁର୍ବଳ ଥିଲା । କିନ୍ତୁ ଭାଇଭାଉଜ ଯେମିତି ତପସ୍ୟା କରି ରତ୍ନଟିଏ ପାଇଥିଲେ । ପାଠଶାଠ ସବୁଥିରେ ଧୁରନ୍ଧର ଶ୍ୱେତା ଆମର । 

ପ୍ରୀତି ବାହାଘରବେଳକୁ ସଞ୍ଜୟକୁ କିଛି ବି କଷ୍ଟ କରିବାକୁ ପଡି ନ ଥିଲା । କିନ୍ତୁ ଶ୍ୱେତା ବେଳକୁ ଯୋତା ଘୋରି ହୋଇଯାଇଥିଲା ସମସ୍ତଙ୍କର । ପ୍ରୀତି ଚାକିରୀ ପାଇବା ପରେ ତାର ଓଡିଶାରେ ହିଁ ପୋଷ୍ଟିଙ୍ଗ୍ ହୋଇଥିଲା । ପ୍ରସ୍ତାବ ବି ମନ ଲାଖି ମିଳିଗଲା । ଶାଶୁଘର ବି ବେଶ୍ ଭଲ ଥିଲେ । କିନ୍ତୁ ଶ୍ୱେତା ବେଳକୁ ଅନେକ ଖୋଜା ଖୋଜି କରିବାକୁ ପଡିଥିଲା । ସେ ଯାହା ହେଉ ହୋଇଗଲା ତାର ବାହାଘର । ଜୋଇଁ ପିଲାଟି ବି ଗୋଟିଏ ମଲ୍ଟି ନ୍ୟାସନାଲ୍ କମ୍ପାନୀରେ ଥିଲେ । ଏବେ ଅବଶ୍ୟ ବିଦେଶରେ । 

କିନ୍ତୁ ଶ୍ୱେତାର ପାଞ୍ଜି ଦେଖିବା କାରଣଟି କଣ ହୋଇଥାଇପାରେ? ହଠାତ୍ ମୋତେ ପଚାରିଲା, “ନାନୀ ! ମାସନ୍ତଟା କେବେ ପଡୁଛି କୁହ ତ?”

: ୧୭ ତାରିଖରେ ପଡୁଛି । 

: ୧୭ ତାରିଖ ମାନେ ସୋମବାର । ଖୁସିରେ ନାଚି ଉଠିଲା ଶ୍ୱେତା । ତା ମାନେ ଆଉରି ସାତ ଦିନ ମୁଁ ରହି ପାରିବି ଏଠି । 

ଯେତେ ପାଠଶାଠ ଯେତେ ବଡ ଚାକିରୀ କଲେ ମଧ୍ୟ ବାପଘର ପ୍ରତି ଆକର୍ଷଣ ରହିବାଟା ସ୍ୱାଭବିକ । ଏଣୁ ମୋତେ କିଛି ଅସ୍ୱାଭାବିକ ଲାଗି ନ ଥିଲା ଶ୍ୱେତାର ବ୍ୟବହାର । କିନ୍ତୁ ମୁଁ ଲକ୍ଷ୍ୟ କରୁଥିଲି ଯେ ସେ ଖୁସୀ ରହିବାର ଅଭିନୟ କରୁଥିଲେ ବି ଦୁଃଖ ଯନ୍ତ୍ରଣାରେ ଭାଙ୍ଗି ପଡୁଥିଲା ଯେମିତି । 

: ନାନୀ ଦେଖତ । ମୁଁ ପାଞ୍ଜି ଦେଖିବା ଶିଖିଗଲିଣି ।

: ଏଟାତ ଭଲ କଥା । ପାଞ୍ଜି ଦେଖିବା ଦ୍ୱାରା ତୁ ବହୁତ ଜିନିଷ ଜାଣି ପାରିବୁ । ଗ୍ରହ ନକ୍ଷତ୍ରର ଚଳନ. . . . . । ମୁଁ ଆହୁରି କିଛି କହି ଆସୁଥିଲି, କିନ୍ତୁ ଶ୍ୱେତା ମଝିରେ ରୋକିଦେଲା । 

: ହେତ୍ ମୁଁ ସେ ଗ୍ରହ ନକ୍ଷତ୍ରର ଚଳନରୁ କଣ କରିବି? ମୋର ଚଳନ କିଏ ଦେଖୁଛି ? ମୁଁ ପୁଣି ଗ୍ରହ ନକ୍ଷତ୍ର, ଛେନା ଗୁଡ ଚଳନ ଦେଖିବି । 

ଶ୍ୱେତାର କଥାବାର୍ତ୍ତା ସବୁବେଳେ ଏମିତି । ଅବିରାମ ଗତିରେ ପାଟି ତାର ଚାଲିଥିବ । 

: ବୁଝିଲ ନାନୀ । ସେମାନଙ୍କ ଅସ୍ତ୍ରରେ ହିଁ ସେମାନଙ୍କୁ ଆଘାତ କରିବି । (ସେମାନଙ୍କୁ କହିଲେ ସେ ତାର ଶାଶୁଘରକୁ ହିଁ ଇଙ୍ଗିତ କରୁଥିଲା । ) ଯୁଗ ଆସି କୋଉଠି ପହଞ୍ଜିଲାଣି . . . . . . ଛାଡ କଣ କହିବି ଯେ ଆଉ? ଟିକେ ରୁହ ନାନୀ । ମୁଁ ଟିକେ କନଫର୍ମ୍ କରିନିଏ ଷ୍ଟ୍ରାଇକଟା କେବେ ହେଉଛି?

ଶ୍ୱେତା କାହାକୁ ଫୋନ୍ କରି ଷ୍ଟ୍ରାଇକ୍ ବିଷୟରେ ପଚାରୁଥିଲା । ମୁଁ ଅନ୍ୟ କାମରେ ବ୍ୟସ୍ତ ଥିଲି । ହଠାତ୍ ସିଏ କୁରୁଳି ଉଠିଲା । ତା ବୋଉକୁ ଆଉ ମୋତେ ଧରି ପରସ୍ତେ ନାଚିଗଲା । ତା ବାହାଘର ପରେ ପ୍ରଥମ ଥର ପାଇଁ ମୁଁ ତାକୁ ଏତେ ଖୁସୀ ହେବାର ଦେଖିଲି । 

: ନାନୀ ପାଞ୍ଜି ଦେଖିଲ । ମୁଁ ଆସିଲି ଶୁକ୍ରବାର ଦିନ । ଶାଶୁ କହୁଥିଲେ ତା ପରଦିନ ଫେରିଯିବାକୁ । ଶନିବାରେ ତ ଯାଆନ୍ତିନି । ରବିବାର ସଂକ୍ରାନ୍ତି, ସୋମବାର ଦିନ ମାସନ୍ତ । ପୁଣି ମଙ୍ଗଳବାର ଦିନ ଘରୁ ଗୋଡ କାଢନ୍ତିନି । ବୁଧବାର ଦିନ ଛଅ ଦିନ । 

ମୁଁ କିଛି ନ କହି ଶୁଣୁଥାଏ । ତା ବୋଉ ହସ ଚାପିବାକୁ ଚେଷ୍ଟା କରୁଥାଏ । 

: ଆରେ ହସୁଛ କଣ? ଜାଣିନା

ଛଅ, ନଅ, ତେର,

କେବେ ନ ଯିବ ଘର,

ଯଦି ଯିବ ଘର,

ତେବେ ହେବ ହରବର ।

ପୁଣି ଗୁରୁବାର ଦିନ ଯିବିନି । ଯଦି ଗୁରୁବାର ଦିନ ଶାଶୁ ଘରୁ ବାପ ଘରକୁ ଆସି ପାରିବିନି, ତେବେ ବାପଘରୁ ଶାଶୁ ଘରକୁ ଯିବି କେମିତି?

: କିନ୍ତୁ ତୋତେ ତ ୨୧ ତାରିଖ ଦିନ ଯିବାକୁ ପଡିବ । ସେଦିନ ତ ଆଉ କିଛି ବାହାନା କରିପାରିବୁନି । ମୁଁ ତାକୁ ଟିକେ ଚିଡେଇବା ପାଇଁ କହିଲି । 

: ଆହା ସେଇ କଥା ତ ପଡିଛି । ସେଥିପାଇଁ ତ ମୁଁ ଗୀତାକୁ ଫୋନ୍ କରିଥିଲି । କନଫର୍ମ୍ ହେବା ପାଇଁ । ୨୧ ତାରିଖ ଦିନ ବା ଓଡିଶା ବନ୍ଦ । ପୁଣି ୨୨ ଶନିବାର, ୨୩ ତାରିଖ ଅମାବାସ୍ୟା, ୨୪ ତାରିଖ ପ୍ରତିପଦା । ପୁଣି ୨୫ ମଙ୍ଗଳବାର, ଆଉ ୨୬ ତାରିଖ ୧୩ ଦିନ ହୋଉଛି । ୨୭ ତାରିଖ ତ ଗୁରୁବାର । ତେଣୁ ମୁଁ ଯଦି ଯିବି ୨୮ ତାରିଖରେ ହିଁ ଯିବି । ଆଜି  ୧୭ ତାରିଖ । ଅନ୍ତତଃ ପକ୍ଷେ ଆଉ ଦଶ ଦିନ ମୁଁ ଏଠି ରହିପାରିବି ତ । ଆଛା ନାନୀ! ଏ ଭିତରେ ଆଉ ଏକାଦଶୀ କି ଅମାବାସ୍ୟା ପଡିବନି? ମୋ ଶାଶୁ କହିଛନ୍ତି ପରା । ଏକାଦଶୀ, ଅମାବାସ୍ୟା, ମାସନ୍ତ, ସଂକ୍ରାନ୍ତି, ମଙ୍ଗଳ, ଗୁରୁ, ଶନି, ପୁଣି ୬ ଦିନ, ୯ ଦିନ ଆଉ ୧୩ ଦିନରେ ଘରୁ ଗୋଡ କାଢନ୍ତିନି । 

: ଆଉ ଚତୁର୍ଦ୍ଦଶୀ, ଅମାବାସ୍ୟା କଥା ଭୁଲି ଗଲୁ ଯେ? ତା ବୋଉ ହସି ହସି କହୁଥିଲା । 

: ସେଇ କଥା ତ କହୁଛି । ଏ ସବୁ ତିଥି ଗୁଡାକ ଯିବା ଦିନମାନଙ୍କରେ ମାନେ ରବିବାର, ସୋମବାର, ବୁଧବାର କିମ୍ବା ଶୁକ୍ରବାର ଦିନ ପଡିଲେ ହୁଅନ୍ତାନି? ଏବେ ଦେଖୁନା । ଶନିବାର ଦିନ ୧୩ ଦିନ ହେଉଛି । ମୋର ଗୋଟାଏ ଦିନ ମାଡ ଖାଇଲାନା? 

ମୋ ଆଖି ଲୁହ ଛଳ ଛଳ ହୋଇଗଲା । ସେ ଲୁହ ସଞ୍ଚରି ଗଲା ସୁମି ଭାଉଜ ଆଖିକୁ । 

: ଆରେ ତୁମେ ମାନେ କାନ୍ଦୁଛ କଣ? ଜୀବନରେ ତ ଏମିତି କେତେ ଆସିବେ । ସମସ୍ୟା ବି ଆସିବ । ସେହି ସମସ୍ୟାକୁ କେମିତି ସାହସର ସହିତ ସମ୍ମୁଖୀନ ହେବ, ତାହା ହିଁ ଦେଖିବା କଥା । ଏବେ ଦେଖିଲ ତ । ତାଙ୍କରି ଅସ୍ତ୍ରରେ କେମିତି ପ୍ରହାର କଲି ସେମାନଙ୍କୁ? ଧୈର୍ଯ୍ୟ ଧର । ସମାଧାନର ରାସ୍ତା ଆପେ ଆପେ ଖୋଲିଯିବ ।

ଆମରି ପେଟରୁ ଜନ୍ମ କାଲିକାର ଛୁଆ ଆଜି ଆମକୁ ଶିଖାଉଛି ଜୀବନ ଓ ସମସ୍ୟାର ଅର୍ଥ ।

: ଆରେ ୨୮ ତାରିଖ ଦିନ ଭାରତ ବନ୍ଦ ନା କଣ?

ପରିସ୍ଥିତିର ଗମ୍ଭୀରତାକୁ ହାଲୁକା କରି ଦେଇ କହୁଥିଲା ଶ୍ୱେତା ।

ଭାଉଜ ଓ ମୁଁ ହୋ ହୋ ହୋଇ ହସୁଥିଲୁ । କିନ୍ତୁ ଶ୍ୱେତା ଥିଲା ନିର୍ବିକାର ।

ପାଞ୍ଜି ସମାଧାନ ଧୈର୍ଯ୍ୟ

Rate the content


Originality
Flow
Language
Cover design

Comments

Post

Some text some message..