Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବିକ୍ରମ ବେତାଳ - - ୨୫
ବିକ୍ରମ ବେତାଳ - - ୨୫
★★★★★

© ଓଡିଆ ଶିଶୁ ଗପ

Children

8 Minutes   7.8K    20


Content Ranking

କିଏ ସମ୍ମାନର ଯୋଗ୍ୟ - ୨

ନାକ କଟିଯିବାରୁ ରତ୍ନାବତୀ କଷ୍ଟ ହେତୁ ଜୋର୍ରେ କାନ୍ଦିବାକୁ ଲାଗିଲା । ପୁଣି ପ୍ରେମିକକୁ ଯେତେବେଳେ ମରିଯାଇଥିବାର ଦେଖିଲା ସେ କ’ଣ କରିବ କିଛି ଚିନ୍ତା କରିପାରିଲା ନାହିଁ । ସେ ଭୟଭୀତ ହୋଇ ସେଠାରୁ ଯିବାକୁ ବାହାରିଲା । ଚୋର ମଧ୍ୟ ଗୋଟିଏ କୋଣରେ ଲୁଚି ରହିଥିଲା । ସେ ଏସବୁ ଦେଖିବାପରେ ମଧ୍ୟ କିଛି ବୁଝି ପାରୁନଥାଏ । ସେ ମଧ୍ୟ ଏହା ଦେଖି ଭୟଭୀତ ହୋଇପଡିଥିଲା । ରତ୍ନାବତୀ ନିଜ ଘରେ ଯାଇ ପହଁଚି ସ୍ୱାମୀ ଶୋଇଥିବା ସ୍ଥାନରେ ବସି କାନ୍ଦିବାକୁ ଲାଗିଲା । ଘରେ ସମସ୍ତେ ଶୋଇ ପଡିଥାଆନ୍ତି । ଏପରିକି ତା’ର ସ୍ୱାମୀ ମଧ୍ୟ ନିଦରେ ଶୋଇ ପଡିଥାଏ । ରତ୍ନାବତୀ ଜୋର୍ରେ କାନ୍ଦିବାରୁ ପ୍ରଥମେ ତା’ର ସ୍ୱାମୀର ନିଦ ଭାଙ୍ଗିଗଲା । ଏହାପରେ ଧୀରେ ଧୀରେ ପରିବାରର ସମସ୍ତ ସଦସ୍ୟ ଉଠିଗଲେ । ରତ୍ନାବତୀ ସମସ୍ତଙ୍କ ଆଗରେ ତା’ର ସ୍ୱାମୀ ନାକ କାଟି ଦେଇଥିବା କଥା କହିଲା । ଏ କଥା ଶୁଣି ଘରର ସମସ୍ତ ସଦସ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ରତ୍ନାବତୀର ଏପରି କଥା ଶୁଣି ସ୍ୱାମୀ ମଧ୍ୟ ନିଜେ ଆଶ୍ଚର୍ଯ୍ୟ ହୋଇଗଲା । ରତ୍ନାବତୀର କାନ୍ଦ ଶୁଣି ପଡୋଶୀମାନେ ମଧ୍ୟ ଉଠିଗଲେ । ରତ୍ନାବତୀ ନାକ କଟିଯିବା ପାଇଁ ତା’ର ସ୍ୱାମୀକୁ ଦୋଷାରୋପ କରୁଥାଏ । ସମସ୍ତେ ରତ୍ନାବତୀର କଥା ଶୁଣି ତା’ର ସ୍ୱାମୀକୁ ଧିକ୍କାର କରୁଥାଆନ୍ତି । ରତ୍ନାବତୀର ସ୍ୱାମୀ ଯେତେ ସଫେଇ ଦେଲେ ମଧ୍ୟ ତା’ର କଥାକୁ କେହି ଶୁଣୁ ନଥାନ୍ତି । ଧୀରେ ଧୀରେ କଥା ଯାଇ ରାଜାଙ୍କ କାନରେ ପଡିଲା । ରାଜା ସଂଗେ ସଂଗେ ରତ୍ନାବତୀ ଓ ତା’ର ସ୍ୱାମୀକୁ ଡକାଇଲେ । ରତ୍ନାବତୀଠାରୁ ସବୁ କଥା ଶୁଣି ସାରିବାପରେ ରାଜା ସଂଗେ ସଂଗେ ତା’ର ସ୍ୱାମୀକୁ ଫାଶୀ ଦଣ୍ଡାଦେଶ ଦେଲେ । ରତ୍ନାବତୀର ସ୍ୱାମୀ କାନ୍ଦି କାନ୍ଦି ରାଜାଙ୍କୁ ଯେତେ ଯାହା କହିଲେ ମଧ୍ୟ ରାଜା କୌଣସି କଥା ଶୁଣିଲେ ନାହିଁ ।

ରତ୍ନାବତୀର ସ୍ୱାମୀକୁ ଫାଶୀ ହୋଇଯାଇଥିବା କଥା ଚାରିଆଡେ ବ୍ୟାପିଗଲା । ସେହି କଥା ଚୋରଟି ମଧ୍ୟ ଶୁଣିଲା । ସେ କିନ୍ତୁ ଅନ୍ୟମାନଙ୍କ ପରି ଚୁପ୍ ନରହି ରାଜାଙ୍କ ପାଖକୁ ଯିବାକୁ ବାହାରିଲା । ରାଜାଙ୍କ ପାଖରେ ପହଁଚି ତାଙ୍କୁ ସମସ୍ତ ଘଟଣା ଜଣାଇଲା । ସମସ୍ତ ଘଟଣା କହି ସାରିବା ପରେ ପ୍ରମାଣ ଦେବାକୁ ଯାଇ କହିଲା- “ମହାରାଜ! ସେହି ବ୍ୟକ୍ତିର ଶବ ଏବେ ମଧ୍ୟ ତାର ଘରେ ପଡିଛି । ଆପଣ ଯଦି ତାର ମୁହଁ ଖୋଲି ଦେଖିବେ ତା’ହେଲେ ରତ୍ନାବତୀର ନାକ ନିଶ୍ଚୟ ତା’ର ପାଟି ଭିତରେ ଥିବ ।” ଲୋକଟିର କଥା ଶୁଣି ମହାରାଜ ସଂଗେ ସଂଗେ କର୍ମଚାରୀ ମାନଙ୍କୁ ସେହି ସ୍ଥାନକୁ ପଠାଇଲେ । କର୍ମଚାରୀମାନଙ୍କ ସହିତ ସେହି ଚୋରଟି ମଧ୍ୟ ଘଟଣା ସ୍ଥଳକୁ ଗଲା । ସତକୁ ସତ ଚୋରର କଥା ସତ ହେଲା । ଏହାପରେ ମହାରାଜଙ୍କର ଆଜ୍ଞା ଅନୁସାରେ ରତ୍ନାବତୀର ସ୍ୱାମୀକୁ ଛାଡି ଦିଆଗଲା ଏବଂ ରତ୍ନାବତୀକୁ ରାଜ୍ୟରୁ ବାହାର କରିଦେବା ପାଇଁ ଆଦେଶ ଦେଲେ ।

କାହାଣୀଟି କହିସାରି ବେତାଳ ଏକ ଦୀର୍ଘଶ୍ୱାସ ଛାଡି ପୁଣି କହିଲା- “ରାଜା ବିକ୍ରମ! ଏବେ ତୁମେ ନ୍ୟାୟ କର ଯେ, ଏହି କାହାଣୀରେ ପ୍ରକୃତ ଦୋଷୀ କିଏ?” ବିକ୍ରମ କିଛି ନକହି ଚୁପ୍ ଚାପ୍ ବାଟ ଚାଲୁ ଥାଆନ୍ତି । ରାଜା ବିକ୍ରମ କିନ୍ତୁ ମନେ ମନେ ଠିକ୍ କରିଥାଆନ୍ତି ଯାହା କିଛି ହେଲେ ମଧ୍ୟ ସେ ଏଥର ମୁହଁ ଖୋଲିବେ ନାହିଁ । ରାଜା ବିକ୍ରମଙ୍କର ପାଟି ନଖୋଲିବା ଦେଖି ବେତାଳ କହିଲା- “ଆଚ୍ଛା ଚାଲ! ଉୁଁ ତୁମକୁ ଆଉ ଏକ କାହାଣୀ ଶୁଣାଉଛି । ଏହି କାହାଣୀ ଶୁଣି ସାରିବା ପରେ ତୁମେ ଦୁଇଟି କାହାଣୀରେ ଥିବା ପ୍ରଶ୍ନର ନ୍ୟାୟ ସଂଗତ ଉତ୍ତର ଏକାଥରେ ହେବ ।

‘ଇନ୍ଦ୍ରପୁର’ ନଗରୀରେ ‘ମହାଧନ’ ନାମକ ଏକ ଧାର୍ମିକ ପ୍ରବୃତିର ଧନୀ ବ୍ୟକ୍ତି ବାସ କରୁଥିଲେ । ମହାଧନଙ୍କର ପୁତ୍ରର ନାମ ଶ୍ରୀଧନ୍ ଥିଲା, ଯିଏକି ଅତ୍ୟନ୍ତ ଦୁଷ୍ଟ ପ୍ରକୃତିର ଥିଲା । ପୁତ୍ରର ଦୁଷ୍ଟାମିରେ ବିରକ୍ତ ହୋଇ ମହାଧନ ଦିନେ ତାକୁ ଘରୁ ବାହାର କରିଦେଲେ । ବୁଲି ବୁଲି ଯାଇ ଶେଷରେ ଶ୍ରୀଧନ୍ ଚନ୍ଦ୍ରନଗର ନାମକ ଏକ ନଗରୀରେ ଯାଇ ପହଁଚିଲେ । ସେଠାରେ ‘ହେମଗୁଣ’ନାମକ ଜଣେ ଧନୀ ବ୍ୟକ୍ତି ବାସ କରୁଥିଲେ । ତାଙ୍କର କନ୍ୟା ବିବାହ ଯୋଗ୍ୟା ହୋଇଯାଇଥିବାରୁ କନ୍ୟାର ବିବାହ ପାଇଁ ସେ ବହୁତ ଚିନ୍ତିତ ଥିଲେ । ହେମଗୁଣଙ୍କ ଝିଅର ନାମ ଚନ୍ଦ୍ରମୁଖୀ ଥିଲା । ଝିଅଟିର ନାମ ଯେପରି ରୂପଗୁଣ ମଧ୍ୟ ସେହିପରି ଶ୍ରୀଧନ୍ ଯେତେବେଳେ ବୁଲି ବୁଲି ଯାଇ ସେହି ନଗରୀରେ ପହଁଚିଲେ, ସେତେବେଳକୁ ତାଙ୍କ ପାଖରେ ଥିବା ଧନ ସବୁ ସରିଯାଇଥାଏ । ଅନ୍ୟ ଭାଷାରେ କହିଲେ ସେ ସେତେବେଳକୁ କାଙ୍ଗାଳ ପ୍ରାୟ ହୋଇଯାଇଥିଲେ । ଜୀବନ ଯାପନ କରିବାପାଇଁ ଶ୍ରୀଧନ୍ ପାଖରେ ଧନର ନିଶ୍ଚିତ ଆବଶ୍ୟକତା ଥିଲା । କିନ୍ତୁ ସେ ଧନ ଆଣିବେ କେଉଁଠୁ? ଏହିପରି ଭାବି ଭାବି ତାର ମନକୁ ଏକ କଥା ଆସିଲା । ନିଜେ ଏକ ଦୀନ ହୀନ ବେଶ ଧାରଣ କରି ହେମଗୁଣଙ୍କ ପାଖରେ ଯାଇ ପହଁଚିଲା । ହେମଗୁଣଙ୍କୁ ନିଜର ପରିଚୟ ହେବକୁ ଯାଇ କହିଲା-“ମୁଁ ବେପାର ଉଦ୍ଧେସ୍ୟରେ ଘରୁ ବାହାରିଥିଲି । କିନ୍ତୁ ରାସ୍ତାରେ ଚୋର ଦଳଙ୍କ ହାବୁଡରେ ପଡିଯିବାରୁ ସେମାନେ ମୋର ସର୍ବସ୍ୱ ଲୁଟି ନେଲେ । କେବଳ ସେତିକି ନୁହେଁ ମୋତେ ମାରପିଟ୍ ମଧ୍ୟ କଲେ । ମୁଁ ବହୁତ କଷ୍ଟରେ ସେମାନଙ୍କ କବଳରୁ ଖସି ଆସିଛି । କିନ୍ତୁ ମୋ ପାଖରେ ଏବେ ଗୋଟିଏ କାଣି କଉଡିଟିଏ ମଧ୍ୟ ନାହିଁ । ମୁଁ ବର୍ତ୍ତମାନ କ’ଣ କରିବି? ମୋର ମୁଣ୍ଡକୁ କିଛି ବୁଦ୍ଧିବାଟ ଦିଶୁନାହିଁ ।”

ଧନୀ ହେମଗୁଣ ଧର୍ଯ୍ୟର ସହିତ ଶ୍ରୀଧନ୍ଙ୍କଠାରୁ ସବୁ କଥା ଶୁଣିଲେ । ସେ ଯେମିତି ଜାଣିଲେ ଯେ ‘ଶ୍ରୀଧନ୍’ ‘ମହାଧନ’ଙ୍କର ପୁତ୍ର ସେ କହିଲେ- “ପୁଅରେ! ତୁମେ କିଛି ଚିନ୍ତା କରନାହିଁ । ଯେ ପର୍ଯ୍ୟନ୍ତ ଇଚ୍ଛା କରିବ ମୋ ଘରେ ମୋର ଅତିଥି ହୋଇ ରହିଯାଅ ।” ଏହା କହି ତାଙ୍କ ଚାକରମାନଙ୍କୁ ଶ୍ରୀଧନ୍ଙ୍କୁ ଅତିଥିଶାଳା ଦେଖାଇବା ପାଇଁ କହିଲେ । ଅତିଥିଙ୍କର ଯେମିତି କୌଣସି କ୍ଷେତ୍ରରେ ଅବହେଳା ନହୁଏ, ସେଥିପାଇଁ ଚାକରମାନଙ୍କୁ ମଧ୍ୟ ତାଗିଦ୍ କରିଦେଲେ । ଏହାପରେ ଧନୀ ହେମଗୁଣ ପତ୍ନୀଙ୍କ ଆଗରେ ଯାଇ ସବୁ କଥା କହିଲେ । ହେମଗୁଣଙ୍କ ପତ୍ନୀ ଶ୍ରୀଧନଙ୍କୁ ଦେଖିବାକୁ ଇଚ୍ଛା ପ୍ରକାଶ କଲେ । ଶ୍ରୀଧନଙ୍କୁ ଦେଖିବାପରେ ହେମଗୁଣ ମନେ ମନେ ତାଙ୍କୁ ଜ୍ୱାଇଁ କରିବେ ବୋଲି ଭାବୁଥାଆନ୍ତି । ହେମଗୁଶଙ୍କ ପତ୍ନୀ ମଧ୍ୟ ସ୍ୱାମୀଙ୍କର ଇଚ୍ଛା ସଂପର୍କରେ ଜାଣି ପାରିଥାଆନ୍ତି ।

ଅପରାହ୍ଣରେ ହେମଗୁଣଙ୍କର ପତ୍ନୀ ଶ୍ରୀଧନଙ୍କୁ ଚାହା ପିଇବା ପାଇଁ ଡାକିଥାଆନ୍ତି । ସେହି ସମୟରେ ସେ ଶ୍ରୀଧନଙ୍କୁ ଦେଖିବାର ସୁଯୋଗ ପାଇଲେ । ଚାହା ପିଇସାରିବା ପରେ, ଶ୍ରୀଧନଙ୍କୁ ଗାଧୋଇବାକୁ କହି ନୂଆ ବସ୍ତ୍ର ଆଣି ପିନ୍ଧିବାକୁ ଦେଲେ । ଶ୍ରୀଧନ ନବ ବସ୍ତ୍ର ପରିଧାନ କରିବାପରେ ଅଧିକ ରୂପବାନ୍ ଲାଗିଲେ । ଶ୍ରୀଧନ୍ଙ୍କର ରୂପରେ ମୁଗ୍ଧହୋଇ ହେମଗୁଣଙ୍କର ପତ୍ନୀ ସ୍ୱାମୀଙ୍କ ଆଗରେ ଶ୍ରୀଧନଙ୍କୁ ଜ୍ୱାଇଁ କରିବା କଥା ପ୍ରକାଶ କଲେ । ପତ୍ନୀଙ୍କ କଥା ଶୁଣିବାପରେ ହେମଗୁଣ ଅତ୍ୟଧିକ ଖୁସି ହୋଇ କହିଲେ- “ଯାହା ହେଉ ତୁମେ ମୋ ମନର କଥା ବୁଝି ପାରିଲ । ଶ୍ରୀଧନଙ୍କୁ ମୁଁ ମୋ କନ୍ୟା ପାଇଁ ଉପଯୁକ୍ତ ବୋଲି ଭାବୁଛି । ଏହାପରେ ହେମଗୁଣ ଶ୍ରୀଧନ୍ଙ୍କ ଆଗରେ ନିଜର ମନର କଥା ପ୍ରକାଶ କରିବା ସହିତ ଶ୍ରୀଧନ୍ଙ୍କର ମତାମତ ଲୋଡିଲେ । ଶ୍ରୀଧନ ଯେତେବେଳେ ଏହି କଥା ଶୁଣିଲେ ବିନା ଦ୍ୱିଧାରେ ସଂଗେ ସଂଗେ ରାଜି ହୋଇଗଲେ ।

ଏହାପରେ ତିଥିବାର ଦେଖି ହେମଗୁଣ ଶ୍ରୀଧନ୍ଙ୍କ ସହିତ ଚନ୍ଦ୍ରମୁଖୀର ବିବାହ କରାଇଦେଲେ । ବିବାହ ପରେ ଶ୍ରୀଧନ୍ ଯେତେବେଳେ ଚନ୍ଦ୍ରମୁଖୀକୁ ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ । ବିବାହ ପରେ ଅନେକ ଦିନ ଶ୍ରୀଧନ୍ କେବଳ ଭୋଗ ବିଳାସରେ ମାତି ରହିଲେ । କିଛି ଦିନ ପରେ ଚନ୍ଦ୍ରମୁଖୀ କହିଲା- “ସ୍ୱାମୀ! ତୁମେ ମୋତେ ମୋର ଘରକୁ କଣ ନେବ ନାହିଁ । ବିବାହ ପରେ ଗୋଟେ ଝିଅର ପ୍ରକୃତ ଘର ହେଉଛି ତାର ଶାଶୁ ଘର । ତୁମେ କୁହତ ଆମେ କେବେ ଆମ ଘରକୁ ଯିବା ।”

ଶ୍ରୀଧନ୍ କହିଲା, “ନିଶ୍ଚୟ ଯିବା, ପ୍ରକୃତରେ ମୁଁ ତୁମ ପ୍ରେମରେ ଏତେ ମାତ୍ରାରେ ବୁଡିଯାଇଥିଲି ଯେ ଅନ୍ୟ ସବୁ କଥା ମୁଁ ଭୁଲି ଯାଇଥିଲି ।” ତାହିଁ ଆରଦିନ ହିଁ ଶ୍ରୀଧନ୍ ଘରକୁ ଯିବାକୁ ବାହାରି ପଡିଲା । ଝିଅ ଜ୍ୱାଇଁ ଘରକୁ ଯିବା ସମୟରେ ହେମଗୁଣ ଯାହା ଯୌତୁକ ଦେବା କଥା ଦେଇ ସେମାନଙ୍କୁ ସସମ୍ମାନେ ବିଦାୟ ଦେଲେ । କିଛି ବାଟ ଯିବାପରେ ଏକ ଜଂଗଲ ପଡିଲା । ଜଂଗଲ ମଧ୍ୟରେ ଯିବା ସମୟରେ ଏକ କୂପ ପଡିଲା । କୂପ ପାଖରେ ପହଁଚିବା ମାତ୍ରକେ ଶ୍ରୀଧନ୍ ସେଠାରେ ରହିଗଲେ, ଏବଂ କହିଲେ- “ପ୍ରିୟେ! କିଛି ସମୟ ଆମେ ଏଠାରେ ଆରାମ୍ କଲେ କେମିତି ହୁଅନ୍ତା” ଚନ୍ଦ୍ରମୁଖୀକୁ ମଧ୍ୟ ଥକ୍କା ଲାଗୁଥିଲା । ତେଣୁ ସେ ବା’ କାହିଁକି ଶ୍ରୀଧନ୍ ର କଥାରେ ବିରୋଧ କରିବ । ଦୁଇଜଣ ଯାକ ସେଠାରେ ବିଶ୍ରାମ ନେବାକୁ ଠିକ୍ କରି କୂପ ନିକଟରେ ଥିବା ଏକ ବୃକ୍ଷ ମୂଳରେ ତମ୍ବୁ ପକାଇ ଦେଲେ ।

ପ୍ରକୃତରେ ଶ୍ରୀଧନ୍ ଶ୍ୱଶୁର ଘରୁ ଆସିବା ସମୟରେ ହିଁ ମନେ ମନେ ଏକ ଯୋଜନା କରିଥିଲା । ଧନ ପାଇବା ସାଙ୍ଗକୁ ସୁନ୍ଦରୀ ନାରୀର ସାହଚର୍ଯ୍ୟ ମଧ୍ୟ ସେ ପାଇ ସାରିଥିଲା । ତେଣୁ ସେ କିପରି ପତ୍ନୀଠାରୁ ଦୂରେଇଯିବ ମନେ ମନେ ଚିନ୍ତା କରୁଥିଲା । ରାତି ହେବାରୁ ଉଭୟେ ସାଙ୍ଗ ହୋଇ ଖାଇଲେ । ଖାଇ ସାରିବା ପରେ ଶ୍ରୀଧନ୍ ଚନ୍ଦ୍ରମୁଖୀକୁ କହିଲା, “ରାତିରେ ଜଂଗଲ ଭିତରେ ଏତେ ଗୁଡିଏ ଗହଣା ପିନ୍ଧିବା ବିପଦ । ତେଣୁ ସବୁ ଗହଣା ଓହ୍ଲାଇ ମୋତେ ଦେଇଦିଅ ।” ଏହିପରି ମଧୁର କଥା କହି ଶ୍ରୀଧନ୍ ଗହଣା ସବୁ ନେଇଯିବା ପରେ ଚନ୍ଦ୍ରମୁଖୀକୁ କୂପ ମଧ୍ୟକୁ ଠେଲି ଦେଲା । ଏହାପରେ ସବୁ ଗହଣା ନେଇ ଶ୍ରୀଧନ୍ ନିକଟରେ ଥିବା ସହରକୁ ଚାଲିଗଲା । ସେଠାରେ ରହି ସେ କେବଳ ବିଳାସ ବ୍ୟସନରେ କାଳ କାଟିଲା ତାହା ନୁହେଁ, ଜୁଆ ଖେଳିବାରେ ସମସ୍ତ ସମୟ ଅତିବାହିତ କଲା ।

ଯେଉଁ କୂପ ମଧ୍ୟରେ ଶ୍ରୀଧନ୍ ଚନ୍ଦ୍ରମୁଖୀକୁ ପକାଇ ଦେଇଥିଲା, ସେହି କୂପଟି କିନ୍ତୁ ଶୁଖିଲା ଥିଲା । କୂଅରେ ପଡିଯିବାରୁ ଚନ୍ଦ୍ରମୁଖୀର ମୁଣ୍ଡ ଫାଟିଗଲା ଓ କିଛି ସମୟ ପାଇଁ ବେହୋସ୍ ହୋଇ ପଡିରହିଲା । କିଛି ସମୟ ପରେ ଯେତେବେଳେ ତାର ହୋସ୍ ଆସିଲା ସେ ଜୋର୍ରେ କାନ୍ଦିବାକୁ ଲାଗିଲା । ଠିକ୍ ଏହି ସମୟରେ ଜଣେ ପଥିକ ଘୋଡା ଉପରେ ବସି ଆସୁଥାଆନ୍ତି । ଘୋଡା ଟାପୁର ଶବ୍ଦ ଶୁଣି ଚନ୍ଦ୍ରମୁଖୀ କେହି ଜଣେ ଆସୁଥିବାର ଭାବି ଜୋର୍ରେ କାନ୍ଦିବାକୁ ଲାଗିଲା । ଜଂଗଲ ମଧ୍ୟରେ ଜଣେ ନାରୀର କ୍ରନ୍ଦନ ଶୁଣି ପଥିକ ଜଣକ ଆସି କୂପ ନିକଟରେ ପହଁଚିଗଲେ । କୂପ ମଧ୍ୟରେ ଜଣେ ନାରୀକୁ ଦେଖି ପଥିକ ଜଣକ ତାଙ୍କୁ କୌଣସି ମତେ ଉଦ୍ଧାର କରି ଉପରକୁ ଆଣିଲେ ଏବଂ କିପରି ଏହି ଜଂଗଲ ମଧ୍ୟରେ ଥିବା କୂପକୁ ସେ ଆସିଲେ ସେ ବିଷୟରେ ପଚାରିଲେ । ଚନ୍ଦ୍ରମୁଖୀ ନିଜର ପରିଚୟ ଦେବାକୁ ଯାଇ କହିଲା- “ମୁଁ ମୋ ସ୍ୱାମୀଙ୍କ ସହିତ ମୋ ଶାଶୁ ଘରକୁ ଯାଉଥିଲି । ଏଠାରେ ଆମେ କେତେଜଣ ଡାକୁଙ୍କ ହାବୁଡରେ ପଡିଗଲୁ । ଡାକୁ ମାନେ ମୋର ସମସ୍ତ ଗହଣା ପତ୍ର ନେଇଗଲେ ଏବଂ ମୋତେ ଏଇ କୂପ ମଧ୍ୟରେ ପକାଇ ଦେଲେ । ମୋର ସ୍ୱାମୀଙ୍କୁ ସେହିମାନେ କେଉଁଆଡେ ବାନ୍ଧି ନେଇଯାଇଛନ୍ତି ।”

ଏହିପରି ମିଛ କଥା କହି ଚନ୍ଦ୍ରମୁଖୀ ତା’ର ସ୍ୱାମୀର କୁକାର୍ଯ୍ୟକୁ ଲୁଚାଇଲା । ପଥିକ ଜଣକ ବଡ ଦୟାଳୁ ସ୍ୱଭାବର ବ୍ୟକ୍ତି ଥିଲେ । ସେ ଚନ୍ଦ୍ରମୁଖୀକୁ ତା’ର ପିତା-ମାତାଙ୍କ ପାଖରେ ନେଇ ଛାଡିଦେଲେ । ଚନ୍ଦ୍ରମୁଖୀ ନିଜ ଘରେ ପିତା-ମାତାଙ୍କ ଆଗରେ ମଧ୍ୟ ସ୍ୱାମୀର କୁକାର୍ଯ୍ୟ ସଂପର୍କରେ କିଛି ନକହି, ପଥିକକୁ ଯେଉଁ କଥା କହିଥିଲା ଘରେ ମଧ୍ୟ ସେହି କଥା କହିଲା । ଏହାପରେ କିଛି ଦିନ ବିତିଗଲା । ଚନ୍ଦ୍ରମୁଖୀ ସ୍ୱାମୀ କଥା ମନେ ପକାଇ ବେଳେବେଳେ କାନ୍ଦେ, କିନ୍ତୁ ତାର ସ୍ୱାମୀ ଚନ୍ଦ୍ରମୁଖୀ କଥା ମନେ ପକାଇବା ତ’ ଦୂରର କଥା, ସେ ସବୁ ସମୟରେ ବିଳାସ ବ୍ୟସନରେ କାଳ କାଟୁଥିଲା । କାମ ଧନ୍ଦା କିଛି ନକରି ଚନ୍ଦ୍ରମୁଖୀ ଘରୁ ଆଣିଥିବା ଯାନି ଯୌତୁକ ବାବଦ ଟଙ୍କା ସବୁ ଖର୍ଚ୍ଚ କରୁଥିଲା । କଥାରେ ଅଛି “ବସି ଖାଇଲେ ନଈବାଲି ସରେ” । ତେଣୁ ସେଇ ଟଙ୍କା ସେତକ କେତେଦିନ ତାକୁ ବଂଚାଇ ଥାଆନ୍ତା । ଧୀରେ ଧୀରେ ଟଙ୍କା ସବୁ ସରିଗଲା । ଶେଷରେ ଅବସ୍ଥା ଏପରି ହେଲା ଯେ ଶ୍ରୀଧନ୍ କାଙ୍ଗାଳ ପ୍ରାୟ ହୋଇଗଲା ।

ଏହି ସମୟରେ ତା’ର ଚନ୍ଦ୍ରମୁଖୀ କଥା ମନେ ପଡିଲା । ହେଲେ ଚନ୍ଦ୍ରମୁଖୀ ପାଖକୁ ଯିବାକୁ ତା’ର ସାହସ ପାଉ ନଥାଏ । ମନେ ମନେ ଡର ଲାଗୁଥାଏ, କାଳେ ଚନ୍ଦ୍ରମୁଖୀର ପିତା-ମାତା ତାର କାର୍ଯ୍ୟକଳାପ ଜାଣି ପାରିଥିବେ କି । ଏହି କଥା ଚିନ୍ତା କରି ନିଜର ବେଶ ବଦଳାଇ ଶ୍ୱଶୁରଘର ଗାଁରେ ପହଁଚିଲା । ସେଠାରେ ପହଁଚି ଗୁପ୍ତ ଭାବରେ ସମସ୍ତ କଥା ସଂଗ୍ରହ କଲା । ସେ ଯେମିତି ଜାଣିଲା ଯେ ଚନ୍ଦ୍ରମୁଖୀ ତାର କୁକାର୍ଯ୍ୟ ସଂପର୍କରେ କୌଣସି କଥା ଶାଶୁ ଶ୍ୱଶୁରଙ୍କୁ କହିନାହିଁ, ସେ ସେମାନଙ୍କ ନିକଟକୁ ଯିବାପାଇଁ ପ୍ରସ୍ତୁତ ହେଲା । ପରଦିନ ଯାଇ ଶ୍ୱଶୁରଙ୍କ ନିକଟରେ ପହଁଚି କାନ୍ଦି କାନ୍ଦି ଚନ୍ଦ୍ରମୁଖୀ ଯେଉଁ କଥା କହିଥିଲା, ସେହି କଥା କହିଲା । ଶ୍ୱଶୁର ଜ୍ୱାଇଁର ମଧ୍ୟ ଏପରି ଅବସ୍ଥା ଦେଖି ମନେ ମନେ ଦୁଃଖ କଲେ । ଶ୍ରୀଧନ୍ ଚନ୍ଦ୍ରମୁଖୀ ପାଖକୁ ଯାଇ ତାକୁ ମଧ୍ୟ କ୍ଷମା ମାଗିଲା । ଚନ୍ଦ୍ରମୁଖୀ ମଧ୍ୟ ଶ୍ରୀଧନ୍ର କାର୍ଯ୍ୟକଳାପରେ ପରିବର୍ତ୍ତନ ଲକ୍ଷ କରି ପୁରା ବିଶ୍ୱାସ କରିଗଲା । ପୁଣିଥରେ ଶ୍ରୀଧନ୍ ଶ୍ୱଶୁରଙ୍କ ଠାରୁ ଆହୁରି ଅଧିକ ଧନ ନେଇ ଚନ୍ଦ୍ରମୁଖୀକୁ ଧରି ନିଜ ଘରକୁ ଯିବାକୁ ବାହାରିଲା । ଏଥରକ କିନ୍ତୁ ସେ ଚନ୍ଦ୍ରମୁଖୀକୁ କୂପ ମଧ୍ୟରେ ନିକ୍ଷେପ କଲା ନାହିଁ । ସିଧାସଳଖ ଚନ୍ଦ୍ରମୁଖୀକୁ ମାରିଦେଇ ସମସ୍ତ ଧନ ରତ୍ନ ଧରି ପଳାଇଗଲା ।

କାହାଣୀଟି କହିସାରି ବେତାଳ କହିଲା- “ରାଜା ବିକ୍ରମ! ଏବେ ତୁମକୁ କହିବାକୁ ପଡିବ ଦୁଇଟି କାହାଣୀରେ କାହାର ଚରିତ୍ର ସର୍ବଶ୍ରେଷ୍ଠ?” ରାଜା କହିଲେ- “ଶୁଣ ବେତାଳ! ପ୍ରଥମ କାହାଣୀରେ ଚୋରର ଚରିତ୍ର ସର୍ବଶ୍ରେଷ୍ଠ ମାନ୍ୟତା ଦାବୀ କରେ । ସେ ଚୋର ହେଲେ କ’ଣ ହେଲା ତା’ଠାରେ ଅନ୍ୟାୟ ବିରୋଧରେ ପ୍ରତିବାଦ କରିବାର ଶକ୍ତି ଥିଲା । ସେ ଯଦି ରାଜାଙ୍କ ପାଖକୁ ଯାଇ ସବୁ ସତ କଥା ନକହିଥାଆନ୍ତା, ତା’ହେଲେ ବିଚରା ରତ୍ନାବତୀର ସ୍ୱାମୀ ନିର୍ଦୋଷରେ ଫାଶୀ ପାଇଥାଆନ୍ତା । ତେଣୁ ପ୍ରଥମ କାହାଣୀରେ ଚୋରର ଚରିତ୍ର ସର୍ବଶ୍ରେଷ୍ଠ ।

ଦ୍ୱିତୀୟ କାହାଣୀରେ ନାୟିକା ଚନ୍ଦ୍ରମୁଖୀର ଚରିତ୍ର ସର୍ବଶ୍ରେଷ୍ଠ ଅଟେ । ସେ ସ୍ୱାମୀ ହାତରେ ମୃତ୍ୟୁବରଣ କଲା ପଛେ ହେଲେ ସ୍ୱାମୀର କୁକାର୍ଯ୍ୟକୁ ନିଜ ପିତା-ମାତାଙ୍କ ନିକଟରେ ପ୍ରକାଶ କଲା ନାହିଁ । ତେଣୁ ଚନ୍ଦ୍ରମୁଖୀର ଚରିତ୍ର ଦ୍ୱିତୀୟ କାହାଣୀରେ ସର୍ବଶ୍ରେଷ୍ଠ । ରାଜାଙ୍କର ଉତ୍ତର ଶୁଣିସାରିବା ପରେ ବେତାଳ ଜୋର୍ରେ ଅଟ୍ଟହାସ୍ୟ କରି ବିକ୍ରମଙ୍କ କାନ୍ଧରୁ ଉପରକୁ ଉଠିଗଲା । ଏହାପରେ ଆଉ କିଛି ନକହି ପୁଣି ସେହି ବୃକ୍ଷ ଡାଳରେ ଯାଇ ଓଲଟା ଓଲଟି ରହିଲା । ରାଜା ବିକ୍ରମ କି ଛାଡିବା ଲୋକ । ସେ ପୁଣି ଥରେ ବେତାଳ ପଛେ ପଛେ ଯାଇ ସେହି ବୃକ୍ଷ ନିକଟରେ ପହଁଚିଗଲେ । ବିକ୍ରମଙ୍କୁ ଦେଖି ବେତାଳ କହିଲା, “ଆରେ ବିକ୍ରମ! ତୁମେ ପୁଣି ଥରେ ଏଠାରେ ଆସି ପହଁଚିଗଲ ।” କିନ୍ତୁ ବିକ୍ରମ ତାର କଥା ନଶୁଣି ପୁଣି ଗଛ ଉପରକୁ ଉଠିଯାଇ ବେତାଳର ରସି କାଟି ତାକୁ କାନ୍ଧରେ ପକାଇ ଆଣିଲେ ।

ରତ୍ନାବତୀ ହେମଗୁଣ ଶ୍ରୀଧନ୍

Rate the content


Originality
Flow
Language
Cover design

Comments

Post

Some text some message..