Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଭାବ
ଭାବ
★★★★★

© Suchitra Rath

Inspirational

5 Minutes   7.5K    20


Content Ranking

ଆକାଶକୁ ନେଇ ଶୁଭେନ୍ଦୁ ଯାଇଛନ୍ତି ହସ୍ପିଟାଲ । ସେଠାରେ ତାର ସମସ୍ତ ପ୍ରାଥମିକ ପରୀକ୍ଷା କରାଇବା ପରେ ହିଁ ସେ ଆଗକୁ ଯାହା ସ୍ଥିର କରିବେ । ସାନଝିଅ ବିଦ୍ଯାକୁ ଛାଡି ମୁଁ ସେମାନଙ୍କ ସହିତ ଯାଇପାରିଲିନି ସିନା , ମନଟା ମୋର ସେଇଠି ।ବିଳମ୍ବ ହେବାରେ ବ୍ୟସ୍ତତା ବି ବଢିଯାଉଥାଏ ।ଶୁଭେନ୍ଦୁଙ୍କୁ କିନ୍ତୁ ଫୋନ କରି କିଛି ଲାଭ ନାହିଁ । ଡ୍ଯୁଟିରେ ଥିବାବେଳେ ତାଙ୍କ ଫୋନ ସାଇଲେଣ୍ଟ ହିଁ ଥାଏ ।

ଆକାଶ ମୋର ଛାତ୍ର , ଯାହା ପାଇଁ ମୋ ଭିତରେ ଏତେ ଆକୁଳତା । ଭଗବାନଙ୍କ ଉପରେ ଭାରି ଅଭିମାନ ଆସେ । ନିଜର ସୁନ୍ଦର ସୄଷ୍ଟିରେ କାହିଁକି ଯେ ବେଳେ ବେଳେ ଏକ ଅପୂର୍ଣ୍ଣତାର ମୋହର ଲଗାଇ ଦେଇଥାଆନ୍ତି !!

ଆକାଶ ସହ ମୋର ପରିଚୟ ଏଇ ମାତ୍ର ଆଠ ନଅ ମାସର ,ନୂତନ ଭାବେ ସରଗୀଗୁଡା ଉଚ୍ଚ ବିଦ୍ଯାଳୟରେ ଯୋଗ ଦେବା ପରେ ପରେ ।ଶୁଭେନ୍ଦୁଙ୍କର କୋରାପୁଟ ବଦଳି ହୋଇ ଯିବା ପରେ ଏକାକୀ ଭୁବନେଶ୍ୱରରେ ରହିବା ଅପେକ୍ଷା ତାଙ୍କ ପାଖରେ ରହିବା ପାଇଁ ସ୍ଥିର କରି ସାମାନ୍ୟ ଚେଷ୍ଟାରେ ମୁଁ ବି ଚାଲିଆସିଲି କୋରାପୁଟ , ଯାହା ମୋ ବାଲ୍ଯ ସ୍ମୄତିର ଚିକ୍ମିକ୍ ଖିଅଟିଏ ମଧ୍ଯ ଥିଲା ।

ବପାଙ୍କର ବଦଳି ଚାକିରି ଭିତରେ ମୁଁ କିଛି ଦିନ ପାଠ ପଢିଥିଲି ସେହିଠାରେ , ଯେଉଁଠି ଆଜି ମୁଁ ଶିକ୍ଷୟତ୍ରୀ ।ପ୍ରକୄତରେ ସରଗୀଗୁଡା ମୋ ପାଇଁ ସ୍ବର୍ଗ କହିଲେ ଅତ୍ୟୁକ୍ତି ହେବନି । ପ୍ରକୄତି କାମିନୀର ନିସର୍ଗ ସୁଷମାକୁ ଏଠାରେ ଅନୁଭବ କରି ହୁଏ ମର୍ମେ ମର୍ମେ ।ଏହାର ବଣ ପାହାଡ ଘେରା ବିସ୍ତୀର୍ଣ୍ଣ ନିସ୍ତବ୍ଧଭୂମି କୋଳାହଳମୟ କଂକ୍ରିଟ ଜଙ୍ଗଲ ଭରା ରାଜଧାନୀ ଜୀବନ ଠାରୁ ବେଶ୍ ଶାନ୍ତି ଦାୟକ ।

ମୋ ପିଲାବେଳ କଥା ଭାବିଲେ ମନେପଡେ , ନୁଆଣିଆ ଖପର ଘର, ଝୋଟିଦିଆ ମାଟିକାନ୍ଥ,ମାଳମାଳ କେନ୍ଦୁଗଛ, ମହୁଲଫୁଲର ବାସ୍ନା, ଅଳସୀଫୁଲ ଭରା ଦିଗ୍ ବଳୟ ଛୁଆଁ ଚାଷ ଜମି ଆଉ ଦୂର ପାହାଡର ଚିତ୍ରିତ ଆଭା ।

ଆହୁରି ମନେପଡେ, ନିଷ୍କପଟ ସରଳ ମଣିଷଙ୍କର ନିଃସ୍ବାର୍ଥ ଭଲ ପାଇବା , ପ୍ରଗାଢ ବିଶ୍ୱାସ, ନିଜର ଜାତି ଆଉ ସଂସ୍କୃତି ପ୍ରତି ପ୍ରବଳ ଅନୁରକ୍ତି ,ଢେମସା ନାଚ , ପୁଷ୍ ପରବ ,ମଣ୍ଡେଇ ଏମିତି ଅନେକ କିଛି ।କିନ୍ତୁ ଆଖିରେ ଲୁହ ଭରେ ଦେଖି ଦେଖି ଅନ୍ଧବିଶ୍ବାସର ଅନ୍ଧଗଳିରେ ହଜିଯାଉଥିବା ଜୀବନ ଜାତକ ,ଦାରିଦ୍ର୍ୟର ପଞ୍ଝାରେ ଶିକାର ହେଉଥିବା ଅଧା ପେଟ ଶିଶୁର ପୁଷ୍ଟିହୀନ ମୁଖ, ଭୋକର ଭେଳିକି ଆଉ ପ୍ରଶାସନିକ ଅନଗ୍ରସରତାର ଲଞ୍ଛିତ ରୂପରେଖ । ତଥାପି ପ୍ରାଚୁର୍ଯ୍ଯପୂର୍ଣ୍ଣ ସହରୀ ମଣିଷ ଠାରୁ ବେଶ୍ ସୁଖୀ ଲାଗନ୍ତି ସେମାନେ ।ଆଶାର ଉଚ୍ଚତାକୁ ଛୁଇଁ ପାରୁନଥିବା ମଣିଷ ହିଁ ତ ଦୁଃଖୀ ହୁଏ ନା !

ପିଲାଦିନେ କଟକୀ ବାବୁଏନ୍, ପର୍ ଦେଶୀ ଚଢେଇ ବୋଲି କହୁଥିବା ମୋର ସେହି ଖେଳସାଥୀ ମାନେ ମୁଁ ପିନ୍ଧିଥିବା ଫ୍ରକକୁ ବା ଯୋତାକୁ ଛୁଇଁ ଦେଉଥିଲେ ବା ନିରେଖି ଦେଖୁଥିଲେ । ବୋଧହୁଏ ତାର ମସୄଣତାକୁ ଅନୁଭବ କରି ଆନନ୍ଦିତ ହେଉଥିଲେ । ଏବେ ହୁଏତ ସେମାନଙ୍କ ଭିତରୁ କିଏ ଛଅଟି ସନ୍ତାନର ମା ,ଦୁଇଟି ମର୍ଦ୍ଦର ସ୍ତ୍ରୀ ଅବା ନାତି ନାତୁଣୀ ଖେଳାଇବେଣି କୋଳରେ । ପଢାଉଥିବା ଛାତ୍ରଛାତ୍ରୀଙ୍କୁ ଦେଖି ଭାବୁଥିଲି, ଏମାନେ ବି କଣ ସେହି ଚିରାଚରିତ ଜୀବନ ପ୍ରଥାରେ ହଜିଯିବେ, ଅବା ପଙ୍କରେ ପଦ୍ମ ହୋଇ ଫୁଟିବେ ?

ଆକାଶ ସପ୍ତମ ଶ୍ରେଣୀର ଛାତ୍ର । ନୂଆକରି ତାଙ୍କରି ଶ୍ରେଣୀରେ ପଢାଉଥିବା ସମୟରେ ସମସ୍ତଙ୍କ ଭିତରେ ସେ ବି ଚାହିଁଥାଏ ବାଧ୍ଯ ବାଳକଟିଏ ପରି ମୋର ଶ୍ରେଣୀ ପରିଚାଳନାକୁ । ତଥାପି ଲକ୍ଷ୍ୟ କରିଥିଲି ବାରମ୍ବାର ତାର ଅନ୍ଯମନସ୍କତାକୁ ।

ସେମିତି ଦିନେ ପଢା ଚାଲିଥିବା ସମୟରେ ଆକାଶ କଲମ ଧରି ଝରକାର ଗ୍ରୀଲ୍ ରେ ଠକ୍ ଠକ୍ କରୁଥାଏ , ଯାହାର ବିକୄତ ଶବ୍ଦ ବ୍ଯାଘାତ ସୄଷ୍ଟି କରୁଥାଏ ପାଠପଢାରେ । ମୁଁ ସାମାନ୍ୟ ଚିଡି ଉଠି ପଚାରିଲି,

--କିଏ ଏମିତି ଶବ୍ଦ କରୁଛି ?

ପିଲାମାନେ ଆକଶର ନାଁ ଦେଲେ । ହେଲେ ଆକାଶ ପାଖରେ ଏକ ବେପରୱ। ଭାବ । ମୁଁ ଟିକିଏ ରାଗିଗଲି ।

--ଏ କଣ ଆକାଶ କହିବା ପରେ ବି ତୋତେ ଶୁଭୁନି ?

ପିଲାମାନେ ସବଲୀଳ ଭାବେ କହିଲେ, ନା ଦିଦି ତାକୁ ଶୁଭୁନି ।ସେ ଶୁଣି ପାରେନି କି କହି ପାରେନି ।

ସେଇ ମୁହୂର୍ତ୍ତରେ ରାଗ ଓ ଅଭିମାନ ତକ ମୋର ଏକୀଭୂତ ହୋଇ ସୄଷ୍ଟି କଲା ଏକ ବିରାଟ ବିସ୍ମୟ ସୂଚକ ଚିହ୍ନ ।ସ୍ନେହରେ ଅନୁକମ୍ପାରେ ମନ ମୋର ଆଉଟି ହୋଇଗଲା , ବଦଳିଗଲା ମୁଖଭଙ୍ଗୀ ।

ଆକାଶର ଡଉଲଡାଉଲ ଚେହେରା , ବର୍ଦ୍ଧିଷ୍ଣୁ ଉଚ୍ଚତା, ଗୋଲ ଗୋଲ ଚଞ୍ଚଳ ଆଖି ଆଉ ବିଲୋଳ ହାସ୍ଯ ବହନ କରୁଥିବା ସୁନ୍ଦର ଦନ୍ତଫନ୍ତିକୁ ଦେଖିଲେ, କେହି କହିବେନି ସେ ଏକ ଶ୍ରବଣ ବାଧିତ ବାଳକ ।

ଆକଶର ସିଟ୍ ପାଖକୁ ଯାଇ ତାକୁ ବୁଝାଇଦେଲି ,ପାଠପଢା ସମୟରେ ଏମିତି ଶବ୍ଦ ନକରିବା ପାଇଁ । ସେହିଦିନ ଠାରୁ ମୁଁ ନିରେଖି ଦେଖୁଥାଏ ତାର କାର୍ଯ୍ୟ କଳାପକୁ । ଚେଷ୍ଟା କରୁଥାଏ ଝାଙ୍କି ଦେଖବାକୁ ତାର ନିଃଶବ୍ଦ ପୄଥିବୀର ପରିସରକୁ ।କେତେ ଭାବ , କେତେ ଆବେଗ, କେତେ ବିଦ୍ଯା ,କେତେ ବୁଝିବାପଣ ସେ ଆବୋରି ପାରିଛି ନିଜ ଭିତରେ ।ପୁଣି କେତେ ପ୍ରକାଶିପାରିଛି ନିଜ ଭିତରର ଅନୁଚ୍ଚାରିତ ଶବ୍ଦମାନଙ୍କୁ ଅଙ୍ଗଭଙ୍ଗୀରେ ।ଦୁଃଖ ଲାଗେ, ଶ୍ରେଣୀରେ ସୁନ୍ଦର ପଦ୍ଯଟିଏ ସସ୍ବର ଗାଇଲାବେଳେ ତାର ମୂର୍ଚ୍ଛନା ଯେ ଆକାଶ ପାଇଁ ନିରର୍ଥକ ଅନୁଭବ ବିହୀନ ହୋଇପଡେ ।

ସବୁଠାରୁ ବଡ କଥା ହେଉଛି କି ଆକଶର ମୁହଁ, ଭାବଭଙ୍ଗୀ ମୋତେ ଫେରେଇନିଏ ପୁଣି ମୋର ପିଲାଦିନକୁ । ସେମିତି ସହପାଠୀଟିଏ ମୋ ସହିତ ବି ଥିଲା ।ମାତ୍ର ବାଳୁତ ବୟସରେ ହୁଏତ ଅନୁଭବ କରିପାରି ନଥିଲି ତାର ଅକ୍ଷମତାକୁ ଅଭାବବୋଧକୁ ।କିନ୍ତୁ ବେଶ୍ ମନେଅଛି, ଖୁବ୍ ସୁନ୍ଦର ଚିତ୍ର ଆଙ୍କୁଥିବା ବର୍ଜୁ ମୋତେ ଦେଇଥିବା ଚିତ୍ର ଉପହାରଟିର କଥା , ଯେଉଁଥିରେ ସେ ନିଜକୁ ସଜାଇଥିଲା କୋର୍ଟ ସୁଟ୍ ଟାଇ ପିନ୍ଧା ବାବୁ ଭଳି ।ବଡହେଲେ ସେ ହାକିମ ହେବ ଓ ମୋ ସହରରେ ଯାଇ ଚାକିରି କରିବ ବୋଲି ବୁଝାଇ ଦେଇଥିଲା ଠାରରେ । ସତରେ କଣ ବର୍ଜୁ ସାକାର କରିଥିବ ସ୍ବପ୍ନ ତାର !!

********* ************ *********

ବିଦ୍ଯାଳୟରେ ସରିଯାଇଥାଏ ବାର୍ଷିକ ପରୀକ୍ଷା । ଖାତା ସବୁ ମୂଲ୍ଯାୟନ ପରେ ପିତା ମାତା ଅଭିଭାବକଙ୍କ ସ୍ବାକ୍ଷର ନିମନ୍ତେ ଦିନ ଧାର୍ଯ୍ଯ କରାଯାଇଥାଏ । ଗହଳି ଭିତରେ ଆକାଶ ଆସି ଠିଆ ହେବା ପରେ ମୁଁ କାଢିଥିଲି ତାର ପରୀକ୍ଷା ଖାତା । ଲେଉଟାଇ ଦେଖି ଜାଣିଲି ସବୁ ବିଷୟରେ କମ୍ ମାର୍କ ରଖିଥିବା ବେଳେ ଚିତ୍ରାଙ୍କନରେ ରଖିଛି ସର୍ବାଧିକ ।ବୋଧହୁଏ ଶ୍ରେଣୀରେ ସର୍ବୋଚ୍ଚ । ଖାତାର ଦସ୍ତଖତ ସ୍ଥାନ ଦେଖାଇ ବାପାଙ୍କ ଦସ୍ତଖତ ଆଣିବା ପାଇଁ କହିଲି ।ପାଖରେ ଅନ୍ୟ ଅଭିଭାବକଙ୍କ ଭିଡ ଥିଲା । ଖଣ୍ଡେ ଦୂରରେ ବାପାଙ୍କ ଠାରୁ ଦସ୍ତଖତ କରାଇ ଖାତା ଫେରାଇଲା ଆକାଶ । ଖାତା ରଖିବା ଆଗରୁ ଯାଞ୍ଚ କରି ଦେଖିଲି ବାପାଙ୍କ ଦସ୍ତଖତରେ ନାଁ ଥିଲା ବର୍ଜୁ ଭତ୍ରା । ହଠାତ୍ ଚମକି ପଡ଼ିଲି ।ମନ ଭିତରେ ଅନେକ ଉଦ୍ଵେଗ, ପ୍ରଶ୍ନର ଲହଡି ।କଥାଟା ବୁଝିବାକୁ ତଥାପି ଯେମିତି ବିଳମ୍ବ ହେଲାନି ମୋର । ସ୍ଥାନରୁ ଉଠିପଡ଼ି ବଡପାଟିରେ ଡାକିଦେଲି , ବର୍ଜୁ ! ଅନ୍ଯମାନେ କହିଲେ, ସେ ବହେରା ଗୋ ଦିଦି । ନିଜର ଆବେଗକୁ ଚାପିରଖି କାଗଜ ଓ କଲମଟିଏ ଧରି ପହଂଚିଲି ସାମାନ୍ଯ ଦୂରରେ ଥିବା ବର୍ଜୁ ନିକଟରେ ।

ପୁଅ ଠାରୁ ନୂଆ ଦିଦି ବୋଲି ବୁଝି ବର୍ଜୁ ଠିଆ ହୋଇଥାଏ ନମସ୍କାରାତ୍ମକ ଭଙ୍ଗୀରେ । କାଗଜରେ ନିଜ ନାଁ ଲେଖି ମୁଁ ବୁଝାଇବାକୁ ଚେଷ୍ଟା କଲି ମୋର ପରିଚୟ ।ତା' ଆଖିର ଉଜ୍ଜ୍ଵଳତାରୁ ବୁଝିନେଲି ସେ ଚିହ୍ନି ପାରିଛି ମୋତେ । ଆନନ୍ଦାଶ୍ରୁରେ ଆଖି ତାର ଛଳଛଳ । ମୁଁ ବି ଭାବ ବିହ୍ବଳ । ନିର୍ଭେଜାଲ୍ ଭାବଟିଏ ଥିଲେ ତ ଭାବାବେଗର ଚେରଟିଏ ମାଡିଯାଏ ଛାଏଁ ଛାଏଁ , ନିଷ୍କପଟ ସମ୍ପର୍କଟିଏ ଗଢିଉଠେ ନିର୍ଦ୍ବନ୍ଦରେ, ନିଃସର୍ତ୍ତରେ ।

ପାହାଡୀ ମୂଲକର ବର୍ଜୁ ସ୍ବପ୍ନ ଦେଖିଥିଲା, ଚିତ୍ର ଆଙ୍କିଥିଲା , ମାତ୍ର ସ୍ବପ୍ନ ସବୁ ତାର ବତୁରିଯାଇଛି ସମ୍ବଳ ଆଉ ସୁଯୋଗର ଅଭାବରେ ।ହେଲେ ତା ଚିତ୍ରଟି ହୁଏତ ଆଜି ବି ସାଇତା ହୋଇ ରହିଥିବ ମୋର କେଉଁ ପୁରୁଣା ଫାଇଲ ଭିତରେ ।

ଏଇ ଖରାଛୁଟିରେ ଦିନେ ଶୁଭେନ୍ଦୁଙ୍କୁ ନେଇ ଯାଇଥିଲି ବର୍ଜୁ ଘରକୁ ।ଶୁଭେନ୍ଦୁ ଡାକ୍ତର ହେଲେ ବି ମାନବିକତା ଆଗରେ ସାମାଜିକ ଆଭିଜାତ୍ଯକୁ ଗୁରୁତ୍ୱ ଦିଅନ୍ତିନି କେବେ । ଆମକୁ ପଖରେ ପାଇ ବର୍ଜୁ ଓ ତାର ସ୍ତ୍ରୀର ଆନନ୍ଦର ସୀମା ନାହିଁ ।ଚଟେଇ ପାରିଦେଇ ଖଜୁରୀ, ତାଳ, ଜାମୁ ଏମିତି ଫଳମୂଳ କେତେ ଭେଟିଦେଲେ, ତା ସହିତ ବି ଭେଟିଦେଲେ ଅଜସ୍ର ଆନ୍ତରିକତା ।ଆକାଶର ଭବିଷ୍ୟତକୁ ନେଇ ଲୁହ ଗଡାଉଥିଲା ବର୍ଜୁର ସ୍ତ୍ରୀ । ତାକୁ ଆଶ୍ବାସନା ଦେବା ସହିତ ଆକାଶର ସୁନ୍ଦର ଭବିଷ୍ୟତ ଗଢିବାର ପ୍ରତିଶ୍ରୁତି ମଧ୍ଯ ଦେଇଥିଲି । ବର୍ଜୁର ସେଇ ସ୍ବପ୍ନ ଆକାଶ ପୂରଣ କରିବାକୁ ବଳିଷ୍ଠ ସୁଯୋଗ ଦେବାପାଇଁ ମୁଁ ମନେ ମନେ ପ୍ରତିଜ୍ଞାବଦ୍ଧ ହୋଇଥିଲି ସେହିଦିନ ।

ଆକାଶର ପ୍ରକୄଷ୍ଟ ଚିକିତ୍ସା ହୋଇସାରିବା ପରେ ଭୀମ ଭୋଇ ବଧୀର ବିଦ୍ଯାଳୟରେ ତାର ନାମ ଲେଖାଯିବା ସହିତ ଚିତ୍ରାଙ୍କନ ଶିକ୍ଷାର ବିଶେଷ ବ୍ଯବସ୍ଥା କରାଯାଇଛି ।ତାର ଭିନ୍ନ କ୍ଷମତାକୁ ପ୍ରତିପାଦନ କରିବାର ସୁଯୋଗ ଦେବା ସହ ଭାବପ୍ରକାଶର ଉନ୍ମୁକ୍ତ ପଥ ପ୍ରଦର୍ଶନ କରି ପାରିଲେ ହୁଏତ ବର୍ଜୁର ସ୍ବପ୍ନ ସାକାର ହେବ ।

"କା' ଓଠର ଚେନାଏ ହସରେ ଚହଟି ଯାଉ ମୋ ଜୀବନଫୁଲ

ସୁଖ ମୁଠାଏ ବିଞ୍ଚି କା' ପଥେ ଲେଖିବି ତୄପ୍ତିର ଚିର ସ୍ବାକ୍ଷର ।"

କବିତା ଧାଡିଏ ଲେଖିବା ବେଳକୁ ବାଜି ଉଠିଲା କଲିଂବେଲ୍ ।ଶୁଭେନ୍ଦୁ ଓ ଆକାଶ ଆସିଗଲେ ବୋଧହୁଏ ।

* ସୁଚିତ୍ରା ରଥ , ପୁରୀ

ଆକାଶ ବର୍ଜୁ ଦିଦି

Rate the content


Originality
Flow
Language
Cover design

Comments

Post

Some text some message..