Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କଠୋର ନିଷ୍ପତ୍ତି
କଠୋର ନିଷ୍ପତ୍ତି
★★★★★

© Prasant Kumar Senapati

Inspirational

3 Minutes   7.2K    12


Content Ranking

 ସକାଳୁ ସକାଳୁ ଜଗନ୍ନାଥ ମହାପାତ୍ର ବାବୁ ଚିନ୍ତିତ ଅବସ୍ଥାରେ ଲନ୍ ରେ ଟହଲୁ ଥାନ୍ତି । ପତ୍ନିର ମୃତ୍ୟୁ ପରେ ସମସ୍ତ କାରବାର ପୁଅ ଅମ୍ଳାନକୁ ହାତକୁ ଟେକି ଦେଇ ନିଜର ଜୀବନ ଛୋଟ ଛୋଟ କାର୍ଯ୍ୟରେ ଓ ନାତି ନାତୁଣିଙ୍କ ସହିତ ହସି ଖେଳି କାଟିବାକୁ ଚାହୁଁଥିଲେ । କିନ୍ତୁ ଯେବେ ଠାରୁ ଡାକ୍ତର କହିଲେ ତୁମେ ଏକ ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇଛ , ସେବେ ଠାରୁ ପୁଅ ବୋହୁଙ୍କ ବ୍ୟବହାର ବଦଳି ଗଲା ।

ଡାକ୍ତର ଏକଥା ମଧ୍ୟ କହିଥିଲେ ଯେ - ଏପରି ରୋଗର ଚିକିତ୍ସା ନିଶ୍ଚିତ ହୋଇ ପାରିବ, କିନ୍ତୁ ଛୁଆଁ ଅଛୁଆଁ ଭେଦଭାବ ନାହିଁ । ତେଣୁ ଆପଣମାନେ ବିଶେଷ ଧ୍ୟାନ ଦେବେ । ଡାକ୍ତରଙ୍କ ପରାମର୍ଶ ସତ୍ତ୍ବେ ବି ପୁଅ ବୋହୁ କୂଳ କିନାରା କରିଦେଲେ, ନାତି ନାତୁଣିଙ୍କୁ ମଧ୍ୟ ତାଙ୍କ ନିକଟକୁ ଆସିବାକୁ ଦିଆଗଲା ନାହିଁ । ଖାଦ୍ୟ ବି ଚାକରଙ୍କ ହାତରେ ଜଗନ୍ନାଥ ବାବୁଙ୍କ କୋଠରୀକୁ ପଠାଇ ଦିଆଗଲା । ସେଦିନ ଠାରୁ ନିଜ ପରିଶ୍ରମ ବଳ ଦ୍ବାରା ଠିଆ କରିଥିବା ସାମ୍ରାଜ୍ୟ - ବଙ୍ଗଳା, ଗାଡି, ଚାକର ନୌକର, ବ୍ୟାଙ୍କ୍ ବାଲାନ୍ସ ଆଦି ସବୁ ବ୍ୟର୍ଥ ମନେ ହେଲା ।

ଲନ୍ ରେ ଚାଲୁ ଚାଲୁ ପୁଅ-ବୋହୁଙ୍କ କୋଠରୀ'ର ଝରକା ନିକଟରେ ପହଞ୍ଚିବା ମାତ୍ରେ ଭିତରୁ ଅଷ୍ପଷ୍ଟ ଶବ୍ଦମାନ ଭାସି ଆସୁଥାଏ । ଜଗନ୍ନାଥ ବାବୁ ଶବ୍ଦ ଶୁଣିବା ମାତ୍ରେ ନୀରବରେ ଆଡ ହୋଇ ଠିଆ ହୋଇଗଲେ,,,ଅସ୍ପଷ୍ଟ ଶବ୍ଦର କଥାବାର୍ତ୍ତାରେ "ବାପା" ଶବ୍ଦଟି ସେ ଶୁଣି ପାରୁଥାନ୍ତି । ବୋହୁ କହୁଥିଲା-:

"ଦେଖ, ବାପାଙ୍କ ରୋଗ ଛୁଆଁ ହେଉ କି ଅଛୁଆଁ ହେଉ,,,କିନ୍ତୁ ମୋ ପରିବାରର ସ୍ବାସ୍ଥ୍ୟ ମାମଲାରେ ମୁଁ କୌଣସି ପ୍ରକାରର ରିସ୍କ ନେଇ ପାରିବିନି । ତୁମେ ବାପାଙ୍କୁ ସହରର ଜଣାଶୁଣା କୌଣସି ଏକ ଭଲ ବୃଦ୍ଧାଶ୍ରମରେ ଭର୍ତ୍ତି କରିଦିଅ । ଟଙ୍କା ପଇସାର କିଛି ଅଭାବ ନାହିଁ, ଯେତେ ସୁଖ ସ୍ବାଛନ୍ଦ୍ୟରେ ରହିଲେ ବି ଆମେ ସମସ୍ତ ଖର୍ଚ୍ଚ ବହନ କରିବା ଓ ଆମେ ବି ମାସରେ ଥରୁଟେ ଦେଖା କରି ଆସିବା ।"

"ତୁମେ ଠିକ୍ କହୁଛ, ଆଜି ମୁଁ ବାପାଙ୍କ ସହିତ କଥା ହେବି ।"

ଜଗନ୍ନାଥ ମହାପାତ୍ରଙ୍କ କାନ ଅଧିକ କିଛି ଶୁଣିବା ପାଇଁ ଅନୁମତି ଦେଲା ନାହିଁ । ପାଦ ତାଙ୍କର ଶିଥିଳ ପଡିଗଲା ଓ ସେ ନିଜ କୋଠରୀକୁ ଫେରି ପରାସ୍ତ ସୈନିକ ପରି ବିଛଣାରେ ଲୋଟି ପଡିଲେ । ସାରା ଜୀବନ ସୁଖ ଦୁଖଃ ଭୁଲି ଘର ପରିବାର ପାଇଁ ଯେଉଁ କର୍ତ୍ତବ୍ୟ କରିଥିଲେ, ତାର ହିସାବ କିତାବ କରୁଥାନ୍ତି । ବୋଧେ ତାଙ୍କ ଲାଳନ ପାଳନରେ କେଉଁଠି ଭୁଲ୍ ରହି ଯାଇଛି ।

ରାତ୍ରି ଭୋଜନ ପରେ ପୁଅ ଅମ୍ଳାନ ଯେତେବେଳେ ମୁହଁ ତଳକୁ ହାଣି ତାଙ୍କ କୋଠରୀରେ ପ୍ରବେଶ କଲା, ସେ ଦୃଢ ନିଶ୍ଚୟର ସହିତ ନିଜର ଏକ ନୂଆ ଜୀବନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇ ସାରିଥାନ୍ତି ।

ପୁଅକୁ ଦେଖି ବିସ୍ମୟ ସୁଚକ ଚାହାଣୀରେ ଅଭିନୟ କରି କହିଲେ-

"ଭିତରକୁ ଆ ବାବା, ଆଜି କେମିତି କଣ ଏଠାକୁ ଚାଲି ଆସିଲୁ ? କିଛି ଗୋଟେ ଦୁବିଧାରେ ପଡିବା ପରି ଲାଗୁଛି, କଣ ହୋଇଛି ?"

"ବାପା, ମୁଁ ଆପଣଙ୍କୁ କିଛି କହିବା ପାଇଁ ଚାହୁଁଛି, ବାପାଙ୍କ ଆଖାରେ ଆଖି ମିଶାଇ କହିବାର ଶକ୍ତି ନଥିଲା, ତେଣୁ କରି ଅମ୍ଳାନ ଧୀର ସ୍ବରରେ କହିଲା ।"

"ମୁଁ ବି ତୁମକୁ କିଛି କହିଥାନ୍ତି ବାବା, ତୁମକୁ ମୁଁ ଡକାଇ ଥାନ୍ତି, ଯାହା ହେଉ ତୁମେ ନିଜେ ଚାଲି ଆସିଲ,,,,ମନରେ ସଂଶୟ ନରଖି ନିଜ ହୃଦୟର କଥା କହିଦିଅ ।"

"ବାପା, ପ୍ରଥମେ ଆପଣ ଆପଣଙ୍କ କଥା କହି ଦିଅନ୍ତୁ, ସମୀପରେ ପଡିଥିବା ଏକ କାଠର ଚୌକି ଉପରେ ବସିବା ପରେ ଅମ୍ଳାନ ବାପାଙ୍କୁ ଅନୁରୋଧ କରିଥିଲା ।"

"କଥା କଣ କି ବାବା, ଡାକ୍ତର ଯେବେ ଠାରୁ ମୋର ରୋଗ ଭୟଙ୍କର ବୋଲି କହିଲେ, ସେବେଠୁଁ ମୁଁ ଚାହୁଁଛି କି ମୋର ବାକିତକ ଜୀବନ ମୋ ପରି ଅସହାୟ, ବେସାହାରା ଓ ଅକ୍ଷମ ବୟସ୍କ ମାନଙ୍କ ସହ ବ୍ୟଥିତ କରିବା ପାଇଁ- ଏତିକି କହୁ କହୁ ଜଗନ୍ନାଥ ମହାପାତ୍ରଙ୍କ ଆଖିରୁ ଦୁଇ ଧାର ଲୁହ ଝରିଗଲା ।"

"ସ୍ବୟଂ ବାପାଙ୍କ ମୁହଁରୁ ନିଜ ମନର କଥା ଶୁଣିବା ପରେ ଅମ୍ଲାନ ଭିତରେ ଭିତରେ ବହୁତ ଖୁସି ହେଉଥାଏ, ବାପା ସ୍ବୟଂ ତାର ମନର ସଂଶୟକୁ ଦୂର କରି ତାକୁ ଅପରାଧ ମୁକ୍ତ କରିଦେଲେ । କିନ୍ତୁ ଉପୁର ଠାଉରିଆ ମନ ନେଇ ଅମ୍ଳାନ ବାପାଙ୍କୁ କହିଲା -:

"ଇଏ ଆପଣ କଣ କହୁଛନ୍ତି ବାପା, ଆପଣଙ୍କୁ ଏଠାରେ ରହିବା ପାଇଁ କିଛି ଅସୁବିଧା ହେଉଛି କି ?"

"ନାଁ ବାବା, ମୁଁ ଏଠାରେ ରହିଲେ ମୋର କିଛି ଅସୁବିଧା ନାହିଁ, କିନ୍ତୁ ଏକଥା କହିବା ପାଇଁ କଷ୍ଟ ହେଉଛି ଯେ - ତୁମେ ତୁମର ରହିବା ବ୍ୟବସ୍ଥା ଅନ୍ୟତ୍ର ଯୋଗାଡ କରିନିଅ । ମୁଁ ଏହି ବଙ୍ଗଳାକୁ "ବୃଦ୍ଧାଶ୍ରମ" ରୁପରେ ପରିବର୍ତ୍ତିତ କରି ଅନେକ ଅସହାୟ, ବେସାହାରା ବୃଦ୍ଧଙ୍କ ସାହାରା ଦେବା ପାଇଁ ନିର୍ଣ୍ଣୟ ନେଇଛି। ମୁଁ ବି ମୋ ଜୀବନର ପିଲାଦିନ ସ୍ମୃତି, ବୈବାହିକ ସ୍ମୃତି ଓ ସାଂସାରିକ ସ୍ମୃତି ସହ ସବୁଦିନ ପାଇଁ ବାନ୍ଧି ହୋଇ ନିଜର ବଳକା ଜୀବନ କାଟିଦେବି ......ହଁ, ତୁମେ ବି କିଛି କହିବା ପାଇଁ ଚାହୁଁଥିଲ ?"

"କୋଠରୀରେ ସମ୍ପୁର୍ଣ୍ଣ ନୀରବତା ଖେଳିଗଲା, ବିଳମ୍ବରେ ହେଉ ପଛେ ନୂତନ ଏକ ପରିକଳ୍ପନାରେ ଜଗନ୍ନାଥ ମହାପାତ୍ର ସଂସାରର ଶିକ୍ଷିତ ରୁପି ଅଶିକ୍ଷିତ ସନ୍ତାନ ମାନଙ୍କୁ ଶିକ୍ଷା ଦେବା ପାଇଁ କଠୋର ନିଷ୍ପତ୍ତିରେ ନେଇ ସାରିଥିଲେ ।"

ସମାଜର ଦର୍ପଣ

--: ପ୍ରଶାନ୍ତ ସେନାପତି-:

କଠୋର ନିଷ୍ପତ୍ତି ବିସ୍ମୟ ବାପା

Rate the content


Originality
Flow
Language
Cover design

Comments

Post

Some text some message..