Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Lopamudra Mishra

Others

3  

Lopamudra Mishra

Others

ମୁକ୍ତିର ଏପାଖ - ସେପାଖ

ମୁକ୍ତିର ଏପାଖ - ସେପାଖ

3 mins
604


ମୁକ୍ତିର ଏପାଖ - ସେପାଖ

ଲୋପାମୁଦ୍ରା ମିଶ୍ର

ମୁକ୍ତ ହାୱାରେ ବସି ମୁକ୍ତ ବ୍ୟକ୍ତିଟିଏ ମେଘ ମୁକ୍ତ ଆକାଶକୁ ଦିଗବଳୟର ଆର ପଟେ ମିଶିଯାଉଥିବା ଦେଖୁଥିଲା l ଅସ୍ତଗାମୀ ସୂର୍ଯ୍ୟଙ୍କ ଲାଲ କିରଣ ତାଙ୍କ ମୁକ୍ତ ଦେଶର ମାଟି ରେ ଅଜାଡ଼ି ପଡ଼ି ସେଠାରେ ରକ୍ତିମ ଆଭା ସୃଷ୍ଟି କରୁଥିଲା l ଠିକ ସେତିକି ବେଳେ ପରାଧିନତାର ବେଡୀ ଝମ୍ ଝମ୍ ଶବ୍ଦ ଶୁଭାଗଲା l କେହିଜଣେ ଆସୁଛି l ମୁକ୍ତିର ବିପରୀତ ଦିଗରୁ କାହାର ଆଗମନ ?

ମୁକ୍ତ ମାନବ ଦେଖିଲା ବେଡୀ ପିନ୍ଧା ମଣିଷ ଟି ନାରୀ ଆଉ ତାର ଶରୀରରୁ ଗୋଟେ ଡୋର ଟାଣି ହେଇଯାଇଛି ଜଣେ ପୁରୁଷର ହାତକୁ l ପୁରୁଷଟି ଡୋର କୁ ଶକ୍ତ କରି ଧରିଛି l ମୁକ୍ତ ମାନବ ସ୍ତ୍ରୀ ଟିକୁ ଲକ୍ଷ କରି ପଚାରିଲା, "ତୁମ ନାଁ କଣ? " l

ନାରୀ ନିରୁତ୍ତର l

ମୁକ୍ତ ମାନବ ପ୍ରଶ୍ନ ଟି ଦୋହରେଇବାରୁ ଡୋର ଧରିଥିବା ପୁରୁଷଟି ଏଥର ମୁହଁ ଖୋଲିଲା, "ସେ କିଛି କହିପାରିବନି l ତା ନାଁ ପତ୍ନୀ ମୋ ନାଁ ସ୍ୱାମୀ (ପତି) l ତୁମ ନାଁ କଣ ?

--ମୁଁ ତ ମଣିଷ l କିନ୍ତୁ ସେ କାହିଁକି କଥା କହିପାରିବେନି ? ସେ କଣ ମୁକ ?

--ନାଁ ନାଁ ସେ କହିପାରେ କିନ୍ତୁ ତାର କଥା କହିବା ଦରକାର ନାହିଁ l ସେ ସ୍ତ୍ରୀ ଟେ l ଆମ ସେପାଖେ ସ୍ତ୍ରୀ କହେନାହିଁ କିଛି l ସେ ଚୁପ ରହେ l

--ତୁମେମାନେ କୁଆଡ଼େ ଆସିଛ ?

--ଆମେ ମୁକ୍ତି ରାଜ୍ୟ ଦେଖିବାକୁ ଆସିଛୁ l ଦେଖିହେବ?

--ହଁ ଦେଖ l ଏଠି ସବୁ ମୁକ୍ତ l

ସ୍ୱାମୀ ତା ସ୍ତ୍ରୀ କୁ ଧରି ମୁକ୍ତରାଜ୍ୟ ବୁଲିଲା l ସତରେ ମୁକ୍ତିର ଏପାଖଟା ଥିଲା ବହୁତ ସୁନ୍ଦର l ଏଠି କେହି ସ୍ୱାମୀ ନଥିଲେ l ସମସ୍ତେ ମଣିଷ l ସ୍ୱାମୀଟିର ମନକୁ ଅନେକ ପ୍ରଶ୍ନ ଆସୁଥିଲା ସେ ବୁଲି ବୁଲି ଆସି ମୁକ୍ତ ମାନବ କୁ ପଚାରିଲା, "ତୁମ ପଟେ ନାରୀମାନେ ଚୁଡ଼ି ପିନ୍ଧନ୍ତିନି, ମଥାରେ ସିନ୍ଦୁର ବି ନାହିଁ l କେହି କଣ ବିବାହିତା ନୁହଁନ୍ତି? "

--ଏଠି ବିବାହିତା ଅଛନ୍ତି, ଅବିବାହିତା ବି ଅଛନ୍ତି l

--ବିବାହିତାମାନଙ୍କ ହାତରେ ଚୁଡ଼ି ନାହିଁ l ତୁମର ଏଠି କି ପ୍ରକାର ନିୟମ ?

--ଏଠି ସେମିତି କିଛି ନିୟମ ନାହିଁ l ଆମେ କାହାକୁ କିଛି ପିନ୍ଧିବା ନପିନ୍ଧିବା ପାଇଁ ବାଧ୍ୟ କରୁନା l ଯିଏ ବୁଝିପାରେ ସେ ଏସବୁ ଚିହ୍ନ କିଛି ରଖେନି ଆମେ ଖୁସି ହେଉ, ଆଉ ଯିଏ ନୂଆ ଆସିଥାଏ ସେ ବୁଝିନଥାଏ ପିନ୍ଧେ ତାକୁ ବି ଆମେ ବାରଣ କୁରୁନା l ଆଉ କିଛି ସୁନ୍ଦର ଦିଶିବା ପାଇଁ ପିନ୍ଧନ୍ତି ସେଥିରେ ବି ଆମର ହସ୍ତକ୍ଷେପ କରିବା ଆମେ ଉଚିତ ମଣୁନା l ଏଠି ସଭିଙ୍କର ନିଜସ୍ୱ ପସନ୍ଦ ନାପସନ୍ଦ ଅଛି l

--ଆଚ୍ଛା ! ଆଉ ଏଠି ଯେଉଁ ନାରୀମାନେ ରାତିରେ ବୁଲନ୍ତି, ସେମାନଙ୍କୁ କାହିଁକି ଅଟକାଇ ରଖନାହିଁ ? ଯଦି ସେମାନଙ୍କର କିଛି କ୍ଷତି ହେବ?

--କିଏ କ୍ଷତି କରିବ ? ସେମାନଙ୍କର ରାତିରେ କାମ ଥିଲେ ସେମାନେ ବାହାରକୁ ଯାଆନ୍ତି l କାମ ନଥିଲେ ଘରେ ବିଶ୍ରାମ ନିଅନ୍ତି l ସେମାନେ ମଣିଷ, ଘରର କିଛି ଦାମୀ ସାମଗ୍ରୀ ନୁହଁନ୍ତି ଯେ ନିରୋଳାରେ ପାଇଲେ ଆଉ କେହି ଅକ୍ତିଆର କରିନେବ l

ମୁକ୍ତ ମାନବର କଥା ସ୍ୱାମୀକୁ ଭଲ ଲାଗୁଥିଲା l ସେ ତା ସ୍ତ୍ରୀର ଡୋର ଛାଡ଼ି ଦେଉଥିଲା, କିନ୍ତୁ ସ୍ତ୍ରୀଟି ପାଦେ ବି ଆଗକୁ ନବଢ଼ି ସେମିତି ସେଇଠି ମୁହଁ ତଳକୁ କରି ଠିଆ ହେଇଥିଲା ଯେମିତି ପୋଷା ଗାଈର ଦଉଡ଼ି ଖୋଲିଦେଲା ପରେ ବି ସେ ଗୁହାଳ ଛାଡ଼ି ଯାଇପାରେ ନାହିଁ l

"ତୁମେ ଯାଅ l ଦେଖ ବାହାରକୁ l ଓଢଣୀ ଉଠେଇ ମୁକ୍ତ ହାୱା କୁ ଅନୁଭବ କର l ",ସ୍ୱାମୀ କହୁଥିଲା l ସ୍ତ୍ରୀ କିନ୍ତୁ ତଥାପି ମୁହଁ ଉଠେଇ ପାରୁନଥିଲା l

ମୁକ୍ତ ମାନବ ବୁଝେଇ କହିଲା, "ପଞ୍ଜୁରୀ ରେ ରହିବା ତାଙ୍କର ଅଭ୍ୟାସ ହେଇଯାଇଛି l ତୁମେ ଛାଡ଼ିଲେ ବି ସେ ଯିବେନି l ତାଙ୍କୁ ବୁଝିବାକୁ ହେବ l ବୁଝିବାକୁ ହେବ ସେ ଜଣେ ମଣିଷ l ମୁକ୍ତ ମଣିଷ l ସେବେ ଆଉ ତୁମେ ଖୋଲିବନି l ସେ ନିଜେ ଛିଣ୍ଡେଇ ଦୌଡ଼ିବେ "l

ସ୍ତ୍ରୀଟି ଶୁଣୁଥିଲା l ଦେଖୁଥିଲା l କିଛି ବୁଝୁଥିଲା l ମୁକ୍ତିର ଏପାଖ ଆଉ ସେପାଖ ଭିତରର ପାର୍ଥକ୍ୟ କୁ ହାତରେ ଛୁଇଁ ପରଖୁଥିଲା l ମୁକ୍ତିର ହାୱାକୁ ପିଉଥିଲା l ମୁକ୍ତ ମଣିଷମାନଙ୍କୁ ଦେଖି ନିଜର ନାଁ ଟା କଣ ଥିଲା ମନେ ପକାଉଥିଲା l ତଥାପି ସେ ଭୟକରୁଥିଲା ମନେ ପକେଇବାକୁ କାରଣ ମୁକ୍ତିର ସେପାଖେ ତା ମନର ମାଲିକ ବି ସେ ନିଜେ ନୁହେଁ l ନପଚାରି ମନେ ପକେଇବା ଉଚିତ ହେବକି ନାହିଁ ଭାବୁ ଭାବୁ ତା ମସ୍ତିସ୍କର ଦ୍ୱାର ଆସ୍ତେ ଆସ୍ତେ ଖୋଲିବା ଆରମ୍ଭ କରୁଥିଲା l

******

ଲୋପାମୁଦ୍ରା ମିଶ୍ର


Rate this content
Log in