ସ୍ମୃତିରୁ ଖିଏ
ସ୍ମୃତିରୁ ଖିଏ
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଅଧ୍ୟୟନ କରିବା ପରେ ମୁଁ ଜାଣିପାରିଲି ଶ୍ରୀମା ଓ ଶ୍ରୀ ଅରବିନ୍ଦଙ୍କ ଭଳି ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ବିଷୟରେ । ଗୋଟିଏ ଗାଁ ସ୍କୁଲରୁ ସ୍ଥାନାନ୍ତରିତ ହୋଇ ଆସି ସମ୍ବଲପୁର ଭଳି ଏକ ସହରରେ ପଢିଲା ବେଳେ ମୋତେ ଏମିତି ବି ଟିକେ ଅଡୁଆ ଲାଗୁଥାଏ । ଯେତେଜଣ ସାଙ୍ଗମାନଙ୍କ ସଂସ୍ପର୍ଶରେ ଆସିଲି, ତାଙ୍କ ଆଗରେ ନିଜକୁ ଦେଖି ଟିକେ କମ ପାଇଲି ;ସେ ପିନ୍ଧାପିନ୍ଧି ରେ ହଉ କି କଥାବାର୍ତ୍ତାରେ ।
କିନ୍ତୁ ଗୋଟିଏ ନୂଆ କଥା ଦେଖି ବହୁତ ଆଶ୍ଚର୍ଯ୍ୟ ହେଲି । ବିଦ୍ୟାଳୟରେ ପ୍ରତ୍ୟେକ ଦିନ ପ୍ରାର୍ଥନା କରି ଆସିଲାପରେ ଶ୍ରେଣୀ ଶିକ୍ଷୟତ୍ରୀ ପ୍ରଥମ ପିରିୟଡ଼ରେ କିଛି ପାଠପଢା ଆରମ୍ଭ କରିବା ପୂର୍ବରୁ ଗୋଟିଏ ମିନିଟ ପାଇଁ ଧ୍ୟାନ କରିବାକୁ କହୁଥିଲେ । ମୁଁ ଭାବେ, "ଏଇ ଟେବୁଲ ଚେୟାର ଉପରେ ବସି ପୁଣି ଧ୍ୟାନ କେମିତି କରାଯାଏ? " ଶିକ୍ଷୟତ୍ରୀଙ୍କ ନିର୍ଦ୍ଦେଶରେ ସମସ୍ତେ ନିଜ ନିଜ ସ୍ଥାନରେ ବସି ଆଖି ବନ୍ଦ କରି ଧ୍ୟାନ କରିବାରେ ଲାଗିଲେ । ମୋତେ କିନ୍ତୁ ସେସବୁ ଜଣା ନ ଥାଏ । ମୁଁ ପ୍ରଥମେ ମୋ ପାଖରେ ବସିଥିବା ସାଙ୍ଗକୁ ତାପରେ ଅନ୍ୟ ସମସ୍ତଙ୍କୁ ଅନେଇଲି । ସମସ୍ତେ ଧ୍ୟାନମୁଦ୍ରାରେ ନିରବରେ ବସିଥାନ୍ତି । ମୁଁ ମଧ୍ୟ ସେମିତି ଆଖି ବନ୍ଦ କରି ବସିଲି । କିଛି ସମୟ ପରେ ଆଖି ଖୋଲିବାକୁ କୁହାଗଲା ଏବଂ ଚିରାଚରିତ ଭାବରେ ପାଠପଢା ଆରମ୍ଭ ହେଲା ।
ସେଇ ଏକ ମିନିଟର ଧ୍ୟାନ ରେ କଣ ଲାଭ ଥିଲା? ଏହା ଜାଣିବାକୁ ଘରେ ଆସି ବାପା ମା ଙ୍କୁ ପଚାରିଲି ହେଲେ ସେମାନେ ମୋତେ କିଛି ସନ୍ତୋଷଜନକ ଉତ୍ତର ଦେଇପାରିଲେ ନି । ତା ପରଦିନ ପୁଣି ସେଇ ଘଟଣା । ପ୍ରଥମେ ପ୍ରଥମେ ମୋତେ ହସ ମାଡ଼ୁଥାଏ, ଇଏ ଗୋଟିଏ କଣ? କିନ୍ତୁ ପରେ ଧୀରେ ଧୀରେ ମୁଁ ଏହାର ସୁଫଳ ଉପଲବ୍ଧି କରିପାରିଲି । ପିଲାଙ୍କର ଚପଳମତି, ଅଶାନ୍ତ ମନକୁ ଶାନ୍ତ କରିବା ପାଇଁ ଏହି ଅଳ୍ପ ସମୟର ଧ୍ୟାନଭ୍ୟାସ ବିଦ୍ୟାଳୟର ନିତିଦିନିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଥିଲା ।
ପ୍ରତି ସପ୍ତାହରେ ଗୋଟିଏ ଦିନ 'ପାଠ୍ୟଚକ୍ର ' ବୋଲି ଗୋଟିଏ ସ୍ୱତନ୍ତ୍ର ପିରିୟଡ଼ ଆମର ବିଦ୍ୟାଳୟ ରେ ରୁଟିନ ଭିତରେ ଆସୁଥିଲା । ସେଦିନ ସମସ୍ତେ ନିଜ ଶ୍ରେଣୀଗୃହରୁ ବାହାରି ଧ୍ୟାନପାଇଁ ଉଦ୍ଧିଷ୍ଟ ଏକ ପ୍ରଶସ୍ତ କକ୍ଷରେ ଏକତ୍ରିତ ହଉଥିଲୁ । ସେଠି ଶ୍ରୀମା ଓ ଅରବିନ୍ଦଙ୍କ ଚିତ୍ର ଦୁଇଟି ବଡ ବଡ଼ ଫ୍ରେମରେ ବନ୍ଧାହୋଇ ପୂଜା ପାଉଥିଲା । କି ଆକର୍ଷଣୀୟ ସେ ଫୋଟୋ ! ସତେକି କଥାକୁହା । ଉକ୍ତ କକ୍ଷରେ ଶ୍ରୀମା ଓ ଶ୍ରୀ ଅରବିନ୍ଦ ଙ୍କ ସମାଧି ଅତ୍ୟନ୍ତ ମନୋରମ ଭାବରେ ବିଭିନ୍ନ ଫୁଲରେ ସଜା ହୋଇଥାଏ । ଧୂପକାଠି ର ସୁଗନ୍ଧ ଓ ସେଇ ଶାନ୍ତିମୟ ପରିବେଶରେ ଏକ ଆଲୌକିକ ବାତାବରଣ ସୃଷ୍ଟି ହେଉଥିଲା । ଇଛା ହୁଏ ସେଠି ଧ୍ୟାନମଗ୍ନ ହୋଇ ବସିବାକୁ କିନ୍ତୁ ଆମେ କେବଳ ଦର୍ଶନ କରି ସମାଧି ପାଖରେ ପ୍ରଣାମ କରୁ ଓ ଆଶୀର୍ବାଦ ସ୍ୱରୂପ କିଛି ଭସ୍ମ ନେଇ ଶ୍ରେଣୀ କୁ ପ୍ରତ୍ୟାବର୍ତ୍ତନ କରୁ ।
ସମୟକ୍ରମେ ଶ୍ରୀମାଙ୍କ ଜନ୍ମ, ତାଙ୍କ ଜୀବନ କାହାଣୀ, ଭାରତ କୁ ଆସି ଅରବିନ୍ଦଙ୍କ ଠାରୁ ତାଙ୍କର ଶିକ୍ଷାଗ୍ରହଣ ବିଷୟରେ ଜାଣିବାକୁ ପାଇଲି ।ସେତେବେଳେ ଶୁଣିବାକୁ ଇଛା ହୁଏନି ବାଲ୍ୟସୁଲଭ ଗୁଣ ଯୋଗୁଁ ହେଲେ ସ୍କୁଲ ଛାଡିବା ପରେ ବହୁତ ମନେପଡେ ସେସବୁ ବିଷୟ ବିଶେଷ କରି ସେଇ ପ୍ରଶସ୍ତ ଧ୍ୟାନକକ୍ଷ ଟି । ସେଇଠି ମାତ୍ର ତିନି ବର୍ଷ ଅଧ୍ୟୟନ କରିବାର ସୁଯୋଗ ପାଇଥିଲି ହେଲେ ସେହି ସ୍ମୃତିଗୁଡିକ ଏବେଯାଏଁ ମୋ ମନରେ ସଜ ସ୍ତବକ ଭଳି ସତେଜ ହୋଇରହିଛି ।
ଆଜି ଶ୍ରୀମାଙ୍କ ଜନ୍ମ ଦିନରେ ପୁରୁଣା ଦିନଗୁଡ଼ିକ ମନେପକେଇ ପରମାତ୍ମା ଙ୍କୁ ବହୁତ ଧନ୍ୟବାଦ ଜଣାଉଛି, ମୋତେ ସେଇ ବିଦ୍ୟାଳୟରେ ପଢିବାକୁ ସୁଯୋଗ ମିଳିଥିବାରୁ ।
ଶ୍ରୀମା କହୁଥିଲେ, "ତୁମେ ଯେତେବେଳେ ନିଜକୁ ସମ୍ପୂର୍ଣ୍ଣ ରୂପେ ପରମାତ୍ମା ଙ୍କ ନିକଟରେ ସମର୍ପଣ କରିବ, ସେଇ ମୁହୂର୍ତ୍ତରେ ତୁମ ଜୀବନରେ ସମସ୍ତ ସମସ୍ୟାର ର ଅନ୍ତ ଘଟିବ । "
ଫେବୃଆରୀ 21, ଶ୍ରୀମାଙ୍କ ଜନ୍ମଦିନକୁ ସ୍ମୃତିରେ ରଖି ଏହି ଲେଖାଟି ଜଗତଜନନୀ ଶ୍ରୀମା ଙ୍କୁ ଉତ୍ସର୍ଗ କରୁଛି ।
ଜନ୍ମଦିନ ର ଅନେକ ଶୁଭେଚ୍ଛା 'ଶ୍ରୀମା '
ଶୃତକୀର୍ତ୍ତି ତ୍ରିପାଠୀ