Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡିଆ ଗଳ୍ପ

Classics

2  

ଓଡିଆ ଗଳ୍ପ

Classics

କାନ୍ଦୁରୀ ବୁଢ଼ୀର ଶେଷ ହସ - ୨

କାନ୍ଦୁରୀ ବୁଢ଼ୀର ଶେଷ ହସ - ୨

5 mins
7.9K


ଡ଼ଃ ବିଭୁତି ପଟ୍ଟନାୟକ

ଗୋପରେ ବାଳୁତ କୃଷ୍ଣଙ୍କ ପରି ଷ୍ଟେଟ୍ ବ୍ୟାଙ୍କରେ ବଢ଼ିଥିଲା କାନ୍ଦୁରୀ ବୁଢ଼ୀ ନାମରେ ଜମା ହୋଇଥିବା ପାଞ୍ଚଲକ୍ଷ ଟଙ୍କା । ପୁଅ ସହିଦ ହେଲା ପରେ ସରକାର ଯେ ଏ ପାଞ୍ଚଲକ୍ଷ ଟଙ୍କ କ୍ଷତିପୂରଣ ବାବଦ ତା’ ମାଆଙ୍କ ନାମରେ ଷ୍ଟେଟ୍ ବ୍ୟାଙ୍କରେ ଜମା କରିଛନ୍ତି, ସେ କଥା କାନ୍ଦୁରୀ ବୁଢ଼ୀ ମାନିବା ପାଇଁ ପ୍ରସ୍ତୁତ ନ ଥିଲା । ମିଲିଟାରୀରେ ସୈନିକ ଭାବରେ ଯୋଗ ଦେଲା ପରେ ପୁଅ ଅକ୍ଷୟ କୁମାର ହିଁ ବୁଢ଼ୀମାଆ ନାମରେ ଷ୍ଟେଟ୍ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲା । ପ୍ରତିମାସରେ ଦରମା ପାଇଲେ ଏହି ଆକାଉଣ୍ଟରେ ଦୂର ଯୁଦ୍ଧଭୂମିରୁ ଟଙ୍କା ଚେକ୍ ଆକାରରେ ଜମା କରି ଦେଉଥିଲା, ତା’ ପୁଅ ମରି ନାହିଁ- ପାଞ୍ଚଲକ୍ଷ ଟଙ୍କା ତା’ ଆକାଉଣ୍ଟରେ ଜମା କରିଛି ବୋଲି ବୁଢ଼ୀର ତିଳେମାତ୍ର ଅବିଶ୍ୱାସ ନ ଥିଲା ।

ପାଞ୍ଚଶହ, ହଜାରେ ଟଙ୍କା ବଦଳରେ ଅକ୍ଷୟ କୁମାର ଏକାଥରେ ଏଥର ପାଞ୍ଚଲକ୍ଷ ଟଙ୍କା ପଠାଇଛି କାହିଁକି ?

କେତେ ହଜାରରେ କେତେ ଶୁଣା ହେଲେ ପାଞ୍ଚଲକ୍ଷ ହୁଏ । ଏକଥା ଅକ୍ଷୟ ମାଆ ବୁଢ଼ୀକୁ ଜଣା ନାହିଁ । ପାଞ୍ଚ କୋଡ଼ି ମିଶିଲେ ଶହେ, ଦଶ ଶହ ମିଶିଲେ ଏକ ହଜାର ଟଙ୍କା ହୁଏ ବୋଲୁ ପୁଅ ତାକୁ ଶିଖାଇ ଦେଇଥିଲା । ନିଜ ନାଁ ବହୁ କଷ୍ଟରେ ଲେଖି ଶିଖିଥିଲା କାନ୍ଦୁରୀ ବୁଢ଼ୀ ।

ପାଞ୍ଚଲକ୍ଷ କେତେ କୋଡ଼ି, କେତେ ଶହ, କେତେ ହଜାର ସେ କଥା ତା’ ହେଜ ନ ଥିଲା । ସେ ପାଞ୍ଚଲକ୍ଷ ହାତଗୋଡ଼ ମେଲାଇ ମୂଳ ସହିତ ସୁଧ ମିଶି ମାସକୁ ମାସ ବଢ଼ିବାରେ ଲାଗିଥିଲା ।

ମଡ଼ା ପଡ଼ିଲେ ଯେମିତି ଶାଗୁଣା ଆଉ ଟିକି ଦାନାକୁ ପିମ୍ପୁଡ଼ି ଘେରନ୍ତି, କାନ୍ଦୁରୀ ବୁଢ଼ୀର ପାଞ୍ଚଲକ୍ଷ ଟଙ୍କା ଲୋଭରେ ସେମିତି ବୁଢ଼ୀର ଭାଇ ଗୋପବନ୍ଧୁ ତା’ ପୁଅ ମାଟ୍ରିକ୍ ଫେଲ୍ ମନୋରଞ୍ଜନକୁ ସାଙ୍ଗରେ ଧରି ପ୍ରଥମେ ମଧୁପୁର ଗାଆଁରେ ପହଞ୍ଚିଥିଲେ ।

ବୁଢ଼ୀକୁ ବୁଝାଇଥିଲେ- ଅପା । ଅକ୍ଷୟ ତ ଆମ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ଚାଲିଗଲା, ତୁ ଏ ଶୋକକୁ ସମ୍ଭାଳି ଏ ଘରେ ଏକା ରହିବୁ କେମିତି ? ମୋର ଚାରିପୁଅ- ଏ ସାନପୁଅ ମନୋରଞ୍ଜନକୁ ତତେ ଦେଇଦେଲି । ତାକୁ ପୋଷ୍ୟପୁତ୍ର ଭାବରେ ଗ୍ରହଣ କର, ତା’ ନାଆଁରେ ଜମିବାଡ଼ି, କବଲା କରିଦେ । ତୋ ହାତ ଥରିଲାଣି । ଚେକ୍ ବହିରେ ଠିକ୍ ଦସ୍ତଖତ କରିପାରିବୁ ନାହିଁ । ହସ୍ତାକ୍ଷରରେ ଅନେକ ହେଲେ ବ୍ୟାଙ୍କ୍ ଲୋକେ ଟଙ୍କା ଦେବେ ନାଇଁ । ତୁ ଏମିତି କଷ୍ଟ କରି ଶୀତରେ ବ୍ୟାଙ୍କକୁ ଯିବା ଦରକାର ନାହିଁ । ମନୋରଞ୍ଜନକୁ ତୋ ତରଫରୁ ଟଙ୍କା ଉଠାଇବାକୁ କ୍ଷମତା ପତ୍ର ଲେଖି ଦେବେ । ପୁଅ ତ ଗଲା, ପୋଷ୍ୟ ପୁଅ ପାଖରେ ଥିଲେ ତୋର କେଉଁ କଥାକୁ ଡର ନ ଥିବ ।

ବୁଢ଼ୀ କାନକୁ ଏବେ ଆଉ ଭଲ ଶୁଣାଯାଉ ନାହିଁ ।

ସେ କାନପାରି ସାନଭାଇର କଥା ଶୁଣୁଥିଲା । ପ୍ରଥମ ଥର ଶୁଣାଯାଇ ନଥିଲେ ବି ଶେଷଥର ପୁଅ ତ ଗଲା କଥାଟା କାନକୁ ଶୁଭିଗଲା । ସେ ଚିହିଁକି ଉଠି କହିଲା ପୁଅ ଯିବ କୁଆଡେ଼ । ତୋ ପୁଅକୁ ମୁଁ ପୋଷ୍ୟ କରିବି କାହିଁକି ? ତୋର ଏତେ ବହପ- ମୋ ସମ୍ପତ୍ତି ବାଡ଼ି ହାତେଇବା ପାଇଁ ପୁଅକୁ ଧରି ଆସିଛୁ । – ଉଠ୍-ପଳା-ନ ହେଲେ ଛାଞ୍ଚୁଣୀରେ ବାଡେ଼ଇ ତତେ ଘର ଛଡ଼ା କରିବି ।

ଗୋପବନ୍ଧୁ ଆଉ ମନୋରଞ୍ଜନ-ବାପପୁଅ ଦୁହେଁ ଛାଞ୍ଚୁଣୀମାଡ଼ ଖାଇବା ଭୟରେଅତର୍ଚ୍ଛାରେ ମଧୁପୁର ଗାଆଁ ଛାଡ଼ି ପଳାଇଥିଲେ ।

କଥାଟା ଚାରିଆଡେ଼ ପ୍ରଘଟ ହୋଇଗଲା ।

ବୁଢ଼ୀର ଭାଇ ବନ୍ଧୁମାନେ ତା’ର ଘରବାଡ଼ି, ବ୍ୟାଙ୍କରେ ଜମାଥିବା ପାଞ୍ଚଲକ୍ଷ ଟଙ୍କା ଶୁଣି ପାଟିରୁ ଲାଳ ଗଡ଼ିବାକୁ ଲାଗିଲେ, କିନ୍ତୁ ବୁଢ଼ୀ ସେମାନଙ୍କୁ ପାଖ ମଡ଼ାଇ ଦେଇ ନଥିଲା । କେବଳ ନିଧି ପଧାନଙ୍କ ଝିଅ ଲାବଣ୍ୟ ଥିଲା ଏହାର ଏକ ବ୍ୟତିକ୍ରମ । ତା’ ମୁହଁରୁ ସେ କେବେ ତା’ର ପୁଅ ଏ ଇହ ସଂସାରରେ ନାହିଁ ବୋଲି ଶୁଣି ନାହିଁ । ସେ ବୁଢ଼ୀର ସେବା ଯତ୍ନ କରେ । ଦିନ ସାରା ତା’ର ପାଖେ ପାଖେ ଥାଏ । ତାକୁ ରାନ୍ଧିବାଢ଼ି ଖୁଆଏ । ସଞ୍ଜ ହେଲେ ବାରିପଟ କିଆଗୋହିରି ବାଟେ ଘରକୁ ଫେରିଯାଏ । ରାତି ସାରା ଏକା ଥାଏ ଅକ୍ଷୟ ବୋଉ ବୁଢ଼ୀ । ରାତି ପାହିଲେ ଆରମ୍ଭ ହୁଏ ତା’ର ବୁକୁଫଟା କାନ୍ଦଣା ।

ଲାବଣ୍ୟ ପାଖରୁ ଅନ୍ତର ହେଲେ ବୁଢ଼ୀର ପୁଅ କଥା ମନେ ପଡ଼ିଯାଏ । କେଉଁଠୁ କେଜାଣି ତା’ର ମନେ ପଡ଼ିଯାଏ ପଠାଣ ଭୂତ କଥା । ହାଟରୁ ଫେରିବା ବାଟରେ ଅକ୍ଷୟର ବାପା ପଠାଣ ସାହି ବରଗଛ ମୂଳେ ଭେଟଣା ହୋଇ ମୂର୍ଚ୍ଛା ହୋଇଯାଇଥିଲା । ହାଟ ଫେରନ୍ତି ବାଟୋଇମାନେ ତାଙ୍କ ମୁହଁରେ ପାଣିଛିଞ୍ଚି ଚେତା ଫେରାଇ ଥିଲେ । କିନ୍ତୁ ଡାକ୍ତରଖାନାରେ ଡାକ୍ତର ହମିଦ୍ ମିଆଁଙ୍କ ଦାଢ଼ି, ଟୋପି ଦେଖି ଭୂତ-ଭୂତ ବୋଲି ବିଳିବିଳେଇ ଉଠି ସେ ଆଉ ଥରେ ଚେତା ହରାଇଥିଲେ । ଆଉ ତାଙ୍କର ଚେତା ଫେରି ନ ଥିଲା ।

କଲିକତାରେ ଅକ୍ଷୟ ବାପା ଚଟକଳରେ କାମ କରୁଥିବାବେଳେ ଦଙ୍ଗା ଲାଗି ଯାଇଥିଲା । ହିନ୍ଦୁ ମୁସଲମାନମାନଙ୍କ ଭିତରେ ସାମ୍ପ୍ରଦାୟିକ ଦଙ୍ଗା, ହାଣକାଟ । ଖିଦିରପୁର ମୁସଲମାନ ବସ୍ତିରେ ସେ ଘରଭଡ଼ା ନେଇ ରହୁଥିଲେ । ଦଙ୍ଗା ଲାଗିବା ଆଗରୁ ଯେଉଁ ମୁସଲମାନ ଚଟକଳ ଶ୍ରମିକମାନେ ତାଙ୍କର ଜିଗିରିଦୋସ୍ତ ଥିଲେ, ଦଙ୍ଗାବେଳେ ସେମାନଙ୍କ ହାତରେ ଲମ୍ୱା ଛୁରୀ, ଖଣ୍ଡା ଦେଖି ଭୟରେ ଲୁଚି ମଧୁପୁର ପଳାଇ ଆସିଥିଲେ ଅକ୍ଷୟର ବାପା । କିନ୍ତୁ ତାଙ୍କୁ ଖତମ କରିବା ପାଇଁ ଯେଉଁ ଦାଢ଼ିଆ ମୁସଲମାନ ଖଣ୍ଡା ଧରି ତାଙ୍କ ପଛେ ପଛେ ଗୋଡ଼ାଇଥିଲା, ତା’ର ହିଂସ୍ର ମୁହଁର ଭାବଭଙ୍ଗୀ ସେ କେଉଁଦିନ ଭୁଲିପାରି ନଥିଲେ, ମୁସଲମାନ ଦେଖିଲେ ସେ ଭୟରେ ଥରୁଥିଲେ । ତାଙ୍କୁ ମାରିବା ପାଇଁ ଖଣ୍ଡା ଧରି ଗୋଡ଼ାଇ ଥିବା ଦାଢ଼ିଆ ଲୋକ ହିଂସ୍ର ମୁହଁ ଦୃଶ୍ୟ ତାଙ୍କ ଆଖିରେ ନାଚି ଉଠୁଥିଲା । ଭୟରେ ପାଟି ଖନି ମାରିଯାଇଥିଲା । ତଣ୍ଟି ଶୁଖି ଆସୁଥିଲା ।

ସେ ଭୟର ଭୂତ ତାଙ୍କ ଅକାଳ ମୃତ୍ୟୁର କାରଣ ହୋଇଥିଲା ।

ବାପା ମଲାବେଳକୁ ପୁଅର ବୟସ ପାଞ୍ଚ ।

ବିଧବା ବୋଉ ତାକୁ ପାଠପଢ଼ାଇ ମଣିଷ କଲା । ତା’ ମୁହଁରୁ ଅକ୍ଷୟ ଶୁଣିଥିଲା କଲିକତା ଦଙ୍ଗାବେଳେ ଜଣେ ଦାଢ଼ିବାଲା ପଠାଣ ଲଢ଼କେ ଲେଙ୍ଗେ ପାକିସ୍ଥାନ ସ୍ଲୋଗାନ୍ ଦେଇ ତା’ ବାପାଙ୍କୁ ହାଣିବା ପାଇଁ ଖଣ୍ଡାଧରି ଗୋଡ଼ାଇ ଥିଲା । ପ୍ରାଣ ଭୟରେ ବାପା ଚଟକଳର ଚାକିରୀ ଛାଡ଼ି ଗାଆଁରେ ଆସି ଚାଷବାସ କଲେ । ଦିନେ ହାଟ ଫେରନ୍ତି ବାଟରେ ମୁସଲମାନ ମହଲା ପାଖ ଝଙ୍କା ବରଗଛ ପାଖରେ- ରାତିର ଅନ୍ଧାରରେ-ପଠାଣ ଭୂତ ଗଛରୁ ଓହଳ ଧରି ତଳକୁ ଓହ୍ଲାଇ ବାପାଙ୍କ ତଣ୍ଟି ଚିପି ଧରିଲା ।

ଆଃ, ବୋଉ ମୁହଁରୁ ସେ କାହାଣୀ ଶୁଣିଲା ବେଳେ ଅକ୍ଷୟ କୁମାରର ହାତ ମୁଠା ହୋଇଯାଏ । ସେ ମିଲିଟାରିରେ ଯୋଗ ଦେଇ ଯୁଦ୍ଧ କୌଶଳ ଶିଖିଯାଏ । ତା’ର ପ୍ରଥମ ପୋଷ୍ଟିଂ ଜାମ୍ମୁ-କାଶ୍ମୀରରେ । ପାକିସ୍ଥାନୀ ଆତଙ୍କବାଦୀଙ୍କୁ ଖତମ କଲାବେଳେ ପିତୃଋଣ ସୁଜିପାରିଥିବାର ଆନନ୍ଦରେ ତା’ର ଛାତି କୁଣ୍ଢେମୋଟ ହୋଇଯାଏ ।

ଛୁଟି ବାତିଲ କରି କାରଗିଲ୍ ଯୁଦ୍ଧକୁ ଯିବା ଆଗରୁ ସେ ଲାବଣ୍ୟକୁ ଚୁପ୍‌ଚାପ୍ କହି ଯାଇଥିଲା- ମୋ ବାପାଙ୍କୁ ଯେଉଁ ଭୂତ ତଣ୍ଟି ଚିପି ମାରିଥିଲା ସେଇ ପାକିସ୍ଥାନୀ ଭୂତମାନଙ୍କ ସହ ଲଢେ଼ଇ କରିବାକୁ ଯାଉଛି । ତୁ ବୋଉକୁ ସମ୍ଭାଳିଥିବୁ, ଯୁଦ୍ଧରୁ ଫେରି ଆସିଲେ ମୁଁ ତତେ ବୋହୂ କରି ଘରକୁ ନେଇଯିବି ।

ଯୁଦ୍ଧ ସରିଲା । ପାକିସ୍ଥାନ ହାରିଲା । କିନ୍ତୁ କଥା ରଖି ଫେରିଲେ ନାହିଁ ଅକ୍ଷୟ କୁମାର । କିନ୍ତୁ ତାଙ୍କ ମାନି ସେ ତାଙ୍କର ବୋଉ ବୁଢ଼ୀଙ୍କୁ ସମ୍ଭାଳି ରଖିଛି । ଭାରତ ଜିତିଥିଲେ ମଧ୍ୟ ତାଙ୍କ ପୁଅ ଯେ ହାରି ସହିଦ ହୋଇଯାଇଛି- ସେ କଥା ବଡ଼ କଷ୍ଟରେ ନିଜ ଛାତି ଭିତରେ ଚାପି ରଖି ତାଙ୍କ ପୁଅ ନିଶ୍ଚୟ ଫେରି ଆସିବ ବୋଲି ବୋଉ ବୁଢ଼ୀଙ୍କୁ ସେ ମିଛ ସାନ୍ତ୍ୱନା ଦେଇ ଆସିଛି ।

କିନ୍ତୁ ପ୍ରକୃତ ସତ୍ୟକୁ ଛଳନାର ଘୋଡ଼ଣୀରେ ବେଶିଦିନ ଗୋପନ ରଖିପାରିଲା ନାହିଁ ଲାବଣ୍ୟ ।

ତା’ର ବାହାଘର ନଛିପୁର ରବି ସ୍ୱାଇଁଙ୍କ ସହିତ ଠିକ୍ ହୋଇଗଲା ପରେ ସେ ଆଉ ସମ୍ଭାଳି ପାରିଲା ନାହିଁ । କହିଲା- “ବୋଉ ! ମୋ ବାହାଘର ଠିକ୍ ହୋଇଯାଇଛି, କାଲିଠାରୁ ଆଉ ମୁଁ ଦିନବେଳା ତମ ପାଖକୁ ଆସିପାରିବି ନାଇଁ ।”

– ତୋ ପାଇଁ ପାଟଶାଢ଼ି ପେଡ଼ିରେ ସାଇତି ରଖିଛି, ସୁନା ମୁଦି କିଣା ହୋଇ ରହିଛି । ବ୍ୟାଙ୍କରେ ଘର ତୋଳା ପାଇଁ ଟଙ୍କା ଜମା ହୋଇ ରହିଛି । ପୁଅ ଆସିବା ଡେରି ହେଉଛି ବୋଲି ତୁ ଆଉ ଜଣକୁ ବାହା ହୋଇଯିବୁ ।

– ତୁମ ପୁଅ ଆଉ ଫେରିଆସିବେ ନାଇଁ । ସେ ଆଉ ନାହାନ୍ତି । ପାକିସ୍ଥାନୀ ପଠାଣଭୂତ ତାଙ୍କ ତଣ୍ଟିଚିପି ଦେଇଛି ବୋଉ । ସେ ଆଉ ନାହାନ୍ତି । ଆଉ କାହା ପାଇଁ ଅପେକ୍ଷା କରିବି ।

ଲାବଣ୍ୟ ମୁହଁରୁ ସତକଥା ଶୁଣିଦେବା ମାତ୍ରେ କାନ୍ଦୁରୀ ବୁଢ଼ୀ ଭୀମାରଡ଼ି ପକାଇ ଖୁବ୍ ଜୋର୍‌ରେ ଚିତ୍କାର କରି ଚେତା ହରାଇ ବସିଲେ ।

ଲାବଣ୍ୟ ମୁହଁରେ ପାଣି ସିଞ୍ଚି, ବିଛଣାରେ ବିଞ୍ଚି ବିଞ୍ଚି ତାଙ୍କ ଚେତା ଫେରାଇ ଆଣିଲା ।

ବୁଢ଼ୀ ଜଳଜଳ କରି ଲାବଣ୍ୟ ମୁହଁକୁ ଅନେଇ ରହିଲା । କିଛି କହିପାରିଲା ନାହିଁ । କାନ୍ଦିବାକୁ ଚେଷ୍ଟା କରି ଆଖିକୁ ଲୁହ ବହିଲା ନାଇଁ ।


Rate this content
Log in

Similar oriya story from Classics