Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Writer Roja Panda

Inspirational

5.0  

Writer Roja Panda

Inspirational

ଭାଗ୍ୟର ପାସ୍-ୱାଡ଼

ଭାଗ୍ୟର ପାସ୍-ୱାଡ଼

4 mins
503


ଭାଗ୍ୟର ପାସ୍-ୱାଡ଼

ଲେଖିକା - ରୋଜା ପଣ୍ଡା


ବହୁତ ବର୍ଷ ପୂର୍ବେ ଗୋଟେ ସହରରେ ଜଣେ ବଡ ଡାକ୍ତର ରହୁଥିଲେ । ସେ ଖୁବ ଦୟାଳୁ ଥିଲେ । ସମସ୍ତ ରୋଗୀ ମାନଙ୍କର ଚିକିତ୍ସା ଖୁବ ଖୁସିର ସହକାରେ କରୁଥିଲେ । ଥରେ ତାଙ୍କ ପାଖକୁ ଜଣେ ରୋଗୀ ଆସିଲେ । ସେ ବହୁତ ପୀଡା ଅନୁଭବ କରୁଥିଲେ । ଡାକ୍ତର ଜଣକ ତାଙ୍କୁ ହଠାତ୍ ଚିହ୍ନି ପାରିଲେ ନାହିଁ। ମାତ୍ର ପର କ୍ଷଣରେ କିଛି ସମୟ ନିରୀକ୍ଷଣ କରି ଦେଖିଲା ପରେ ସେ ଅବାକ ହୋଇ ଚାହିଁ ରହିଗଲେ । ସେହି ରୋଗୀ ଜଣକ ଆଉ କେହି ନୁହେଁ, ତାଙ୍କ ପିଲା ଦିନର ସ୍କୁଲର ସବୁଠାରୁ ପ୍ରିୟ ସାଙ୍ଗ ନିଖିଳ। ଡାକ୍ତର ବାବୁ ଏବଂ ନିଖିଳ ଏକା ଦିନେ ସେଇ ଗୋଟିଏ ସହରର ବଡ ଡାକ୍ତରଖାନାରେ ଜନ୍ମ ନେଇ ଥିଲେ । କେବଳ ଅଲଗା ଥିଲେ ସେମାନଙ୍କର ବାପା ଓ ମାଆ ।

ଡାକ୍ତର ବାବୁ ତାଙ୍କ ପ୍ରିୟ ବନ୍ଧୁଙ୍କୁ ଏପରି ଦରିଦ୍ର, ଅସହାୟ ଓ ରୁଗ୍ଣ ଅବସ୍ଥାରେ ଦେଖି ବହୁତ ଦୁଃଖ ଅନୁଭବ କରୁଥାନ୍ତି । ତାଙ୍କ ମନରେ ଗୋଟେ ବିସ୍ମୟଜନକ ପ୍ରଶ୍ନ ବାରବାର ଉଙ୍କି ମାରୁ ଥାଏ । ସେ ପ୍ରଶ୍ନଟି ଥିଲା, "ଗୋଟିଏ ସମୟରେ, ଗୋଟିଏ ମୁହୂର୍ତ୍ତରେ, ଗୋଟିଏ ସ୍ଥାନରେ ଜନ୍ମ ନେଉ ଥିବା ଲୋକଙ୍କର ଭାଗ୍ୟ ଏବଂ କର୍ମ ଏତେ ପୃଥକ କାହିଁକି? କାହିଁକି ଯେ ସେମାନଙ୍କ ଜୀବନ ଏତେ ଅଲଗା ଅଲଗା। ଆଜି ଜଣେ ସଫଳ ଡାକ୍ତର ଆଉ ଜଣେ ଦରିଦ୍ର ରୋଗୀ । ସେହିଭଳି ଏକା ସାଙ୍ଗରେ ଜନ୍ମ ନେଉଥିବା ଲୋକଙ୍କ ମଧ୍ୟରୁ କିଏ ଓକିଲ, କିଏ ପୁଲିସ ତ ପୁଣି ଆଉ କିଏ ଚୋର ଆଉ ଡକାୟତ ହୋଇ ବହାରୁଛନ୍ତି ।

ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଡାକ୍ତର ବାବୁ ବହୁ ବୁଦ୍ଧିଜୀବିମାନଙ୍କର ପରାମର୍ଶ ଲୋଡିଲେ । ଏମିତି ବହୁତ ଜ୍ଞାନିଜନଙ୍କୁ ଉକ୍ତ ପ୍ରଶ୍ନଟି ପଚାରୁ ପଚାରୁ, କେହି ଜଣେ ମହାତ୍ମା ଜ୍ୟୋତିଷ ଏହାର ଉତ୍ତରରେ କହିଲେ, " ପୂର୍ବଦିଗକୁ ଗଲେ, କିଛି ଦୂରରେ ଜଣେ ବୃଦ୍ଧ ଅଛନ୍ତି । ସେ ହିଁ ଏହି ପ୍ରଶ୍ନର ସଠିକ ଉତ୍ତର ଦେଇ ପାରିବେ । ଡାକ୍ତର ଜଣଙ୍କ ସେହି ଜ୍ୟୋତିଷଙ୍କର ଇଙ୍ଗିତ ଅନୁସାରେ ପୂର୍ବ ଦିଗକୁ ଅଗ୍ରସର ହେଲେ । କିଛି ବାଟ ଗଲା ପରେ ସେ ଜଣେ ବୃଦ୍ଧ ବ୍ୟକ୍ତଙ୍କୁ ଦେଖିଲେ । ସେ ରାସ୍ତା କଡରେ ବସି ଭିକ୍ଷା ମାଗୁ ଥିଲେ । ତାଙ୍କ ନିକଟକୁ ଯାଇ ଡାକ୍ତର ବାବୁ ନିଜ ପ୍ୟାଣ୍ଟ ପକେଟରୁ ଦଶ ଟଙ୍କା କାଢି ସେହି ଜୀର୍ଣ୍ଣ ଭିକାରୀଙ୍କ ଥାଳରେ ରଖି କହିଲେ, " ଆଜ୍ଞା କିଛି ଖରାପ ଭାବିବେନି, ଆପଣ ମୋର ଗୋଟେ ଜିଜ୍ଞାସାର ଉତ୍ତର ଦେବେ" ଆଉ ନିଜ ପ୍ରଶ୍ନ ପଚାରିଲେ । ପ୍ରଶ୍ନଟି ଶୁଣିବା ମାତ୍ରେ ବୃଦ୍ଧ ଭିକାରୀ ବସିବା ସ୍ଥାନରୁ ନିଜର ବାଡ଼ି ଧରି ଠିଆ ହୋଇଗଲେ। ଖୁବ ଜୋରରେ ରାଗରେ ତମତମ ହେଇ ଥର ଥର ହୋଇ ଚିତ୍କାର କରି କହିଲେ, "ଏ ପ୍ରଶ୍ନର ଉତ୍ତର ମୋ ପାଖରେ ନାହିଁ । କିଛି ଦୂରରେ ଗୋଟେ ଗାଁମୁଣ୍ଡର ବରଗଛ ମୂଳରେ ଗୋଟେ ସ୍ତ୍ରୀ ଲୋକ ବସିଛି । ଯା ତାକୁ ପଚାରିବୁ ।" ଏହା କହି ସେ ସେଠାରୁ ଚାଲିଗଲେ ।

ଡାକ୍ତର ବାବୁ କିଛି ବୁଝି ପାରିଲେନି । ତଥାପି ତାଙ୍କର ମନର ଏହି ପ୍ରଶ୍ନ ତାଙ୍କୁ ଏତେ ବିବ୍ରତ କରୁଥିଲା ଯେ ସେ ଗାଁମୁଣ୍ଡ ଅଭିମୁଖେ ବାହାରିଗଲେ । କିଛି ସମୟ ଅତିକ୍ରାନ୍ତେ ସେ ଉକ୍ତ ଗାଁ ମୁଣ୍ଡରେ ପହଞ୍ଚି ବରଗଛ ମୂଳେ ବସିଥିବା ସ୍ତ୍ରୀଲୋକ ନିକଟରେ ପହଞ୍ଚିଲେ । ସେ ସ୍ତ୍ରୀଲୋକ ଜଣକ ପୁରାପୁରି ମାନସିକ ବିକୃତ ଥିଲେ । ଅର୍ଧନଗ୍ନ ଅବସ୍ଥାରେ ବସି ରାସ୍ତା କଡ଼ ନର୍ଦମା ରୁ ଉଠାଇ ଆଣିଥିବା ଅତି ଦୁର୍ଗନ୍ଧମୟ ଜିନିଷ ସବୁ ଘାଣ୍ଟୁଥିଲେ ଏବଂ ତତମଧ୍ୟରୁ କେଜାଣି କଣ ଖାଇ ପକାଉଥିଲେ ।

ଡାକ୍ତର ବାବୁ ଏପରି ଘୃଣ୍ୟ ଦୃଶ୍ୟ ଦେଖି ବାନ୍ତି କଲାପରି ପ୍ରତିକ୍ରିୟା ପ୍ରକାଶ କଲେ । ତଥାପି ନିଜକୁ ଆୟତ କରି ସେ ପାଗଳି ସ୍ତ୍ରୀଲୋକ ପାଖକୁ ଯାଇ ନିଜର ଜିଜ୍ଞାସା ପ୍ରକାଶ କଲେ । ସେ ପାଗଳି ସ୍ତ୍ରୀଲୋକ ନିଜର ମୁଣ୍ଡର ଆଲରା ବାଲରା ଚୁଟିକୁ କୁଣ୍ଡାଇ କୁଣ୍ଡାଇ କହିଲା - ଯା , ଏଠୁ ପଳା । ଉତ୍ତର ଦିଗକୁ ଆଙ୍ଗୁଠିରେ ଇଙ୍ଗିତ କରି କହିଲା - ସେପଟେ ଗୋଟେ ଝିଅ ଥିବ । ସେ ମରିଯିବ । ଯା , ସେ ମରିବା ଆଗରୁ ତାକୁ ପଚାରିବୁ ।

ଡାକ୍ତର ବାବୁ ଜାଣିପାରୁନଥିଲେ ଯେ ତାଙ୍କ ସହିତ ଘଟୁଥିବା ପ୍ରତ୍ୟେକ ଟି ଘଟଣା ସତ୍ୟ ନା କାଳ୍ପନିକ । ତଥାପି କାଳେ ସମୟ ଆଗରୁ ପହଞ୍ଚି ପାରିଲେ ଉକ୍ତ ଝିଅଟିକୁ ବଞ୍ଚିପାରିବେ ସେଇ କଳ୍ପନାରେ ପାଗଳି ଦେଖାଇଥିବା ଦିଗ ଆଡେ ଦୌଡ଼ିବାକୁ ଲାଗିଲେ । ଶେଷରେ ଦୌଡ଼ି ଦୌଡ଼ି ଡାକ୍ତରବାବୁ ଉକ୍ତ ଝିଅ ଘରେ ପହଞ୍ଚିଲେ । ସେଠି ପହଞ୍ଚି ଦେଖିଲେ , ଝିଅଟି ବିଷ ପାନ କରି ,ଛଟ ପଟ ହେଇ , ମୃତ୍ୟୁ ସହିତ ସଂଘର୍ଷ କରୁଛି । ସେ ତୁରନ୍ତ ଡେରି ନକରି ସେଇ ଝିଅଟିର ଚିକିତ୍ସା କଲେ । ଝିଅଟି ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଲା । ସେ ସୁସ୍ଥ ହେବାପରେ ଡାକ୍ତର ବାବୁ ତାଙ୍କ ସହିତ ଘଟିଯାଇଥିବା ବିସ୍ମୟଜନକ ଘଟଣା ସବୁ ପୁନରାବୃତ୍ତି କଲେ ଏବଂ କିପରି ସେ ଉକ୍ତ ଝିଅ ପାଖରେ ପହଞ୍ଚିଲେ ସେସବୁ ବର୍ଣ୍ଣନା କରି କହିଲେ ।

ଡାକ୍ତର ବାବୁଙ୍କ ଜିଜ୍ଞାସା ଶୁଣି ଝିଅଟି ଖୁବ ଜୋରରେ ହସିଲା ଏବଂ ଉତ୍ତର ଦେଲା- "ପୂର୍ବ ଜନ୍ମରେ, ଆପଣ ମୋ ସାଙ୍ଗ ଥିଲେ । ଆମେ ଚାରି ବନ୍ଧୁ ଥିଲୁ । ଆପଣ ଯେଉଁ ବୃଦ୍ଧ ଭିକାରୀ ଓ ପାଗଳି ସ୍ତ୍ରୀଙ୍କୁ ରାସ୍ତାରେ ଭେଟିଲେ ସେମାନେ ଆମର ସେଇ ପୂର୍ବ ଜନ୍ମର ଅନ୍ୟ ଦୁଇ ବନ୍ଧୁ । ଆମେ ସବୁ ଭଲ ସାଙ୍ଗ ଥିଲୁ । ଏକାଠି ବୁଲୁଥିଲୁ, ଖାଉଥିଲୁ, ଆଉ ଖେଳୁଥିଲୁ । ଥରେ ଆମେ ଭୋଜନ କରୁଥିବା ସମୟରେ ଜଣେ ବୃଦ୍ଧ ଆସି ଆମକୁ ଖାଇବା ମାଗିଲେ । ସେ ବହୁତ କ୍ଷୁଦାର୍ଥ ଥିଲେ । ପ୍ରଥମେ ସେ ଉକ୍ତ ବୃଦ୍ଧ ଭିକାରୀଙ୍କୁ ଖାଦ୍ୟ ମାଗିଥିଲେ । କିନ୍ତୁ ସେ ତାଙ୍କୁ ଅତି ନିକୁଛ କରି କହିଲେ, " ତତେ ମୋ ଖାଦ୍ୟ ଦେଇ ମୁଁ କଣ ଭିକ ମାଗିବି" । ସେଥିପାଇଁ ସେ ଏ ଜନ୍ମରେ ଭିକ ମାଗୁଛନ୍ତି ।

ତା ପରେ ସେ କ୍ଷୁଦାର୍ଥ ବୃଦ୍ଧ ସେ ପାଗଳି ସ୍ତ୍ରୀଙ୍କୁ ଖାଇବା ମାଗିଲେ । ସ୍ତ୍ରୀଲୋକ ଜଣକ ତାଙ୍କୁ ଉତ୍ତର ଦେଇଥିଲେ - ତତେ ମୋ ଖାଦ୍ୟ ଦେଇ ମୁଁ କଣ ରାସ୍ତା କଡର ନର୍ଦ୍ଦମା ଖାଇବି? ସେଥିପାଇଁ ସେ ଆଜି ତାଙ୍କ ପୂର୍ବ ଜନ୍ମର କର୍ମ ଫଳ ସ୍ୱରୂପ ଏ ଜନ୍ମରେ ପାଗଳି ହୋଇ ରାସ୍ତା କଡର ନର୍ଦ୍ଦମା ଖାଇ ବଞ୍ଚୁଛନ୍ତି । ଆଉ ମତେ ଦେଖୁ ଛନ୍ତି । ମୁ ମଧ୍ୟ ସେ କ୍ଷୁଦାର୍ଥ ବୃଦ୍ଧଙ୍କୁ ତାଛଲ୍ୟ କରି କହିଥିଲି- ତତେ କଣ ମୋ ଖାଦ୍ୟ ଦେଇ ମୁଁ ବିଷ ଖାଇବି । ଆପଣ ତ ଦେଖିଲେ ମୁଁ କେମିତି ବିଷ ପାନ କରି ଛଟପଟ ହେଉଥିଲି । ଶେଷରେ ସେ ଖାଦ୍ୟ ଆଶାରେ ଆପଣଙ୍କ ପାଖରେ ପହଁଚିଲେ । ଆପଣ ସଙ୍ଗେ ସଙ୍ଗେ ନିଜ ଖାଦ୍ୟରୁ ଅଧେ ସେ ବୃଦ୍ଧ ବ୍ୟକ୍ତିଙ୍କୁ ଦେଇ ତାଙ୍କ ଜୀବନ ରକ୍ଷା କରିଥିଲେ । ସେଥିପାଇଁ ଆଜି ଆପଣ ନିଜର ପୂର୍ବ ଜନ୍ମର ଭଲ କର୍ମର ସୁଫଳ ଏ ଜନ୍ମରେ ଉପଲବ୍ଧ କରୁଛନ୍ତି ।

ଏ ସବୁ ଶୁଣି ଡାକ୍ତର ବାବୁ ବୁଝିଗଲେ ଯେ, " ଯଦି ଗୋଟେ ଭୁଲ ପାସ୍-ୱାଡ଼ ଦ୍ୱାରା ଗୋଟେ ଛୋଟ ମୋବାଇଲ ଖୋଲି ପାରୁ ନାହିଁ, ତେବେ ଭୁଲ କର୍ମ ଦ୍ୱାରା ଆମର ସୌଭାଗ୍ୟର କବାଟ କେମିତି ଖୋଲିବ? "


ପୂର୍ଣ୍ଣାନନ୍ଦ ଭବନ , ନେତାଜୀ ନଗର , ମଧୁପାଟଣା , କଟକ -୭୫୩୦୧୦.


Rate this content
Log in

Similar oriya story from Inspirational