Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kamala Satpathy

Drama

1.7  

Kamala Satpathy

Drama

ଧୂମାୟିତ ଆଇନା

ଧୂମାୟିତ ଆଇନା

18 mins
7.3K


ଖୁଡିଙ୍କ ଘରେ ପୁଣି ଆଜି ଚାଲିଥିଲା ପାଟିତୁଣ୍ଡ । ଖୁଡିଙ୍କ ପାଟି ସାଙ୍ଗକୁ ଶୋଭିଭାଉଜଙ୍କ ସୁଁ ସୁଁ କାନ୍ଦ ଆମ ବନ୍ଦ ଦରଜାକୁ ଭେଦିକି ସ୍ପଷ୍ଟ ଶୁଭି ଯାଉଥିଲା । ଆଜି କେବଳ ପାଟି ନଥିଲା, ତା’ ସହିତ ମିଶିକି ଥିଲା ବାସନ କୁସନ ଫୋପଡା ଫିଙ୍ଗାର ଶବ୍ଦ । କାନକୁ ବନ୍ଦ କରି ପଢାରେ ଧ୍ୟାନ କେନ୍ଦ୍ରିତ କରିବାର ଶତ ଚେଷ୍ଟା ମୋର ବାରମ୍ବାର ବିଫଳ ହେଉଥିଲା ।

ଅଗତ୍ୟା ସେଠୁ ଉଠିଆସିଲି । ବୋଉ ଦୁଆରେ ବଡି ଶୁଖୋଉ ଶୁଖୋଉ ପାଚିରି ସେପଟର ଘଟଣାକୁ କାନ ପାରି ଶୁଣି ଯାଉଥିଲା । ନିଶ୍ଚୟ ଖୁଡିଙ୍କ ଘରର ଅଶାନ୍ତ ବାତାବରଣ ତାକୁ ଖୁସି କରିଦଉଥିବ । ନିଜର ସେଇ ଖୁସିକୁ ଚେଷ୍ଟା କରି ବି ସେ ଲୁଚେଇ ପାରୁନଥିଲା । ବାଲକୋନିରେ ଠିଆ ହେଇ ଥରେ ଖୁଡିଙ୍କ ଘର ଆଡେ.. ଆଉ ଥରେ ବୋଉ ଆଡେ ବିସ୍ମିତ ହୋଇ ମୁଁ ଚାହିଁଲି । ଖୁଡିଙ୍କର ଅଶ୍ରାବ୍ୟ ଭାଷା କାନ ପରଦାକୁ ଫଟେଇ ପକୋଉଥିଲା । ଗାଳି ହଉଥିଲା ତ ଶୋଭିଭାଉଜ ଆଉ ତାଙ୍କ ଘରଲୋକଙ୍କ ଉପରେ, ହେଲେ ସେସବୁ ଯେ ଥିଲା ବୋଉ ପାଇଁ ଅଭିପ୍ରେତ, ସେଥିରେ ସାମାନ୍ୟ ସନ୍ଦେହ ନଥିଲା । ଇଏ ତ ମାତ୍ର ଏକ ବାହାନା ବୋଉକୁ ମନଭରି କିଛି ଶୁଣେଇବାର! ପ୍ରକୃତରେ ବୋଉ ହି ଥିଲା ତାଙ୍କ କ୍ରୋଧର ମୂଖ୍ୟ ଶରବ୍ୟ । ତେବେ ଆଜି ପର୍ଯ୍ୟନ୍ତ ବୋଉକୁ ସିଧାସଳଖ କିଛି ଶୁଣେଇ ଦବାର ସାହାସ କରି ପାରିନାହାନ୍ତି ବୋଲି ସବୁବେଳେ ବିଚାରୀ ଶୋଭିଭାଉଜ ହି ଏହାର ମାଧ୍ୟମ ହୋଇପଡନ୍ତି !

ଆଜି ବି ସେପରି କିଛି ଘଟିଛି । ବୋଉକୁ ଶୁଣେଇବାକୁ ଚାହିଁ ଶୋଭିଭାଉଜଙ୍କୁ ହି ଗାଳି କରି ଚାଲିଥିଲେ । ଅପ୍ରକାଶ୍ୟରେ ତାଙ୍କ ଘରର ସବୁ ଅଶାନ୍ତିର ମୂଳ କାରଣ ବୋଉ ବୋଲି କହୁଥିଲେ । ଏଥିରେ ଅବଶ୍ୟ କିଛି ନୂତନତ୍ୱ ନଥିଲା । ଖୁଡି ଆଜି କିଛି କହି ନିଜ ଭିତରର କୁଣ୍ଠା ଓଗାଳି ପକେଇଲା ବେଳେ, କାଲିକୁ ବୋଉ ତା’ଠୁ ଅଧିକା କିଛି କହି ନିଜର କଲିଜା ଥଣ୍ଡା କରିଦେବ । ଖୁଡିଙ୍କ ରାଗର ମାତ୍ରା କିଛିଟା ଅଧିକା ହୋଇଥାଇ ପାରେ, ତେବେ ବୋଉ ବି କିଛି କମ୍ ନୁହେଁ ! ଆମ ଘରେ କଥାଟା ବେଶି ବଢିପାରେ ନାହିଁ, କାରଣ ସେପରି କଥାକୁ ଶୁଣି ହଜମ କରି ପକେଇବାକୁ ଆମ ଘରେ କେହି ଶୋଭିଭାଉଜ ନାହାନ୍ତି ।

ପାଠରୁ ମନ ଛାଡି ଯାଇଥିଲା । ଏମିତି ବାତାବରଣ ଭିତରେ କଣ କିଛି ମନେ ରଖା ଯାଇପାରେ ନା ପଢା ଯାଇପାରେ ! ବାଲକୋନିରେ ହି ବସିରହିଲି । ଶୋଭିଭାଉଜଙ୍କ ଲାଗି ମନଟା ଭାରି ଖରାପ ଲାଗୁଥିଲା । ବିଚାରୀ ଆସିଲା ଦିନରୁ ଗାଳିମନ୍ଦ ଖାଇ ଖାଇ ପଥର ପାଲଟି ଗଲେଣି । ତଥାପି ଦିନେ ହେଲେ ପ୍ରତିବାଦର ସ୍ୱର ଉତ୍ତୋଳନ କରିବାର କେହି କେବେ ଶୁଣିନାହାନ୍ତି । ଦିନରାତି ଘରକାମରେ ଲାଗି ରହିବା ସତ୍ତ୍ୱେ ବି ଦିନକ ପାଇଁ ମଧ୍ୟ ଖୁଡିଙ୍କୁ ସନ୍ତୁଷ୍ଟ କରି ପାରିନାହାନ୍ତି । ଯେତେବେଳେ ବି ଖୁଡି ତାଙ୍କୁ ଗାଳି ଦିଅନ୍ତି, ତାଙ୍କ ସହିତ ତାଙ୍କ ବାପା ମା’ଙ୍କୁ ବି ଗାଳି ଦିଅନ୍ତି ।

ସୁରଭାଇନା ସବୁ ଦେଖନ୍ତି, ଶୁଣନ୍ତି, କିନ୍ତୁ ପାଟି ଖୋଲି ପଦେ ସ୍ତ୍ରୀ ସପକ୍ଷରେ କିଛି କୁହନ୍ତିନି । ପ୍ରଥମେ ପ୍ରଥମେ ଥରେ ଦି’ ଥର ଅବଶ୍ୟ କହିଥିଲେ, ହେଲେ ଖୁଡିଙ୍କର ‘ମାଇପ ବୋଲିଆ’ ଆକ୍ଷେପ ଶୁଣି ସବୁଦିନ ପାଇଁ ଚୁପ୍ ହେଇ ଯାଇଛନ୍ତି । ଏମିତିରେ ବି ସବୁଦିନେ ସେ ଖୁବ୍ ଅଳ୍ପ କଥା କୁହନ୍ତି । ଆଉ ଯେବେ ଠାରୁ ଖୁଡିଙ୍କର ଶାଶୁପଣିଆ ଅଧିକ ହେଲାଣି, ସେବେ ଠାରୁ ଚୁପ୍ ରହିବା ହି ଶ୍ରେୟଷ୍କର ମଣୁଛନ୍ତି ସେ ।

କିଛି ସମୟ ପରେ ଶୋଭିଭାଉଜଙ୍କର କରୁଣ ମୁହଁଟା ଛାତ ଉପରେ ଦିଶିଗଲା । ଆଖି ପୋଛୁଥିଲେ ସେ ଲୁଚେଇ ଲୁଚେଇ । ଆଜି ନିଶ୍ଚୟ କିଛି ଅଧିକା ଘଟିଯାଇଛି ! ନହେଲେ ପଥରରୁ କ’ଣ କେବେ ଲୁହ ବାହାରେ !

ଶୋଭିଭାଉଜଙ୍କୁ ପଥର କହି କିଛି ଭୁଲ୍ କଲି କି ? ନା, ମୋଟେ ନୁହେଁ । କେତେ ହସଖୁସିଆ ମଣିଷ ଥିଲେ ସେ ! କେତେ ବିନ୍ଦାସ ଜୀବନ ଜିଉଁଥିଲେ ! ଏଇ ଦୁଇ ଚାରି ବର୍ଷର ବିବାହିତ ଜୀବନ ଭିତରେ ହସଖୁସି କାହାକୁ କୁହାଯାଏ, ସଂପୂର୍ଣ୍ଣ ଭୁଲିଗଲେଣି ! ମଣିଷରୁ ପଥର ମୂର୍ତ୍ତିଟିଏ ପାଲଟି ଗଲେଣି !

ବହୁତ ଦୁଃଖ ଲାଗେ ତାଙ୍କ ଶୁଖିଲା ମୁହଁକୁ ଦେଖିଲେ । ଯାହା କିଛି ପଚାରିଲେ କେବଳ ହଁ କି ନା ରେ ଉତ୍ତର ଦିଅନ୍ତି । ଅଧିକା ପଦଟିଏ କିଛି କହିଦବାକୁ ମୋଟେ ଇଚ୍ଛା କି ସାହାସ କରନ୍ତିନି । ସବୁବେଳେ ଗୋଟେ ଅନ୍ୟମନସ୍କିଆ ଭାବ .. ମୁହଁ ଉପରେ ଉଦାସର ବହଳଣ .. ଆଖିରେ ନିରର୍ଥକତା ..! ଏମିତି ଗୋଟିଏ ମଣିଷକୁ ପଥର କହିଲେ କ’ଣ ସତରେ ଭୁଲ୍ ହେଇଯିବ !

ଭୟରେ ଶେତା ପଡି ଯାଇଥିବା ମୁହଁରେ ଯେତେବେଳେ ବହୁତ ଚେଷ୍ଟା କରି କୋଉ କଥା ଉପରେ ହସିବାକୁ ଚେଷ୍ଟା କରନ୍ତି, ଭାରି ଅଡୁଆ ଲାଗେ ସତରେ । ବଡରୁ ସାନ ଯାଏଁ ଆଶ୍ଚର୍ଯ୍ୟରେ ତାଙ୍କ ଆଡକୁ ଚାହିଁ ରହନ୍ତି । ବୋଧହୁଏ ମନେ ମନେ ଚିନ୍ତା କରନ୍ତି – ଶୋଭି ପୁଣି ହସିପାରେ !!

କିନ୍ତୁ ସବୁଥିରେ ପରିପୂର୍ଣ୍ଣ କରି ହି ଭଗବାନ ତାଙ୍କୁ ଏ ଧରାଧାମକୁ ପଠେଇଥିଲେ । ଯାହା କିଛିର ଅଭାବ ରହି ଯାଇଥିଲା, ସେସବୁ ତାଙ୍କ ବାପା ମା’ ପୂରା କରିସାରି ହି ତାଙ୍କୁ ଶାଶୁଘରକୁ ପଠେଇଥିଲେ । ରୂପରେ, ଗୁଣରେ, ବିଦ୍ୟାରେ, ବୁଦ୍ଧିରେ, କେଉଥିରେ ତାଙ୍କୁ ବାରିବାକୁ ନଥିଲା । ପାଠରେ ସ୍ୱର୍ଣ୍ଣପଦକ ବିଜେତା ହୋଇକି ବି ନାଚରେ ମହାରଥ ହାସଲ କରିଥିଲେ । ସେତେବେଳର ସେଇ ଆତ୍ମବିଶ୍ୱାସରେ ଭରା ବ୍ୟକ୍ତିତ୍ୱ ତାଙ୍କର, ଆଜି ମନଖୋଲି ପଦଟିଏ କଥା ହେବାକୁ ବି ଭୟ କରେ ।

ଭଲ ଘର, ଶିକ୍ଷିତ ପରିବାର, ଉଚ୍ଚ ଚାକିରି, ଛୋଟ ପରିବାର, ସବୁକିଛି ଭଲ ଦେଖି ସାରିଲା ପରେ ଯାଇ ବାପାମା’ ତାଙ୍କର ଝିଅକୁ ବାହା ଦେଇଥିଲେ । କିନ୍ତୁ ସବୁକିଛି ହାତମୁଠାରେ ଥାଇ ମଧ୍ୟ କିଛି ନଥିଲା ଭଳି ! ଏତେ ସବୁ ଦେଖା ପରଖା ପରେ ବି କ’ଣ ଲାଭ ହେଲା ? କେବଳ ଖୁଡିଙ୍କ ଲାଗି ଘରେ ସବୁବେଳେ ଅଶାନ୍ତି । କାହିଁକି ଯେ ଖୁଡି ତାଙ୍କୁ ସବୁବେଳେ ଏମିତି ଅଶ୍ରାବ୍ୟ ଭାଷାରେ ଗାଳି କରନ୍ତି, ସେ ନିଜେ ହି ଜାଣିଥିବେ ।

ଆମ ଜାଣତରେ ବୋଉଠୁ ବଳିକି ସ୍ନେହ ଆମକୁ ଖୁଡି ହି କରିଛନ୍ତି ଆଜି ପର୍ଯ୍ୟନ୍ତ । ପର ଆପଣାର ବାଛ ବିଚାର କେବେ ତାଙ୍କ ଠାରେ ନଥିଲା । କେବେ ଉଚ୍ଚ ସ୍ୱରରେ କଥା କହିବା ବି ଘରେ କେହି ଶୁଣିନଥିବେ । ପାଠଶାଠ ପଢିଛନ୍ତି .. କିଛି ମୂର୍ଖ ତ ନୁହେଁ । ତା’ ଛଡା, ଜଣେ ପଦସ୍ଥ ଅଫିସର୍ ଙ୍କର ପତ୍ନୀ ସେ । କିନ୍ତୁ କାହିଁକି ହଠାତ୍ ଏମିତି ବଦଳିଗଲେ କେଜାଣି! ଶୋଭିଭାଉଜଙ୍କର ଏ ଘରକୁ ଆଗମନ ହେବା ପରେ ପରେ ହିଁ ଖୁଡିଙ୍କର କାୟାକଳ୍ପ ସଂପୂର୍ଣ୍ଣ ବଦଳିଗଲା । ଅଥଚ ସୁରଭାଇିନାଙ୍କ ପାଇଁ ଝିଅ ଖୋଜାଖୋଜି ସେ ହିଁ ଲାଗିପଡି କରିଥିଲେ । ହଜାରେ ଝିଅକୁ ନାକଚ କରିସାରିଲା ପରେ ଶୋଭିଭାଉଜଙ୍କୁ ପସନ୍ଦ କରି ସେ ଘରକୁ ଆଣିଥିଲେ । ଆଉ ତାଙ୍କରି ପସନ୍ଦକୁ ବିଶ୍ୱାସର ସହିତ ସମର୍ଥନ ଜଣେଇ ବିନା ଦେଖା ଚାହାଁରେ ସୁରଭାଇନା ବାହା ହେବାକୁ ରାଜି ହେଇଯାଇଥିଲେ ।

ଯୋଉ ଖୁଡି ବୋଉ ଆଗରେ ଠିଆହେଇ ପଦେ କଥା କହିନଥିଲେ କେବେ, ଆଜି ପ୍ରତି କଥାରେ ଆଗେଇ ଆସନ୍ତି ଯୁଦ୍ଧ କରିବାକୁ । କକେଇଙ୍କର ପ୍ରତି କଥାରେ ହଁ ମାରିବା ଲୋକ ସେ, ଆଜି କଥା କଥାରେ କକେଇଙ୍କୁ ଚୁପ୍ କରେଇ ଦିଅନ୍ତି ସିଧା । ପ୍ରଥମେ ସମସ୍ତେ ଧରିନେଲେ ଯେ ମସ୍ତିଷ୍କ ବିକୃତି ଘଟିଛି । କିନ୍ତୁ ବାହାର ଦୁନିଆକୁ ତ ବେଶ୍ ଭଲ ଅଛନ୍ତି ! ଖାଇବା, ପିଇବା, ବୁଲିବା, ପିନ୍ଧିବା, ସବୁକିଛି ଠିକ୍ ଥିଲା ବେଳେ, ଅଯଥା କଥାରେ ଘରଲୋକଙ୍କୁ ପାଟିତୁଣ୍ଡ କରିବାଟାକୁ କ’ଣ ମସ୍ତିଷ୍କ ବିକୃତି କୁହାଯିବ?

ସବୁକିଛି ଜୀବନରେ ତାଙ୍କର ସାମାନ୍ୟ ଥିଲା, ହେଲେ ଘରକୁ ପଶିଗଲା ମାତ୍ରେ ହିଁ ସେ ଅସାମାନ୍ୟ ପାଲଟି ଯାଉଥିଲେ । ବୋଉକୁ ପୂରା ସମ୍ମାନ ଦେଇ ଆସୁଥିବା ଖୁଡି, ଏବେ ପ୍ରତି ମୁହୂର୍ତ୍ତରେ କେବଳ ବୋଉର ଦୋଷଗୁଣ ଖୋଜି ବୁଲିବାରେ ଲାଗିଛନ୍ତି । ଅତୀତରେ ବୋଉ କେତେ ତାଙ୍କୁ ସାହାଯ୍ୟ ସହାନୁଭୂତି ଦେଖାଇଥିଲା, ସେସବୁର ଚର୍ଚ୍ଚା ନକରି କେବଳ କେତେ କଷ୍ଟ ଦେଇଥିଲା, ତାହାର ହି ବର୍ଣ୍ଣନା କରନ୍ତି । ବଡ ଯାଆର ସଂପୂର୍ଣ୍ଣ ଅଧିକାରକୁ ଦର୍ଶେଇବାକୁ ଯାଇ ବୋଉ ସବୁବେଳେ ତାଙ୍କୁ ନିଜର ଅନୁଗତ ପରି ବ୍ୟବହାର କରି ଆସିଥିଲା । ସବୁବେଳେ ବୋଉର ହୁକୁମ ହି ଏ ଘରେ ଚଳିଆସିଛି । ଏବେ ଖୁଡି ତା’ ଆନୁଗତ୍ୟ ଅସ୍ୱୀକାର କରିବାରୁ ବୋଉ ଯେ ନିଶ୍ଚୟ ମନେ ମନେ ଜଳୁଛି, ସେଥିରେ କିଛି ଅସ୍ୱାଭାବିକତା ନଥିଲା । ଉପରକୁ ଯେତେ ସଂପର୍କ ଠିକ୍ ଠାକ୍ ଦେଖେଇ ହେଲେ ବି ଭିତରେ ଅନେକ ଦିନରୁ ଫାଟ ପଡି ସାରିଥିଲା, ତାହା ଅଳ୍ପେ ବହୁତେ ସମସ୍ତଙ୍କୁ ଜଣାଥିଲା । ଜଣେ ଜଣଙ୍କର ଖୁସିରେ ସମ୍ମିଳିତ ହେବା ଲୋକ, ଏବେ କେବଳ ଅନ୍ୟର ଦୁଃଖକଷ୍ଟ ଦେଖିବାକୁ ଆଗ୍ରହୀ ହୋଇ ଉଠିଛନ୍ତି !

ଶାଶୁବୋହୂର ସଂପର୍କ ତ ସବୁବେଳେ କଣ୍ଟାଗଦାର ସଂପର୍କ, କିନ୍ତୁ ଖୁଡିଙ୍କ ଘରେ ତାହା ଟିକିଏ ଆବଶ୍ୟକତା ଠାରୁ ଅଧିକ ଥିଲା ପରି ଲାଗୁଥିଲା । ଯଦି ଖୁଡିଙ୍କୁ ଶୋଭିଭାଉଜଙ୍କ ପରି ଶାନ୍ତଶିଷ୍ଟ ବୋହୂ ନମିଳି, ଅନ୍ୟ ପ୍ରକାରେ ମିଳିଥାଆନ୍ତା, ତାହାହେଲେ ଏ ଘରର ଅବସ୍ଥା କ’ଣ ହେଇଥାନ୍ତା, ସେ କେବେ ଥରେ ଚିନ୍ତା କରିଛନ୍ତି କି ! ତାଙ୍କର କୋଉ ଭୁଲ୍ ପାଇଁ ଖୁଡି ତାଙ୍କୁ ଏପରି ବିରକ୍ତ ହୁଅନ୍ତି, ତାହା ଆଜି ପର୍ଯ୍ୟନ୍ତ କେହି ଜାଣି ପାରିନାହାନ୍ତି । କେହି ଆସିଲା ଗଲା ଲୋକଙ୍କୁ ଭାଉଜ ଯଦି ଚା’ ପିଇବାକୁ ଦିଅନ୍ତି, ସେ ଗଲା ପରେ ଖୁଡି ଗର୍ଜ୍ଜି ଉଠନ୍ତି, ‘ତୋ’ ବାପଘରୁ ଭାର ଆସିଥଲା କି ! ଏତେ ଚା’ ଯାଚି ଦେଉଥିଲୁ !’

ଆଉ ଯଦି ପିଇବାକୁ ନ ଦିଅନ୍ତି, ତେବେ ବସିଥିବା ଲୋକ ଆଗରେ ହି ପାଟି କରିଉଠନ୍ତି, ‘ପାଠ ଶାଠ ପଢିଦେଲେ କ’ଣ ହେଲା, ଆଜିକାଲିର ବୋହୂମାନଙ୍କୁ ସାମାନ୍ୟ ଭଦ୍ରାମୀ ବି ଜଣାନାହିଁ ।’

ଲୁଗାପଟା ସଫା କଲା ବେଳେ ସେଥିରୁ ମଇଳା ନ ଛାଡିଲେ ପାଟି କରିବେ, “ତମ ଘରର ଚାକରାଣୀ ଭଲା ଏମିତି ଲୁଗା ପିନ୍ଧୁଥିବ ?”

ଆଉ ଯଦି ସଫା କଲା ବେଳେ ସାବୁନ୍ ବ୍ୟବହାର କରିଦେବେ, ତେବେ ସାଙ୍ଗେ ସାଙ୍ଗେ  କହି ପକେଇବେ, “ଏତେ ଚିକିଣେଇବା ଦରକାର ନାହିଁ । ମାସକର ସାବୁନ ଦୁଇ ଦିନରେ ସାରିଦେଇ ତୁ ଭଲ ଘର ଚଳେଇବୁ ତ !”

କି ଅଜବ ଯୁକ୍ତି ସବୁ ଖୁଡିଙ୍କ ମୁଣ୍ଡରେ ଥାଏ, ଭାବିଲେ ଯେତିକି ହସ ଲାଗେ, ତା’ଠାରୁ ଅଧିକ ଲାଗେ ଦୁଃଖ । ଦୁଃଖ ଲାଗିବାର ବେଶି କାରଣ ଏଇଆ ଥିଲା ଯେ ପିଲାବେଳରୁ ଯୋଉ ସ୍ନେହମୟୀ, ପ୍ରେମମୟୀ, ଶାନ୍ତଶିଷ୍ଟ ଖୁଡିଙ୍କୁ ଆମେ ଦେଖି ଆସିଥିଲୁ, ଆଜି ଆଉ ସେ ଖୁଡିଙ୍କର ଚିହ୍ନବର୍ଣ୍ଣ କିଛି ନାହିଁ । ସମସ୍ତେ ତାଙ୍କୁ ବୁଝେଇ ଶୁଝେଇ ବଦଳେଇବାକୁ ଅନେକ ଚେଷ୍ଟା କରିସାରିଲେଣି, କିନ୍ତୁ କେହି ଜଣେ ବି ସେଥିରେ ସଫଳ ହେଇ ପାରିନାହାନ୍ତି ।

ଖୁଡିଙ୍କ ମନରେ କାହିଁକି ଏ ଅସହିଷ୍ଣୁ ଭାବ ଆସିଯାଇଥିଲା, କାହା ଆଗରେ କେବେ ସେ ପ୍ରକାଶ କରିନଥିଲେ । ସୁରଭାଇନାଙ୍କ ଭଳି ଏତେ ଶାନ୍ତଶିଷ୍ଟ, ମାତୃଭକ୍ତ ପୁଅ ଯେ କେବେ ମା’ର ଅଧିକାରରୁ ତାଙ୍କୁ ବଞ୍ଚିତ କରିଦେବ, ସେ ଭୟ ତ ନଥିଲା, ବା ଖୁଡିଙ୍କୁ ଗାଦିଚ୍ୟୁତ କରି ଶୋଭିଭାଉଜ କେବେ ତାଙ୍କ ସ୍ଥାନ ଦଖଲ କରିନେବେ, ସେ ଆଶଙ୍କା ବି ନଥିଲା । ତାହାହେଲେ କାହିଁକି ଶୋଭିଭାଉଜଙ୍କୁ ଏତେ ହତାଦର କରୁଥିଲେ ସେ ?

ଶୋଭିଭାଉଜ ବି କୋଉ ମାଟିରେ ଗଢା କେଜାଣି, ନିଜର ଭୁଲ୍ ନଥାଇ ବି ଅନେକ ସମୟରେ ଗାଳି ଖାଉଥିଲେ ମଧ୍ୟ କେବେ ତୁଣ୍ଡ ଖୋଲୁନଥିଲେ । କେବଳ ନିଜର ଅପମାନ ନୁହେଁ ତ, ନିଜ ବାପା ମା’ଙ୍କୁ ମଧ୍ୟ ଅପମାନ ପାଇ ଫେରିଯିବା କଥା ଦିନ ପ୍ରତିଦିନ ଦେଖିବାଟା ତାଙ୍କର ଅଭ୍ୟାସ ହେଇଗଲାଣି । ତଥାପି ବେଳ ଅବେଳରେ ସେମାନେ ଧାଇଁ ଆସନ୍ତି । କେମିତି ନ ଆସିବେ, ଝିଅ ବାହା ଦେଇଛନ୍ତି .. ଆଡେଇ ରହିପାରିବେ ବା କେମିତି !!

ଆଜିକାଲିକା ଯୁଗରେ ଜଣେ ପାଠ ପଢୁଆ ଝିଅ ପୁଣି ଏତେ କଟୁ କଥା କେମିତି ସହ୍ୟ କରିନେଉଛି, ଭାବିଲେ ଆଶ୍ଚର୍ଯ୍ୟ ଯେତିକି ଲାଗେ, ତା’ଠାରୁ ଅଧିକ ଖୁଡିଙ୍କ ଭାଗ୍ୟ ପ୍ରତି ଈର୍ଷା ହୁଏ, ତା’ ସହିତ ଖୁଡିଙ୍କ ଅବିବେକୀପଣ ଲାଗି ରାଗ ବି ମାଡେ ଖୁବ୍ । ଏତେ ସବୁ ବାଦେ ବି ଭାଉଜଙ୍କ ମନରେ ସମଗ୍ର ପରିବାର ପ୍ରତି ଭରି ରହିଥିଲା ଅମାପ ଆତ୍ମୀୟତା .. ଅସରନ୍ତି ସହୃଦୟତା ।

ଦେଖିବା ଲୋକ ଶୋଭିଭାଉଜଙ୍କୁ ସମବେଦନା ଜଣେଇ ପଦେ କିଛି କହିଦେଲେ ଖୁଡି ଆଦୌ ବରଦାସ୍ତ କରିପାରନ୍ତିନି । ଚିହିଁକି ଉଠି କୁହନ୍ତି, “ତା’ର ପୁଣି କଷ୍ଟ କ’ଣ .. ଦୁଃଖ କ’ଣ ? ଜଞ୍ଜାଳ କାହାକୁ କୁହାଯାଏ, ତାକୁ କ’ଣ ଜଣା ? ଶାଶୁ ନଣନ୍ଦ, ଯା’ ଦେଢଶୁରଙ୍କ ପ୍ରାଦୁର୍ଭାବ କ’ଣ, ଆମେ ଯେତେ ଜାଣିଛୁ, ସେମାନେ ଜାଣିବା ତ ଦୂରର କଥା, କଳ୍ପନା ବି କରିପାରିବେନି  । କେବଳ ଆମ ଘର ବୋଲି ଚଳିଯାଉଛି, ଆଉ କୋଉ ଶାଶୁ ହେଇଥିଲେ ଚପଲରେ ମାରି ବିଦା କରିସାରନ୍ତାଣି।“

ମନଟା ଛି ହେଇଯାଏ ଖୁଡିଙ୍କ ପ୍ରତି । କେମିତି ଏତେ ଟାଣ ଟାଣ କଥା ସେ କହି ପାରୁଛନ୍ତି ! ସେ ନିଜେ ବି ତ ଝିଅ ବାହା କରିଛନ୍ତି ! ତାଙ୍କ ଝିଅକୁ ଯଦି ଏମିତି କଥା ଶାଶୁଘରେ କେହି କହୁଥିବାର ସେ ଶୁଣିବେ, ବରଦାସ୍ତ କରିପାରିବେ କି ? ଭାଗ୍ୟ ଭଲ, ଝିଅର ଶାଶୁଘରେ ସେମିତି କିଛି ଅସୁବିଧା ନାହିଁ । ଝିଅର ଶୁଖିଲା ମୁହଁ କେବେ ଦେଖିନାହାନ୍ତି ତ, ତେଣୁ ଜାଣିନାହାନ୍ତି ଶାଶୁଘରେ ଝିଅ କଷ୍ଟ ପାଇଲେ ବାପା ମା’ଙ୍କୁ କେମିତି ଲାଗେ!

ଆଜିର ପାଟିତୁଣ୍ଡ ସକାଳୁ ସକାଳୁ ଆରମ୍ଭ ହେଇ ଏପର୍ଯ୍ୟନ୍ତ ବି ଚାଲୁ ରହିଥିଲା । ଆଜି ତାଙ୍କର ରାଗ ପୂରା ପଞ୍ଚମରେ ଥିଲା । କାହାରି ଉପସ୍ଥିତି ଅନୁପସ୍ଥିତିକୁ ଆଜି ତାଙ୍କର ଜମାରୁ ଖାତର ନଥିଲା । ଦେହ ଖରାପ ଯୋଗୁଁ ବିଗତ ଦୁଇ ଦିନ ଧରି ସୁରଭାଇନା ବିଶ୍ରାମ ନେବାକୁ ଘରେ ହି ରହୁଛନ୍ତି । କିନ୍ତୁ କି ବିଶ୍ରାମ ନେବେ ସେ ? ଖୁଡିଙ୍କର ସକାଳୁ ସଞ୍ଜ ଯାଏ ଚାଲିଥିବା ଅବିଶ୍ରାନ୍ତ ଗାଳି ଗୁଲଜରେ ତାଙ୍କ ଦେହ ବରଂ ବେଶି ଖରାପ ହେଇଉଠିଥିବ । ଅଫିସ୍ ଚାଲି ଯାଇଥିଲେ ହୁଏତ ଭଲ ହେଇଥାନ୍ତା ।

ବ୍ୟସ୍ତ ବିବ୍ରତ ହୋଇ ସେ କେବଳ ନିଜ ଶୋଇବାଘର ଭିତରେ ପଦଚାଳନା କରି ଚାଲିଛନ୍ତି । ହୁଏତ ଭାବୁଥିବେ ଶୋଭିଭାଉଜ କେମିତି ଏତେ ବର୍ଷ ହେଲାଣି ଖୁଡିଙ୍କ ସାଙ୍ଗରେ ଦିନ କଟୋଉଛନ୍ତି ! ଗାଳି ଦେବାରେ ମନା ନାହିଁ, କିନ୍ତୁ କିଛି ତ କାରଣ ଥିବା ଦରକାର । କିଛି ତ ସାର୍ଥକତା ରହିଥିବା ଦରକାର!

ଖୁଡିଙ୍କର ସ୍ୱଭାବରେ କେମିତି ପରିବର୍ତ୍ତନ ହେବ, ସେହି ଚିନ୍ତା ଏବେ ତାଙ୍କୁ ଦିନରାତି ଖାଇଯାଉଛି । କେତେ ହସଖୁସିଆ ପରିବାର, ଏଇ ମାତ୍ର କିଛିଟା ବର୍ଷ ଭିତରେ କେତେ ଶ୍ରୀହୀନ ହେଇଗଲାଣି! ଆଉ ଏସବୁ କେବଳ ଯେ ଖୁଡିଙ୍କ ପାଇଁ, ଏଥିରେ କୌଣସି ଦ୍ୱିମତ ନଥିଲା । ଶୋଭିଭାଉଜଙ୍କର ସେପରି କିଛି ଦୋଷ ଯେତେ ଖୋଜିଲେ ବି ତାଙ୍କ ନଜରକୁ ନିଶ୍ଚୟ ଆସୁନଥିବ । ତଥାପି ଏତେ ଦଣ୍ଡ ଭୋଗ କରିବାକୁ ପଡୁଥିବାରୁ, ଭାଇନା ଦିନକୁ ଦିନ ବଡ ଉଦାସ ହେଇ ପଡୁଥିଲେ । ଘରର ଅଶାନ୍ତ ବାତାବରଣ ପାଇଁ ଆଜିକାଲି କକେଇ ବି ଅଧିକାଂଶ ସମୟ ଶେଯରେ ପଡି ରହୁଛନ୍ତି । ମୁହଁରେ ସେ କିଛି କହୁନଥିଲେ ସତ, ହେଲେ ଘରର ପରିବର୍ତ୍ତିତ ଅବସ୍ଥା ପାଇଁ ଭିତରେ ଭିତରେ ସେ ଭାଙ୍ଗି ପଡୁଛନ୍ତି ବୋଲି ସମସ୍ତେ ଜାଣି ସାରିଥିଲେ । ସମସ୍ତେ କକେଇଙ୍କ ପ୍ରତି ସମବେଦନା ପ୍ରକଟ କରୁଥିଲା ବେଳେ ମୋ ମନ ତାଙ୍କ ବିରୁଦ୍ଧରେ ବିଦ୍ରୋହ କରୁଥିଲା । ଏତେ ସବୁକିଛି ତାଙ୍କ ଆଖି ଆଗରେ ଘଟିଚାଲିଛି, ଅଥଚ ଦାରୁଭୂତ ମୁରାରୀ ପରି ସବୁ ଦେଖି ଚାହିଁ ବି ଚୁପ୍ କିପରି ରହିଛନ୍ତି ସେ ! ସୁରଭାଇନା ଖୁଡିଙ୍କୁ କିଛି କହିବାଟା ଉଚିତ ହେବନି ଜାଣି ଚୁପ୍ ରହି ଯାଉଛନ୍ତି, କିନ୍ତୁ କକେଇଙ୍କର ତ କର୍ତ୍ତବ୍ୟ ଅଛି । ଭଲରେ କହିଲେ ଯଦି ଖୁଡି ନଶୁଣୁଛନ୍ତି, ତେବେ ବିରକ୍ତ ହେବା କଥା ! ଘରର ମୂରବୀ ଯଦି ଏମିତି ଚୁପ୍ ରହିଯିବ, ଘରେ ଅଶାନ୍ତି ତ ନିଶ୍ଚୟ ହେବ ।

କିଛି ସମୟ ପାଇଁ ନିରବୀ ଯାଇଥିବା ଖୁଡିଙ୍କ ପାଟି ପୁଣି ଥରେ ଆରମ୍ଭ ହେଇଗଲା । ଏଥର ଶୋଭିଭାଉଜଙ୍କୁ ଶୁଣେଇବା ସହିତ ନିଜ ଶାଶୁ ନଣନ୍ଦ, ଯାଆଙ୍କୁ ମଧ୍ୟ ଗାଳି ଦେବା ଚାଲୁ କରିଦେଇଥିଲେ । ତା’ ସହିତ ନିଜ ଭାଗ୍ୟକୁ । ସୁରଭାଇନା ବରଣ୍ଡାରେ ଠିଆ ହେଇ ସେସବୁ ଚୁପ୍ ଚାପ୍ ଶୁଣି ଯାଉଥିଲେ । ମତେ କାହିଁକି କେଜାଣି ଲାଗୁଥିଲା, ଆଜି ନିଶ୍ଚୟ କିଛି ନା କିଛି ଘଟିଯିବ । କିନ୍ତୁ କ’ଣ ଆଉ କେତେବେଳେ ଘଟିବ, ଅନୁମାନ କରିନଥିଲି ।

ନିରବଚ୍ଛିନ୍ନ ଭାବରେ କହି ଚାଲିଥିଲେ ଖୁଡି – ତୁ କାହିଁକି ଜାଣିବାକୁ ଯିବୁ ଶାଶୁ କେମିତି ଯନ୍ତ୍ରଣା ଦିଏ, ନଣନ୍ଦ କେମିତି ଦାଉ ସାଧେ .. ବଡ ଯାଆର ଦୌରାତ୍ମ୍ୟ ଯଦି ସହିଥାନ୍ତୁ, ତେବେ ଜାଣିଥାନ୍ତୁ । ମତେ ପଚାରେ କେମିତି ଦିନ ମୁଁ ବିତେଇଛି ! ଗୋଟିଏ ଗୋଟିଏ ରାତି ଆଖିରୁ ଲୁହ ଢାଳି ଢାଳି ବିତେଇଛି । କାନ୍ଦି କାନ୍ଦି ଦିନ ବିତିଯାଇଛି ପଛେ ଲୁହ ସରିନାହିଁ .. କି ଉପଶମ ମିଳିନାହିଁ । କାହାରି ଆହା ପଦେ ପାଇଁ ଏ କାନ ବ୍ୟାକୁଳ ରହିଛି ଜୀବନସାରା । ସେଥିରେ ପୁଣି ଦିନସାରାର ଗଧଖଟଣୀ, ସମସ୍ତଙ୍କର ସେବା, କେତେ ତୋଡ, କ’ଣ ନସହିଛି ଏ ମଣିଷ .. ତଥାପି କେହି ଦିନେ କାଳେ ଖୁସି ହେଇନାହିଁ । ଯାହା ହାତ ଧରି ଏ ଘରକୁ ଆସିଛି ସଂସାର କରିବାକୁ, ସେ ବି ଦିନେ ନାହିଁ କାଳେ ନାହିଁ କେବେ ବୁଝିବାକୁ ଚେଷ୍ଟା କରିନି ସୁବିଧା ଅସୁବିଧା କିଛି । କେବେ ମୁହଁ ଖୋଲି ପଦେ କହିବାକୁ ବି ସାହାସ କରିପାରି ନାହିଁ । ଆଉ ତୁମମାନଙ୍କର ଏମିତି କି ଅସୁବିଧା ହେଇଯାଉଛି ଯେ ଦିନରାତି ଧାନଉଷୁଁଆ ହାଣ୍ଡି ପରି ମୁହଁଟାକୁ କରି ଘର ଭିତରେ ବୁଲୁଛ ! ଚାକର ପୂଝାରୀ ରହିଛନ୍ତି ତମ ହୁକୁମ ମାନିବାକୁ .. ଘରେ ଏମିତି କେହି ନାହାନ୍ତି ଯିଏ ତମ ହାତଟେକା ପାଣି ଦରକାର କରିବ .. କାହାରି ଅଳି ନାହିଁ କି ଅଝଟ ନାହିଁ .. ସେଥିରେ ପୁଣି ଏତେ ରାଗରୂଷା !!

ଖୁଡିଙ୍କ ମନତଳର ଯେତେ ସବୁ କୁଣ୍ଠା ଆଜି ଉତୁରି ପଡୁଥିଲା । ପ୍ରକୃତରେ ସେ ଯାହା କହୁଛନ୍ତି, ସେଥିରେ କିଛି ବି ମିଥ୍ୟା ନଥିଲା । ବାହାହୋଇ ଆସିଲା ଦିନରୁ ଘରର ସାନବୋହୂ ବୋଲି ସମସ୍ତଙ୍କର ସବୁ ପ୍ରକାରର ଗଞ୍ଜଣା ଏକା ଏକା ସେ ସହ୍ୟ କରିଆସିଛନ୍ତି । କେବେ କାହାରି ଆଗରେ ମୁହଁ ଖୋଲିବାର ସୁଯୋଗ ପାଇନାହାନ୍ତି । କାହାକୁ ବା କହିଥାଆନ୍ତେ । ଯାହାକୁ ନେଇ ତାଙ୍କ ଘରସଂସାର, ସେ ଯେତେବେଳେ ଘରଲୋକଙ୍କ ରଙ୍ଗରେ ରଙ୍ଗିଥାଏ, ତେବେ ଅନ୍ୟ କିଏ କାହିଁ ଶୁଣିବାକୁ ଯିବ ତାଙ୍କ କଥା ! ପାଟିରୁ କିଛି ବାହାରିଲା ପୂର୍ବରୁ ହିଁ ସମସ୍ତଙ୍କର ନାଲିଆଖି ତାଙ୍କୁ ଚୁପ୍ ରହିବାକୁ ବାଧ୍ୟ କରିଦେଇଛି । ଏବେ ଏତେ ଦିନ ପରେ ମିଳିଥିବା ସ୍ୱାଧିନତା ଆଉ ବଡପଣ, ତାଙ୍କ ବନ୍ଦ ପାଟିକୁ ଭଲ କରି ଖୋଲିଦେଇଛି । କିନ୍ତୁ ବୁଝି ପାରୁନାହାନ୍ତି ଯେ ଯୁଗ କାହିଁ କେତେ ଆଗକୁ ବଢିଗଲାଣି । ଆଗେ ବୋହୂଟିର କିଛି କହିବାର ଅଧିକାର ଜମାରୁ ନଥିଲା । ଏବେ ଦେଶର କାନୁନ ବି ଶାଶୁଘରର ଲୋକଙ୍କ ପକ୍ଷରେ ନହୋଇ ହେଉଛି ବୋହୂମାନଙ୍କ ସପକ୍ଷରେ! ତାଙ୍କ ଭାଗ୍ୟ ଭଲ ବୋଲି ଶୋଭିଭାଉଜଙ୍କ ପରି ଦାୟିତ୍ୱବାନ୍ ବୋହୂଟିଏ ତାଙ୍କୁ ମିଳିଛି । ନହେଲେ ତାଙ୍କ ଅବସ୍ଥା ଏତେବେଳକୁ କ’ଣ ହେଇ ସାରନ୍ତାଣି, ସେ ନିଜେ ବି ତା’ର ଅନୁମାନ କରି ନଥିବେ ।

ତାଙ୍କୁ କିଏ ବା ବୁଝେଇବ ଯେ ଏପରି ବ୍ୟବହାର ଦ୍ୱାରା ସେ ନିଜର କିଛି ଲାଭ କରିବା ଅପେକ୍ଷା ବରଂ କ୍ଷତି କରୁଛନ୍ତି । ଏମିତି ଯଦି ଆଉ କିଛି ଦିନ ଚାଲିବ, ହୁଏତ ତାଙ୍କର ମୁଣ୍ଡଦୋଷ ବାହାରି ଯାଇପାରେ । ନହେଲେ ଏମିତି ବି ହୋଇପାରେ ଯେ ସବୁଦିନର ଖିଟ୍ ଖାଟରୁ ରକ୍ଷା ପାଇବା ପାଇଁ ସୁରଭାଇନା ଭାଉଜଙ୍କୁ ସାଙ୍ଗରେ ନେଇ ଅଲଗା ରହିବାକୁ ଜିଦ୍ଦି କରିପାରନ୍ତି । ଦୁଇଟି ଯାକ ପରିସ୍ଥିତିରେ ଦେଷ କାହାରି ରହିବ ନାହିଁ, କି କ୍ଷତି କାହାରି ହେବନାହିଁ, କେବଳ ଖୁଡିଙ୍କ ଛଡା ।

ଏପର୍ଯ୍ୟନ୍ତ ସୁଦ୍ଧା ତାଙ୍କ ପାଟି ବନ୍ଦ ହେଇନଥିଲା । ସମସ୍ତଙ୍କୁ ଶୁଣେଇ ଶୁଣେଇ କିଛି ନା କିଛି ଅସହନୀୟ କଥା କହିଚାଲିଥିଲେ । ସୁରଭାଇନା ଗୋଟିଏ ଗୋଟିଏ ସିଢି ଅତିକ୍ରମ କରି ତଳକୁ ଓହ୍ଲେଇ ଆସିଲେ । ମୁଁ ଉତ୍କଣ୍ଠାର ସହିତ ଚାହିଁ ରହିଥିଲି । ଅଜଣା ଭୟ ଗ୍ରାସ କରି ଯାଉଥିଲା । କି ଅଘଟଣ ଘଟିବାକୁ ଯାଉଛି, କିଏ ଜାଣେ ! ସୁରଭାଇନାଙ୍କୁ ହଠାତ୍ ନିଜ ସାମନାରେ ଦେଖ ସାମାନ୍ୟ ଶଙ୍କିଗଲେ ଖୁଡି । ହୁଏତ ଏହା ତାଙ୍କ ଚିନ୍ତାର ବାହାରେ ଥିଲା । ସେ ପାଟିକଲା ବେଳେ ତାଙ୍କ ସାମନାକୁ ସାହାସ କରି କେହି ଆସନ୍ତି ନାହିଁ ।

ଆଉ ଆଜି ସୁରଭାଇନା କେମିତି?

ଖୁଡିଙ୍କୁ ଚୁପ୍ ରହିଯିବାର ଦେଖି ଧୀର ଗମ୍ଭୀର ସ୍ୱରରେ ଭାଇନା କହିଲେ, “ କାହିଁକି ସବୁଦିନ ଏମିତି ପାଟିକରି ନିଜକୁ ଲୋକହସା କରୋଉଛୁ ? ଜାଣିଛୁ, ଏଥିରେ କ୍ଷତି କାହାର ହେଉଛି ?”

“ତୁ କ’ଣ ମୋରି ଲାଭକ୍ଷତି ମତେ ବୁଝେଇବାକୁ ଆସିଛୁ, ନା ତୋ’ ସ୍ତ୍ରୀକୁ କହିଲାରୁ ଦେହ ସହୁନି ! ଏମିତି ପଦେ ଅଧେ କଥାରେ ତୁମମାନଙ୍କ ଦେହରେ କାହିଁକି ଏତେ କଣ୍ଟା ଗଳିଯାଉଛି ଯେ ! କେବେ ଜାଣିଛୁ । ଆମେ ସବୁ କେମିତି ଦିନ କଟେଇଛୁ ? ଆମ ଶାଶୁ ନଣନ୍ଦ ..”

ଖୁଡିଙ୍କ କଥାକୁ ଅଧାରୁ କାଟିଦେଇ ଭାଇନା କହିଉଠିଲେ, “ତୁ କ’ଣ ଚାହୁଁଛୁ ଶୋଭି ବି ଜୀବନସାରା ସେଇ ସ୍ମୃତିରେ ବଞ୍ଚିରହୁ …?”

ଅକସ୍ମାତ୍ ବଜ୍ରପାତରେ ଦୋହଲି ଗଲା ଆଖପାଖର ପୃଥିବୀ ସତେ କି ! ସ୍ତବ୍ଧ ରହିଗଲେ ଖୁଡି । ଅବିଶ୍ୱାସ ଦୃଷ୍ଟିରେ ଚାହିଁ ରହିଗଲେ ସୁରଭାଇନାଙ୍କୁ । ହାତରୁ ଖସି ପଡିଥିବା ଆଇନାଟା ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯାଇଥିଲା । ଆଜି ପର୍ଯ୍ୟନ୍ତ ସେଥିରେ ଦେଖି ଆସୁଥିବା ରଙ୍ଗ ଏମିତି ଅକସ୍ମାତ ଧୂମାୟିତ ହେଇଯିବାର କଳ୍ପନା ସେ ହୁଏତ କେବେ କରିନଥିବେ । ଆଖିରୁ ବାହାରି ଆସୁଥିବା ଲୁହକୁ ରୋକିକି ରଖି ପାରିଲେନି । ନିଜ ହାତରେ ନିଜ ପାଇଁ ସେ କ’ଣ ଖାଇ ଖୋଳୁଛନ୍ତି !

ସେଇ ସ୍ଥାନରୁ କେତେବେଳେ ଚାଲି ଯାଇଥିଲେ ଭାଇନା । ନିଃସହାୟତାର ଖୋଳପା ଭିତରେ ନିଜକୁ ଲୁଚେଇ ପକେଇବାର ଅସଫଳ ପ୍ରୟାସ କରୁ କରୁ ଭଙ୍ଗା ଆଇନାକୁ ଧରି ଖୁଡି କଇଁ କଇଁ ହୋଇ କାନ୍ଦୁଥିଲେ … ନିଜ ଦୁଃଖର ଛାଇରୁ ସବୁଦିନକୁ ବାହାରିଯିବା ପାଇଁ !

                                               -0-

 


Rate this content
Log in

Similar oriya story from Drama