Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIPRA NAMTA

Inspirational Others

3  

SIPRA NAMTA

Inspirational Others

ଜୀବନ ତରଙ୍ଗ

ଜୀବନ ତରଙ୍ଗ

8 mins
7.5K


ଦୁଇଟା ଛୋଟ ଛୋଟ ଆଖି ଜୁଳୁ ଜୁଳୁ କରି ଅନଉଥିଲେ ତାଙ୍କ ଆଡକୁ ।ସୁଲତାଙ୍କୁ ଖୁବ୍ ବ୍ୟସ୍ତ ଲାଗିଲା ।କାରଣ ସେ ଚୟନ କରିସାରିଥିଲେ ଗୋଟେ ଶିଶୁ ପୁତ୍ରକୁ । ବୟସ ଏଇ ବର୍ଷଟିଏ ହେବ ବୋଲି ତ ଅଧ୍ୟକ୍ଷ କହୁଛନ୍ତି ତଥାପି ଅତି ଜୋରରେ ଦେଢ ବର୍ଷରୁ ଦୁଇ ବର୍ଷ ଭିତରେ ହେବ ଅଧିକ ହେବ ନାହିଁ ।

କିନ୍ତୁ ଏ ଆଖି ଦୁଇଟି ଯେମିତି କହୁଛନ୍ତି ,ମୋତେ ବି ତୁମ ସାହାରାରୁ ବଞ୍ଚିତ କର ନା । ବଡ ଅସମଞ୍ଜସରେ ପଡିଲେ ସୁଲତା । ଆଉ ଗୋଟେ ପିଲା କଥା କହିଲେ ,ସ୍ୱାମୀ ତଥା ଅଧ୍ୟକ୍ଷ ,ଵିରକ୍ତ ହୋଇପାରନ୍ତି । ତଥାପି ସାହସ କରି ଅଧ୍ୟକ୍ଷଙ୍କୁ କହିଲେ ,ମହାଶୟ ,ଆମେ ଦୁଇଜଣ ଶିଶୁଙ୍କୁ ନେବାରେ କିଛି

ଆପତ୍ତି ଅଛି ?

--ହଁ ମାଡମ ,ଆପତ୍ତି ଯଦିଓ ସେମିତି କିଛି ନାହିଁ କିନ୍ତୁ ଆପଣଙ୍କୁ ଦୁଇଟି ଶିଶୁ ଗ୍ରହଣ କରିବାର ଆବଶ୍ୟକତା ଉପରେ କ୍ଲରିଫିକେସନ ଦେବାକୁ ପଡିବ ଅଣ୍ଡରଟେକିଙ୍ଗ ଦେବାକୁ ପଡିବ ।

--ଓ କେ ,ସେସବୁର ବ୍ୟବସ୍ଥା ହୋଇଯିବ । ଆପଣ ଏମାନଙ୍କୁ ନେଇଯିବା ପାଇଁ ବ୍ୟବସ୍ଥା କରନ୍ତୁ ।

-- ---

ନନ୍ଦ ଭବନରେ ଆଜି ଉତ୍ସବ । ଚତୁର୍ଦ୍ଦିଗ ସେ ଖବର ବ୍ୟାପିଯାଇଥାଏ । ନନ୍ଦ ବାବୁ ସେ ଅଞ୍ଚଳରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି । କିନ୍ତୁ ନିଃସନ୍ତାନ ଥିବା ଯୋଗୁଁ ତାଙ୍କର ସୁଖ ନଥିଲା । ଥରୁଟିଏ ଚିକିତ୍ସା କରାଇଥିଲେ ସେ ,ତା'ପରେ ଆଉ କୋଉଠି ଚିକିତ୍ସା ହେବାକୁ ନାପସନ୍ଦ କରି ଥିଲେ ସୁଲତା କାରଣଟା ହେଲା ଟେଷ୍ଟ ଟ୍ୟୁବ ବେବି ପାଇଁ ଆବେଦନ କରି ଯେଉଁ ଅନୁଭୂତି ପାଇଲେ ସେ ସେଥିରୁ ମନ ସମ୍ପୂର୍ଣ୍ଣ ଓହରି ଆସିଲା । ଅଯଥାରେ ଗୁଡାଏ ଟଙ୍କା ଶ୍ରାଦ୍ଧ ହେଲା ଖାଲି । ସେ ଟଙ୍କା କ୍ଲିନିକ ଵାଲା ଖାଇଲେ । ନାମକୁ ମାତ୍ର ଆଡ ଭଟାଇଜ଼ରେ ଫସି କେତେ ଯେ ମହିଳା ସର୍ଵସ୍ୱାନ୍ତ ହେଲେଣି ତା'ର ହିସାବ କିଏ ରଖୁଛି । କିନ୍ତୁ ବିକଳ ହୋଇ ଘୁରିବୁଲୁଥିବା ମାତୃତ୍ବଟିଏ ସହାରା ପାଇଁ କେତେ କଣ ଯେ ନ କରେ ? ଜଡି ବୁଟି ଠାରୁ ଆରମ୍ଭ କରି ,ଗାଁ ଗହଳିରେ ଦାସୀ କାଳେସୀ ପାଖରେ ଅଧିଆ ପଡିବା ,ତୁଟୁକା ଔଷଧ ଖାଇବା ,ପର୍ଯନ୍ତ ସବୁକିଛି । ୟା ମଧ୍ୟରେ ନଅ ଦଶ ବର୍ଷ ବିତିଯାଇଥିଲେ ମଧ୍ୟ ପୋଷ୍ୟ ସନ୍ତାନ ଉପରେ ସୁଲତାଙ୍କ ପ୍ରସଙ୍ଗକୁ ମାନସିକ ସ୍ତରରେ ଗ୍ରହଣ କରିପାରୁ ନଥିଲେ ନନ୍ଦବାବୁ । ଅବଶେଷରେ ସୁଲତାଙ୍କୁ ସହମତି ପ୍ରଦାନ କରିବାରୁ ନିକଟସ୍ଥ ଅନାଥଳୟ ଠାରୁ ଆରମ୍ଭ କରି ରାଜ୍ୟଉପାନ୍ତ ସୀମା ପର୍ଯ୍ୟନ୍ତ ଅନୁସନ୍ଧାନ ଦୁଇ ବର୍ଷ ଧରି ଜାରି ରଖିଥିଲେ । ଶେଷରେ ସେଇ ବହୁ ଆକାଂକ୍ଷିତ ଦିନର ଉପସ୍ଥିତି ହେଲା । କିନ୍ତୁ ସେଇ ଆଖି ଯୋଡିକର ଆକର୍ଷଣରେ ସୁଲତା ହାରିଗଲେ । ନନ୍ଦବାବୁଙ୍କ ଚେତନାକୁ ଆଖି ଆଗରେ ରଖି ପ୍ରବଳ ମାନସିକ ଚାପର ସମ୍ମୁଖୀନ୍ନ ହେବାକୁ ପଡୁଥାଏ ,ତଥାପି ମନରୁ ସାହସ ହରାଉ ନଥାନ୍ତି ସେ । ମମତାର ବିଜୟ ହେବାର ମୁହୂର୍ତ୍ତ ଟିକକକୁ ସେ ଦୁଇ ସନ୍ତାନକୁ ଛାତିରେ ଜଡାଇ ଧରି ଅନୁଭବ କରୁଥାନ୍ତି ।

------

ଜନ୍ମାଷ୍ଟମୀର ପବିତ୍ର ମୁହୂର୍ତ୍ତରେ ସୁଲତା ବିଧିବିଧାନ ପୂର୍ବକ ପିଲା ମାନଙ୍କର ପୂଜା ,ନାମକରଣ ଇତ୍ୟାଦି କରାଇ ଥିଲେ । ସମାଜର ପ୍ରତି ଆକ୍ରମଣ ମୂଳକ ସମାଲୋଚନାକୁ ଆଦୌ ଭ୍ରୁକ୍ଷେପ ନ କରି । ପରିବାର ତଥା ,ଜ୍ଞାତି କୁଟୁମ୍ବଙ୍କ ବିରୋଧାଭାସକୁ ମଧ୍ୟ ଖାତିର ନଥିଲା ସୁଲତାଙ୍କର ।

ଠିକ୍ ପିଲାଙ୍କ ଏଡପସନ ଫର୍ମରେ ସାଇନ କରିବା ଠାରୁ ଆରମ୍ଭ କରି ହଜାରେ ଫୋନ ବୋଧ ହୁଏ ଆସିସାରିଥିଲା ।

ପ୍ରଥମ ଫୋନ ଆସିଥିଲା ନିଜ ଭଉଣୀ ଠାରୁ ।

--ତୁ ଅନ୍ୟ ପିଲାକୁ ଗ୍ରହଣ କରିବା ପୂର୍ବରୁ ଥରୁଟିଏ ଚିନ୍ତା କରିବା ଦରକାର ବୋଲି ଭାବିପାରିଲୁନି । ଆମ ନିଜ ନିଜ ଭିତରେ ଏତେ ଗୁଡିଏ ପିଲା ଥାଉ ଥାଉ ଜାତି ,କୁଳ , ଗୋତ୍ର , ବଂଶ ପରିଚୟ ଜଣା ନଥିବା ପିଲାକୁ ନେଇ ଆଣି ପାରିଲୁ ।

ଛିଃ...., ମୁଁ ଏ କଥା ଅନ୍ତତଃ ତୋ ଠାରୁ ଆଶା କରି ନଥିଲି ନାନୀ ।

--କଁଅଳା ପିଲାର ରକ୍ତ ଆଉ ବୟସ୍କ ଲୋକର ରକ୍ତ କଣ ଅଲଗା ? ନା ରକ୍ତର ରଙ୍ଗଟା ପ୍ରାଣୀ ମାନଙ୍କ ମଧ୍ୟରେ ଭିନ୍ନ ।

ଧଡାସ କରି ଫୋନଟା ରଖିଦେଇଥିଲା ଭଉଣୀ ,ଆଉ କିଛି ଶୁଣିବା ପୂର୍ବରୁ । ଭାଇ ଯଦିଓ ଫୋନ କରି ନଥିଲା ତା ସ୍ତ୍ରୀ କରିଥିଲା,

--ଆମର କିଛି ଭୁଲ ରହିଲା କି ଅପା !! ଶୁଭକୁ ବି ତ ନେଇପାରିଥାନ୍ତ !

ଶୁଭ, ସାନ ଭାଇର ତୃତୀୟ ପୁତ୍ର ସନ୍ତାନ । ସେ ଏବେ କ୍ଲାସ ଫୋରରେ ପଢୁଛି ।

ଯଦିଓ ସୁଲତା ଏ କଥା ମନକୁ ଆଣିଥିଲେ ତା ଜନ୍ମ ସମୟରେ ,ସେତେବେଳେ କିନ୍ତୁ ଶୁଭର ବାପା ଓ ମାଆ ( ଭାଇ ଭାଉଜ ) ସେ କଥାରେ ଗୁରୁତ୍ୱ ଦେଇ ନଥିବାର ବିଷୟ ସ୍ମରଣ କରାଇଦେଲେ ସୁଲତା ।

ନନ୍ଦ ବାବୁଙ୍କର ପରିବାର ପକ୍ଷରୁ ମଧ୍ୟ ଢେର ବିରୋଧ ହୋଇଥିଲା ଭାଇ ମାନଙ୍କର କଟୁକ୍ତିରେ । ଭଉଣୀ ମାନେ ଖୁବ୍ ଗୋଟାଏ ଯେ ପସନ୍ଦ କଲେନି ,ସେ କଥା ନୁହଁ ,ସେମାନେ ନିରପେକ୍ଷ ରହିବାକୁ ଚାହିଁ ଥିଲେ ।

-------

ସତରେ ନିଜର ଅସୁବିଧାକୁ ସୁବିଧାରେ ପରିଣତ କରିବା ପାଇଁ ସମାଜକୁ ଅନେକ କୈଫିୟତ ଦେବାକୁ ପଡେ । ସମାଜରେ ନିଜେ ତିଆରି କରିଥିବା ନୀତି ନିୟମର ବାଧାକୁ ଅତିକ୍ରମ କରିବା ପାଇଁ ଅନେକ କାରଣ ଦର୍ଶାଇବାକୁ ପଡେ । କାରଣ ମଣିଷ ସମାଜିକତାରେ ବଞ୍ଚେ ।

ସୁଲତାଙ୍କ ଯୁକ୍ତିରେ ନନ୍ଦବାବୁ ମଧ୍ୟ ସହଜରେ ପ୍ରଭାବିତ ହୋଇ ନଥିଲେ । ସେଥିପାଇଁ ସୁଲତାଙ୍କୁ ଅନେକ ପ୍ରସଙ୍ଗ ମାଧ୍ୟମରେ ବୁଝାଇବାକୁ ପଡିଛି । ଜନ୍ମ କରି ଶିଶୁଟିକୁ ପାଳି ପୋଷି ମଣିଷ କରି ତାକୁ ଯୋଗ୍ୟ କରିବା ଯାହା ସେଥିରେ ଖାଲି ଗୋଟିଏ ଶବ୍ଦ ଭିନ୍ନ ଥାଏ "ଜନ୍ମ"ର । କୋଉଠି ଦେବକୀ ଓ ଯଶୋଦାଙ୍କ ଉଦାହରଣ ତ କୋଉଠି ଆଉ କାହାର କଥାକୁ ବ୍ୟାଖ୍ୟା କରି କରି ଥକି ଯାଉଥିଲେ ସୁଲତା । ତଥାପି ନନ୍ଦବାବୁ ନିଜ ବଂଶ ମର୍ଯ୍ୟାଦାକୁ ଗୋଟାପଣେ ସାଉଁଟି ରଖିବାକୁ ବୃଥା ପ୍ରୟାସ କରୁଥାନ୍ତି । କିନ୍ତୁ ଧୈର୍ଯ୍ୟର ବାଲି ବନ୍ଧ ଦିନେ ନା ଦିନେ ଭୁଶୁଡିବାର ଥିଲା ,ତାହା ଭୁଶୁଡି ଗଲା । ନିଜ ପେଟର ଛୁଆ ଯେତେବେଳେ ବାପା ମାଆକୁ ଘରୁ କାଢ଼ିଦେବାର ଦୃଶ୍ୟ ସ୍ବ ଚକ୍ଷୁରେ ଦେଖିଲା ପରେ ଜନ୍ମିତ ଆଉ ପୋଷ୍ୟ ଭିତରେ ପ୍ରଭେଦ ଆଉ କଣ ରହିଲା ? ବୋଲି ମନେ ମନେ ଘାରି ହେବା ପରେ ସୁଲତାଙ୍କ ପ୍ରସ୍ତାବରେ ସହମତି ହେବା ବ୍ୟତୀତ ଅନ୍ୟ ଉପାୟ ନଥିଲା ।

-------

ପୋଷ୍ୟ...... ଶବ୍ଦଟା ଘୃଣ୍ୟ ....ବିକାର ଲାଗେ ଶୁଣିବାକୁ ।

ନିନ୍ଦନୀୟ ହୋଇଯାଏ ସମାଜରେ ଘଟଣାଟି । କିନ୍ତୁ ଅନ୍ତରର ବେଦନାକୁ କିଏ ବା ବୁଝିପାରେ ? କୋଳ ଶୂନ୍ୟ ମଣିଷର ବି ସମ୍ମାନ ରହେନା ଏ ସମାଜରେ । ...ବାଞ୍ଝ ପଣକୁ ତତଲା ବାଲିରେ ସିଝିବା ପରି ଚମଡାକୁ ଟାଣ କରିବାକୁ ହୁଏ । ଆଃ.... କି ଲଜ୍ଜା ! ସହିବାର ଏକ ସୀମା ଥାଏ । କିନ୍ତୁ ଲୋକେ ବି କୋଉ ଛାଡନ୍ତି କ୍ଷତ ଉପରେ ଲୁଣ ଚିମୁଟିଏ ଛାଟିଦେବାକୁ ।

ରାସ୍ତାରେ , ଛିଡା ହେବାକୁ ବି ଭୟ ଲାଗେ । କାହା ପାଟିରୁ କେତେବେଳେ କଣ ବହାରିଆସିବ ଛାତିଟା ଚିରି ହୋଇ କଲିଜାରୁ ରକ୍ତ ନିଗାଡି ଯିବ ଯେ !!ଜନକ ଜନନୀ ହେବାର ସୌଭାଗ୍ୟଟା କୋଉଠି ଅଟକି ଯାଇଛି କିଏ ବା କହିବ ତାଙ୍କୁ ।

ଅନ୍ତକାଳେ ସିନା ଯମଦ୍ୱାରରେ ଭେଟ ହେବ ଜୀଇଁ ଥାଉ ଥାଉ କେମିତି ଭେଟିବାକୁ ଯାଇପାରିବେ ସେ । ନନ୍ଦକିଶୋର ଆଉ ସୁଲତା ପରସ୍ପରଙ୍କୁ ଅସହାୟ ଚାହାଁଣୀରେ ଦେଖନ୍ତି । ସେଇ ଚାହାଁଣୀରେ ସବୁ ଭଲପାଇବା ,ସ୍ନେହ ପ୍ରେମର କାରୁଣ୍ୟତା ଝଲସି ଉଠେ । ସୁଲତାଙ୍କ ଆଖି କୋଣରେ ଜକେଇ ଆସୁଥିବା ଲୁହ ଚକ ଚକ କରି ସଂଚରିଯାଏ ନନ୍ଦବାବୁଙ୍କ ଆଖିକୁ । ଖୁବ୍ ଅସହାୟ ହୋଇ ଅଶ୍ରୁ ରୋଧ କରିନିଅନ୍ତି ସେ । ଏଇ ଅସହାୟତାର ନିଵାରଣ କରିବାର କୌଣସି ଉପାୟ ଯେମିତି ତାଙ୍କୁ ଦେଖାଯାଉନଥାଏ ।

ଲୁଚି ଲୁଚି ଅର୍ଦ୍ଧ ରାତ୍ରୀରେ ଖେଳନାରେ ପୂର୍ଣ୍ଣ କୋଠରୀକୁ ଉଭୟେ ଉଭୟଙ୍କ ଅଗୋଚରରେ କେତେ ଥର ଯେ ପରିକ୍ରମା କରନ୍ତି କାନ୍ଥରେ ଝୁଲୁଥିବା ଘଣ୍ଟା ହିଁ ତା'ର ମୂକ ସାକ୍ଷୀ ଥାଏ ।

ତକିଆର ଗୋଟେଫାଳ କାହା ଆଖି ଲୁହରେ ଭିଜେ ସେଇଟା କେବଳ ସେ ହିଁ ଜାଣେ । ହେଲେ ସେଇ ମୂକ ,ନିଥର ବସ୍ତୁ ଗୁଡିକ ସେ କଥା କାହାକୁ ଜଣାଇବାର ଯୁ ରଖି ନଥାନ୍ତି । କାରଣ କହିବାର ଶକ୍ତି ଟିକକ କାହାଠାରୁ ଉଧାର କରି ଆଣି କହିଦେଲେ ,ହାଲୁକା ହବା ବଦଳରେ ପରସ୍ପରଙ୍କ ମନ ଆହୁରି ଗୁମସୁମ ହୋଇଯିବ କାଳେ ,ତେଣୁକରି ନିରୁପାୟ ସମସ୍ତେ । ଏ ଅସହ୍ୟ ନିଃସଙ୍ଗତାକୁ ଦୂର କରିବାପାଇଁ ଯୋଉଦିନ ପୋଷ୍ୟ ଗ୍ରହଣର ନିଷ୍ପତ୍ତି ନିଆଗଲା ସେଦିନ ବୋଧହୁଏ ନନ୍ଦ ଭବନର ଭୌଗୋଳିକ ପରିବର୍ତ୍ତନ ହୋଇଗଲା ।

--ତୁମେ ସିନା ଦିନସାରା ଅଫିସ କାମରେ ବ୍ୟସ୍ତ ରହି ସମୟ ଜାଣିପାରୁନ , କିନ୍ତୁ ମୁଁ ? ଏଇ ଚାରି କାନ୍ଥ ଭିତରେ ଆବଦ୍ଧ ରହି କେମିତି ସମୟ କାଟୁଥିବି କହିଲ ??

ଅସୁମାରୀ କୋହର କଣ୍ଠରେ ଆକୁଳ ମିନତୀ ......

ମୋ କଥାରେ ଥରେ ଭାବି ଦେଖ । ଆଉ କିଛି ମାଗିବିନି ଜୀବନରେ । ଅବଶେଷରେ ବେଦନାର ଅନ୍ତଃସ୍ୱରଟି ସମାଜର ନାଲି ଆଖି ପ୍ରାଚୀରକୁ ଡେଇଁବାରେ ସଫଳ ହୋଇଥିଲା । ସଫଳ ହୋଇଥିଲେ ସୁଲତା ନିଜ ମାତୃତ୍ବକୁ ରୂପାୟିତ କରିବାରେ । ସଫଳ ହୋଇଥିଲେ ଅନ୍ଧବିଶ୍ୱାସର ସାମ୍ରାଜ୍ୟରେ ସତ୍ୟକୁ ସ୍ଥାନ ଦେଇ ସମ୍ମୁଖୀନ ହେବାର । ଏଥିରେ ସେ କମ କୃତଜ୍ଞ ନୁହନ୍ତି ନନ୍ଦବାବୁଙ୍କ ପାଖରେ । ଯାହା ହେଲେ ବି ସେ ପ୍ରଥମେ ଜଣେ ପୁରୁଷ ।ତାଙ୍କ ପୁରୁଷତ୍ୱ ଉପରେ ଆଞ୍ଚ ଆସିବା ସେ ସହଜରେ ସ୍ୱୀକାର କରିବେ ନାହିଁ । ସେହି କାରଣରୁ ସୁଲତା ତାଙ୍କୁ ଧନ୍ୟବାଦ ଦେବା କଥା । ଛାତିରେ ଜାବୋଡି ନେଇଆସିଥିଲେ ସୁଲତା ପିଲା ଦୁଇଟିଙ୍କୁ ।

---------

ଦୀର୍ଘ ତିନିବର୍ଷ ଅତିକ୍ରାନ୍ତ ହେଲାଣି । କିନ୍ତୁ ନନ୍ଦବାବୁ ନିଜର କରିପାରୁ ନାହାନ୍ତି ଛୁଆ ଦୁଇଟିଙ୍କୁ । ଏମିତି ନୁହେଁ ଯେ ସେମାନଙ୍କ ଭଲ ମନ୍ଦ କଥା ବୁଝୁ ନାହାନ୍ତି ସେ । ତଥାପି ଯେମିତି କୋଉଠି" କିନ୍ତୁ"ଟିଏ ରହି ଯାଉଛି । ସୁଖ ଦୁଃଖରେ ବିତିଯାଉଥିଲେ ମଧ୍ୟ ସୁଲତା ତାଙ୍କର ଅସୁବିଧା ଗୁଡିକ କହୁ ନଥାନ୍ତି ସ୍ୱାମୀଙ୍କୁ । ପାରୁ ପର୍ଯ୍ୟନ୍ତ ନିଜେ ସମାଧାନ କରିବାର ଚେଷ୍ଟା କରିଥାନ୍ତି । ସେଦିନ ତାଙ୍କୁ ଅଚାନକ ଜ୍ୱର ଆସିଥାଏ । ନନ୍ଦବାବୁ ଅଫିସରୁ କୌଣସି କାରଣରୁ ଶୀଘ୍ର ଫେରି ଆସିଥାନ୍ତି । ଯେଉଁ ଆଖି ଦୁଇଟି ଜୁଳୁ ଜୁଳୁ କରି ଚାହିଁ ରହିଥିଲା ସୁଲତାଙ୍କୁ ଅନାଥାଶ୍ରମରେ,ସେ ଆଖି ଥିଲା ଝିଅଟିଏର । ସେ ଥାଳିରେ ଅଟା ଚକଟୁ ଥାଏ ,ତା ଠାରୁ ବର୍ଷକର ସାନ ପୁଅ ସୁଲତା ମଥାରେ ପଟି ଦେଉଥାଏ ।

ଅବାକ ହୋଇ ଚାହିଁ ରହିଲେ ନନ୍ଦବାବୁ ।

--କ'ଣ ହୋଇଛି ପିଲାମାନେ । ସ୍କୁଲ ଯାଇନ ।....ଆରେ ସୁଲତା ତମର କଣ ହେଲା ?

--ବାବା ....ମାମାଙ୍କୁ ବହୁତ ଜ୍ୱର । ମୁଁ ପୁଅକୁ କହିଛି ପଟି ଦେଉଥା ,ବାବା ଆସିଲେ ଡାକ୍ତର ପାଖକୁ ନେଇଯିବେ ।

ଝିଅ ଧୀର ସ୍ୱରରେ କହିଲା ପୁଅ ଧାଇଁ ଆସି ତାଙ୍କୁ କୁଣ୍ଢେଇ ପକାଇଲା । ବା.. ବା ,,ମା କୁ ଡାକତର ପାଖକୁ ନେଇ ଚାଲ ।

ତିନି ବର୍ଷର ପୁଅ ଆଉ ଚାରି ବର୍ଷର ଝିଅର କାମକୁ ଦେଖି ନନ୍ଦବାବୁଙ୍କ ଆଖିରେ ପାଣି ଆସିଗଲା । ଅଟା ଲଟ ପଟ ଲାଗିଥିବା କୁନି କୁନି ହାତ ସହିତ ଝିଅ ଓ ପୁଅକୁ ଦୁଇ ହାତରେ ଜଡାଇ ଧରି ଵୋକ ଉପରେ ଵୋକ ଦେଇ ଆଜି ପର୍ଯ୍ୟନ୍ତ ଥିବା ପରିତ୍ୟକ୍ତ ପିତୃତ୍ୱକୁ ବୋଧ ଦେଉଥିଲେ ବୋଧହୁଏ । ସୁଲତାଙ୍କ ଆଖିରେ ଝରି ଆସୁଥିବା ଲୁହ ଆଉ ବୋଲ ମାନୁ ନଥାଏ ।

ସେ ଆଜି ଆଉଥରେ ସଫଳ ହେଲେ । ମାନବିକତାର ପୁଣି ଥରେ ଜୟ ହେଲା । ଦୀର୍ଘଦିନ ପରେ ଯଥାର୍ଥରେ ସ୍ନେହା ଓ ସୁରଜିତ ପିତୃ ସ୍ନେହ ପ୍ରାପ୍ତ ହେଲେ ଆଉ ନନ୍ଦବାବୁ ନିଜ ପୌରୁଷତ୍ୱର ମିଛ ଖୋଳପାରୁ ମୁକ୍ତ ।

------------

ସତରେ କଣ ରକ୍ତର ରଙ୍ଗ ଭିନ୍ନ ନା ନିଜ ଓଜଃ , ରଜଃ ,ବୀର୍ଯ୍ୟ ପାଇଁ ପ୍ରତ୍ୟେକେ ବ୍ୟାକୁଳ । କିନ୍ତୁ କାହିଁକି ସମାଜ ଜଣକର ନିରୂପାୟତାକୁ ବୁଝି ମଧ୍ୟ ଅଯଥା ପ୍ରହସନ କରେ । କାହିଁକି ସଂସାରର ମଙ୍ଗଳ ପାଇଁ ନିଜ ବ୍ୟକ୍ତିଗତ ସ୍ୱାର୍ଥକୁ ତ୍ୟାଗ କରି ପାରେନା । କେବଳ ମମତାର ପ୍ରତୀକକୁ କେଇଟା ଧାଡିରେ ବର୍ଣ୍ଣନା କରିଦେଲେ ସେଇତକ ଯଥେଷ୍ଟ ହୋଇଯାଏ କି ?

ସତରେ ବିଚିତ୍ର ଏ ଦୁନିଆ । ନିଜେ ଡାହାଣୀ ହୋଇ ଲାଗେ ଓ ଗୁଣିଆ ହୋଇ ଫୁଙ୍କେ । କି ଅବୁଝା ନୀତି ମଣିଷର ।

ଦିନ କେଇଟାରେ ଭଲ ହୋଇଗଲେ ସୁଲତା । ନନ୍ଦ ବାବୁଙ୍କର ପିତୃତ୍ୱ ଜାଗିଉଠିଥିଲା । ଅଯଥା ମନସ୍ତାପକୁ ଆଉ ପ୍ରଶ୍ରୟ ଦେଇ ପୁରୁଷତ୍ୱର ଡିଣ୍ଡିମ ବାଜିବାକୁ ନ ଦେଇ ଛାତିଟାକୁ ବିଶାଳ କରିବାରେ ଯେଉଁ ଗୌରବଟା ଏ ଅଛି ତା'ର ସୁଖଦ ଅନୁଭୂତିକୁ ସାଉଁଟି ନେବାରେ ଏବେ ବ୍ୟସ୍ତ ସେ ପତ୍ନୀ ସୁଲତାଙ୍କ ସହ ।

ସେଦିନ ରାତିରେ ସ୍ନେହା ଓ ସୁରଜିତଙ୍କ ବିଛଣା ସଜାଡୁ ସଜାଡୁ ନନ୍ଦବାବୁ କହିଲେ --"ସତରେ ସୁଲତା ,ତୁମେ ମୋର ଗୌରବକୁ ଅକ୍ଷୁର୍ଣ୍ଣ ରଖିବାରେ ଯୋଉ ଭୂମିକା ନେଇଛ ତାହା ଅତୁଳନୀୟ । ମୋତେ ଋଣୀ କରିଦେଲ "।

ସୁରଜିତକୁ ଛାତିରେ ଜାକି ଶୁଆଇ ଦେଉ ଦେଉ ସୁଲତା ମୁହଁରେ ହସ ଆଣି କହିଲେ --" ସବୁ ନିଜ ମାନସିକତା ଉପରେ ନିର୍ଭର କରେ । ଦେଖ ତ ଆକାଶ ଠୁଁ ବିଶାଳ ଆଉ ପୃଥିବୀ ଠୁଁ ମହାନ କେହି କଣ କେବେ ହେଲେଣି କିନ୍ତୁ ସେମାନଙ୍କୁ ମଧ୍ୟ ଏ ମଣିଷ କହିବାକୁ , ଆଘାତ ଦେବାକୁ ପଛେଇଛି ? ନା କେବେ ନୁହେଁ ..ତେବେ କିଛି ଗୋଟିଏ ଭଲ କାମ କରିବାକୁ ଗଲେ ଲୋକେ କହିବେ ,କାରଣ " କହିବା " ହେଉଛି ସେମାନଙ୍କର କାମ । ତା ବୋଲି କଣ ଭଲ କାମ କରୁଥିବା ଲୋକଟି ସେ କାମ କରିବା ଛାଡ଼ିଦେଵ ? ସେତିକିବେଳେ ଲୋକେ କହିବା ବନ୍ଦ କରନ୍ତି ଯେତେବେଳେ ଜଣେ ତାଙ୍କ ଉପରକୁ ଯାଇ ପାରେ । ତେଣୁ ଲୋକଙ୍କ କଥାକୁ ଧରି ବସିଲେ ନିଜ କାମ କେବେ ବି ହେବ ନାହିଁ । ଲୋକଙ୍କ କଥା ଏମିତି ।"

ସ୍ନେହାକୁ ଖଟ ଉପରେ ଶୁଆଇ ଦେଇ ନନ୍ଦ ବାବୁ ତା ମଥାରେ ହାତ ବୁଲାଇ ଆଣିଲେ ।

ସେଇ କୋଠରୀଟି ଆଜି ସ୍ୱୟଂ ସମ୍ପୂର୍ଣ୍ଣ ହୋଇଯାଇଛି ଦୁଇଟି ଶିଶୁଙ୍କ ଉପସ୍ଥିତିରେ ,ସ୍ପର୍ଶରେ । ସେ ଦୁହିଁଙ୍କ ଛୁଆଁ ଲାଗି ଆଜି ନନ୍ଦ ଭବନଟି ପାରିଜାତ ବନରେ ପରିଣତ ହୋଇଯାଇଛି ।

ଦୋରଟି କଥାର ଫୁଲ ,ମିଠା ହସର ଫୁଲ ,ସେ ବନରେ ସବୁବେଳେ ଫୁଟୁଛି ଆଉ ସେ ଖଣ୍ଡ ମଣ୍ଡଳକୁ ସେ ବାସ୍ନା ମହକି ଜାଉଛି ।

ସେମାନଙ୍କର ସୁପ୍ତ ମୁଖ ମଣ୍ଡଳକୁ ପତି ପତ୍ନୀ ଏକ ଲୟରେ ଚାହିଁଥିଲେ ଭବିଷ୍ୟତର ସ୍ବପ୍ନରେ ।

------- ------- --------

ସିପ୍ରା ନାମତା

ବାରିପଦା

8249850168


Rate this content
Log in

Similar oriya story from Inspirational