Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅପରାହ୍ନ
ଅପରାହ୍ନ
★★★★★

© Seetaram Dash

Tragedy

3 Minutes   292    9


Content Ranking

"ମୋ ବୟସର ସାଙ୍ଗ,ସାଥି ଓ ସମ୍ପକୀୟ ସମସ୍ତେ ଚାଲି ଗଲେଣି। ମତେ କଣ ପାଇଁ ସେ ରଖିଛି କେଜାଣି, ମୁଁ ବା କାହାର କଣ ଆଉ କରିବି? ହଉ ତା ଇଚ୍ଛା, ଯାହା ତା ବରାଦ। ଗୋଟିଏ ଜାଗାରେ ବସି ବସି ବଡ଼ ବିରକ୍ତ ଲାଗିଲାଣି, ବୟସ ବି ହୋଇଗଲାଣି ସତୁରୀ କି ଏକସ୍ତରୀ। ନା ଦେହରେ ବଳ ଅଛି ନା ମନରେ ସାହସ। ଦେହ ବି ଦୁର୍ବଳ ତା ସାଙ୍ଗକୁ ମନଟା ବି। କଥାରେ ଅଛି "ଆଶାର ଆଲୋକ"।ଆଜି ଏ ବୃଦ୍ଧ ବୟସରେ ଜାଣିପାରୁଛି, ପ୍ରଥମେ ମଣିଷର ଆଶା ମରିଯାଏ ତା ପରେ ମଣିଷ। ଜୀବନର ଅପରାହ୍ନରେ ମୁଁ ଆଶା ଶୂନ୍ୟ। ଖାଲି ରାତିର ଅନ୍ଧକାରରେ ମିଶି ଯିବାକୁ ଚାହେଁ ସବୁଦିନ ପାଇଁ। କଣ ପାଇଁ ସେ ଛାଡି ଗଲା କେଜାଣି? ସାତ ଜନ୍ମର ସାଥି ହେବାପାଇଁ ଦେଇଥିବା କଥା କୁ ଭୁଲି। ବୋଧେ ବହୁତ ସ୍ୱାର୍ଥପର ପର ଥିଲା ସେ। "ସ୍ୱାର୍ଥପର" ନା ନା, ଥିଲା ବେଳେ ତ ବହୁତ ଶୁଣାଇଛି, ଦୋଷ ଥାଉ କି ନ ଥାଉ। ମନର ସମସ୍ତ ରାଗ, ରୋଷ, ମାନ, ଅଭିମାନ ଓ ନିଷ୍ଫଳତାର ଦ୍ୱାହି ଦେଇ ବହୁତ କହିଛି। ଆଉ ଦୋଷାରୋପ କରିଲେ ବୋଧେ ନର୍କରେ ବି ଜଗା ମିଳିବନି। ବୋଧେ ମୁଁ ଠିକ ଭାବରେ ବୁଝି ପାରିଲିନି ଅତି ପାଖରେ ଥିବା ମଣିଷଟାକୁ। ନିଜର କର୍ତ୍ତବ୍ୟର ବାହାନାରେ ଠକି ଚାଲିଥିଲି ସାରା ଜୀବନ। ତାର ବଦଳରେ ହିସାବ ବରାବର କରିନେଇଛି କି? ନା ନା ଏବି ଭ୍ରମ। ସବୁ କିଛି ତ ସହୁଥିଲା,କେବଳ ମୋ ଦୁଃଖ ଛଡା। ବୋଧେ ଆଉ ଦେଖି ପାରି ନ ଥାନ୍ତା ଏ ଅବସ୍ଥାକୁ, ଚାଲିଗଲା।

କାଶ ଟା ଆଜି ବଢିଯାଇଛି, ଛାତି ଟା ବି ଦରଜ। ବୋହୁଟା ବହୁତ କଲେଣି,କେତେ ବି କରିବ? ପୁଅକୁ କହି ପାରିଲିନି ଔଷଧ ପାଇଁ, ଏବେ ଶୁଣିଲେ ବିରକ୍ତ ହେବ। କଣ ବା କରିବି, ମନେ ବି ରହୁନି ଠିକ ସେ କିଛି। ଆଜି ପର୍ଯ୍ୟନ୍ତ ନିଜ ଔଷଧ ଠିକ ସମୟରେ ଖାଇପାରୁ ନ ଥିଲି ତା ବୋଉ ବିନା। ଦିନେ ବି ନିଜ ଚଷମା ଖୋଜି ପାଇନି ନିଜେ, ଆଉ ଏ ଅବଶ ଶରୀରରେ କଣ ବା ମନେ ରହିବ। ପୁଅ ଟା ବି ବହୁତ କଲାଣି। ଦିନ ରାତି କେବଳ ଧାଉଁଛି ନିଜ କର୍ତ୍ତବ୍ୟ ପଛରେ। ଠିକ ମୋ ପରି ତିରିଶି ବର୍ଷ ପୂର୍ବେ। ତାର ବା ଦୋଷ କଣ? କଥା ହେବାକୁ କେହି ନାହିଁ। ସମୟର ଘୋର ଅଭାବ ସମସ୍ତଙ୍କୁ। ମୁଁ ଦିନେ ବେସ୍ତ ଥିଲି, ଏତେ ବେସ୍ତ କାହାରି କଥା ଶୁଣା ଯାଉ ନଥିଲା ମତେ। କାହାକୁ ଦୋଷ ଦେବି ନା ଏ ସବୁକୁ ଆଦରି ନେବି। ବାସ୍ତବିକତା କୁ ଆଦରି ନେବା ଏତେ ସହଜ ନୁହେଁ। ଏହା ତ ନିୟତି ର କ୍ରୁର ସତ୍ୟ। ମୋ ଦୁଃଖ ଏ ଘରର ଚାରି କାନ୍ଥ ଭିତରେ ଆବଦ୍ଧ। କଣ ପାଇଁ ସେ ମତେ ରଖିଛି କେଜାଣି?

ବାରିପଟେ ବସିବାକୁ ଭାରି ଇଚ୍ଛା ହେଉଛି। ପାଦରେ ଏତେ ଶକ୍ତି ନାହିଁ, ଯଦି ବାଟରେ ମୁଣ୍ଡ ବୁଲେଇ ଦିଏ। ଯଦି ପଡ଼ିଯାଏ ଅନେକ କଥା ଶୁଣିବାକୁ ପଡିବ। ପୁଅଟା ରାଗି କହିବ "କଣ ଦରକାର ଏଣେ ତେଣେ ବୁଲିବା" ତମେ କଣ ଛୋଟ ଛୁଆ। ସତରେ ବୋଉ ଆଉ ପୁଅ ଭିତରେ କେତେ ଫରକ। ନା ନା ପୁଅକୁ ଅମିତି କହିବା ଟା ବହୁତ ବଡ଼ ଅପରାଧ।ତାର ଅନିଷ୍ଟ ହୋଇପାରେ।ଭଗବାନ ତାକୁ ଭଲରେ ରଖ। ନା ଯାହା ହଉଚି ହେଉ ଟିକେ ବାରିପଟେ ଯାଇ ବସିବି। ପୁରା ଜୀବନ ଏହି ବିଲ ବାରିରେ କଟି ଯାଇଛି। କୁଆଡେ ଗଲା ସେ ଦିନ। ସନ୍ଦ୍ୟା କଟୁଥିଲା ମୁଗ ଓପାଡିବାରେ। ଧାନ ଗହମରେ ହସୁଥିଲା ମୋର ଚାଷ ଜମି। ଶୀତ ଦିନେ ଶୁଖୁଆ ସହ ପଖାଳ ପଠେଇ ଦଉଥିଲା ଏ ପୁଅ ହାତରେ, ହିଡ ଉପରେ ପଖାଳ ଖାଇ ସାରି ପୁଣି ଲାଗିପଡୁଥିଲି ଧାନ କଟାରେ। ବୟସ ବେଳେ ମୋ ଧାନ ଗୋଛାକୁ ମୁଣ୍ଡକୁ ଉଠାଇ ପାରନ୍ତିନି ପାଞ୍ଚ ଜଣ ମିଶି। ଏବେ ଶରୀରର ଭାର ବି ସମ୍ଭାଳିବା ପାଇଁ ଅସମର୍ଥ ଏ ପାଦ ଦୁଇଟି। ଆଖିର ଶକ୍ତି ବି କମି ଆସିଲାଣି। ଠିକ ସେ କିଛି ଦେଖା ଯାଉନି, କାନ ବି କମଜୋର ଭଲ ଶୁଭୁନି। ସମସ୍ତେ କହି କହି ବିରକ୍ତ ହେଲେଣି। ମୁଁ ବି କଣ କରିପାରିବି। କଣ ପାଇଁ ସେ ରଖିଛି କେଜାଣି?

ପାଇଖାନା ରେ ଝାଡା ବସିବାକୁ ଭଲ ଲାଗୁନି। ଇଛା ହେଉଛି ନଈ ପଠାକୁ ବୁଲିଯିବାକୁ। ଏଇ ନଈରେ କେତେ ଅଭୁଲା ସ୍ମୁତି। ପଢିଲା ବେଳେ ଶନିବାର ଦିନ ଏଗାରଟାରୁ ଦୁଇଟା ଯାଏଁ ଗାଧୁଆ। ବୋଉ ବାଡ଼ି ଖଣ୍ଡେ ଧରି ନ ଆସିଲେ ଘରକୁ ଫେରୁନୁ। ତାରୁଣ୍ୟ ରେ ଅନେକ ଜହ୍ନ ରାତି କଟିଛି ଏଇ ନଈ କୂଳରେ। ବିବାହ ପରେ ବିଳମ୍ବ ରାତିରେ ଅନେକ ଥର ଆସିଛୁ ଏଇ ନଦୀ କୂଳକୁ ଝାଡା ବସିବା ପାଇଁ। ପୁଅକୁ ରାତି ଅଧରେ କେତେଥର କାଖେଇ ଆଣିଛି ତା ବୋଉ ମୋ ସହିତ ଏଇ ନଦୀ କୂଳକୁ ଝାଡା ବସାଇବା ପାଇଁ। ଶେଷରେ ଏଇ ନଦୀ କୂଳରେ ଜୁଇଟିଏ ଜଳିଥିଲା ତା ବୋଉର। ନା ଯାହାବି ହେଉ, ପୁଅ ଯେତେ କଥା କହୁ ଯିବି ଟିକେ ଆଖି ପୁରେଇ ଦେଖିବି। ଥରେ ଯାଇଥିଲି ନଈ ର ଗଡାନିଆ ବନ୍ଧରେ ପଡି ହାତ ଗୋଡ ଖଣ୍ଡିଆ ହୋଇଥିଲା।କେତେ ଲୋକ କେତେ କଥା କହିଥିଲେ। ବୁଢା ଲୋକ ଏଣେ ତେଣେ ବୁଲିବା କଣ ଦରକାର। ନା ନା ଯିବାକୁ ଶରୀରରେ ଶକ୍ତି ନାହିଁ। କଣ ବା ମୁଁ କରିବି। କଣ ପାଇଁ ସେ ରଖିଛି କେଜାଣି??

ଶୁଣିଛି ଡାକ୍ତର ଓ ଲେଖକ କେବେ ବୁଢା ହୁଅନ୍ତି ନି। ସମୟ ଅନୁସାରେ ଅଧିକ ରୁ ଅଧିକ ଯୁବକ ହୁଅନ୍ତି ବୋଲି। ହେଲେ ଏ ଢଳିବା ପ୍ରହରରେ ଜୀବନ ତ ପରାବଲମ୍ବୀ। ସବୁ କାମରେ ଅନ୍ୟର ସହଯୋଗ ଲୋଡ଼ା। କିଏ ଅଛି ଏ ବୃଦ୍ଧର ଭାବନାକୁ କଲମ ମୁନରେ ସଜେଇବ? କିଏ ଅଛି ମୋ ମନ କଥାକୁ ଶୁଣିବ? ବୋଧେ ମନ କଥା ମନକୁ କହିବାକୁ ପଡିବ।ଏକା ଏକା ଅତୀତର ସୁନ୍ଦର ସ୍ମୁତିକୁ ସାଉଁଟିବାକୁ ପଡିବ। ଜୀବନର ଏ ଅପରାହ୍ନକୁ ଆଦରି ନେବାକୁ ପଡିବ।

ଅପରାହ୍ନ ବାସ୍ତବିକତା ପାଇଖାନା

Rate the content


Originality
Flow
Language
Cover design

Comments

Post

Some text some message..