ମନରୁ ଲିଭି ନଥିବା ଗୋଟେ ଚିତ୍ର
ମନରୁ ଲିଭି ନଥିବା ଗୋଟେ ଚିତ୍ର
-ଶୁଣିଲଣି ନା ନାହିଁ ,ବନବୁଢ଼ା ମରିଗଲା ।
ଫୋନରେ ସୁନୟନାଙ୍କ ଏହି ସୂଚନା ଶୁଣି ,ମୋ ନାକ ପୁଡ଼ାରୁ ଦୀର୍ଘଶ୍ଵାସ ବାହାରିଗଲା ।
-ଫୋନ୍ କଟିଗଲା ନା କଣ ? କିଛି ହେଲେ ବି ଶୁଭୁନି ।
-ଆରେ ନା !! ମୁଁ ଲାଇନରେ ଅଛି, ଏଇ ବନବୁଢ଼ା କଥା ଭାବୁଥିଲି । କଥାଟା ହଠାତ୍ କହିଦେଲ ସିନା , ମୁଁ କିନ୍ତୁ କଥାଟାକୁ ସହଜରେ ଗ୍ରହଣ କରି ପାରିଲିନି ।
-କଣ ଆଉ କରିବା । ବିଚରା ବହୁତ କଷ୍ଟ ପାଇଲା । ଜୀବନ ସାରା ଅକ୍ଳାନ୍ତ ପରିଶ୍ରମ କରି କରି ଶେଷରେ ଅସହାୟତା ଓ ଅନାହାରରେ ମରିଗଲା ।
-ଠିକ୍ କହିଛ !!
-ଦୁନିଆଁରେ କାହା ପାଇଁ କାହାର ସମୟ ଅଛି କହିଲ ? ସହଜେ ବୁଢ଼ାର କେହି ନଥିଲେ....ଯେଉଁ ମାନଙ୍କୁ ସେ ଆପଣାର ବୋଲି ଭାବୁଥିଲା ସେମାନେ ସବୁ କେଉଁ କାଳୁ ମୁହଁ ମୋଡି ଚାଲିଯାଇଥିଲେ । ସରକାରୀ ସାହାଯ୍ୟଟିଏ ପାଇବା ପାଇଁ ସବୁ ଯୋଗ୍ୟତା ଥାଇବି ଉତ୍କୋଚ ଦେବାର ସାମର୍ଥ୍ୟ ନଥିବାରୁ ସେ ସବୁ ତଥାକଥିତ ସାହାଯ୍ୟ ପାଇବାରୁ ବଞ୍ଚିତ ହୋଇଥିଲା । ପାଇଥିଲେ ବି କଣ କରିଥାନ୍ତା ?? ପାଖରେ କେହି ନଥିଲେ ଅସହାୟ ଲୋକଟି , ଶେଷ ଜୀବନରେ ଶୁଖି ଶୁଖି ମରିଗଲା ।
ମୁଁ ଫୋନ୍ କାଟିଦେଲି । ଆଉ ଶୁଣି ହେଲାନି ।
ସ୍ତ୍ରୀ ଆଉ ପୁଅ ,ଝିଅଙ୍କୁ ନେଇ ସେମାନେ ଚାରିଜଣ, ତାହା ହେଲା ବନବୁଢ଼ାର ହସିଲା ପୁରିଲା ସଂସାର, ।
ସେ ଥିଲା ଗାଁର ସବୁଠୁଁ କର୍ମଠ ଓ ସଚ୍ଚୋଟ ଲୋକ । ସେଥିପାଇଁ ତା ହାତରେ କାମର ଅଭାବ ନଥାଏ । କିଛି ବାଜେ ଲୋକ ତାର ଏହି ସଚ୍ଚୋଟ ପଣିଆର ଫାଇଦା ନେଇ ତାକୁ ଅଧିକ କାମ କରାଇ କମ୍ ପାଉଣା ଦେବାର ନଜିର୍ ମଧ୍ୟ ରହିଥିଲା।
ତଥାପି.....
ସେଇ ଦିନମଜୁରିରେ ପକ୍କାଘର ଖଣ୍ଡେ ତିଆରି ଥାଏ ବୁଢ଼ା । କଲେଜ ପଢୁଆ ପୁଅ ମନ କଲା ବୋଲି ଧାର ଉଧାର ଆଉ ସଞ୍ଚିତ ଟଙ୍କା ଆଧାରରେ ଖଣ୍ଡେ ମଟର ସାଇକେଲ ମଧ୍ୟ କିଣିଦେଇଥିଲା ସେ ।
ବଢ଼ିଲା ଝିଅ ପାଇଁ ଯାହା, ମନଟା ତାର ସବୁବେଳେ ଦୁଃଖ ଦୁଃଖ ଥାଏ । ଝିଅଟିକୁ ବିଦା କରିବା ପାଇଁ ସେ କୌଣସି ମତେ ପ୍ରସ୍ତୁତ ନାହିଁ ବୋଲି ଅନୁଭବ କରେ । ସେଥିପାଇଁ ସବୁ କାମ କଲା ଜାଗାରେ ତାର ଥାଏ ଗୋଟିଏ ଚର୍ଚ୍ଚା -ଝିଅ ପାଇଁ କିଛି ବି କରି ପାରୁନି ।
ଏମିତି ବିତୁଥିଲା ସମୟ ।
ଝିଅ ପାଇଁ କିଛି ସାଜ ସରଞ୍ଜାମ କିଣିବାର ଇଛାଟିଏ ପୋଷଣ କରି ,ସେଦିନ ଗୋଟେ ଅଟୋରେ, ସେମାନେ ସପରିବାର ପାଖରେ ହେଉଥିବା ଗୋଟେ ବଡ ଯାତ୍ରା ଦେଖିବାକୁ ବାହାରିଲେ ।
ସମୟ କିଛି ହେଲେବି ଠିକ୍ ନଥିଲା ।
ଅଟୋଟାକୁ ପିଟି ଦେଇଗଲା ଗୋଟେ ଟ୍ରକ୍ । କାନ୍ଥ ପଟକୁ ବସିଥିବା ବନ ଛିଟିକି ପଡ଼ିଲା ବାହାରକୁ । ଆଉ ସମସ୍ତେ ଟ୍ରକ୍ ତଳେ ଚାପି ହେଇଗଲେ ।
ସ୍ଵପ୍ନ ଆଉ ସମ୍ଭାବନା ମାନେ ଗୋଟିଏ ଗୋଟିଏ ସୀମିତ ଆର୍ତ୍ତଚିତ୍କାର ଭିତରେ ମିଳେଇଗଲେ ଶୂନ୍ୟରେ ।
ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇ, ସବୁଦିନ ପାଇଁ ଅକର୍ମଣ୍ୟ ହୋଇଗଲା ବନ ବୁଢ଼ା ।
ରେଡ୍ କ୍ରସ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କୁ ଦଶ ଦଶ ହଜାର ଲେଖାଏଁ ମିଳିଥିଲା । ଯାହା ତିନି ତିନିଟା ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ଯଥେଷ୍ଟ ନଥିଲା ।
ତା ପରେ ଆରମ୍ଭ ହୋଇଥିଲା ଅସରନ୍ତି ଯନ୍ତ୍ରଣାର ମରୁଭୂମି ।
ବନବୁଢ଼ା ମରିବାକୁ ଚାହିଁ ବି ମରି ପାରିନଥିଲା ତା'ର ଅସରନ୍ତି ସଂଘର୍ଷର ଫର୍ଦ୍ଦରେ ଯୋଡି ହୋଇଥିଲା ଶେଷ କେଇଟା ରକ୍ତର ଫର୍ଦ୍ଦ , ଆଉ ଲୁହର ନଦୀରେ ସନ୍ତରଣ ଥିଲା ନିତିଦିନିଆ ।
ପକ୍କାଘର, ମଟର ସାଇକେଲ ଦେଖି ତା ନାଆଁ ସବୁ ପ୍ରକାରର ହିତାଧିକାରୀ ଲିଷ୍ଟରୁ କଟିଗଲା । ଅକର୍ମଣ୍ୟ ବୋଲି ତା ପାଖରେ ନଥିଲା ପ୍ରମାଣ ପତ୍ର । ଏସବୁ କେମିତି ମିଳିବ ତା ପାଇଁ କିଏ କରିଦେବ ତାହା ମଧ୍ୟ ଜାଣି ନଥିଲା ବନ ବୁଢ଼ା ।
ପ୍ରକୃତରେ ସେଥିପାଇଁ ବନବୁଢ଼ା କୌଣସି ପ୍ରୟାସ କରିବାକୁ ଚାହୁଁ ନଥିଲା କାରଣ ତାର ବଞ୍ଚିବାର ସମସ୍ତ ଆଗ୍ରହ ମରି ସାରିଥିଲା ।
ଗତ ଥର ଗାଁକୁ ଯିବା ବେଳର ଏ'କଥା ......
ଆଉ ସେତେବେଳେ ନଗଡାର ଚିତ୍ର ମୋ ଆଖି ସାମ୍ନାରେ ଥିଲା ଚଳ ଚଞ୍ଚଳ । ଦୁନିଆଁର କୋଣ ଅନୁକୋଣରେ ଏମିତି ଅନେକ ଚିତ୍ର , କିନ୍ତୁ ତାକୁ ସଜାଡି ସୁନ୍ଦର କରିବାର ପ୍ରୟାସ କେତେ ସଫଳ ତାହା ମୋତେ କରିଥିଲା ବିବ୍ରତ ।
ଆଉ ଆଜି ସେଇ ବନବୁଢ଼ା ମରିଯାଇଛି । ମୁଁ ଦେଖିଥିବା ବନବୁଢ଼ାର ସେଇ ଚିତ୍ର ହୁଏତ ମୋ ଅନ୍ତେ ପୃଥିବୀରୁ ଲିଭିଯିବ ।
କିନ୍ତୁ ଏମିତି ଆଉ କୋଉଠି ଥିବା ବନବୁଢ଼ାମାନେ କେବଳ ଆକ୍ତା ମାକ୍ତା ଚିତ୍ରଟିଏ ହୋଇ ନମରନ୍ତୁ, ତାହା ମୋର ହୃଦୟ ଚାହୁଁଥିଲା ।
ରାଜୀବ ଗୋପାଳ ସ୍ବାଇଁ
ମାତୃକୁଟୀର, କୁରୁଣ୍ଟି, ମେରାମଣ୍ଡଳୀ, ଢେଙ୍କାନାଳ-୭୫୯୧