Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅକୁହା ପ୍ରେମ
ଅକୁହା ପ୍ରେମ
★★★★★

© Srinibas Mahalik

Tragedy

4 Minutes   1.6K    15


Content Ranking

  ଖରାଦିନ ଛୁଟିରେ ମାମୁଁ ଘରକୁ ଆସିଥାନ୍ତି, ମାମୁଁ ଫେରିବା ଦିନ ଜିତୁ ମାମୁଁଙ୍କ ଘରକୁ ଯିବା ପାଇଁ ଜିଦ୍ ଧରି ବସିଲା, ତେଣୁ ମାମୁଁ ତାକୁ ସାଙ୍ଗରେ ନେବାପାଇଁ ରାଜିହୋଇଗଲେ । ଜିତୁର ଘରଠାରୁ ତା ମାମୁଁଙ୍କ ଘର ପାଖାପାଖି ତିନି ମାଇଲ୍ ହେବ । ସେମାନେ ଦୁହେଁ ସାଇକେଲରେ ବାହାରି ପଡିଲେ । ଜଙ୍ଗଲ ରାସ୍ତା ହୋଇଥିବାରୁ ଧୀରେ ଧୀରେ ଯାଉଥାନ୍ତି । 

  କିଛି ବାଟ ଗଲା ପରେ ଜିତୁକୁ ଶୋଷ କଲା । ବାଟରେ ଗୋଟେ ଛୋଟିଆ ଗାଁଟେ ପଡିଲା । ସେହି ଗାଁରେ ଜିତୁ ମାମୁଁଙ୍କର ଜଣେ ସମ୍ପର୍କୀୟ ଥିଲେ, ତାଙ୍କ ଘରକୁ ଗଲେ । ଖରାଦିନ ହେଇଥିବାରୁ ସେହି ଘର ଲୋକ ଲେମ୍ବୁ ସର୍ବତ କରି ପିଇବାକୁ ଦେଲେ । ଜିତୁର ମାମୁଁ ସେହି ଘର ଲୋକଙ୍କ ସହ କଥାରେ ଏକଦମ ମଜ୍ଜିଗଲେ । କିନ୍ତୁ ଜିତୁ ବସି ବସି ବିରକ୍ତ ହୋଇଯିବାରୁ ବାହାରକୁ ପଳେଇଆସିଲା । 

  ଜିତୁ ବହାରକୁ ଆସି ଦେଖିଲା ଆମ୍ବ ଗଛ ତଳେ ଖଟ ପକେଇ ଗୋଟେ ସୁନ୍ଦରୀ ଝିଅଟେ ପାଠ ପଢୁଛି । ସେଭଳି ସୁନ୍ଦରୀ ଝିଅ ସେ ତାଙ୍କ ଅଞ୍ଚଳରେ ପୂର୍ବରୁ କେବେ ଦେଖିନି । ସେ ଝିଅକୁ ଦେଖି ତା ମନରେ ଅନ୍ୟ ପ୍ରକାର କିଛି ଅନୁଭବ ହେଲା ପୁଣି ଖରାଦିନିଆ ସୁଲୁସୁଲିଆ ପବନ ତା ଦେହରେ ମାଡ଼ ହୋଇ ଜିତୁକୁ ଆହୁରି ରୋମାଞ୍ଚିତ କରିଦେଲା । ତେଣୁ ଜିତୁ ସେହି ଝିଅଟିକୁ ଏକ ଲୟରେ ଚାହିଁ ରହିଲା । ଝିଅଟି ମଧ୍ୟ ଜିତୁକୁ ଦେଖି ଟିକେ ଟିକେ ଲାଜ କରି ମୁହଁକୁ ତଳକୁ ପୋତି କଣେଇ କଣେଇ ଅନାଉଥିଲା ।

   କିଛି ସମୟ ପରେ ମାମୁଁଙ୍କର ଡାକ ଆସିଲା ଯିବାପାଇଁ । କିନ୍ତୁ ଜିତୁର ଆଉ ଇଚ୍ଛା ହେଉନଥାଏ ତା ମାମୁଁଙ୍କ ଘରକୁ ଯିବାପାଇଁ । ସେଠି ଆଉ କିଛି ସମୟ ରହିଯିବା ପାଇଁ ତା ମନ କରୁଥାଏ । 

 

  ସାଇକେଲରେ ଜିତୁ ଆଉ ତା ମାମୁଁ ଦୁହେଁ ବାହାରି ପଡିଲେ । ଯିବା ବାଟରେ ଜିତୁ ମାମୁଁଙ୍କୁ ଆନେକ ପ୍ରଶ୍ନ ପଚାରୁଥିଲା । ଯେମିତିକି ସେ ଘର ସହ ତମର ସମ୍ପର୍କ କଣ, ସେ ଝିଅଟି କିଏ, ସେ କୋଉ ଶ୍ରେଣୀରେ ପାଠ ପଢୁଛି, ଏମିତି ଅନେକ କିଛି । ମାମୁଁ ଜିତୁର ଏଭଳି କଥା ଶୁଣି ହସି କି କହିଲେ, ସେ ମୋର ଜଣେ ସାଙ୍ଗର ଘର । ତୁ ଯୋଉ ସେହି ଝିଅକୁ ଦେଖିଲୁ ସେ ହେଉଛି ମୋ ସାଙ୍ଗର ବଡ ଭାଇଙ୍କ ଝିଅ । ତା ନାଁ ହେଉଛି ପିଙ୍କି । ସେ ତୋରି ବୟସର, ଦଶମ ପରୀକ୍ଷା ଦେଇଛି ।

  କିଛି ମାସ ପରେ ଜିତୁର ପରିବାର ଭୁବନେଶ୍ୱର ପଳେଇ ଆସିଲେ । ଜିତୁର ଯୁକ୍ତ ଦୁଇ ପାଠପଢା ସରିଗଲା । ସେ ମଝିରେ ଆଉ ଗାଁକୁ ଯାଇନି କି ସେଇ ଝିଅକୁ ଦେଖିନି । ଦିନେ ଜିତୁର ବାପାଙ୍କ ପାଖକୁ ତା ମାମୁଁଙ୍କର ଫୋନ୍ ଆସିଲା । ମାମୁଁ କହିଲେ ମୋ ସାଙ୍ଗର ଝିଆରୀ ପିଙ୍କି ଭୁବନେଶ୍ୱରରେ ସିଟି

କରିବ । ତେଣୁ ତାକୁ ହଷ୍ଟେଲ ନ ମିଳିବା ଯାଏଁ ସେ ତମ ଘରେ ରହିବ ।

ଜିତୁ ଏକଥା ଶୁଣି ଖୁସିରେ ବିଭୋର ହୋଇଗଲା । ପିଙ୍କି କିଭଳି ଦେଖାଯାଉଥିବ, ସେ ସୁନ୍ଦର ଦେଖା ଯାଉଥିବା କି ନାଇଁ, ସେ ମୋତେ ଚିହ୍ନି ପାରିବ କି ନାଇଁ ଏଭଳି କଥା ଭାବି ପିଙ୍କିକୁ ଦେଖିବାପାଇଁ ତାର ଉତ୍କଣ୍ଠା ବଢିଯାଉଥିଲା । ସେ ଘରେ ଆଉ ରହୁ ନ ଥିଲା । ଘର ସାମ୍ନାରେ ଚୌକି ପକେଇ ଦିନ ସାରା ତାକୁ ଅପେକ୍ଷା କରି ବସୁଥିଲା । ସେ ଯଦି ଘରେ ଥିବା ଅବସ୍ଥାରେ କଲିଂ ବେଲର ଶବ୍ଦ ଶୁଣୁଥିଲା, ଏକମୁହାଁ ଗେଟ୍ ପାଖକୁ ଦଉଡି ଯାଉଥିଲା, ସେ ଖାଲି ଅପେକ୍ଷା କରିଥାଏ କେବେ ପିଙ୍କି ଆସିବ ।

   ତିନି ଦିନ ପରେ ପିଙ୍କି ଆସି ଜିତୁର ଘରେ ପହଞ୍ଚିଲା । ପିଙ୍କି ପିଲାଵେଳେ ଯେତିକି ସୁନ୍ଦରୀ ଥିଲା ଏବେ ଟିକେ ତା'ଠାରୁ ଆହୁରି ଅଧିକ ସୁନ୍ଦର ଦେଖାଯାଉଛି । ଜିତୁ ତାକୁ ଦେଖି ନିଜକୁ ଆୟତ୍ତ କରିପାରିଲାନି । ସ୍ୱପ୍ନରେ ବି ସେ ଭାବିନଥିଲା ଯେ ସେ ଏଭଳି ସୁନ୍ଦର ହୋଇଯାଇଥିବ ବୋଲି ।

   ପିଙ୍କି କିଛି ଦିନ ତାଙ୍କ ଘରେ ରହିବା ପରେ ତାକୁ ହଷ୍ଟେଲ ମିଳିଗଲା ଓ ସେ ପଳେଇଲା । କିନ୍ତୁ ପ୍ରତି ରଵିଵାରେ ଏବଂ ଛୁଟିଦିନମାନଙ୍କରେ ପିଙ୍କି ଜିତୁର ଘରକୁ ଆସେ ଓ ଦୁହେଁ ଜିତୁର ସ୍କୁଟିରେ ମିଶିକି

ବୁଲନ୍ତି । ଜିତୁ ତା'ର ଜୀବନର ପ୍ରତ୍ୟେକ ଛୋଟ ବଡ କଥା ପିଙ୍କିକୁ କହେ । ଯାହା କି ଅନ୍ୟ କେଉଁ ସାଙ୍ଗଙ୍କୁ ସେ କହିନି । ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ତାଙ୍କ ବନ୍ଧୁତ୍ୱର ସମ୍ପର୍କ ସୁଦୃଢ଼ ହୋଇଗଲା । ପିଙ୍କି ସବୁବେଳେ ଜିତୁକୁ ତା'ର ଜଣେ ଭଲ ବନ୍ଧୁ ବୋଲି ଭାବେ କିନ୍ତୁ ଜିତୁ ମନେ ମନେ ପିଙ୍କିକୁ ତା'ର ମନର ମାନସୀ ବୋଲି ଭାବେ ଯଦିଓ ଏହି କଥା ସେ ପିଙ୍କିକୁ କେବେ କହିନି । 

  ପିଙ୍କି ସିଟି ସାରି ଗାଁକୁ ପଳେଇଲା ଓ ସେ ଶିକ୍ଷକ ଚାକିରିଟେ ମଧ୍ୟ ପାଇଗଲା । ଏ ଭିତରେ ପିଙ୍କିଠାରୁ ସୁନ୍ଦର ଝିଅ କେତୋଟି ମଧ୍ୟ ଜିତୁକୁ ଭଲ ପାଇବାର ପ୍ରସ୍ତାବ ଦେଇଛନ୍ତି କିନ୍ତୁ ଜିତୁ ପିଙ୍କିକୁ ଆଖି ଆଗରେ ରଖି ସମସ୍ତଙ୍କୁ ମନା କରିଦେଇଛି । 

  ଦୁହିଁଙ୍କ ଭିତରେ ଫେସବୁକ ଓ ହ୍ଵାଟ୍ସଆପରେ କଥାବାର୍ତ୍ତା ଭଲ ଚାଲେ । ଗୋଟେ ଦିନ ପିଙ୍କିର ଫେସବୁକ ଆଇ.ଡ଼ି ରୁ ବିଭିନ୍ନ ପ୍ରକାର ଅସଭ୍ୟ ଭାଷାରେ ଗାଳି ମେସେଜ ଆସିଲା । ଜିତୁ ତାହା ପଢି ବିସ୍ମୟ ହୋଇଗଲା । ସେ ତା ଜୀବନ କାଳରେ ଏଭଳି ଭାଷାରେ ତାକୁ କେହି ଗାଳି ଦେଇନଥିଲେ । 

  କିଛି ସମୟ ପରେ ପିଙ୍କି ଫୋନ୍ କରି କହିଲା ଜିତୁ ତୁ ମୋତେ ଫେସବୁକରୁ ବ୍ଳକ୍ କରିଦେ । ଏତିକି କହି ପିଙ୍କି ଫୋନ୍ କାଟିଦେଲା । କିନ୍ତୁ ଜିତୁ ଘଟଣାଟାକୁ କିଛି ବୁଝି ପାରୁନଥାଏ । ତେଣୁ ଜିତୁ ସମ୍ପୂର୍ଣ୍ଣ ଘଟଣାକୁ ଜାଣିବା ପାଇଁ ପିଙ୍କିକୁ ଫୋନ୍ କଲା । ହେଲେ ପିଙ୍କି ତା ଫୋନ୍ ଉଠଉ ନ ଥାଏ । ବାରମ୍ବାର ଫୋନ୍ ପରେ ପିଙ୍କି ଫୋନ୍ ଉଠେଇ କହିଲା-

  "ମୁଁ ଯୁକ୍ତ ଦୁଇ ପଢ଼ୁଥିବା ବେଳେ ଗୋଟେ ପୁଅକୁ ପସନ୍ଦ କରୁଥିଲି, ସେ ମଧ୍ୟ ମୋତେ ପସନ୍ଦ

କରୁଥିଲା । ଆମେ ଉଭୟ ଉଭୟଙ୍କୁ ଭଲ ପାଉ ଏବଂ ବାହା ହେବା ପାଇଁ ମଧ୍ୟ ସ୍ଥିର କରିଛୁ। ସେ ଏବେ ଗୋଟେ ଭଲ ଚାକିରିଟେ ମଧ୍ୟ କରିଛି । କାଲି ସେ ମୋ ଫେସବୁକର ମେସେଜ ସବୁ ଦେଖୁଥିଲା । ଦେଖିଲା ଯେ ମୁଁ ତୋ ସହ ବହୁତ୍ କଥା ହୋଇଛି ତେଣୁ ସେ ସହି ନପାରି ତୋତେ ଓଲଟା ସିଧା

କହିଛି ।" 

   ଜିତୁ ଏହା ଶୁଣି ତାକୁ ଶକ୍ତ ଝଟକା ଲାଗିଲା । ତା ଛାତିକୁ କିଏ ଗୋଟେ ପ୍ରହାର କଲା ଭଳି ତାକୁ ଲାଗିଲା । ସେ ଯାହାକୁ ଏତେ ଭଲ ପାଉଥିଲା ସେ ତା ସହ ଏଭଳି କଲା ! ଜିତୁ ତା ପାଇଁ କଣ ନ କରିଛି । ପିଙ୍କିର ଯେବେ ଭୁବନେଶ୍ୱରରେ କାମ ପଡିବ ସେ ତା'ପାଇଁ ନିଜର ସମୟ ନଷ୍ଟ କରି ଧାଇଁ ଦୌଡ଼ି ସବୁ କାମ କରିଛି । ଏମିତିକି ପିଙ୍କିର ବାପା ମେଡିକାଲରେ ପଡିଥିବା ବେଳେ ତାଙ୍କର ରକ୍ତ ଦରକାର ହେବାରୁ ସେ ରାତିରାତି ଯାଇ ତାଙ୍କୁ ରକ୍ତ ଦେଇଛି । ହେଲେ ପିଙ୍କି ତାକୁ ଦେଲା କଣ ! ବିନା ଦୋଷରେ ପିଙ୍କି ପାଇଁ ଜିତୁ, ତା ପ୍ରେମିକଠାରୁ ଅନେକ ଖରାପ ଭାଷାରେ ଗାଳି ଖାଇଲା, ହେଲେ ପିଙ୍କି ସେଥିପାଇଁ ଜିତୁକୁ କେବେ ବି ଆଶ୍ୱସ୍ତି ଦେଇନି ।

  ଜିତୁର ମନରେ ପ୍ରଶ୍ନର ପାହାଡ ସୃଷ୍ଟି ହେବାକୁ ଲାଗିଲା

ଯଦି ପିଙ୍କି ମୋତେ ଜଣେ ଭଲ ସାଙ୍ଗ ବୋଲି ଭାବୁଥିଲା, ତେବେ ସେ ତା'ର ଏତେ ବଡ କଥାଟା ମୋତେ କହି ନ ଥିଲା କାହିଁକି ? ନାଁ, ପିଙ୍କି ତା'ର କାମ ହାସଲ କରିବା ପାଇଁ ମୋ ସହ ବନ୍ଧୁ ହେବାର ଛଳନା କରୁଥିଲା ! କାହା ପ୍ରତି କାହାର ଅନ୍ଧ ଭଲପାଇବା ଓ 'ଅକୁହା ପ୍ରେମ'ର କ'ଣ ଏହି ପରିଣତି? ......

ଛଳନା ପ୍ରେମ ପରିଣତି

Rate the content


Originality
Flow
Language
Cover design

Comments

Post

Some text some message..