Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ramesh Patra

Inspirational

3.2  

Ramesh Patra

Inspirational

ପଦାର୍ଥ ବିଜ୍ଞାନୀ

ପଦାର୍ଥ ବିଜ୍ଞାନୀ

13 mins
8.6K


ପଦାର୍ଥ ବିଜ୍ଞାନୀ

                ଉତ୍ତର ଭାରତର ଗୋଟେ ଛୋଟ ସହର ଲେହରିଆ ସରାଇରେ ମୋର ଶୈଶବରୁ ଜୀବନଯାତ୍ରା ଆରମ୍ଭ . ସେହି ସମୟର ପ୍ରସିଦ୍ଧ ପଦାର୍ଥ ବିଜ୍ଞାନୀମାନଙ୍କ ଦ୍ୱାରା ଖୁବ୍ ପ୍ରଭାବିତ ହୋଇ ପଡିଥିଲି . ଆଇନଷ୍ଟାଇନ୍, ବୋହର୍, ହେଇସନବର୍ଗ୍, ପ୍ଲାଙ୍କ୍ ଭଳି ବୈଜ୍ଞାନିକ ହେବାର ରଙ୍ଗୀନ ସ୍ୱପ୍ନରେ ମୁଁ ପୁରା ବିଭୋର ଥାଏ . ଭୌତିକ ପୃଥିବୀର ବିଭିନ୍ନ ଲୁକ୍କାୟିତ ତଥ୍ୟ ଓ ସେଗୁଡିକର ପ୍ରଭାବ ଆମ ବିଚାର ଧାରାକୁ ଚହଲାଇ ଦେଉଥିଲା . ଉଦାହରଣ ସ୍ୱରୂପ,  ଯେମିତି ଆଲୋକ କେବଳ ତରଙ୍ଗ ପ୍ରବାହ ନୁହେଁ ବରଂ କଣିକାଟିଏ ମଧ୍ୟ . ‘ମାସ୍’ ଓ ଶକ୍ତି ଅନ୍ତଃ ପରିବର୍ତ୍ତନଶୀଳ ଓ ଆଲୋକର ଗତି ସବୁଠାରୁ କ୍ଷିପ୍ର . ବିଜ୍ଞାନର ଛାତ୍ରମାନଙ୍କ ପାଇଁ ଏ ସବୁ ଥିଲା ସେତେବେଳର ଯୁଗାନ୍ତକାରୀ ଚିନ୍ତାଧାରା ଏବଂ ବିଜ୍ଞାନର ଭିତ୍ତି ଭୂମିରେ ଆଲୋଡନ ସୃଷ୍ଟିକାରୀ ମତାମତ . ଯୁବସୁଲଭ ଉଦ୍ଦାମତାରେ ମୁଁ ଭାବୁଥାଏ ଯେ ମୁଁ ଦିନେ ନା ଦିନେ ବିଖ୍ୟାତ ପଦାର୍ଥ ବିଜ୍ଞାନୀଟିଏ ହୋଇପାରିବି .

        ବାପା ମରିସାରିଥିବାରୁ ଘରେ ସବୁଠାରୁ ବଡ ଭାଇ ଆମର ମୁରବୀ ଥିଲେ ଓ ସେ ଚାହୁଁଥିଲେ ତାଙ୍କ ଭାଇମାନେ ସବୁ ଯେତେ ଶୀଘ୍ର ପାରେ ଯୋଗ୍ୟ ହୋଇଯାଆନ୍ତୁ .ଆମମାନଙ୍କୁ ମଣିଷ କରିବା ପାଇଁ ସେ ନିଜର ସ୍ୱପ୍ନ ଓ ଆଶା ସବୁକୁ ଭୁଲି ଯାଇଥିଲେ . କଲେଜରେ ପ୍ରାଥମିକ ଦୁଇ ବର୍ଷ ପରେ ମୁଁ କୋଉ ରାସ୍ତାକୁ ଜୀବନରେ ଆପଣେଇ ନେବି, ସେହି ସମୟ ଆସି
ଯାଇଥିଲା . ଦାଦା (ବଡ ଭାଇ) ମୋତେ ପଚାରିଲେ, ‘ତୁ କଣ ପଢିବାକୁ ଚାହୁଁଛୁ ?’ ମୁଁ ଫଟାଫଟ୍ ଉତ୍ତର ଦେଲି “ପଦାର୍ଥ ବିଜ୍ଞାନୀ”  . ତୁ କିନ୍ତୁ “ପଦାର୍ଥ ବିଜ୍ଞାନୀ” ଟିଏ ହେବୁ, ମୁଁ କଳ୍ପନା କରିପାରୁନାହିଁ . ଦାଦା କହିଲେ . ଦାଦାଙ୍କ ବ୍ୟକ୍ତତ୍ୱ ଏପରି ଥିଲା ଯେ, ତାଙ୍କ ସାମ୍ନାରେ ଠିଆ ହୋଇ କଥାବାର୍ତ୍ତା କରିବାର ସାହସ ମୋର ନ ଥିଲା . ତେଣୁ ବାଧ୍ୟ ହୋଇ ଚୁପ୍ ରହିଲି . ଦାଦା କହିଲେ, “ଇଞ୍ଜିନିୟରିଂ କିମ୍ବା ଡାକ୍ତରୀ” ଭିତରୁ ଗୋଟିଏ ବାଛ . ମୁଁ ଉତ୍ତର ଦେଲି, “ଇଞ୍ଜିନିୟରିଂ ମୋର ପସନ୍ଦ ନୁହେଁ”. ଇଞ୍ଜିନିୟରିଂ ପାଇଁ ଆବଶ୍ୟକ ଦକ୍ଷତା ମୋର ନାହିଁ . ଦ୍ୱିତୀୟରେ ଶବ ବ୍ୟବଚ୍ଛେଦ ଦେଖିବା ମୋ ପାଇଁ ଅସହ୍ୟ . ତାହେଲେ ତୁ ଇଞ୍ଜିନିୟରିଂ ପଢିବୁ – ଦାଦା କହିଲେ, ଏହା ହିଁ ଥିଲା ତାଙ୍କର ମୋ ପାଇଁ ନିଷ୍ପତ୍ତି .

        ତା ପରେ ଆମ ଘର ଠାରୁ ପ୍ରାୟ 250 କି.ମି. ଉତ୍ତର – ପୂର୍ବରେ ଥିବା ବନାରସ୍ ହିନ୍ଦୁ ୟୁନିଭର୍ସିଟିକୁ ଟ୍ରେନ୍ ଯୋଗେ ଆମ ଦୁଇ ଜଣଙ୍କର ଯାତ୍ରା . ମୋର ଆଡମିସନ୍ ଆଉ ହଷ୍ଟେଲରେ ରହିବା ବ୍ୟବସ୍ଥା କରି, ଦାଦା ଫେରି ଆସିଲେ . ମୋର ସମସ୍ତ ଚେଷ୍ଟା ସତ୍ତ୍ୱେ ମୁଁ ମାତ୍ର ଦୁଇ ସପ୍ତାହ ପରେ ଘରକୁ ଫେରି ଆସିବାକୁ ବାଧ୍ୟ ହେଲି . ସେହି ଦୁଇ ସପ୍ତାହର ରହଣୀ ମୋ ପାଇଁ କାଠିକର ପାଠ ଥିଲା . ମୁଁ ଜମ୍ମାରୁ ସ୍ୱାଭାବିକ ହୋଇ ପାରୁ ନ ଥାଏ . କେମିତି ଗୋଟାଏ ଅବରୁଦ୍ଧ ପରିବେଶ ଭିତରେ ଅଣନିଃଶ୍ୱାସୀ ହୋଇ ଯାଉଥାଏ . ବିଶ୍ୱବିଦ୍ୟାଳୟର ଚାରିପଟେ ସବୁଜ ବନାନୀ, ସୁନ୍ଦର ପରିବେଶ . ଲାଗୁଥାଏ ଯେମିତି ଏ ଜାଗା ମୋ ପାଇଁ ନୁହେଁ . କ୍ଲାସରେ ପ୍ରଫେସରମାନେ ପାଠ ପଢାଉଥିବା ସମୟରେ ମୋ ମନ କୋଉ ଅଜଣା ଜାଗାରେ ଘୁରି ବୁଲେ . ପାଠ ପ୍ରତି ଧ୍ୟାନ ରୁହେ ନାହିଁ . ସେଠୁ ପଳେଇଆସିବାକୁ ମନ ଚାହୁଁ ଥିଲେ ବି ଦାଦାଙ୍କୁ ସାମ୍ନା କରିବାର ଭୟ, ମୋତେ ବାରଣ କରୁଥାଏ . ହେଲେ ବେଶୀ ଦିନ ସେହି ଶ୍ୱାସରୁଦ୍ଧ ଅବସ୍ଥାରେ ମୁଁ ରହି ପାରିଲି ନାହିଁ . ଟ୍ରେନରେ ଆମ ସହରକୁ ଫେରି ଆସିଲି .

        “କଣ ହେଲା”? ଦାଦା ଚକିତ ହୋଇ ପ୍ରଶ୍ନ କଲେ . ମୁଁ ବହୁତ ଚେଷ୍ଟା କଲି, ହେଲେ ପାରିଲି ନାହିଁ . ମୁଁ କହୁଥିଲି ନା ମୋ ଦ୍ୱାରା ଇଞ୍ଜିନିୟରିଂ ହୋଇପାରିବ ନାହିଁ . ମୁଁ ଉତ୍ତର ଦେଲି . ଦାଦା ସହଜରେ ହଟିବା ଲୋକ ନୁହଁନ୍ତି . ସେ ମୋତେ ବିହାରର ସିନ୍ଧ୍ରୀରେ ବିହାର୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଆଡମିସନ୍ କରେଇଦେଲେ .ଆମ ସହର ଠାରୁ ସିନ୍ଧ୍ରୀ ଓ ବନାରସ୍ ସମାନ ଦୂର . ହେଲେ ମୋ ପାଇଁ ବନାରସ୍ ଯାହା, ସିନ୍ଧ୍ରୀ ବି ସେୟା ହେଲା . ସେଇ ପୁରୁଣା ରୋଗ . ହେଲେ ମୁଁ ପାରୁପଣେ ଚେଷ୍ଟା କରୁଥାଏ, ସେଠି ସ୍ଥିର ହୋଇ ରହିବା ପାଇଁ . ହେଲେ ଦିନକର ଘଟଣା ସବୁ ଏପଟ ସେପଟ କରିଦେଲା . ମେକାନିକାଲ୍ ୱାର୍କସପରେ ତିନି ଘଣ୍ଟା କାଳ ଚେଷ୍ଟା କରି ଅସଫଳ ହେବା, ମୋର ଯାହା ବି ମନୋବଳ ଥିଲା, ତାକୁ ତୁଟେଇ ଦେଲା . ଇନଷ୍ଟ୍ରକ୍ଟର୍ ମୋତେ ଗୋଟେ ଷ୍ଟିଲ୍ ଧରେଇ ଦେଇ କହିଲେ, “ୟାକୁ ଗୋଟେ ଦୁଇ ଇଞ୍ଚ ବିଶିଷ୍ଟ କ୍ୟୁବ୍ (ଘନ କ୍ଷେତ୍ର)ରେ ପରିବର୍ତ୍ତନ କର . ଏହାର ସମସ୍ତ ପୃଷ୍ଠ ସମତଳ ଓ ସମାନ ହେବ.” ତାଙ୍କ ବରାଦ ମୁତାବକ ମୁଁ କ୍ୟୁବ୍ ତିଆରି କରିସାରି ତାଙ୍କ ହାତକୁ ବଢେଇଲି . ପୃଷ୍ଠ ସମତଳ ପରୀକ୍ଷଣ କରି ତାକୁ ଗୋଟେ ଟି ସ୍କୋୟାରରେ ମସୃଣତା ଦେଖିଲେ ଓ କହିଲେ ୟାର କ୍ଷୁଦ୍ର ଫାଙ୍କ ଭିତରେ ଆଲୋକ ଯା’ ଆସ କରୁଛି . ମୁଁ ପୃଷ୍ଠତଳ ଗୁଡିକୁ ମସୃଣ କରିବାକୁ ଅବିରତ ଚେଷ୍ଟା କଲି . ଦୁଇ ଘଣ୍ଟାର ପରିଶ୍ରମ ପରେ ଫଳ ଯାହା ହେଲା, ତାହା ହାସ୍ୟାସ୍ପଦ . କେବଳ ଆଙ୍ଗୁଠି କ୍ଷତାକ୍ତ ହେବା ହିଁ ସାର ହେଲା . ଅକୃତକାର୍ଯ୍ୟର ହତାଶାବୋଧ ଭିତରେ ଇନଷ୍ଟ୍ରକ୍ଟରଙ୍କୁ କହିଲି, “ମୋ ଦ୍ୱାରା ଯାହା ସମ୍ଭବ ତାହା ହିଁ କରିପାରିଛି.” “ଏହା ଯଥେଷ୍ଟ ନୁହେଁ.” ସେ କହିଲେ . ନାସ୍ତିବାଚକ ଭାବେ ମୁଣ୍ଡ ହଲେଇଲେ . ବାସ୍ ମୋ ପାଇଁ ସେତିକି ଯଥେଷ୍ଟ . ହଷ୍ଟେଲକୁ ଫେରି ନିଷ୍ପତ୍ତି ନେଲି ସିନ୍ଧ୍ରୀ ଛାଡିବାକୁ ପଡିବ .ତାପରେ ମୁଁ ନିଜକୁ ସିନ୍ଧ୍ରୀ ଷ୍ଟେସନରେ ଆବିଷ୍କାର କରେ . ଘରକୁ ଫେରିବା ପାଇଁ ଟ୍ରେନ୍ ଧରିଲି.

        ଦାଦା ମୋ ଉପେର କ୍ଷୁବ୍ଧ ଓ ହତାଶ ବୋଧକଲେ, ଏପରିକି ମୋ ସାଙ୍ଗରେ କଥାବାର୍ତ୍ତା ବନ୍ଦ କରିଦେଲେ . ଯଦି କେବେ ସାମ୍ନା ସାମ୍ନି ହୋଇଯାଆନ୍ତି, ମୁହଁ ଫେରେଇ ନିଅନ୍ତି . ମୁଁ ତାଙ୍କ ମନୋଭାବ ବୁଝିପାରେ . ଭାଇମାନଙ୍କୁ ଶିଘ୍ର ମଣିଷ କରି ସଂସାରରେ ନିଜ ଗୋଡରେ ଠିଆ କରେଇବାର ବ୍ୟର୍ଥ ପ୍ରୟାସ ତାକୁ ଏଇଭଳି କରି ଦେଇଥିଲା . ହେଲେ ମୋର ଦୀର୍ଘ ଦିନର ଆକାଂକ୍ଷା ଆଉ ବୌଦ୍ଧିକ ଆଗ୍ରହ ଓ ଜିଦ୍ ବୁଝାମଣା କରିବା ପାଇଁ ବାଟ ଖୋଜି ଠିଆ
ହୋଇଥାଏ . “ତୁ ଯଦି ଫିଜିକ୍ସ୍ ପଢିବା ପାଇଁ ଚାହୁଁଛୁ, ତୁ ନିଜେ ବ୍ୟବସ୍ଥା କର . ମୋ ଠାରୁ କିଛି ସାହାଯ୍ୟ ମିଳିବ ନାହିଁ .” ଦାଦା ରୋକଠୋକ ଶୁଣେଇଦେଲେ .ମୁଁ ଭାବୁଥାଏ, ତାଙ୍କ ରାଗ ବେଶି ଦିନ ରହିବ ନାହିଁ ଓ ସମୟ କ୍ରମେ ସେ ଭୁଲିଯିବେ . ହେଲେ ସେମିତି କିଛି ଘଟିଲା ନାହିଁ . ପରିବାରର ଅନ୍ୟମାନେ ତାଙ୍କ କର୍ତ୍ତୃତ୍ୱାଧିନ ଥିଲେ . ମୋ ଠାରୁ ସେମାନେ ଦୂରେଇ ରହିଲେ . ଭୟ କରୁଥିଲେ କାଳେ ଦାଦାଙ୍କ ରୋଷର ଶରବ୍ୟ ସେମାନଙ୍କୁ ହେବାକୁ ପଡିବ .ଘରେ କେବଳ ଖାଇବାକୁ ବାଦ୍ ଦେଲେ ନୀରବତା ଓ ନିସଙ୍ଗତା ମୋର ସାଥି ହୋଇ ସାରିଥିଲେ . ମୋ ଆଗରେ ଦୁଇଟି ରାସ୍ତା . ଦାଦାଙ୍କ ଜିଦ୍ ରକ୍ଷା କରିବାକୁ ମୋତେ ବିହାର୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିକୁ ଫେରି ଯାଇ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବାକୁ ହେବ ଓ ନିଜ ଗୋଡରେ ଠିଆ ହେବା ପାଇଁ ଏକ ନିଶ୍ଚିତ ଅବଲମ୍ବନର ଆଶ୍ରା ଓ ଛାଇ ମିଳିଯିବ . କିନ୍ତୁ ସ୍ୱପ୍ନ ଭଙ୍ଗର ଅବଶୋଷ ଭିତରେ ବାକି ଜୀବନ ଜୀଇଁବାକୁ ପଡିବ . ତା ପରିବର୍ତ୍ତେ ନିଜ ଗୋଡରେ ଠିଆ ହୋଇ, ନିଜର ପୃଷ୍ଠପୋଷକ ଓ ମାର୍ଗଦର୍ଶକ ହୋଇ ପଦାର୍ଥବିଜ୍ଞାନୀଟିଏ ହେବି . କିନ୍ତୁ ସେଥିପାଇଁ ମୋତେ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡିବ .

        ଦାଦାଙ୍କର ମୋ ଭବିଷ୍ୟତ ପାଇଁ ଚିନ୍ତା, ଭାଇମାନଙ୍କ ପାଇଁ ତ୍ୟାଗ ମୋତେ କିଛି ସିଦ୍ଧାନ୍ତ ନେବା ପାଇଁ ବାଧକ ସାଜୁଥାଏ . କିନ୍ତୁ ଶେଷରେ ମୁଁ ସ୍ଥିର କଲି, ମୁଁ ନିଜ ଇଛାରେ ଯାହା କରିବି . ଏଇଟା 1971 ମସିହାର କଥା . ମୋତେ ସତର ବର୍ଷ ମାତ୍ର . ଭାବୁଥାଏ, କୋଉ ପଦାର୍ଥ ବିଜ୍ଞାନ ଇନଷ୍ଟିଚ୍ୟୁଟରେ ନାଁ ଲେଖେଇବି . କିନ୍ତୁ ବହୁତ ବିଳମ୍ବ ହୋଇ ଯାଇଥାଏ . କୋଉଠି ଜାଗା ଖାଲି ନ ଥାଏ .କେବଳ ଘରେ ବସି ରହି ଅନ୍ନ ଧ୍ୱଂସ କରିବାର ଚିତ୍ର ମୋ ଆଖି ଆଗକୁ ଆସୁଥାଏ . କୌଣସି ଚାକିରୀ ବି ମିଳୁ ନ ଥାଏ, ଯୋଉଥିରେ ମୁଁ ସମୟ ଦେଇପାରିବି .ଏତିକି ବେଳେ କୌଣସି ଖବରକାଗଜରେ ଜେ.ବି.ଏସ୍. ହାଲଡେନଙ୍କ ବିଷୟରେ ଖବର ବାହାରିଥାଏ . ହାଲଡେନ୍ ଜଣେ ବିଶ୍ୱ ବିଖ୍ୟାତ ଅଣୁବଂଶିକ ଜୀବ ବିଜ୍ଞାନୀ . ଲଣ୍ଡନର ଅକ୍ସଫୋର୍ଡ ଓ କେମ୍ବ୍ରିଜରେ ତାଙ୍କର ଗବେଷଣା ସରିଥାଏ .ସବୁଦିନ ପାଇଁ ଲଣ୍ଡନ ଛାଡି ସେ ଭାରତରେ ରହିବା ପାଇଁ ସ୍ଥିର କରିଥାଆନ୍ତି ଓ ଭାରତୀୟ ଷ୍ଟାଟିସକାଲ ଇନଷ୍ଟିଚ୍ୟୁଟରେ ରିସର୍ଚ୍ଚ ସାଇଣ୍ଟିଷ୍ଟ ଭାବେ ଯୋଗ ଦେଇଥାଆନ୍ତି . ଯୁବ ସୁଲଭ ଉଦ୍ଦାମତାରେ ମୋର ବର୍ତ୍ତମାନ ସ୍ଥିତି ଜୀବନର ତିକ୍ତ ଅନୁଭୂତିକୁ ନେଇ ଏକ ଦୀର୍ଘ ଚିଠି ଏଇ ବିଶ୍ୱବିଖ୍ୟାତ ବୋଜ୍ଞାନିକଙ୍କ ପାଖକୁ ପଠେଇଦେଲି . ମୁଁ ଅନୁରୋଧ କରିଥାଏ, “ ଆପଣ ଦୟାକରି ମୋତେ କୌଣସି ପ୍ରୋଜେକ୍ଚରେ ନିୟୋଜିତ କରି ପାରିବେ କି?” ଏହି ମର୍ମରେ ଚିଠିର ବିଷୟବସ୍ତୁ ଥିଲା .

        ଦିନ ବିତି ଯାଉଥାଏ .ମୁଁ ଲେଖିଥିବା ଚିଠିକୁ ବିସ୍ମୃତ ହେବାକୁ ବସିଥାଏ . ଦୁଇ ସପ୍ତାହ ପରେ ଆମ ଚିଠି ବାକ୍ସରେ, ମୋ ଠିକଣାରେ ଚିଠି ଆସି ଥାଏ . ପ୍ରେରକ ଜାଗାରେ ଲେଖା ହୋଇଥାଏ :-

        ପ୍ରଫେସର୍ ଜେ.ବି.ଏସ୍. ହାଲଡେନ, ଏଫ୍. ଆର୍. ଏସ.

        18/1, ବାରାକ ପୁର, ଟ୍ରଙ୍କ୍ ରୋଡ୍,

        ପୋ. ବେଲଘରିଆ, ପଶ୍ଚିମ ବଙ୍ଗ

        ଗୋଟେ ପୁରା ଫର୍ଦ୍ଦର ଚିଠି . ଟାଇପ୍ ହୋଇଥାଏ ଅକ୍ଷର ସବୁ . ଦୁର୍ଭାଗ୍ୟକୁ ତୁମର ଦସ୍ତଖତ ପରିଷ୍କାର ଭାବରେ ପଢିପାରୁନାହିଁ . ଏ ଚିଠି ତୁମ ପାଖରେ ପହଞ୍ଚି ନ ପାରେ . ବେଲଘରିଆ ପୋଷ୍ଟ ଅଫିସ୍ ଯଥେଷ୍ଟ ନୁହେଁ . କିନ୍ତୁ ମୁଁ ତୁମ ଚିଠି ପାଇଛି .  ମୁଁ ପରିଷ୍କାର ଭାବେ କହି ରଖୁଛି ଇଞ୍ଜିନିୟରିଂ ପଦାର୍ଥବିଜ୍ଞାନ ପାଇଁ ଗୋଟେ ସୁନ୍ଦର ଉପକ୍ରମଣିକା . ଡିରାକ୍ ଓ ଭାବା ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ . ଭାରତରେ ସବୁ ଜାଗାରେ ସଠିକ୍ ଭାବେ ପାଠ ପଢା ଯାଏ ନାହିଁ . ମୋର ପଦାର୍ଥ ବିଜ୍ଞାନ ଓ ଗଣିତରେ ଜ୍ଞାନ ବୃଦ୍ଧି ପାଇଁ ଏଇ ସମୟ କିପରି ଉପଯୋଗ କରିପାରିବି, ସେ ବିଷୟରେ କିଛି ଉପଦେଶ ମଧ୍ୟ ଚିଠିରେ ଲେଖାଥିଲା . କେବଳ ବହି ପଢିଲେ ବିଜ୍ଞାନ ଶିକ୍ଷା ସମ୍ପୂର୍ଣ୍ଣ ହୋଇପାରେ ନାହିଁ ବୋଲି ମଧ୍ୟ ସତର୍କ କରେଇଥିଲେ .ଗବେଷଣା ପାଇଁ ପ୍ରାଥମିକ ସ୍ତରର ପରିସଂଖ୍ୟାନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବାକୁ ମଧ୍ୟ ସେ ଚିଠିରେ ଲେଖିଥିଲେ . ନ୍ୟୁକ୍ଲିୟର୍ ଫିଜିକ୍ସର ଗବେଷଣା ସମୟରେ ଆଲଫା ଅଣୁ-କଣିକା (particle)ର ଗଣତିରେ ଏହା କିପରି ସହାୟକ ହେବ ସେ କଥା ମଧ୍ୟ ସୂଚୀତ କରିଥିଲେ . ହାଲଡେନ୍ ଏପରି ଏକ ପ୍ରୋଜେକ୍ଟ୍ ବିଷୟରେ ଅବତାରଣା କରିଥିଲେ ଯହିଁରେ କୌଣସି ଗବେଷଣାଗାର ବା ଯନ୍ତ୍ରପାତିର ଦରକାର ନ ଥିଲା, ଯାହା କେବଳ ନିଜର ଆଗ୍ରହ, ଉଦ୍ୟମ ଓ ସମୟର ଉପଯୋଗିତା ଉପରେ ନିର୍ଭର କରେ .

        “ତୁମେ କିଛି ମଲ୍ଲୀ-ବୁଦାରେ ଫୁଟୁଥିବା ମଲ୍ଲୀ ଫୁଲ ପାଖୁଡାକୁ ଲକ୍ଷ୍ୟ କରିବ . ପାଖୁଡାମାନଙ୍କର ସଂଖ୍ୟା ସଦାବେଳେ ସମାନ ରୁହେ ନାହିଁ . ଗୋଟିଏ ଫୁଲ ଫୁଟା ଋତୁରେ ପ୍ରତ୍ୟେକ ସପ୍ତାହରେ ଫୁଲ ସଂଗ୍ରହ କରି ପ୍ରାୟ ମାସକ ଭିତରେ ସେମାନଙ୍କର ପାଖୁଡା ସଂଖ୍ୟା ଉପରେ ଧ୍ୟାନ ଦିଆ ଉପରେ କଣ କରିବାକୁ ହେବ ମୁଁ ତାକୁ ବତେଇ ଦେବି . ଗୋଟିଏ ବର୍ଷ ନଷ୍ଟ ହେଲା ବୋଲି ଚିନ୍ତା କରିବ ନାହିଁ . ମୁଁ ୟୁନିଭର୍ସିଟିରେ ପାଠ ପଢିବା ବେଳେ ଯୁଦ୍ଧ ପାଇଁ ଚାରି ବର୍ଷ ହରେଇଛି .” ହାଲଡେନଙ୍କ ଏହି ଚିଠି ଏବେ ମୋ ହାତ ମୁଠାରେ, ଏଇ ସୌଭାଗ୍ୟ କଥା ମୋ ଚିନ୍ତାରେ ବାହାରେ . ଭାରତର କୋଉ ଅଜଣା କୋଣର ମୋ ବୟସର ଗୋଟେ ପିଲାର ପୃଷ୍ଠପୋଷକତା ଜଣେ ଅସାଧାରଣ ବୈଜ୍ଞାନିକ, ଏ କଥା ଭାବି ମୋ ଆନନ୍ଦର ସୀମା ପାଉ ନ ଥାଏ, ସେଇ ଶବ୍ଦ ସବୁ ମୋ ପାଇଁ ସ୍ୱାନ୍ତନାର ଅଫୁରନ୍ତ ମୂଳ ସ୍ରୋତ, ଦାଦାଙ୍କ ସହ ମୋର ବର୍ତ୍ତମାନର ସମ୍ପର୍କ, ଏଇ ଉତ୍ସାହ ଆଗରେ କିଛି ନୁହେଁ ବୋଲି ମୁଁ ଭାବୁଥାଏ . ମନେ ମନେ ଚିନ୍ତା କରୁଥାଏ, “ମୋ ଦ୍ୱାରା ଆହୁରି ବହୁତ କିଛି କରିବାର ସମ୍ଭାବନା ଅଛି .” ପ୍ରାୟ 6 ମାସ ଭିତରେ ହାଲଡେନଙ୍କ କଥାନୁସାରେ ମୁଁ ତଥ୍ୟ ସଂଗ୍ରହ କରିବା ପାଇଁ 1000ରୁ ଅଧିକ ମଲ୍ଲୀ ଫୁଲକୁ ପରୀକ୍ଷା କରି ସାରିଥାଏ . ଏଇ ଫୁଲ ସବୁ ଆମ ବଗିଚା ଆଉ ପଡୋଶୀମାନଙ୍କର ବଗିଚାରୁ ସଂଗ୍ରହ କରିଥିଲି . ଏଇ ତଥ୍ୟ ସବୁକୁ ସଜେଇ ପ୍ରଫେସର ହାଲଡେନଙ୍କ ପାଖକୁ ପଠେଇ ଦେଲି .

        କିଛି ସପ୍ତାହ ପରେ ପ୍ରଫେସର ହାଲଡେନଙ୍କ ଠାରୁ ଉତ୍ତର ମିଳିଲା, ମୁଁ ଦେଇଥିବା ଟେବୁଲର ତଥ୍ୟର ବିଭିନ୍ନ ଦିଗର ତର୍ଜମା କରିଥିଲେ, ତର୍ଜମାର ସୂତ୍ର ସବୁ ମୁଁ ପରବର୍ତ୍ତୀ ସମୟରେ ମୁଁ ନିଜ ଗବେଷଣାରେ ଭବିଷ୍ୟତରେ ପ୍ରୟୋଗ କରିଛି . ପୁଣି ଉପଦେଶ ଦେଇଥିଲେ, ଷ୍ଟାଟିସ୍ଟିକ୍ସ୍ ବହିର ସୂତ୍ର ଉପରେ ମୁଁ ଦେଇଥିବା ତଥ୍ୟକୁ ଆଧାର କରି କଣ କଣ ସବୁ କରି ହେବ . ଏପରିକି ଗୋଟିଏ ଫୁଲ ଫୁଟା ଋତୁରେ ବହୁ ସଂଖ୍ୟକ ମଲ୍ଲି ଉଦାର ଫୁଲମାନଙ୍କୁ ଗବେଷଣାତ୍ମକ ସନ୍ଦର୍ଭ ପ୍ରସ୍ତୁତ କରିହେବ .

        ପ୍ରଫେସର୍ ହାଲଡେନଙ୍କ ଉତ୍ସାହ ମୋର ଅଧ୍ୟବସାୟ ଓ ଆଗ୍ରହ ମୋ ଗବେଷଣଆ କାମକୁ ଆଗେଇ ନେଉଥାଏ . ଦାଦା ଜାଣୁ ନ ଥିଲେ ମୁଁ କଣ କରୁଛି . ମଲ୍ଲୀ ପାଖୁଡା ନେଇ ମୋର ଗବେଷଣା ବେଳେ ସେ ପ୍ରାୟ ଘରେ ନ ଥାନ୍ତି . ମୋର ଅନ୍ୟ ଭାଇମାନେ ଜାଣୁଥିଲେ ବି ମୋ କାମରେ ସେମାନଙ୍କର ବିଶେଷ ଆଗ୍ରହ ନ ଥାଏ .

        ପରବର୍ତ୍ତୀ ବର୍ଷରେ ମୁଁ 50 କି.ମି. ଦୂର ମୁଜାଫରପୁରରେ କଲେଜରେ ପଦାର୍ଥ ବିଜ୍ଞାନରେ ସ୍ନାତକ ଶ୍ରେଣୀରେ ନାଁ ଲେଖାଇଲି ଓ ହଷ୍ଟେଲରେ ରହିଲି . ମୋର ପୂର୍ବର ମାର୍କ୍ ଉପରେ ମୋତେ ସ୍କଲାରସିପ୍ ମଧ୍ୟ ମିଳି ଯାଇଥାଏ . ଏହା ପରେ ପ୍ରଫେସର୍ ହାଲଡେନଙ୍କ ଅଧିନରେ ମୋ ଗବେଷଣା କାମ ଆଗେଇ ଚାଲିଥାଏ, ଯଦିଓ ଆଗ୍ରହରେ ସାମାନ୍ୟ ମନ୍ଥରତା ଆସିଯାଇଥାଏ .ୟା ଭିତରେ ଦାଦାଙ୍କ ସହ ମୋର ସମ୍ପର୍କର ଉନ୍ନତି ଆସି ଯାଇଥାଏ . ମଝିରେ ମଝିରେ ମୋ ପଢାପଢି ଖବର ପଚାରୁଥିଲେ, ମାତ୍ର ପୂର୍ବର ସମ୍ପର୍କର ଉଷ୍ମତା, ଆନ୍ତରିକତା ଓ ଆବେଗ ନ ଥିଲା . 1964ରେ ମୁଁ କଲିକତାକୁ ସ୍ନାତକୋତ୍ତର ପାଠପଢା ପାଇଁ ଚାଲି ଆସିଲି .ପାଖାପାଖି ଦୁଇ ବର୍ଷ . ୟା ଭିତରେ ମୁଁ ଲକ୍ଷ୍ୟ କରୁଥାଏ ଯେ ପୂର୍ବର ମଲ୍ଲୀ ଫୁଲ ପାଖୁଡାକୁ ନେଇ ମୋର ଗବେଷଣା, ନ୍ୟୁକ୍ଲିୟର୍ ଫିଜିକ୍ସର ଆଲ୍ଫା ଅଣୁ କଣିକା ବିଷୟରେ ଉଚ୍ଚତର ଗବେଷଣା ପାଇଁ ବହୁତ ସାହାଯ୍ୟ କରିଛି .

ମୋ ଜୀବନର ଗତି ପଥରେ ପୁଣି ଅପ୍ରୀତିକର ପରିସ୍ଥିତି ସାମ୍ନା କରିବାକୁ ପଡିଥିଲା . ଦାଦାଙ୍କ ସହ ସମ୍ପର୍କରେ କିଛି ଉନ୍ନତି ଘଟୁ ନ ଥାଏ, ସ୍ନାତକୋତ୍ତର ଶିକ୍ଷା ପରେ ବି ଚାକିରିର ସମ୍ଭାବନା କ୍ଷୀଣ ଥାଏ, ବିଶେଷତଃ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଚାକିରି ବି ସୀମୀତ ଥାଏ . ସେତେବେଳେ ବୋଧହୁଏ ଦାଦା ଏଥିପାଇଁ ଚାହୁଁ ନ ଥିଲେ ଯେ, ମୁଁ ସେହି ବିଷୟକୁ ନେଇ ପାଠ ପଢେ . ଏ ସବୁ ସତ୍ତ୍ୱେ ମୋର ଦୃଢ ବିଶ୍ୱାସ ଥାଏ ଯେ ମୋର ଭବିଷ୍ୟତ ହିଁ ପଦାର୍ଥ ବିଜ୍ଞାନକୁ ନେଇ .

ଇଣ୍ଟରଭିଉ ପରେ  ଇଣ୍ଟରଭିଉ ଦେଇ ମୁଁ ସଫଳତା ପାଉ ନ ଥାଏ . ଭବିଷ୍ୟତ ଅନ୍ଧାର ବୋଲି ଧରି ନେଇଥାଏ . ହତାଶବୋଧ ଆଉ ଏକଲାପଣର ଅନ୍ଧାରି ସମୁଦ୍ର ଭିତରେ ମୁଁ ନିରୁଦ୍ଦିଷ୍ଟ ଭାବରେ ପହଁରୁଥାଏ . ମୋ ଚିନ୍ତା ଆଉ ଅନୁଭବରେ ମୋ ପରିବାର, ପରିବେଶ ଓ ବନ୍ଧୁମାନଙ୍କ ଠାରୁ ଦୂରେଇଯାଉଥାଏ . ଗୋଟିଏ ପରିଚିତ ପୃଥିବୀରେ ମୁଁ ଅଚିହ୍ନା ଓ ଅଜଣା ହୋଇ ଯାଇଥାଏ ଆସ୍ତେ ଆସ୍ତେ . ସମସ୍ତଙ୍କ ଠାରୁ ବିଛିନ୍ନ ହୋଇଯିବାର ଭୟ ଦାନା ବାନ୍ଧୁ ଥାଏ ମୋ ଭିତରେ  .

ଠିକ୍ ଏହିଭଳି ଘଡିସନ୍ଧି କ୍ଷଣରେ, କାନାଡାର ଏକ ବିଶ୍ୱବିଦ୍ୟାଳୟରୁ ପି.ଏଚ୍.ଡି କରିବାର ସୁଯୋଗ ମିଳିଗଲା . ଜଣେ ପଦାର୍ଥବିଜ୍ଞାନୀ ଭାବେ ପରିଚୟ ଓ ସ୍ୱୀକୃତି ପାଇବା ପାଇଁ ପି.ଏଚ୍.ଡି ନିହାତି ଆବଶ୍ୟକ . ଏଇ ସ୍କଲାରସିପ୍ ପାଇଗଲା ପରେ ମୋ ଭାଗ୍ୟାକାଶରେ ନୂତନ ସମ୍ଭାବନାର କଳ୍ପନା କରୁଥାଏ . ମୁଁ ନିଜକୁ ସାନ୍ତ୍ୱନା ଦେଉଥାଏ ଯେ, ମୋ ଅନ୍ଧାରି ଦିନ ସବୁ କଟିଗଲା . ଉଜ୍ଜ୍ୱଳ ସୂର୍ଯ୍ୟୋଦୟର ଦିନ ଏବେ ମୋ ହାତ ପାଆନ୍ତାରେ .

1968 ମସିହା ସେପ୍ଟେମ୍ବର ଏକ ସନ୍ଧ୍ୟା . ବିମାନବନ୍ଦରରେ ବନ୍ଧୁମାନେ ମୋତେ ବିଦାୟ ଦେବାକୁ ଆସିଥିଲେ . ଦାଦା ବି ସେମାନଙ୍କ ସହ ଥିଲେ . ମୋତେ କାନ୍ଧରେ ଆଉଜେଇ ନେବା ବେଳେ ତାଙ୍କ ଆଖରେ ଲୁହ ଭର୍ତ୍ତି . ଆଗରୁ ମୁଁ କେବେ ତାଙ୍କୁ କାନ୍ଦିବାର ଦେଖି ନ ଥିଲି . ଦାଦାଙ୍କ ଲୁହ ଭରା ଆଖି ମୋତେ ବି ଦୁର୍ବଳ କରି ଦେଉଥିଲା . 36 ଘଣ୍ଟାର ଯାତ୍ରା ପରେ ସାକ୍ସାଟୁନ୍ ଏୟାରପୋର୍ଟରେ ମୁଁ ଓହ୍ଲାଇଲି . ଡାହାଣ ହାତରେ ଅଧା ଭର୍ତ୍ତି ସୁଟକେଶ୍, ପକେଟରେ ବିନିମୟ ମୁଦ୍ରା ହିସାବରେ ମାତ୍ର ଆଠ ଡଲାର . ଉତ୍ତର ମେରୁ ଅଞ୍ଚଳର ଥଣ୍ଡା ସ୍ୱାଗତ କରୁଥାଏ ଜଣେ ଅଜଣା ଆଗନ୍ତୁକକୁ . ଆଗରୁ ଉତ୍ତର ଆମେରିକାର ଲୋକ ବା ଚଳଣି ସମ୍ପର୍କରେ ମୁଁ ପୁରାପୁରି ଅଜ୍ଞ, ଅନଭିଜ୍ଞ ଥାଏ . ପୃଥିବୀର ଏଇ କୋଣରେ କାହାର ସାହାଯ୍ୟ ଓ ସହାୟତା ବିନା ମୋତେ ସବୁ ଅଡୁଆ ଲାଗୁଥାଏ, ଅଜଣା ଆଶଙ୍କା ଭିତରେ . ତଥାପି ମନ ତଳେ ଆଶା ଥାଏ, ଆଗାମୀ ଦିନ ସବୁ ଭଲରେ କଟିବ .

ସବୁ ଆଶା ମୋର ତୁଟିଗଲା, ଯେତେବେଳେ ବିଭାଗୀୟ ମୁଖ୍ୟ ଦପ୍ତରରେ ମୋତେ କହିଲେ ଯେ,  “ଦୁଃଖର ସହ ଜଣାଉଛି ଯେ, ଆମେ ଭୁଲବଶତଃ ଆପଣଙ୍କୁ ଯେଉଁ ବିଷୟରେ ପି.ଏଚ୍.ଡି କରିବା ପାଇଁ ଆମନ୍ତ୍ରଣ କରିଥିଲୁ ତାହା ଏଠି ନାହିଁ . ତାଙ୍କ କଥା ଶୁଣି ସ୍ତବ୍ଧ ହୋଇ ଗଲି . କଣ ପୁଣି ଭାରତ ଫେରିଯିବି? ହତାଶା ଆଉ ନିରାଶା ଭିତରେ ପୁଣି ବୁଡିବାର ଭାଗ୍ୟ ମୋର . ମୋର ଭାଗ୍ୟର ଗତିପଥ କଣ ଏୟା ? ବିଭାଗୀୟ ମୁଖ୍ୟ ଦପ୍ତରରେ ମୋ ମୁଣ୍ଡ ଭିତରେ ଯେମିତି ଘୁର୍ଣ୍ଣି ଝଡଟିଏ ନୀରବରେ ବୋହୁଥାଏ ଓ ମୋତେ କ୍ଷତବିକ୍ଷତ କରି ଦେଇଥାଏ .  ସେଇ ସଙ୍କଟଜନକ ଅବସ୍ଥାରୁ ମୁକ୍ତି ପାଇ ମୁଁ ପଚାରିଲି, ଏବେ ମୁଁ କଣ କରିବି ? ତୁମେ ଆଉଥରେ ଆମ ବିଶ୍ୱ ବିଦ୍ୟାଳୟରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିପାର କିମ୍ବା ଅନ୍ୟ କୌଣସି ବିଶ୍ୱବିଦ୍ୟାଳୟରେ ପି.ଏଚ୍.ଡି କରିପାର . ଉତ୍ତର ଦେଲେ ବିଭାଗୀୟ ମୁଖ୍ୟ .

ଆଗରୁ ମୁଁ ଅନ୍ୟ ବିଶ୍ୱବିଦ୍ୟାଳୟରେ ସ୍କଲାରସିପ୍ ମନା କରି ଦେଇଥାଏ . ବର୍ଷ ମଝିରେ ପୁଣି ଥରେ ଆବେଦନ କରିବା ସମ୍ଭବପର ନ ଥିଲା . ବାଧ୍ୟ ହୋଇ ଆଉଥରେ ସ୍ନାତକୋତ୍ତର ଶ୍ରେଣୀରେ ନାଁ ଲେଖାଇଲି . ଯାହା ଫଳରେ ପି.ଏଚ୍.ଡି କରିବା ପ୍ରାୟ ତିନି ବର୍ଷ ଘୁଞ୍ଚି ଗଲା . ଏତଦବ୍ୟତୀତତ ମୋର ପଢା ଖର୍ଚ୍ଚ ଓ ଚଳିବା ଖର୍ଚ୍ଚ ନିମନ୍ତେ ମୋତେ ପୁଣି ନୂଆ ସ୍କଲାରସିପ୍ ଯୋଗାଡ କରିବାକୁ ପଡିବ. ଏ ସବୁ ଯୋଗାଡ କରିବା ମୋ ପକ୍ଷେ ସମ୍ଭବ ହେବ କି  ? ଏହି ଚିନ୍ତା ମୋତେ ଘାରୁଥାଏ .”

ତା ପର ବର୍ଷ କାନାଡାରୁ ମୁଁ ଆମେରିକା ପଳେଇ ଆସିଲି . ମଝିରେ ମଝିରେ ଗଭୀର ହତାଶାବୋଧ, ଅନିଶ୍ଚିତତା ଓ ଆଶା ହୀନ ଜୀବନ ଭିତରେ ଛଅ ବର୍ଷର ଅକ୍ଲାନ୍ତ ପରିଶ୍ରମରେ ମୁଁ ପି.ଏଚ୍.ଡି ଉପାଧି ହାସଲ କଲି . ପୁଣି କାନାଡାକୁ ଫେରି ଟରୋଣ୍ଟୋର ଏକ ବିଦ୍ୟୁତ୍ ଉତ୍ପାଦନ କମ୍ପାନିରେ ଚାକିରି କଲି . ସେହି କମ୍ପାନିରେ 20 ବର୍ଷ ଅତିବାହିତ କରିବା ପରେ ଆମେରିକାର ଇଣ୍ଡିଆନା ପଲିସର କମ୍ପାନିରୁ ଆମନ୍ତ୍ରଣ ପାଏ . ସେଠି ବିଶ୍ୱବିଖ୍ୟାତ ବହୁ ନୋବେଲ ପୁରସ୍କାରପ୍ରାପ୍ତ ପଦାର୍ଥବିଜ୍ଞାନୀମାନେ କାମ କରୁଥାନ୍ତି . ମାନସ ପଟରେ ଉଙ୍କି ମାରନ୍ତି ଆଇନଷ୍ଟାଇନ୍, ବୋହର୍, ହେଇସନବର୍ଗ୍ ଓ ପ୍ଲାଙ୍କୋ ଓ ଅନ୍ୟ ସବୁ ପଦାର୍ଥବିଜ୍ଞାନୀ, ଯେଉଁ ମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ, ଜୀବନର ଜଟିଲ ଗତିପଥରେ ଆସି ମୁଁ ପହଞ୍ଚି ପାରିଛି . ଅଭିନବ ଉନ୍ମେଷକାରୀ ଏବଂ ପଦାର୍ଥବିଜ୍ଞାନ ସମ୍ପର୍କୀୟ ଅତ୍ୟାଧୁନିକ ଗବେଷଣା ପାଇଁ ଏଇ ଖ୍ୟାତନାମା କମ୍ପାନିରେ ଯୋଗ ଦେବା ଯେମିତି ମୋ ଦୀର୍ଘ ସ୍ୱପ୍ନାଭିଳାଷର ଫଳ . କମ୍ପାନି ଦ୍ୱାରା ଆହୁତ ଏଇ ସାକ୍ଷାତକାରରେ ବହୂ ଯୋଗ୍ୟ ଓ ବିଖ୍ୟାତ ବ୍ୟକ୍ତିମାନେ ଅଂଶ ଗ୍ରହଣ କରିଥିଲେ . ତେଣୁ ଫଳାଫଳ ଡେରି ହେବା ସ୍ୱାଭାବିକ ଥିଲା . ସେ ଯାହା ହେଉ, ଶେଷରେ ସେମାନେ ମୋତେ ଚୟନ କଲେ . କିଛି ଦିନ ପରେ ମୋତେ ଡାକରା ଆସିଲା ଏବଂ ପୁଣି  ପାଠପଢା ଇଣ୍ଡିଆନା ପଲିସକୁ ଫେରିଲି . ଜୀବନର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ମୋତେ ଦୀର୍ଘ 30 ବର୍ଷ ଅବିରାମ ସଂଗ୍ରାମ କରିବାକୁ ପଡିଛି . ଅବିଶ୍ରାନ୍ତ କଠିନ ପରିଶ୍ରମ ମୋତେ ମୋ ଯୌବନର ସ୍ୱପ୍ନର ଶୀର୍ଷରେ ପହଞ୍ଚେଇ ପାରିଛି .

ମୋ ଜୀବନ ଯେତେବେଳେ ଏକ ସଙ୍କଟମୟ ମୋଡରେ ଗତି କରୁଥିଲା, ପ୍ରଫେସର ହାଲଡେନଙ୍କ ଆବିର୍ଭାବ, ଗୋଟେ ଅନିଶ୍ଚିତ ଅନ୍ଧାରୀ ଭବିଷ୍ୟତକୁ  ନିଶ୍ଚିତ ମାର୍ଗରେ ପରିଚାଳିତ କରିଛି . ସିଏ ବି ଏକ ନିରାପଦ ବିଶ୍ରାମସ୍ଥଳୀ ଅନ୍ୱେଷଣରେ ଭାରତ ପହଞ୍ଚିଥିଲେ . ସୁଏଜ୍ କେନାଲ୍ ସମସ୍ୟାରେ ଇଂଲଣ୍ଡ ଜଡିତ ହୋଇ ପଡିଥିବା ବେଳେ, ହାଲଡେନ୍ ନିଜର ଜନ୍ମମାଟି ଇଂଲଣ୍ଡ କ୍ଷେତ୍ର ଅକ୍ସଫୋର୍ଡ ଛାଡି ଶାନ୍ତିର ସନ୍ଧାନରେ ଭାରତ ଆସିଥାଆନ୍ତି . 50 ଦଶକର ସୁଏଜ କେନାଲ ପରିସ୍ଥିତି ତାଙ୍କ ମାନସିକ ଅବସ୍ଥାରେ ଭାବାନ୍ତର ଆଣିଥିଲା . ସେଥୂରୁ ମୁକୁଳିବା ପାଇଁ ସେ ଭାରତରେ ଜୀବନର ଅବଶିଷ୍ଟ ସମୟ କଟାଇବାକୁ ଚାହିଁଥିଲେ . ଠିକ୍ ସେହିଭଳି ମାନସିକ ଅବସ୍ଥାର ଶୀକାର ହୋଇ ମୁଁ ଭାରତ ଛାଡିଥିଲି .

ଯଦିଓ ମୁଁ ଆଇନଷ୍ଟାଇନ୍, ବୋହର୍, ହେଇସନବର୍ଗ୍ ଓ ପ୍ଲାଙ୍କୋ ଓ ଅନ୍ୟ ସବୁ ପଦାର୍ଥବିଜ୍ଞାନୀଙ୍କର ସମକକ୍ଷ ହୋଇ ପାରି ନାହିଁ, ତଥାପି ଜଣେ ସଫଳ ପଦାର୍ଥବିଜ୍ଞାନୀ ଭାବେ ମୋର ପ୍ରତିଷ୍ଠା ପାଇଁ ପ୍ରଫେସର ହାଲଡେନଙ୍କ ଭୂମିକା ମୋ ପାଇଁ ସବୁଠାରୁ ବଡ ଅବଦାନ . ତାଙ୍କ ତତ୍ତ୍ୱାବଧାନ, ମୋର ଅଭିଜ୍ଞତାକୁ ଶାଣିତ, ମାର୍ଜିତ ଓ ସଫଳ କରିଛି .

ପ୍ରଫେସର ହାଲଡେନଙ୍କୁ ମୁଁ କେବେ ବି ଭେଟି ନାହିଁ . ଏପରିକି କଲିକତାରେ 1964ରେ ସ୍ନାତକୋତ୍ତର ପାଠ ପଢୁଥିବା ବେଳେ ଯଦିଓ ମୁଁ କଲିକତାରେ ସେତେବେଳେ ଥିଲି ଏବଂ ତାଙ୍କୁ ଦେଖା କରିବାକୁ ସ୍ଥିର କରିଥିଲି ଓ ଛୁଟି ପୂର୍ବରୁ ତାଙ୍କୁ ଚିଠି ଲେଖି ଅନୁରୋଧ କରିଥିଲି ଯେ, “ଖ୍ରୀଷ୍ଟମାସ ଛୁଟିରେ ସେ ରହୁଛନ୍ତି କି ଏବଂ ତାଙ୍କୁ ସାକ୍ଷାତ କରିବି”, ଉତ୍ତରରେ ସେ ଲେଖିଥିଲେ, “ ମୁଁ ତୁମକୁ ସାକ୍ଷାତ କରିବାକୁ ଚାହେଁ .” ଭବିଷ୍ୟତରେ ଏଇ ଆକାଂକ୍ଷିତ ସାକ୍ଷାତର ସ୍ୱପ୍ନ ମୋତେ ଆଚ୍ଛନ୍ନ କରିଥାଏ, ତାଙ୍କ ଚିଠି ଭଳି ତାଙ୍କ ବ୍ୟକ୍ତିତ୍ୱ ଶ୍ରଦ୍ଧା ପୂର୍ଣ୍ଣ ହୋଇଥିବ କି ? ତାଙ୍କ ସ୍ୱର କିପରି ? ତାଙ୍କ ସ୍ୱଭାବ ଗମ୍ଭୀର ନା ହାସ୍ୟ ରସ କୌତୁକ ପୂର୍ଣ୍ଣ ? ତାଙ୍କ ବିଷୟରେ ଯେତେ ଅଧିକ ଚିନ୍ତା କରୁଥାଏ, ମୋର କୌତୁହଳ ସେତେ ବଢୁଥାଏ . ମାତ୍ର ମୋର ଏ ଅବସ୍ଥା ବେଶୀ ଦିନ ରହିଲା ନାହିଁ . ତାଙ୍କୁ ଦେଖା କରିବାର ଅଳ୍ପ ଦିନ ଆଗରୁ ତାଙ୍କର ଦେହାନ୍ତ ହୋଇଗଲା . ମୋତେ ତାଙ୍କର ଅପ୍ରତ୍ୟାଶିତ ମୃତ୍ୟୁ ଚକିତ ଓ ସ୍ତବ୍ଧ କରି ଦେଇଥିଲା . ଏହି ଅପ୍ରିୟ ସତ୍ୟକୁ ମୁଁ ସହଜରେ ଗ୍ରହଣ କରିପାରୁ ନ ଥିଲି . ଯେଉଁ ବ୍ୟକ୍ତିଙ୍କ ପ୍ରଭାବ ମୋ ଜୀବନରେ ନୂଆ ମୋଡ ଆଣିଥିଲା, ଯାହାଙ୍କ ପରାମର୍ଶ, ସାନ୍ତ୍ୱନା ଏବଂ ସହାୟତା ମୋତେ ମୋ ସ୍ୱପ୍ନକୁ ସାକାର କରିଥିଲା, ତାଙ୍କୁ ବ୍ୟକ୍ତିଗତ ଭାବରେ ଦେଖା ନ କରିପାରିବାର ଅବଶୋଷ ମୋତେ ପ୍ରଚ୍ଛନ୍ନ କରିଥିଲା ଅନେକ ଦିନ ଯାଏ . ଯଦି ମୁଁ ତାଙ୍କୁ ଆଗରୁ ସାକ୍ଷାତ କରିପାରିଥାଆନ୍ତି ......... ?

ଦାଦା 1980 ମସିହାରେ ଏ ପୃଥିବୀରୁ ଚାଲିଗଲେ . 1968ରେ ଭାରତ ଛାଡିବା ପରେ ତାଙ୍କ ସାଙ୍ଗେ ମୋର ଆଉ ଦେଖା ହୋଇ ନାହିଁ . ଯିବା ପୂର୍ବରୁ ସେ ଜାଣିଥିଲେ ଯେ, ମୁଁ ପଦାର୍ଥ ବିଜ୍ଞାନୀଟିଏ ହୋଇ ନିଜ ଗୋଡରେ ଠିଆ ହୋଇ ପାରିଛି . ମୋ ବିଷୟରେ ତାଙ୍କର କଣ ଧାରଣା ଥିଲା, ତାହା ମୁଁ ଜାଣିପାରି ନାହିଁ . ତାଙ୍କର ଅନ୍ତିମ ଦିନ, ମୁଁ କଲିକତାକୁ ପ୍ରବାସରୁ ପ୍ରଥମ ଥର ପାଇଁ ଫେରୁଥାଏ, ଦୀର୍ଘ 12 ବର୍ଷ ପରେ . ମୁଁ ତାଙ୍କୁ ଆମେରିକାର ଶିକ୍ଷା ଓ ଅନ୍ୟ ପ୍ରଶ୍ନର ଉତ୍ତର ଦେବା ପାଇଁ ମାନସିକ ପ୍ରସ୍ତୁତି କରିଥାଏ . ତାଙ୍କ ପାଇଁ ଉଦ୍ଦିଷ୍ଟ ଉପହାର ବାକ୍ସ ମୋ ସୁଟକେଶରେ ରଖୁଥିବା ବେଳେ, ମୋର ଆଉ ଜଣେ ଭାଇ ଦୁଃଖ ଭିଜା ଗଳାରେ ଦାଦାଙ୍କ ଦେହାନ୍ତର ଦୁଃଖଦ ଖବର ମୋତେ ଜଣାଇଦେଲା . ଏଇ ଖବର ମୋର ଚିନ୍ତାର ବାହାରେ ଥିଲା . ଚାରିପଟର ପୃଥିବୀ ଘୁରିବାକୁ ଲାଗିଲା . ସବୁ ଚୁପଚାପ . ଭାରତ ଛାଡିବା ବେଳେ ବିମାନ ବନ୍ଦରର ଦୁଇ ଲୁହ ଭିଜା ଆଖିରେ ମୋତେ ଜଡେଇ ଧରିବାର ଦୃଶ୍ୟ ମନକୁ ଆସୁଥାଏ .

(ମୂଳ ଲେଖା – The Physicist, by Shiv Dutta, The Statesman Festival, ଆମେରିକାର Hippo – campus magazineରେ ପ୍ରକାଶିତ)

ରମେଶ ଚନ୍ଦ୍ର ପାତ୍ର

ଦାସଙ୍କ ପୋଖରୀ ନିକଟ, ସୁନ୍ଦରପଦା,

ଭୁବନେଶ୍ୱର - 751002


Rate this content
Log in

Similar oriya story from Inspirational