Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ranjit Sahu

Crime Others

3  

Ranjit Sahu

Crime Others

ନିଶବ୍ଦ ଅଳକାପୁରୀ

ନିଶବ୍ଦ ଅଳକାପୁରୀ

3 mins
548


ସମସ୍ତେ ତାଟକା ହୋଇ ଚାହିଁଛନ୍ତି ଅଳକାପୁରୀକୁ I ସହରର ନାମଜାଦା ଓକିଲଙ୍କ ତିନି ମହଲା ଘରେ ଆଜି ଶୋକର ଛାୟା I ଏତେ ବଡ ଘରଟିରେ ଆଜି ସଞ୍ଜ ଦୀପ ମଧ୍ୟ ଜଳା  ହୋଇ ନାହିଁ I ଘର ନୁହେଁ ତାହା ବିଶାଳ ଅଟ୍ଟାଳିକା I ସବୁ ପ୍ରକର ଆଧୁନିକ ଉପକରଣର ଉପଲବ୍ଧି ମିଳେ ପ୍ରାସାଦ ଭିତରେ I ଚାକର ବାକରଙ୍କ ଅଭାବ ନାହିଁ I ଦାଣ୍ଡ ଦୁଆରଟି ସବୁ ବେଳେ ବନ୍ଦ ରହେ, ପ୍ରବେଶ ପାଇଁ ଅନୁମତି ଲୋଡ଼ା ହୁଏ I ଏହା ବ୍ୟତୀତ ଘରର ସୁରକ୍ଷା ପାଇଁ ରହିଛି  କୁକୁରଟିଏ ଯିଏ କୌଣସି ଅପରିଚିତ ବ୍ୟକ୍ତି କଣ ପରିଚିତ ବ୍ୟକ୍ତିକୁ ଦେଖିଲେ ମଧ୍ୟ ଭୁକେ ଆଉ ଏତେଲା କରିଦିଏ ମାଲିକଙ୍କୁ ବହିଃ ଆଗମନର I ସହର ସାରା ପରିଚିତ, ଏ ଘରରୁ ଆଜି  ସକାଳ ପର୍ଯ୍ୟନ୍ତ  ଶୁଭୁଥିଲା କେବେଳ ହସ ଖୁସିର ଶବ୍ଦ, ରାତିରେ ନିୟନ ଆଲୁଅରେ ଆଲୋକିତ ହୋଇ ଲାଗୁଥିଲା ମର୍ତ୍ତ୍ୟରେ  ଅଳକାପୁରୀଟିଏ ଗଢି ଉଠିଛି I ବାରିଷ୍ଟର ପାଣିଗ୍ରାହୀଙ୍କର ନାମ  କିଏ ନ ଜାଣିଛି ସହରରେ? କିନ୍ତୁ ଆଜି ଶୂନଶାନ ପଡିଛି ଅଳକାପୁରୀ I ଦଶ ଦିନ ପରେ ନିଜର ପୁତ୍ରବଧୂର ବିଧବା ବେଶ ଦେଖିବେ ବାରିଷ୍ଟର ସାହେବ I ଗତ କାଲି ସରିଛି ତାଙ୍କର ଏକ ମାତ୍ର ପୁତ୍ରର ଇହଲୀଳା ! ହଁ, ନାମର ବିପରୀତ ଥିଲା ଅଳକାପୁରୀର ଅସ୍ତିତ୍ଵ, ଥିଲା ତାହା ଆଡମ୍ବର ଆଉ ମାନବର ଦାନବିକ ପ୍ରକୃତିର ପରିଚୟ, ଥିଲା ତାହା ପାପର ଗନ୍ତାଘର ! ଅଳ୍ପ କିଛି ବର୍ଷ ଭିତରେ ଗଢି ଉଠିଛି ଅଳକାପୁରୀ I ଶୁଣାଯାଏ ବିଭିନ୍ନ ପ୍ରକାର  ଅସତ ଉପାୟରେ ବହୁତ ପଇସା ଅର୍ଜନ କରିଥିଲା ଓକିଲ ବାବୁଙ୍କ ପୁଅ I ଥରେ ସି. ବି. ଆଇ. ତଦନ୍ତ ମଧ୍ୟ ହୋଇଥିଲା କିନ୍ତୁ କୌଣସି ମତେ ଖସି  ଯାଇଥିଲା, ବରିଷ୍ଠ ପୋଲିସ ଅଧିକାରୀର ଜ୍ଵାଇଁ ହୋଇଥିବାରୁ I 


ବହୁତ ବର୍ଷ ପର୍ଯ୍ୟନ୍ତ ନିଜର ବୁଦ୍ଧି ଆଉ କୌଶଳରେ କୌଣସି କେସ ହାରି ନଥିବା ମଣିଷଟି ଆଜି ଘାଇଲା ହୋଇ ଯାଇଛି ସମୟର ଚକ ତଳେ I ଗତ କାଲି ପ୍ରଥମ ଥର ପାଇଁ ସନ୍ଧ୍ୟାରେ ଶୁଭିନି ସୁରାର ଗିଲାସରେ ପଡିବା ଶବ୍ଦ ଆଉ ଉଡ଼ିନି ସଦ୍ୟ କଟା ହୋଇଥିବା କୁକୁଡ଼ା ମାଂସର ଝୋଲର ମହକ I ପ୍ରଥମ ଥର ପାଇଁ ନିଜର ଦିନଟିର ସଫଳତାରେ ଅଟ୍ଟହାସ  ଦେଇ ନିଜ ବନ୍ଧୁ ମାନଙ୍କ ଆଗରେ ନିଜର ବଡ଼ିମା ଦେଖେଇ ଗପି ନାହାନ୍ତି ବାରିଷ୍ଟର ସାହେବ  I ଗତ କାଲି ପ୍ରଥମ ଥର ପାଇଁ ସିଏ ନିଜର ପୁଅକୁ ରକ୍ଷା କରିବାକୁ ଯାଇ କୌଣସି ନିରୀହ ମଣିଷ ଉପରେ ମିଛ ଲାଞ୍ଚନା ଲଗେଇ ବଦନାମ  କରିବାରୁ  ହୋଇଛନ୍ତି ଅସମର୍ଥ ! ପ୍ରଥମ ଥର ପାଇଁ ଗତ କାଲି, ଅଳକାପୁରୀକୁ ସ୍ପର୍ଶ କରିଛି ନିୟତିର ଅଵ୍ୟର୍ଥ ନ୍ୟାୟ I ନଚେତ କାରଖାନାରେ ଅଧିକାରୀ ଭାବରେ କାର୍ଯ୍ୟରତ ତାଙ୍କର ପୁତ୍ର ଯେତେ ସବୁ ହେରାଫେରି କରିଛି, ଅନ୍ୟ କାହାର ସନ୍ତାନ ହେଇଥିଲେ କେତେ ପୂର୍ବରୁ କାରାଗାରରେ ବନ୍ଦୀ ହୋଇ ଚକି ପେଶୁ ଥାଆନ୍ତା I ଅବଶ୍ୟ ପୋଲିସ ଅଫିସରଙ୍କର ଜ୍ବାଇଁ ହେବାର ସବୁ ଫାୟଦା ମଧ୍ୟ ଉଠେଇଥିଲା ତାଙ୍କର ପୁଅ I କିନ୍ତୁ ଗତ କାଲି କାରଖାନା ପାଖ ଜମିରେ ଉଦ୍ଧାର ହୋଇଥିଲା ତାହାର ମୃତ ଶରୀର I ଶୁଣିବାକୁ ମିଳୁଛି, କାରଖାନା  ମାଲିକ ସବୁ ପ୍ରକାର ଦୁର୍ନୀତିରେ ସମ୍ମିଳିତ ଓକିଲ ବାବୁଙ୍କ ପୁଅର ହାବ ଭାବରେ ଚୁପ ରହିଥିଲେ ମଧ୍ୟ, ବିକ୍ଷିପ୍ତ ଶ୍ରମିକ ମାନଙ୍କ ମନରେ ଥିଲା ଅତିଶୟ କ୍ଷୋଭ I ତେଣୁ ବୋଧହୁଏ ଗତ କାଲି ସନ୍ଧ୍ୟାରେ ତାଙ୍କର ହତ୍ୟା ହୋଇଛି I 


ଖବର ଶୁଣି ପାଖ ସହରରେ ଥିବା ରୁକ୍ମିଣୀ କିନ୍ତୁ ଆଶ୍ଵସନାର ନିଶ୍ଵାସଟିଏ ନେଲେ I କିଛି ବର୍ଷ ତଳେ ନିଜର ବନ୍ଧୁଙ୍କ  ପୁତ୍ରକୁ ଏକ ବଳାତ୍କାର ଅପରାଧରୁ ମୁକୁଳେଇବା ପାଇଁ, କଚେରୀରେ, ବାରିଷ୍ଟର ପାଣିଗ୍ରାହୀ, ରୁକ୍ମିଣୀ ଦେବୀଙ୍କ କନ୍ୟାକୁ ଚରିତ୍ରହୀନା ବୋଲି ପ୍ରମାଣିତ କରିଥିଲେ ! ନିରାଶ ହୋଇ ଆତ୍ମହତ୍ୟା କରିଥିଲା ରୁକ୍ମିଣୀଙ୍କ ଝିଅ I ମଣିଷ ଜନ୍ମ ଯୋଗୁଁ ଯେତେ ସୌଭାଗ୍ୟବାନ  ହୋଇଥିଲେ ମଧ୍ୟ କର୍ମର ଫଳ ଏଡେଇ ପାରେନାହିଁ I  ସମାଜ ଆଖିରେ ଯେତେ ଧୂଳି ଦେଲେ ମଧ୍ୟ ସମୟରେ ଆଖିରେ କେହି ଧୂଳି ଦେଇ ପାରି ନାହିଁ !

"ମୁଁ  ଗରିବ ଲୋକ, ବହୁତ କଷ୍ଟରେ  ମୋ ପିଲାମାନଙ୍କୁ  ବଡ଼ କରିଥିଲି ଓକିଲ ବାବୁ  I ମୋର ନିଜର ଘର ନାହିଁ ଭଡା ଘରେ ରୁହେ I କିନ୍ତୁ ମୋର ଘରକୁ ତୁ ଆଜି ଭାଙ୍ଗିଦେଲୁ, ତୋର ବଡ ଘର ତିଆରି କରିବା ଲାଗି I" ବାରମ୍ବାର ରୁକ୍ମିଣୀ ଦେବୀଙ୍କ ଶେଷ ସଂଳାପଟି ପ୍ରତିଧ୍ଵନିତ ହେଉଥିଲା ବାରିଷ୍ଟର ସାହେବଙ୍କ କାନରେ: ଅଳକାପୁରୀର ନିଶବ୍ଦତା ଭିତରେ  I 


Rate this content
Log in

Similar oriya story from Crime