Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shibashis Padhee

Others

3  

Shibashis Padhee

Others

ବାହାର ଲୋକ

ବାହାର ଲୋକ

5 mins
479



ରାଜଧାନୀ ଖରା ଓ ନିଜ ଗାଁ ଖରାରେ ଏକ ନିର୍ଦିଷ୍ଟ ଫରକ ସବୁବେଳେ ଲକ୍ଷ୍ୟ କରେ ଆକାଶ । ଗାଁ ଖରାରେ କେତେବେଳେ କେମିତି ଥଣ୍ଡା ପବନ ଟିକିଏ ଆସି ଯାଏ କେଉଁ ଦୂର ବିଲ ମାଳରୁ ମନ ଟାକୁ ଟିକିଏ ଚହଲେଇ ଦେବା ପାଇଁ । ଗଛ ଲତାର ଭରପୁର ଉପସ୍ଥିତିରେ ଖରାକୁ ଡରେଇ ହୁଏ କିନ୍ତୁ ରାଜଧାନୀ ଖରା ଅସହ୍ୟ । ଏଠି ଡରିବାକୁ ପଡେ । ଏଠି ଗଛ ମାନେ ବି ଆତଙ୍କିତ । ବିଶାଳ କାୟା ମେଲାଇ ଶୀତଲତା ପ୍ରଦାନ ପାଇଁ ବି କୁଣ୍ଠିତ । ନିଜ ଅବବୟର ଦୀର୍ଘତା ବିଶାଳତା ପାଇଁ ବି ଏମ ସି ଉପରେ ନିର୍ଭରଶୀଳ ।


ଗୋଟାଏ ବାଜିଛି । ପ୍ରବଳ ଖରାରେ ମୁଣ୍ଡ ସାଇଁ ସାଇଁ କରୁଛି । ପି ଏମ ଜି ଛକର ଆଗକୁ ଗଛ ତଳେ ବାଇକ ରଖିଲା ସେ । ଡିକିରୁ ଅରୁ ଦେଇଥିବା ଥଣ୍ଡା ପାଣି ବୋତଲଟା କାଢି ପାଣି ଟିକିଏ ପିଇ ଦେଇ ଚିନ୍ତା କଲା ଏଵେ ଘରକୁ ଚାଲି ଗଲେ ହେବ ନା ଦୁଇ ଘଣ୍ଟା ବିଶ୍ରାମ ନେଇ କି ବାହାରିଲେ ଠିକ ହେବ । ଷାଠିଏ କିଲୋମିଟର ବାଇକ ଚଳେଇ ଯିବା ପାଇଁ ସାହସ କୁଳାଉ ନ ଥିଲା ଆକାଶର ।


ବାପା ଙ୍କ ଅଟକି ରହି ଥିବା ପେନସନ କାମ ପାଇଁ ଏ ଜି ଅଫିସ କୁ ଆସିଥିଲା ସେ । ସକାଳୁଆ ଅଫିସ ଭାବିଥିଲା ଶୀଘ୍ର କାମ ସରିଗଲେ ଦଶଟା ଆଡକୁ ବାହାରି ଆସିବ । ସିଟ ରେ ଥିବା ବାବୁ ଙ୍କୁ ବୋଧେ ସକାଳୁଆ ଅଫିସ ଓ ଦିନ ବେଳିଆ ଅଫିସ କୌଣସି ଫରକ ପକେଇ ପାରେନି । ନିଜ ସମୟ ର ମାଲିକ ସେ ଏଣୁ ଏଗାରଟା ରେ ଅଫିସ ଆସିଲେ । କାମ ଟି ପାଇଁ ଗୋଟାଏ ପର୍ଯନ୍ତ ଅପେକ୍ଷା କରିବାକୁ ପଡିଲା ତାକୁ ।


ନା ଯାଇ ହେବନି ଯାଇକି ନିଶିକାନ୍ତ ଘରେ ଟିକିଏ ବିଶ୍ରାମ ନେବ ଖରା ଓହରିଲେ ବାହାରିବ ଭାବି ଫୋନ ଲଗେଇଲା ନିଶିକାନ୍ତକୁ ଦୁଇ ଥର ପୁରା ରିଂ ହେଲେ ବି ଫୋନ ଉଠାଇଲା ନାହିଁ ନିଶିକାନ୍ତ । ସେକ୍ରେଟେରିଏଟର କନିଷ୍ଠ ସହାୟକ ସେ । ପତ୍ନୀ ହାଇ ସ୍କୁଲ ଶିକ୍ଷୟତ୍ରୀ । ସମସ୍ତଙ୍କ ତ ଛୁଟି ହୋଇ ଯାଇଥିବ । ଫୋନ କରିବା ଆବଶ୍ୟକ ନାହିଁ ଭାବି ଫୋନ ରଖି ଖାଇବା ଚିନ୍ତା କଲା ସେ ।


ଖାଇବା ବେଳେ ବନ୍ଧୁ ଘରକୁ ଗଲେ ଖାଇବା ପାଇଁ କହିବେ ତ ନିଶ୍ଚୟ କିନ୍ତୁ ସ୍କୁଲରୁ ଫେରିକି ରୋଷେଇ କରିଥିବା ଭାଉଜ ଅଧିକା ଜଣଙ୍କ ପାଇଁ ପୁଣି ହଇରାଣରେ ପଡିବେ ତେଣୁ ଖାଇ କି ଗଲେ ଭଲ ଭାବି ପ୍ରଥମେ ସାମ୍ନା ଗଳିର ହୋଟେଲରେ ଦହି ପଖାଳ ପେଟେ ଖାଇ ଦେଲା ସେ । ନିଶିକାନ୍ତ ଘରକୁ ପ୍ରାୟ ଏମିତି ସୁବିଧା ଅସୁବିଧାରେ ଯାଏ ସେ । ନିଶିକାନ୍ତ ସହ କଲେଜ ସମୟରୁ ବନ୍ଧୁତା ଅଛି । ପାଖ ଗାଁରେ ଘର । କଲେଜ ପରେ ବହୁତ ଦିନ ହେଲା ଦେଖା ସାକ୍ଷାତ ହୋଇ ନ ଥିଲା ।


ଗାଁ ରେ ରହି ଏଲ ଆଇ ସି ଏଜେଣ୍ଟ କାମ କରୁଥିବା ଆକାଶର ରାଜଧାନୀରେ ସବୁବେଳେ କାମ । ଚାକିରୀ କରି ବି ଏଲ ଆଇ ସି ଏଜେଣ୍ଟ ଥିବା ନିଶିକାନ୍ତ ସହ ସେଇ ଅଫିସରେ ହିଁ ଭେଟ ଘାଟ । ପୂର୍ବ ବନ୍ଧୁତ୍ୱର ନବୀକରଣ ହୋଇ ନୂତନ ବନ୍ଧୁତ୍ୱ ବହୁତ ମଜବୁତ ହୋଇ ଯାଇଛି ୟା ଭିତରେ ।


କଲିଂ ବେଲକୁ ଚିପି ଟିକିଏ ଅପେକ୍ଷା ପରେ ଭିତର କବାଟ ଖୋଲିଲା ଝିଅ ପାୟଲ ଷଷ୍ଠ ଶ୍ରେଣୀରେ ପଢେ । ଛୁଆଟି ବେଳୁ ତାକୁ ଭାରି ଭଲ ପାଏ ସେ । ଯେବେ ଆସିଲେ ବଡ଼ ଚକଲେଟ ଆଣୁଥିବାରୁ ତାକୁ ଚକଲେଟ ଅଙ୍କଲ କହେ । ପାଖରେ ସହାୟିକା ମାଳତି ସେଇଠୁ ନମସ୍କାର ହୋଇ କହିଲା "ଅଙ୍କଲ ବାପା ମା କେହି ବି ନାହାନ୍ତି ବାହାଘର ଯାଇଛନ୍ତି ତିନିଟା ପରେ ଆସିବେ "


"ଠିକ ଅଛି କିଛି କଥା ନାହିଁ ମୁଁ ସେମାନେ ଆସିଲେ ଭେଟି କି ଯିବି । କବାଟ ଖୋଲ ମା "କହିଥିଲା ଆକାଶ ତଥାପି ଗ୍ରିଲ ଗେଟଟି ଖୋଲୁ ନ ଥିଲା ଝିଅ । ଫୋନ ଲଗାଇଲା ସେ ନିଶିକାନ୍ତକୁ ବାହାରେ ଥାଇ । ଏଥର କିନ୍ତୁ ଉଠେଇ ଥିଲା ସେ ଆଉ ଘରେ ବିଶ୍ରାମ ନେଉଥା ମୁଁ ଆସୁଛି କହିଥିଲା ।


ତା ପରେ ଯାଇ ଗେଟ ଖୋଲିଥିଲେ ସେମାନେ ।


ଦାଣ୍ଡ ଘର ପଙ୍ଖା ଚଳାଇ ଖଟରେ ଟିକିଏ ଗଡ଼ିଗଲା ଆକାଶ । ଆଜି ପାୟଲର ବ୍ୟବହାର ଭାରି କଷ୍ଟ ଦେଇଥିଲା ତାକୁ । ୟେ ତ ଛୁଆ ତା ମନରୁ କରିବ ନି ତାକୁ ନିଶ୍ଚୟ ଶିଖା ହୋଇଥିବ । ଖଟରେ ଶୋଇ ଚିନ୍ତା କରୁଥିଲା ସେ, ଭାଉଜ ଭୁବନେଶ୍ୱରର ସେ ବି ଭାରି ଆଗ୍ରହ ଦେଖନ୍ତି ଆକାଶକୁ । ଅବଶ୍ୟ ସେ ଆଗ୍ରହ ପଛରେ ଅନ୍ୟ କାରଣଟି ହେଲା ସେ ଦେଇଥିବା ଦୁଇ ଲକ୍ଷ ଟଙ୍କା ସେଇଟା ଆକାଶ ଥରେ ଥରେ ଅନୁମାନ କରେ କାରଣ ତାଙ୍କର ଆଗ ଓ ପର ବ୍ୟବହାରରେ ବହୁତ ବଡ଼ ତଫାତ ଦେଖେ ସେ ।


ଥରେ ଏମିତି କିଛି କାମରେ ଆସିଥିଲା ବେଳେ ରାତି ଅଧିକ ହୋଇ ଯିବାରୁ ନିଶିକାନ୍ତ ଘରେ ରହିଥିଲା ସେ । ସେତେବେଳେ ତଳ ଘର କାମ ସରିଥିଲା ଓ ଉପର ଯୋଡ଼େଇ କାମ ଚାଲିଥିଲା । ଖାଇ ସାରି ବିଶ୍ରାମ କରିବା ବେଳେ ନିଶି ଓ ଭାଉଜ ସହ ଗପ ସପ କରିଲା ବେଳେ ସେମାନେ କହିଥିଲେ ଟଙ୍କା ଅଭାବ କଥା । ନିଶିକାନ୍ତ କହିଥିଲା-


"କଣ କରିବୁ ଭାଇ ଭୁବନେଶ୍ୱରରେ ଘର କରିବା ବହୁତ କଷ୍ଟ ପଇସାକୁ ପାଣି ପରି ଖର୍ଚ୍ଚ କରିବାକୁ ପଡେ । ମୁଁ ଓ ତୋର ଭାଉଜ ଯେତେ ଋଣ ନେବା କଥା ନେଇ ସାରିଛୁ । କିନ୍ତୁ ହାତରେ ଆଉ ବେଶି ପଇସା ନାହିଁ । ଟଙ୍କା ଦୁଇ ଲକ୍ଷ ହେଲେ ଖାଲି ଛାତଟି ପକାଇ ଦିଅନ୍ତି । ତା ପରେ ପଡ଼ିଥିବ । ଧୀରେ ଧୀରେ କରିବି । ତୁ ତ ଆମ ନିଜ ଲୋକ ଘର ଲୋକ ତୋ ପାଖରେ ଅଛି ଯଦି ଦେଇଥା । ଆମେ ତ ଦୁଇ ଜଣ ଚାକିରିଆ ତୋତେ ଛଅ ମାସ ପରେ ଦେଇ ଦେବି । ଆଉ ଉପର ଘର ହୋଇ ଗଲେ ତୋ ପାଇଁ ତ ଗୋଟିଏ ରୁମ ଅଲଗା ରହିବ ଯେବେ ଆସିଲେ ଆଉ ଚିନ୍ତା ନାହିଁ ନିଜର ଘର ଆରାମରେ ରହିବୁ "


ଆକାଶ ପାଖରେ ପଇସା ଅଛି ଏ କଥା ଠିକ ଜାଣିଛି ନିଶିକାନ୍ତ ଆଉ ବନ୍ଧୁ ହୋଇ ଯଦି ବନ୍ଧୁକୁ ଏତକ ସାହାଯ୍ୟ ନ କରିଲେ କେମିତି ହେବ ଭାବି ଦୁଇ ଲକ୍ଷର ଚେକ ଦେଇଦେଲା କିନ୍ତୁ ଦେଲାବେଳେ କହିଲା-

"ଭାଇ ଗାଁ ରେ ଗୋଟିଏ ଜମି କିଣିବା ପାଇଁ ମୁଁ ଏ ପଇସା ରଖିଥିଲି କଥାବାର୍ତ୍ତା ଚାଲୁଛି କିନ୍ତୁ ଡେରି ହେବ ଏଇ ଘର ବି ତ ଆମ ଘର ତୁ ଆରାମରେ ତିଆରି କର ଛଅ ମାସରେ ସେ ଜମି ହେବନି ବର୍ଷେ ଲାଗି ଯିବ ମୋର କାମ ବେଳେ କିନ୍ତୁ ପଇସା ଦେବୁ ମୁଁ ଭାବିବି ମୋ ପଇସା ବ୍ୟାଙ୍କରେ ଅଛି "


ତା ପଇସା ରେ ଛାତ କାମ କରିଥିବା ନିଶିକାନ୍ତ କିନ୍ତୁ ଘରର ସମ୍ପୂର୍ଣ୍ଣ କାମକୁ ପକାଇ ରଖିଲନି । ମାତ୍ର ତିନିମାସରେ ଘର ସମ୍ପୂର୍ଣ୍ଣ କରି ଭଡ଼ା ବି ଲଗେଇ ଦେଲା । ଦିନେ ଆକାଶ ପଚାରି ବି ଥିଲା

"ଭାଇ ପଇସା ନାହିଁ କହୁଥିଲୁ ପୁଣି କେଉଁଠୁ ଆଣିଲୁ “


“ଆରେ ଭାଇ ଘର ଗୋଟିଏ ଏମିତି ଜିନିଷ ନ ସରିଲା ଯାଏ ତୋତେ ନିଦ ହେବନି ପଇସା ଯେମିତି ହେଉ ଖୋଜିବୁ ତୁ ଭଗବାନ ଦୟାରୁ ହୋଇ ଯାଇଛି" କହି କଥାକୁ ଅନ୍ୟ ଆଡେ ନେଇଯାଇଥିଲା ନିଶିକାନ୍ତ ।


ୟା ଭିତରେ ଦୁଇ ବର୍ଷ ହୋଇଯାଇଥିଲା ଗାଁ ଜମି କିଣିବା ବେଳେ ବହୁତ ମାଗି ବାରୁ ଲକ୍ଷେ ଟଙ୍କା ଦେଇଥିଲା ନିଶିକାନ୍ତ ଆଉ ବାକି ପଇସାର ନା ନେଉ ନଥିଲା


ଯେତେବେଳେ କହିଲେ

"ଭାଇ ମୋର ମନେ ଅଛି କଣ କରିବୁ ଅନେକ ଧାର କରଜ ଥିଲା ସବୁ ଧୀରେ ଧୀରେ ସାରିଲିଣି ତୁ ତ ନିଜ ଲୋକ ମୁଁ କଣ କୁଆଡେ ପଳେଇ ଯାଉଛି କି ଭାଇ । " କହିଦିଏ ସେ, କିନ୍ତୁ ଆକାଶ ଜାଣି ଯାଇଥିଲା ସେ ମିଛ କହୁଛି ।


ତିନିଟା ପରେ ଫେରିଥିଲେ ନିଶିକାନ୍ତ ଆଉ ଭାଉଜ ତାକୁ ଦେଖି ଖୁସି ହୋଇଥିଲେ ସେମାନେ । କିନ୍ତୁ ଆଜି କାହିଁକି ତାଙ୍କ ଖୁସି କୃତିମ କୃତିମ ଲାଗୁଥିଲା । ଝିଅ ଆଉ ସହାୟିକାର କବାଟ ନ ଖୋଲିବା କଥା କହିଥିଲା ଆକାଶ ଭାରି ହାଲୁକା ଭାବେ ନିଶିକାନ୍ତ କହିଲା


"ତାଙ୍କୁ ସେମିତି ଶିଖା ହୋଇଛି ଆଜିକାଲି ତ କ୍ରାଇମ ଦେଖୁଛୁ ତେଣୁ ବାହାର ଲୋକଙ୍କ ପାଇଁ ଏ ସବୁ ଶିଖେଇ ବାକୁ ପଡେ "


ଆକାଶ ଆଜି ଜାଣୁଥିଲା ସେ କେବେଠୁ ନିଜ ଲୋକରୁ ପୁଣି ବାହାର ଲୋକ ହୋଇଗଲାଣି । ଭାରି ଜୋର ଧକ୍କା ଲାଗିଥିଲା ତାକୁ କିନ୍ତୁ ମନର ଭାବକୁ ଗୋପନ ରଖି କହିଲା


" ବହୁତ ଭଲ ଶିଖେଇଛୁ ଭାଇ ଆଜିକାଲି ଏମିତି ହେବା କଥା"


ଯାହାକୁ ନିଜ ଲୋକ ଭାବି ସେ ସମୟ ଅସମୟରେ ମାଡି ଆସୁଛି । ବନ୍ଧୁତ୍ୱର ମର୍ଯ୍ୟାଦା ମାନି ନିଜ ପଇସା ମାଗି ପାରୁନି ତାର ତା ପ୍ରତି ଥିବା ମନୋଭାବରୁ ପରଦା ଉଠି ସାରିଥିଲା । ଟଙ୍କା କଥାଟା କହିଲା ସେ, ବହୁତ କଷ୍ଟରେ ପଚାଶ ହଜାରର ଚେକ ନେଇ ଆସୁ ଆସୁ ଆକାଶ ଚିନ୍ତା କରୁଥିଲା ଦୁଇ ବର୍ଷରେ ନିଜ ଲୋକ ବାହାର ଲୋକ ହେଲାଣି ମାନେ ଆଉ କିଛି ଦିନରେ ଅପରିଚିତ ବି ହୋଇପାରେ ।

ଲାଗି ପଡି ତା ଆଗରୁ ବାକି ଥିବା ପଚାଶ ହଜାରକୁ ଆଣି ଆସିବା ଭଲ ।



Rate this content
Log in