Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Seetaram Dash

Tragedy

3  

Seetaram Dash

Tragedy

ଠିକଣା ବିହୀନ ଚିଠି

ଠିକଣା ବିହୀନ ଚିଠି

2 mins
641



ପ୍ରିୟ ସୁରଜ,

   

    ତମେ ଫୁଲକୁ ଭଲପାଅ, ତମେ ଫଗୁଣକୁ ଭଲପାଅ, ତମେ ରଙ୍ଗକୁ ଭଲପାଅ କିନ୍ତୁ ତୁମେ ଯିବା ପରଠୁ ଚାରିଆଡ଼ ମୋ ପାଇଁ ଖାଲି ଅମାବାସ୍ୟାର ଅମା ଅନ୍ଧାର।ମୋ ଆଗଣା ଫୁଲ ଶୂନ୍ୟ ଏବଂ ମୋ ଜୀବନ ରଂଗହୀନ। ତୁମର ସ୍ଥିତି ମୁଁ ପ୍ରତେକ ସମୟରେ ଅନୁଭବ କରେ। ସତେ ଯେମିତି ତୁମେ ମୋର ଆଖ ପାଖରେ ଅଛ। ଅନେକ ସମୟରେ ମୋ କାନ ପାଖରେ ଗୁଞ୍ଜରିତ ହୁଏ ତୁମ ପାଦ ଶବ୍ଦ, ସତେ ଯେମିତି ତୁମେ ଆସୁଛ। ବେଳେବେଳେ ତୁମରି ଡାକିବାର ଶବ୍ଦ ଗୁଞ୍ଜରିତ ହୁଏ ମୋର କର୍ଣ୍ଣରେ। ତୁମ ଡାକରେ ମୁଁ ଚମକି ପଡେ ପୁଣି ଚାରିଆଡ଼ ନୀରବ। ସତେ ଯେମିତି ମୁଁ ଦେଖୁଥିଲି ସ୍ୱପ୍ନ। ଏ ଛାଇ ଆଲୁଆର ଖେଳ ମୋ ପାଇଁ ଅସହ୍ୟ, ଆଉ ପାରୁନି ସୁରଜ।


ତୁମ ସହିତ ମୋର ସମ୍ପର୍କର ସ୍ମୁତି ଏକ ଇତିହାସ ଏବଂ ଅଭୁଲା ଅତୀତ। ତୁମର ପ୍ରତେକଟି ଜିନିଷକୁ ମୁଁ ଅତି ଯତ୍ନର ସହ ସାଇତି ରଖିଛି। ସେଇ ମତେ ବଞ୍ଚିବାର ରାହା ଯୋଗାଉଛି। ତୁମ ନୀଳ ରୁମଲ ସେମିତି ଅପେକ୍ଷା କରିଛି ତୁମକୁ। ଆଉ ମତେ ପଚାରୁଛି ତୁମେ କେବେ ଆସିବ? ଆର ବର୍ଷ ରଜରେ କିଣା ହୋଇଥିବା ଧଳା ସାର୍ଟରୁ ତୁମର ଦେହର ବାସ୍ନା ଏବେବି ଆସୁଛି। ତାରି ସ୍ପର୍ଶରେ ମୁଁ ଅନୁଭବ କରୁଛି ତୁମକୁ। ରାତିରେ ନିଦ ତ ଆସୁନି, ଆସୁଛି ଖାଲି ଅସରନ୍ତି ସ୍ୱପ୍ନ। ସେଇ କୁଢ଼ କୁଢ଼ ସ୍ୱପ୍ନରେ ତୁମେ ଆଉ ମୁଁ। ବେଳେବେଳେ ପାହାନ୍ତିଆ ସ୍ୱପ୍ନରେ ତୁମେ ଆସ ପୁଣି ଚାଲିଯାଅ। ଶୁଣିଛି ପାହାନ୍ତା ପହର ସ୍ୱପ୍ନ ସତ ହୁଏ। ମୋ ସ୍ୱପ୍ନ କଣ ସତରେ ସତ ହେବ? ତୁମେ କଣ ସତରେ ଆସିବ? ଏ ସୁରଜ ଆସୁନ ଥରେ। ଥରେ ଦେଖିଯାଅ ତୁମ ବିନା ମୁଁ କେତେ ଏକୁଟିଆ ହୋଇଯାଇଛି।


କାଲି ବଡ଼ ନାନୀ ଆସିଥିଲେ, ଏ ମାସର ଶେଷକୁ ତାଙ୍କ ଝିଅ ବାହାଘର। ମତେ ଯିବାପାଇଁ କହୁଥିଲେ ମୁଁ ମନା କଲି। ସେ ବାଧ୍ୟ କରିବାରୁ ବୋଉ କହିଲେ ସେ ନ ଯାଉ। ଶୁଭ କାମରେ ସେ କାଇଁ ଯିବ? ସନ୍ଧ୍ୟାରେ ମା ଝିଅ କଥା ହେଉଥିଲେ ଅଲକ୍ଷଣୀ ଟା ମୋ ପୁଅକୁ ଖାଇଲା। ତା ପରେ ଆଉ ଶୁଣିବାକୁ ଧର୍ଯ୍ୟ ନ ଥିଲା ମୋର। କୁହ ସୁରଜ ଏସବୁ କଣ ମୋ ପାଇଁ ହୋଇଛି? ତମେ ଯାହାକୁ ଏତେ ଭଲ ପାଉ ଥିଲ ସେ ସତରେ କଣ ଅଲକ୍ଷଣୀ? କୁହ ସୁରଜ ମୋ ପ୍ରଶ୍ନ ର ଉତ୍ତର ଦିଅ?


ତୁମେ ସୋନାଲି ବଦଳରେ ନାଲି ବୋଲି ଡାକ ନା? ମତେ ନାଲି ରଙ୍ଗ ବହୁତ ମାନେ ବୋଲି କୁହନା? ମୋର ଆଜି ତୁମେ ଦେଇଥିବା ଅନେକ ନାଲି ଶାଢ଼ୀ ଅଛି, କିନ୍ତୁ ତାକୁ ଏବେ ପିନ୍ଧିବା ମନା। ମୁଁ ପରା ଅଶୁଭର ପ୍ରତୀକ, ନାଲି ରଙ୍ଗକୁ ଆପଣାର କେମିତି କରିବି। ଆସ ଥରେ ସୁରଜ ଏଇ ଶୁଭ୍ର ବସ୍ତ୍ର ତଳର ବିଶାଳ ମରୁଭୂମିର ଶୁଷ୍କତାକୁ ମାପିଦେଇ ଯାଅ।


ତୁମେ ସିନା ଅଧା ରାସ୍ତାରେ ବାଟ ଭାଙ୍ଗି ଚାଲିଗଲ। କିନ୍ତୁ ତୁମର ସ୍ୱପ୍ନକୁ ମୁଁ ଭାଙ୍ଗିବାକୁ ଦେବିନି। ଯେତେ ଦୁଃଖ ଯେତେ କଷ୍ଟ ଆସୁ ପଛେ ମୁଁ ସଂଗ୍ରାମ କରିବି। ଆମ ଭଲ ପାଇବାର ପ୍ରଥମ ସନ୍ତକ ହେବ ଆମ ସ୍ୱପ୍ନର ସୌଧ, ସୌଧ ନୁହେଁ ତ ସ୍ୱପ୍ନର ରାଜମହଲ। ତୁମେ ପୋତିଥିବା ଚାରା ଗଛଟି ମହାକାୟ ଦ୍ରୁମରେ ପରିଣତ ହେବ। ହଁ ନିଶ୍ଚିତ ହେବ ଏବଂ ସାରା ଜଗତର କଲ୍ୟାଣ କରିବ। ଏଇ ମୋର ପ୍ରତିଜ୍ଞା।

 ଇତି,....ତୁମର ଅତି ପ୍ରିୟ ସୋନାଲି।


   ଚିଠିଟି ଲେଖିଲା ବେଳେ ସୋନାଲି ଆଖିରୁ କେତେ ଯେ ଲୁହ ଟୋପା ଝରି ଯାଇଥିଲା ତାର ହିସାବ ନାହିଁ। ସୋନାଲି ଏମିତି ଅନେକ ଚିଠି ଲେଖେ। ଆଉ ତାକୁ ସାଇତି ରଖେ, ହେଲେ କେଉଁ ଚିଠିରେ ଠିକଣା ନ ଥାଏ।




Rate this content
Log in

Similar oriya story from Tragedy