Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Mishra

Abstract

2  

Lopamudra Mishra

Abstract

ବାସ ଖୁଡୀଙ୍କ ନିଆରା ଦୃଷ୍ଟି

ବାସ ଖୁଡୀଙ୍କ ନିଆରା ଦୃଷ୍ଟି

10 mins
310


             

ପିଙ୍କିନାନୀ ର ବାହାଘର ପରେ ସବୁକୁଣିଆଁ ଫେରିଗଲେ l କେବଳ ରବିର ମାଉସୀ ଏବଂ ସବା ସାନମାମୁଁ ଆଉ ମାଇଁଙ୍କୁ ଆଉ ଦୁଇଦିନ ରହିବାକୁ ଅନୁରୋଧ କରାଗଲା l ମାଉସୀ ସ୍କୁଲ ରୁ କିଛିଦିନ ପାଇଁ ଛୁଟି ମଧ୍ୟ ନେଇଥିଲେ l ଏହି ସାନ ମାମୁଁ, ସାନମାଇଁ ଵି ରବିଙ୍କ ଘରେ କେବେ ରହିବାର ସୁଯୋଗ ପାଇନଥିଲେ l ସେମାନେ ରହିଲେ l


   ରବି ଏବେ ମାଉସୀଙ୍କୁ ନିଜ ମନକୁ ଆସୁଥିବା ପ୍ରଶ୍ନ ସବୁ ପଚାରି ଚାଲିଛି ଆଉ ମାଉସୀ ଵି ଉତ୍ତର ଦେବାରେ ହେଳା କରୁନାହାଁନ୍ତି l ରବି ଆଉ ଦଣ୍ଡେ ମାଉସୀଙ୍କ ପିଛା ଛାଡୁନାହିଁ l


      ବିମଳା ଝିଆରୀ ରୀତାକୁ କ୍ଷୀରି ଗିନା ଟେ ଦେଇ ତାଙ୍କ ପଡୋଶୀ ବାସ ଖୁଡୀଙ୍କ ଘରକୁ ପଠେଇଲେ l ବାସ ଖୁଡୀ ଏକଲା ବିଧବା ସ୍ତ୍ରୀଲୋକ l ନିଃସନ୍ତାନ l ସ୍ୱାମୀ କୃପାସିନ୍ଧୁ ବହୁଦିନରୁ ସ୍ଵର୍ଗବାସୀ l ବର୍ଷ ବର୍ଷ ଧରି ବାସନ୍ତୀ ଢିଅଟାରେ ଏକା ଏକା ଦିନ କଟାଉଛନ୍ତି l ତାଙ୍କ ଦେଢ଼ଶୂର ମହେଶ୍ୱର ନିଜ ପରିବାର ସହ ଭୁବନେଶ୍ୱରରେ ରୁହନ୍ତି l ସେମାନେ ମଧ୍ୟ କୌଣସି ଦିନ ବାସ ଖୁଡୀଙ୍କୁ ନିଜ ପାଖକୁ ନେଇଯିବାକୁ ଚାହିଁନାହାନ୍ତି l


      ଗାଁରେ ମଧ୍ୟ ବାସଖୁଡୀଙ୍କୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଅଜବ କଥା ଶୁଣିବାକୁ ମିଳେ l ତାଙ୍କ ଦୃଷ୍ଟି ଟାକୁଆଡେ ବହୁତ ଖରାପ l ବାସନ୍ତୀଙ୍କ ନଜର ଯାହା ଉପରେ ପଡେ ତାର କେଵଳ କ୍ଷତି ହିଁ କ୍ଷତି ହୁଏ l ଛୋଟ ପିଲା, ନବ ବିବାହିତା ନାରୀ, ନୂଆ ଶାଢ଼ୀ, ଗହଣା ଏବଂ ସବୁ ସୁନ୍ଦର ଆଉ ନୂଆ ଜିନିଷ ଉପରେ ବାସ ଖୁଡୀ ନଜର ପକାଇ ବିଭିନ୍ନ ପ୍ରକାର ଅମଙ୍ଗଳ କରିପକାନ୍ତି l ସେଥିପାଇଁ ଗାଁ ଲୋକେ ତାଙ୍କୁ ଭୀଷଣ ଭୟ କରନ୍ତି l କେହି ତାଙ୍କୁ କୌଣସି ଶୁଭ କାର୍ଯ୍ୟ ରେ ନିମନ୍ତ୍ରଣ କରନ୍ତିନି l ଲୋକେ ଖାଲି ତାଙ୍କୁ ଭୟ କରନ୍ତିନି ଘୃଣା ମଧ୍ୟ କରନ୍ତି l ସେ ଯଦି କେବେ କାହା ଘରକୁ ଏମିତି ବୁଲିବା ପାଇଁ ଚାଲିଯାଆନ୍ତି, ପରିବାର ଲୋକେ ନିଜ ଛୋଟ ପିଲାଙ୍କୁ ଓ ନୂଆ ବୋହୂଙ୍କୁ ବାସ ଖୁଡୀଙ୍କ ନଜର ରୁ ଲୁଚେଇ ଦିଅନ୍ତି l ସେ ଚାଲିଗଲା ପରେ ବାସଙ୍କ ନଜର ଯାହା ଯାହା ଉପରେ ପଡିଥାଏ, ତାଙ୍କୁ ଝାଡୁ ରେ ଝାଡ଼ି ବାସଙ୍କ ନଜରକୁ ହଟେଇଦେବାକୁ ଭୟାଳୁ ଲୋକେ ଚେଷ୍ଟା କରନ୍ତି l


        ରୀତା ବଡ଼ମାଆ ଦେଇଥିବା ଗିନାଏ ବଳକା କ୍ଷୀରିକୁ ସେହି ଅସହାୟା ଅଶୁଭ ନାରୀଙ୍କ ଘରେ ନେଇ ଦେଇ ଘରକୁ ଫେରିଆସିଲା l ରବି ର ବୋଉ ରୀତାକୁ ପଚାରିଲେ , "ଗିନା ଟା କାହିଁକି ଛାଡ଼ି ଆସିଲୁ? " l ରୀତା କହିଲା, "ସେ କହିଛନ୍ତି ଆଣି ଦେଇଯିବେ l "


      ଏତକ କଥା ଭିତରେ ସାନ ଯାଆ ସବିତା ଆସି ପହଞ୍ଚି ଗଲେ l ବିମଳାଙ୍କୁ ଲକ୍ଷ କରି କହିଲେ, "ନାନୀ ! ରୀତାକୁ ସେଠିକି ପଠେଇବା କଣ ତୁମର ଠିକ ହେଲା ? ତୁମେ କଣ ଜାଣିନ ତାଙ୍କ ନଜର କେମିତିକା ? ବୋଉଙ୍କୁ ପଠେଇ ଦେଲନି? " l


    ରାଗ ଗର ଗର ହେଇ ପୁଣି ସବିତା ଝାଡୁ ଟିଏ ଆଣି ରୀତାକୁ ସାତ ପାହାର ବସେଇଦେଲେ l ରବି ରୀତା ଉପରେ ଝାଡୁ ବୁଲା ଦେଖି ଠୋ ଠୋ ହେଇ ହସିଲା l ରୀତା ରାଗରେ ତା ବୋଉକୁ ଠେଲି ଦେଇ ସେଠୁ ଦୌଡ଼ି ପଳେଇଲା l 

         ସଞ୍ଜକୁ ବାସ ଖୁଡୀ ବାଡି଼ଟିଏ ଧରି ଧୀରେ ଧୀରେ ଆସି ରବି ଘର ଦୁଆରେ କବାଟ ପିଟିଲେ l ରବି ଡ୍ରଇଙ୍ଗ ରୁମରେ ବସିଥିଲା, କବାଟ ଖୋଲି ବାସନ୍ତୀଙ୍କୁ ଭିତରକୁ ଆସିବାକୁ କହିଲା l ବାସନ୍ତୀ ଗିନା ଟା ରବିକୁ ଦେଇ କହିଲେ, "ନେଇଯା ବୋଉକୁ ଦେଇଦେବୁ l ତୋ ଜେଜେମାଆ ନାହିଁ କି ରେ ?"


    ରବି ତାଙ୍କୁ "ବସ ଡାକିଦେଉଛି" କହି ଘର ଭିତରକୁ ଗଲା l ଜେଜେମାଆ ଆଉ ବୋଉଙ୍କୁ ଖବର ଟା ଦେଇ ନିଜ ବଡ଼ ମାଉସୀଙ୍କ ପାଖରେ ବସିଲା l 

  

      ବାସଙ୍କ ଆଗମନ ରେ ସମସ୍ତେ ଆତଙ୍କିତ ହେଇଗଲେ l ରବିର ମାଇଁ ଵି ସେଠି ଥିଲେ l ସେ ଯେତେବେଳେ ଜାଣିଲେ ଡାହାଣୀ ପ୍ରକୃତି ର ସ୍ତ୍ରୀ ଲୋକଟେ ଘରକୁ ଆସୁଛି, ସେ ତାଙ୍କକୁନି ପୁଅ ରିଙ୍କୁକୁ ନେଇ ରବି ବୋଉଙ୍କ ବେଡ ରୁମରେ ଲୁଚି ଗଲେ l ଚାରି ବର୍ଷର ଛୋଟ ଛୁଆ ଟା କିନ୍ତୁ କାନ୍ଦିଲା ବାହାରକୁ ଆସିବ ବୋଲି ଆଉ କାନ୍ଦି କାନ୍ଦି ମାଆ କୋଳରୁ ଡେଇଁ ପଡ଼ି ରୁମ ବାହାରକୁ ପଳେଇ ଆସିଲା l


       ବାସଖୁଡୀ ଜେଜେମାଆକୁ କହୁଥିଲେ, "ଯାହା ହେଉ ତୋର ସବୁ ଜଞ୍ଜାଳ ତୁଟିଲା l ଏବେ ଆଉ ଚିନ୍ତା କଣ ? କ୍ଷୀରି ଟା ଭଲ ହେଇଥିଲା, କିନ୍ତୁ ଟିକେ ଖଟାଳିଆ ଲାଗିଲା l"


      ବାସଖୁଡୀ ଆଉ ଜେଜେମାଆ କଥା ହେଉଥିଲା ବେଳେ ରିଙ୍କୁ ଦୌଡ଼ି ଆସି ବୃଦ୍ଧା ବାସଙ୍କ ବାଡ଼ି ଟାକୁ ଟାଣିଲା l ବାସ ତା ମୁଣ୍ଡ ଆଉଁଶି ଦେଇ "ଛୁଆ ଟା କିଏ " ପଚାରିଲେ l ଜେଜେମାଆ ରିଙ୍କୁର ପରିଚୟ ଦେଇ ବାସଖୁଡୀଙ୍କୁ ଟର୍ଚ୍ଚ ଯାଚିଲେ ଯିବା ପାଇଁ l ବାସଖୁଡୀ ବେଶ୍ ବୁଝିଗଲେ ତୁଳସୀ କଣ ଚାହୁଁଛନ୍ତି l କହିଲେ, "ନାଇଁ ଲୋ ଟର୍ଚ୍ଚ ଫର୍ଚ୍ଚ କଣ ହେବ l ଆଲୁଅ ପଡିଛି l ମୁଁ ଚାଲିଯିବି " l


     ବାସଖୁଡୀ ଚାଲିଗଲେ l ସେ ଗେଟ୍ ପାର କରିନଥିବେ ଘରେ ଭାଳେଣି ପଡିଗଲା l ରିଙ୍କୁ ଉପରେ ବୁଢ଼ୀର ନଜର ପଡିଯାଇଥିବ କହି ରବିର ମାଇଁ ଖୁବ ବ୍ୟସ୍ତ ହେଇପଡ଼ିଲେ l ତୁଳସୀ ଦେବୀ ମନ୍ତୁରା ଲୁଣ ରଖିଥିଲେ l କୋଉଦିନରୁ ସାଇତା ସେହି ଲୁଣ ରୁ ଚିରୁଟାଏ ଆଣି ଛୁଆ ଟା ପାଟିରେ ଚଟେଇଲେ l ସବିତା ଚଉଁରା ପାଖରୁ ମାଟି ଆଣି ରିଙ୍କୁର ମୁଣ୍ଡରେ ଲେସିଲେ l ଶେଷରେ ରବିର ବୋଉ ଝାଡ଼ୁ ଟେ ଆଣି ଆସିଲେ ରିଙ୍କୁକୁ ଝାଡ଼ିବା ପାଇଁ l ମାଉସୀ ସବୁ ଦେଖୁଥିଲେ କିଛି କହୁନଥିଲେ l ଯେତେବେଳେ ଝାଡ଼ୁ ଅଣାଗଲା ରିଙ୍କୁ ଉପରେ ବୁଲେଇବା ପାଇଁ, ମାଉସୀ ଆଉ ଚୁପ ରହିଲେ ନାହିଁ l ବାରଣ କଲେ ଏମିତି ନକରିବାକୁ l ରବି ବୋଉ କିନ୍ତୁ ମାନିବାକୁ ନାରାଜ l


--ନାନୀ ତୁ ଜାଣିନୁ ତାଙ୍କ ନଜର ବିଷୟରେ l ଯୋଉ ଗୁଲୁଗୁଲିଆ ଛୁଆ ଉପରେ ଏ ବୁଢ଼ୀ ର ନଜର ପଡ଼ିବ ତା ଦେହ ଖରାପ ହେବ ହିଁ ହେବ l


--ବିମଳା ! ମୂର୍ଖଙ୍କ ପରି ସେ ବେକାର କଥାଗୁଡ଼ା କହନା l 


--ହଉ ହେଲା ଆମେ ମୂର୍ଖ ଆଉ ତୁ ପଣ୍ଡିତ l ଆମେ ପ୍ରତିକାର ଟେ କରିଦେଲେ ତୋର ଅସୁବିଧା କଣ ହେଉଛି ? 


  ରବିର ବଡ଼ ମାଉସୀ ଆଉ କିଛି ନକହି ସେ ଫାର୍ସ ଜାଗାରୁ ଚାଲି ଆସିଲେ l ପଛେ ପଛେ ରବି ଵି ଆସିଲା l ରବି ମାଉସୀଙ୍କୁ ପଚାରିଲା, 


--ମାଉସୀ ! ସେ କଣ ସତରେ ଡାହାଣୀ ନୁହଁନ୍ତି ? 


--ହେ ! ସେ କାହିଁକି ଡାହାଣୀ ହେବେ ? ଡାହାଣୀ ତୋର ବୋଉ, ସାନ ବୋଉ ଆଉ ଜେଜେମାଆ l ଛୋଟ ଛୁଆ ଟାକୁ ରାତିରେ ନିର୍ଯାତନା ଦେଉଛନ୍ତି l 


--କିନ୍ତୁ ମାଉସୀ ତାଙ୍କ ନଜର ପଡିଲେ ତ ଜର, ଝାଡା, ବାନ୍ତି ହୁଏ l ଲୋକେ କହନ୍ତି ସେ କାଳେ ଘାଆ ଉପରେ ନଜର ପକେଇଦେଲେ ଘାଆ ବଡ଼ ହେଇଯାଏ l ନୂଆ ଲୁଗା ଉପରେ ତାଙ୍କ ନଜର ପଡିଗଲେ ଲୁଗା ଚିରିଯାଏ l ଯୋଉ ଵି ଭଲ ଜିନିଷ ଉପରେ ତାଙ୍କ ନଜର ପଡେ ସେ ସବୁକୁଆଡେ ନଷ୍ଟ ହେଇଯାଏ l 


--ରବି ! ଏସବୁ ଆମର ଭୁଲ ଧାରଣା l କାହାରି ନଜର ରେ ସେମିତି କିଛି ଵି ଶକ୍ତି ନାହିଁ ଯେ ସେ ଦେଖୁଥିବା ଜିନିଷ ଉପରେ ଖରାପ ପ୍ରଭାବ ପକେଇ ପାରିବ l


--ତାହେଲେ ଏସବୁ କଣ ମିଛ ? 


--ନିହାତି ମିଛ l ଶିକ୍ଷିତ ଲୋକ ଅତନ୍ତ ଏସବୁ ବିଶ୍ୱାସ କରିବା କଥା ନୁହେଁ l


--ମାଉସୀ ! ତେବେ ନଜର ରେ କିଛି ନଥାଏ ? 


--ତୁ କଣ ବିଜ୍ଞାନ ରେ ଚକ୍ଷୁ ସମ୍ବନ୍ଧରେ ପଢ଼ି ନାହୁଁ ? ଦୃଷ୍ଟିଶକ୍ତି ବିଷୟରେ କିଛି ଜାଣିନାହୁଁ ? ଆମେ କଣ ଜାଣୁ ଆମର ଦେଖିବା ବିଷୟରେ ? 

   

  ଆମେ ଯେତେବେଳେ କୌଣସି ବସ୍ତୁ ବା ପଦାର୍ଥକୁ ଦେଖୁ ଆମ ଚକ୍ଷୁ ଓ ପଦାର୍ଥ ଭିତରେ କି ପ୍ରକାର ସମ୍ପର୍କ ସୃଷ୍ଟି ହୁଏ ? 


 ବସ୍ତୁଟି ଉପରେ ଆଲୋକ ରଶ୍ମି ପଡିଲେ ତାହା ପ୍ରତିଫଳିତ ହୋଇ ଆମ ଚକ୍ଷୁ ରେ ପଡ଼େ l ଆମ ନେତ୍ର ପଟଳ(cornea) ରେ ଥିବା ଛୋଟ ଗୋଲାକାର ପ୍ୟୁପିଲ ମଧ୍ୟ ଦେଇ ଆଲୋକ ରେଖା ରେଟିନା ରେ ପହଞ୍ଚେ l ପଶ୍ଚାତ ପଟେ ଥିବା ସେହି ପତଳା ପରଦା ଟିରେ ଦୁଇ ପ୍ରକାର ସେଲ ରହିଥାଏ l ରଡ ସେଲସ ଓ କୋନ ସେଲସ l ସେହି ସେଲ ଗୁଡ଼ିକ ଆଲୋକ ରଶ୍ମିକୁ ବୈଦୁତିକ ଆବେଗ ରେ ପରିଣତ କରି ମସ୍ତିଷ୍କକୁ ପଠାନ୍ତି ଏବଂ ମସ୍ତିସ୍କରେ ବସ୍ତୁଟିର ପ୍ରତିବିମ୍ବ ସୃଷ୍ଟି ହୁଏ l ଏହିପରି ଭାବରେ ଆମେ କୌଣସି ବସ୍ତୁକୁ ଚକ୍ଷୁ ମାଧ୍ୟମରେ ଦେଖିପାରୁ l


   ଏହି ପୁରା ପ୍ରକ୍ରିୟା ରେ ଯଦି କାହାର କିଛି ପରିବର୍ତ୍ତନ ବା କିଛି ଗୋଟେ ଘଟଣା ଘଟୁଥାଏ ତାହେଲେ ସେହିଟି ଦେଖିଲା ଵାଲା ର ଆଖିରେ ହିଁ ହେଉଥାଏ l ଆଖି ଦେଖୁଥିବା ବସ୍ତୁ ଟିରେ କୌଣସି ପରିବର୍ତ୍ତନ ହୁଏ ନାହିଁ l ଆଖିରେ ଅଧିକ ଆଲୋକ ପଡିଲେ ଆଖି ଝଲସି ଉଠେ ପୁଣି ଆଲୋକ କମ ହେଲେ ବସ୍ତୁକୁ ଦେଖିବା ପାଇଁ ଚକ୍ଷୁକୁ ସାମାନ୍ୟ କଷ୍ଟ ଅନୁଭବ ହୁଏ l ହୁଏ କି ନାହିଁ ? ତେଣୁ ଯିଏ ଦେଖେ ତାରି ଆଖିରେ ସବୁ ପ୍ରକ୍ରିୟା ହୁଏ l ଦେଖୁଥିବା ବସ୍ତୁ ବା ଜୀବ ଉପରେ ଦୃଷ୍ଟି ପଡିବା ଦ୍ୱାରା ସେଗୁଡିକ ର କିଛି ହୁଏ ନାହିଁ l


       ଯେଉଁମାନେ କହନ୍ତି କାହାର ନଜର ପଡି ଆମର କ୍ଷତି ହେଉଛି, ସେମାନେକୁହନ୍ତୁ ସେମାନେ ଏମିତି କି ପ୍ରକାର ବସ୍ତୁ ଯେ ନଜର ପଡିଲେ ତାଙ୍କର କ୍ଷତି ହୁଏ ? ପୃଥିବୀରେ ଏମିତି କୌଣସି ବସ୍ତୁ ତ ନାହିଁ ଯାହାକୁ ଦେଖିଲା ମାତ୍ରେ ସେଥିରେ ଭଲ ବା ଖରାପ ପ୍ରଭାବ ପଡ଼ିବ l ନଜର ପଡିବା ଅର୍ଥ ନୁହେଁ ଟିଭି ର 'ନଜର ସୁରକ୍ଷା କବଚ ' ର ଵିଜ୍ଞାପନ ପରି କାହାରି ଆଖିରୁ ଜ୍ୟୋତି ବାହାରି ବସ୍ତୁ ଉପରେ ପଡିବା l ସେମିତି ହେଉଥିଲେ ତାଜମହଲ,କୁତଵ ମିନାର, ଷ୍ଟାଚ୍ୟୁ ଅଫ ଲିବର୍ଟି ଓ ବିଶ୍ୱର ଆହୁରି ଅନେକ ସୁନ୍ଦର କଳା କୃତୀ କେବେଠୁ ନଷ୍ଟ ହୋଇସାରନ୍ତେଣି l 


       ଦୃଷ୍ଟି ସବୁବେଳେ ଦୃଷ୍ଟି l ତାହା କେବେହେଲେ 'ସୁ' ହେଇ କାହାର ମଙ୍ଗଳ କରିପାରେ ନାହିଁ କିମ୍ବା 'କୁ' ହେଇ କ୍ଷତି କରେନାହିଁ l 


   ବୁଝିଲୁ କି ନାହିଁ ରବି !


--ହଁ ମାଉସୀ ବୁଝିଲି l ବାସଜେଜୀ ଡାହାଣୀ ନୁହଁନ୍ତି l ସମସ୍ତେ ତାଙ୍କ ନାଁରେ ମିଛ କହନ୍ତି l କିନ୍ତୁ ମାଉସୀ କେଵଳ ତାଙ୍କୁ କାହିଁକି ଲୋକମାନେ ଡାହାଣୀ କହନ୍ତି ? ଆଉ କାହାକୁ କାହିଁକି ନୁହେଁ ? 


--ରବି ! ଏ ବୃଦ୍ଧା ବାସନ୍ତୀଙ୍କର ଆଉ କିଏ ଅଛି ଘରେ? 


--କେହି ନାହାଁନ୍ତି ମାଉସୀ l ସେ ବିଧବା l


--ଆଚ୍ଛା l ତୁ ଦେଖିବୁ ରବି, ଯେଉଁ ସ୍ତ୍ରୀଲୋକ ମାନେ ଗରୀବ, ଅସହାୟା, ବିଧବା ବା ସ୍ୱାମୀ ପରିତ୍ୟକ୍ତା ହେଇଥିବେ ସେହିମାନଙ୍କୁ ସମାଜ ଡାହାଣୀ ର ଆଖ୍ୟା ଦେଇଥିବ l ଖୁବ କମ ବା ଆଦୌ ନଜରକୁ ଆସେନାହିଁ ଖ୍ୟାତି ସମ୍ପନ୍ନ ସୁନାମଧନ୍ୟ ଘରର ନାରୀମାନେ କେବେ ଡାହାଣୀର ଉପାଧି ପାଇଥିବା l


     ରବି ଆଉ ମାଉସୀ କଥା ହେଉଥିବା ବେଳେ ବାଡ଼ି ଆଡୁ ପାଟି ଶୁଭିଲା l ସେମାନେ ଯାଇ ଦେଖିଲେ ଛୋଟ ରିଙ୍କୁ ବାନ୍ତି କରୁଛି l ଆଉ ତା ମାଆ କାନ୍ଦି କାନ୍ଦି ବେହୋସ ହେବା ଉପରେ l 


    ସମସ୍ତେ ତତ୍ପର ହେଇପଡ଼ିଲେ l ରିଙ୍କୁ ଦୁଇ -ତିନି ଥର ବାନ୍ତି କରି ନିସ୍ତେଜ ହେଇପଡ଼ିଲାଣି l ବିମଳା ରାଗି କରି ବାସବୁଢ଼ୀକୁ ଗାଳି କରୁଛନ୍ତି l

ସବିତା ଛୁଆଟାର ଏ ଅବସ୍ଥା ପାଇଁ ବଡ଼ଯାଆ ବିମଳାଙ୍କୁ ଦାୟୀ କରି କହୁଛନ୍ତି, "କି ଦରକାର ଥିଲା ତା ଘରକୁ କ୍ଷୀରି ପଠେଇବା ? ତୁମେ ଜାଣିଶୁଣି ବିପଦକୁ ଡାକିଛ ନାନୀ l ରୀତାକୁ ଏକୁଟିଆ ପାଇ ଡାହାଣୀ ବୁଢ଼ୀ କି ମନ୍ତ୍ର ଫୁଙ୍କିଥିବ କେଜାଣି ? ମତେ ତ ଡର ଲାଗିଲାଣି l"


ରବି ଏସବୁ ଦେଖି କିଛି ବୁଝିପାରୁନି l ତାହେଲେ ମାଉସୀ କହୁଥିବା କଥା କଣ ମିଛ ? ବାସଜେଜୀ କଣ ସତରେ ଡାହାଣୀ ? 


     ରିଙ୍କୁକୁ ରାତିରେ ଡାକ୍ତରଖାନା ନିଆଗଲା l ସାଲାଇନ, ଇଞ୍ଜେକ୍ସନ ଲାଗିଲା l ଘରକୁ ଆସିଲା ପରେ ତୁଳସୀ ନିର୍ମଳନନାଙ୍କୁ ଡକାଇ ରିଙ୍କୁକୁ ଭଲକରି ଝଡ଼େଇଲେ l ସକାଳ ଦଶ -ଏଗାର ସୁଦ୍ଧା ରିଙ୍କୁ ଖୁବ ସୁସ୍ଥ ଅନୁଭବ କରି ଖେଳିବା ଆରମ୍ଭ କଲା l


     ବିମଳା ବଡ଼ ଭଉଣୀ କମଳାକୁ ଲକ୍ଷ୍ୟ କରି କହିଲେ -ଦେଖିଲୁ ଟି? ବିଶ୍ୱାସ କରୁନଥିଲୁ ପା ? ଏବେ ହେଲା? 


କମଳା ଆସ୍ତେ କହିଲେ-ବିମଳା ! ତୁ ଟିକେ ତୋ ସାନ ଭାଉଜଙ୍କୁ ପଚାରିଲୁ ଛୋଟ ଛୁଆକୁ ବାସୀ କ୍ଷୀରି ଖୁଏଇବା କେତେ ଠିକ ? 


--ମାନେ ? 


--ମାନେ ଆଉ କଣ ବୁଝିପାରୁନାହୁଁ ? ବାହାଘରର ବଳକା ବାସୀ କ୍ଷୀରି କାହାର ପେଟ ଖରାପ କରିପାରେନି, ଖାଲି ନଜର ପଡିଗଲେ ଦେହ ମୁଣ୍ଡ ଖରାପ ହେଇଯାଏ ? ରିଙ୍କୁକୁ ତା ମାଆ କାଲି ସକାଳେ ବାସୀ କ୍ଷୀରି ଖୁଆଇଥିଲା l ବୁଝିଲୁ l ସେ ବୁଢ଼ୀ ଲୋକଟା ତୁମ ଘରକୁ ନଆସିଥିଲେ ଵି ରିଙ୍କୁକୁ ବାନ୍ତି ହେଇଥାନ୍ତା l


--ନାଇଁ ନାନୀ, ତଥାପି ଗୋଟେ ନଜର ବୋଲି ଜିନିଷ ଅଛି ନା ଆଉ l ସେ ବାସୀ କ୍ଷୀରିକୁ ସମସ୍ତେ ଅଳ୍ପ ବହୁତେ ଖାଇଥିଲେ କି ନାହିଁ ? କାହାର ତ କିଛି ହେଲାନି l ଖାଲି କାହିଁକି ଛୁଆଟାର ବାନ୍ତି ହେଲା? 

    

   କମଳା ଆଉ କିଛି କହିଲେ ନାହିଁ l ମନେ ମନେ ଭାବିଲେ, "ଏମାନଙ୍କୁ ବୁଝେଇ କିଛି ଲାଭ ନାହିଁ l"


   ରବି ଦୂରରେ ଠିଆ ହୋଇ ସବୁ ଶୁଣୁଥିଲା l କାହିଁକି କେଜାଣି ତାକୁ ଆଜି ବାସଜେଜୀଙ୍କ ଉପରେ ଖୁବ ଦୟା ଆସିଲା l ଭାବିଲା, "ମାଉସୀ ନିଶ୍ଚୟ ଠିକ କହୁଥିଲେ l ଏତେବଡ ଗାଁଟାରେ ଏତେ ସଂଖ୍ୟା ରେ ଲୋକ ଅଛନ୍ତି ମାନେ କୋଉଦିନ କାହାର ତ ଦେହ ଖରାପ ହେବ l ସେଥିପାଇଁ ବାସଜେଜୀ କାହିଁକି ଦାୟୀ ରହିବେ ? ଲୋକ ଗୁଡ଼ା ସତରେ ଅନ୍ଧ l ଏ ଗାଁର ନାଁ 'କଣାକ୍ଷେତ' ନହେଇ 'ଅନ୍ଧକ୍ଷେତ' ହେବାର ଥିଲା l"

  

       ମାଉସୀଙ୍କ ଛୁଟି ସରିଗଲା l ମାମୁଁଙ୍କର ଵି ଅଫିସ ଅଛି l ସେମାନେ ସମସ୍ତେ ପଳେଇଲେ l ମାଉସୀ ପଳେଇବାରୁ ରବି ଟିକେ ଦୁଃଖୀ ହେଲା l ପୁଣି ପଢ଼ା ପଢ଼ିରେ ଜୋର ସୋର ମନ ଲଗେଇଲା l 


      ରବି ଏବେ ଯେତେବେଳେ ବାସଖୁଡୀଙ୍କ ଘର ଦେଇକୁଆଡେ ଯାଏ, ଟିକେ ସମୟ ଅଟକି ଯାଏ ସେଇଠି l ଦେଖେ ବୁଢୀ ଲୋକଟି ମାଟି ପିଣ୍ଡାରେ ଏକା ବସି ବହି ଖଣ୍ଡେ କି କାଗଜ ଖଣ୍ଡେ ଧରି ପଢୁଥାନ୍ତି l' ବୁଢ଼ୀ ତାହେଲେ ପଢ଼ି ଶିଖିଛି",ରବି ମନେ ମନେ କହେ ପୁଣି ତାଙ୍କ ବିଷୟରେ ବହୁତ କିଛି ଭାବି ଭାବି ଆଗକୁ ଚାଲିବାକୁ ଲାଗେ l



ଏକୁଟିଆ ଏମିତି ନିର୍ବାସିତଙ୍କ ପରି ଜୀବନ କାଟୁଥିବା ବୃଦ୍ଧାଙ୍କୁ ଦେଖିଲେ ରବିର ମନ ଦୁଃଖରେ ନରମିଯାଏ l କିଏ ଆଉ କାହିଁକି ତାଙ୍କୁ ଏମିତି ଜୀବନଟେ ବଞ୍ଚିବାକୁ ବାଧ୍ୟ କଲା? ଏହି ପ୍ରଶ୍ନ ରବି ବାରମ୍ବାର ନିଜକୁ ପଚାରି ଉତ୍ତର ପାଏନାହିଁ l


    

ମାଟ୍ରିକ ପରୀକ୍ଷା ଆଉ ଅଳ୍ପଦିନ ଅଛି l ରବି ଘରେ ବସି ପଢୁଥିଲା l ଶୁଣିଲା ବାସଖୁଡୀଙ୍କ ଦେହ ଭଲ ନାହିଁ l ସେ ଆଉ ବେଶୀଦିନ ବଞ୍ଚିବେ ନାହିଁ l ତାଙ୍କର ଅସୁସ୍ଥତା ବିଷୟରେ ଜାଣିକି ମଧ୍ୟ ଲୋକେ ତାଙ୍କ ପାଖକୁ ଯାଉ ନାହାଁନ୍ତି l ମୃତ୍ୟୁ ଶଯ୍ୟା ରେ ଥାଇ ଵି କଣ ସେ କାହା ଉପରେକୁଦୃଷ୍ଟି ପକେଇ ଦେବେ ନା କଣ ? 


    ରବି ବାସଖୁଡୀଙ୍କ ଘର ଆଡ଼େ ଦୌଡିଲା l ପ୍ରଥମ ଥର ପାଇଁ ଆଜି ସେ ଡାହାଣୀ ର ଦ୍ୱାରବନ୍ଧ ଡେଇଁ ଭିତରକୁ ଦେଖିଲା l ବୃଦ୍ଧା ଶୋଇଛନ୍ତି l ମୁଣ୍ଡ ପାଖରେ ଯୁବକଟିଏ ବସିଛି l ରୋଗୀଣା ବାସନ୍ତୀଙ୍କର ଦୁର୍ବଳ ହାତ ଗୋଡ଼କୁ ଯୁବକଜଣକ ଆଉଁଶି ଦେଉଛନ୍ତି l ରବି ତାଙ୍କୁ ପଚାରିଲା -ଜେଜୀ କେମିତି ଅଛନ୍ତି? 

  

--ଭଲ ନାହାଁନ୍ତି l


--ଆପଣ ଜେଜୀଙ୍କର କଣ ହେବେ ? କେବେ ଏଠି ଦେଖିନି ତ ସେଥିପାଇଁ ପଚାରିଲି l


--ଦେଖିନ l ଆଚ୍ଛା l ମୁଁ ତୁମ ମେଡିକାଲ ର ଫାର୍ମାସିଷ୍ଟ l ବାସନ୍ତୀ ମାଉସୀ ମତେ ଫୋନ କରି ଡକେଇଲେ l ମୁଁ ତାଙ୍କୁ ଆଗରୁ ଜାଣିଛି l


--ଜେଜୀଙ୍କ ପାଖରେ ଫୋନ ଅଛି ? 


--ଆଜିକାଲି ଆଉ କାହା ପାଖରେ ନାହିଁ ? ଶୁଣ ତୁମେ ଗାଁରୁ କିଛି ଲୋକଙ୍କୁ ଯାଇ ଡାକିଆଣି ପାରିବ ? 


--ହଁ ଯେ, କିନ୍ତୁ କେହି ଆସିବେନି ବୋଧେ l କାରଣ... 


--କାରଣଟା ମୁଁ ଜାଣିଛି l ଆଉ ବାସ ମାଉସୀ ଵି ଜାଣିଛନ୍ତି l ତୁମେ ଯାଇ ଡାକିକି ଦେଖ l


 ରବି ଆଶ୍ଚର୍ଯ୍ୟ ହେଲା l "ସେ କଣ ସତରେ ଜାଣନ୍ତି ଲୋକେ ତାଙ୍କୁ ଡାହାଣୀ ମନେ କରି ଡରନ୍ତି ବୋଲି? "


    ରବି ଲୋକଙ୍କୁ ଡାକିକି ଫେରିଲା ବେଳକୁ ଦେଖିଲା ବାସଖୁଡୀଙ୍କ ଘର ଆଗରେ ଆମ୍ବୁଲାନ୍ସ ଠିଆ ହେଇଛି l ଆଉ ଗୋଟେ ଛୋଟ ଗାଡ଼ି ଵି ଆମ୍ବୁଲାନ୍ସ ପଛକୁ ରହିଛି l ସେ ଯେଉଁ ଲୋକଟା ବାସନ୍ତୀଙ୍କ ଗୋଡ଼ ପାଖରେ ବସିଥିଲେ ସେ ଆସି ଗାଡ଼ିରେ ଥିବା ଲୋକଙ୍କୁ କିଛି କହୁଛି l ବାସନ୍ତୀ ବୋଧେ ଆଉ ଜୀବନରେ ନାହାଁନ୍ତି, ସେହି ଫାର୍ମାସିଷ୍ଟ ର ଆଵଭାବ ରୁ ଯାହା ଜଣା ପଡୁଛି l


      କିଛି ସମୟ ପରେ ଗାଡ଼ି ରୁ କିଛି ଲୋକ ବାହାରିଲେ l ଫାର୍ମାସିଷ୍ଟ ମୋହନ ବାସନ୍ତୀଙ୍କ ଦେଢ଼ଶୂରଙ୍କୁ ଫୋନ କରି କଣ ଗୋଟେ ବୁଝିନେଲେ l ଗାଁର ମୁରବୀ ଲୋକ ଦୁଇ ତିନିଜଣ ମଧ୍ୟ କିଛି ପରମର୍ଶ ଦେଲେ l ଗାଁରୁ ଆଉ କିଛି ସ୍ତ୍ରୀ ଓ ପୁରୁଷ ଲୋକ ଆସି ଠୁଳ ହେଲେଣି l ସମସ୍ତେ ଭାବୁଛନ୍ତି, "ବାସଖୁଡୀ କେବେ ଓ କେମିତି ନିଜର ଚକ୍ଷୁଦାନ କଥା ଚିନ୍ତା କଲେ?" 


           

          ଆଇ ବ୍ୟାଙ୍କ୍ ର ଟିମ୍ ତିରିଶ-ପଇଁତିରିଶ ମିନିଟ୍ ର ଅପେରସନ ଭିତରେ ବାସଖୁଡୀଙ୍କ ଚକ୍ଷରୁ କର୍ଣ୍ଣିଆକୁ ବାହାର କରି ସୁରକ୍ଷିତ ଭାବେ ରଖିଲେ l ସେହି ଅଶୁଭ ଆଖିରେ ଆଉ ଜଣେ କେହି ଦୃଷ୍ଟିହୀନ ଦୁନିଆଁ ଦେଖିବାର ସୁଯୋଗ ପାଇବ l   ଗ୍ରାମବାସୀଙ୍କ ଅନ୍ଧତ୍ବକୁ ଶକ୍ତ ଚାପୁଡ଼ା ଟେ ମାରି ବାସଖୁଡୀ ଚୀରନିଦ୍ରାରେ l


      ବାସଙ୍କ ମୃତ ଶରୀରକୁ ସତ୍କାର କରାଗଲା l ମୋହନ ସମସ୍ତ କାର୍ଯ୍ୟରେ ପୂର୍ଣ୍ଣ ପ୍ରାଣ ରେ ସହଯୋଗ କଲେ l ଯୁବକ ମୋହନ କେଉଁ ଗୋଟେ ସଂସ୍ଥା ସହ ଜଡିତ l ହେତୁବାଦୀ ବିଚାରଧାରା ଦ୍ୱାରା ଅନୁପ୍ରାଣିତ l ତାଙ୍କଠାରୁ ଗାଁ ଲୋକେ ଜାଣିବାକୁ ପାଇଲେ କିପରି ପାଞ୍ଚ ବର୍ଷ ପୂର୍ବରୁ ବାସଖୁଡୀ ଭତ୍ତା ପାଇଁ ଯିବା ସମୟରେ ଦୃଷ୍ଟିହୀନ ବୃଦ୍ଧ ଜଣଙ୍କୁ ଗାଡ଼ି ଟିଏ ପିଟି ଦେବା ଦେଖି ବାସନ୍ତୀ ତାଙ୍କୁ ନିକଟସ୍ଥ ମେଡିକାଲକୁ ନେଇଯାଇଥିଲେ ଓ ସେହିଠାରେ ମୋହନ ସହ ପରିଚିତ ହୋଇଥିଲେ l ହସ୍ପିଟାଲ ରେ 'ଚକ୍ଷୁଦାନ ମହତ ଦାନ' ର ପୋଷ୍ଟର ଦେଖି ବୁଝି ନେଇଥିଲେ କିପରି ଆଖି ଦାନ କରାଯାଏ l ନିଜର 'କୁଦୃଷ୍ଟି' ପାଇଁ ସେ ଯେ ସମସ୍ତଙ୍କ ଘୃଣାର ପାତ୍ରୀ ସେ କଥା ମଧ୍ୟ ମୋହନ ଜଣେ ସୁହୃଦୟ ମାନବବାଦୀ ପିଲା ଜାଣିଲା ପରେ ଖୁବ ଦୁଃଖର ସହ ତାଙ୍କୁ ଜଣାଇ ଥିଲେ l ସେବେଠୁ ବାସନ୍ତୀ ମୋହନଙ୍କ ସହାୟତାରେ ନିଜର ବଦନାମ ଆଖି ଦୁଇଟିକୁ କାହାର ଜୀବନରେ ଆଲୋକ ଆଣିବା ପାଇଁ ଦାନ କରିଦେଇଥିଲେ l


       ସବୁ ଶୁଣି ରବିର ଟିକି ମନ ଗାଁ ଲୋକଙ୍କ ଉପରେ ବିଦ୍ରୋହ କରି ଉଠିଲା l କି ଭୟଙ୍କର ଭାବେ ରୋଗଗ୍ରସ୍ଥ ଏହି ଲୋକମାନେ ! ଜଣେ ନିସ୍ଵ ଅସହାୟା ନାରୀକୁ ସାହାଯ୍ୟ ର ହାତ ବଢ଼େଇବା ପରିବର୍ତ୍ତେ ଆହୁରି ଡାହାଣୀର ଆଖ୍ୟା ଦେଇ କଷଣ ଦେଇଚାଲିଲେ !! ହେଲେ ଦେଖ ସେ ଉଦାର ହୃଦୟା ବୃଦ୍ଧାଙ୍କୁ ! ଯାହାଙ୍କ ଦୃଷ୍ଟି ତୁମ ନଜର ରେ ଅଶୁଭ ଥିଲା, ସେ କେମିତି ନିଆରା ଦୃଷ୍ଟି ରେ ଦେଖୁଥିଲେ ଦୁନିଆଁକୁ ! ସେ ନିଜର ଦୃଷ୍ଟିଶକ୍ତିକୁ କାହାରି ମଙ୍ଗଳ ପାଇଁ ଛାଡ଼ି ଦେଇଗଲେ l


    କଣାକ୍ଷେତ ଗ୍ରାମ ର ବାସିନ୍ଦା କିଛି ଦିନ ପାଇଁ ବାସନ୍ତୀଙ୍କର ପ୍ରଶଂସା କଲେ,ସେ ଡାହାଣୀ ନୁହଁନ୍ତି ଦେବୀ କହିଲେ, କିନ୍ତୁ ସେମାନଙ୍କର ସେହି ପରିବର୍ତ୍ତନ ସାମୟିକ ସମୟ ପାଇଁ ଥିଲା l ଦୁନିଆଁ ର ସଫା ଆଲୋକ କେବେ ମଧ୍ୟ ତାଙ୍କୁ ଛୁଇଁ ପାରୁ ନଥିଲା l ଚିନ୍ତା ଓ ଚେତନାରେ ସେମାନେ ସେହିପରି ଅନ୍ଧ ହୋଇ ରହିଲେ l 


କିଛି ଦିନ ଉତ୍ତାରୁ ପୁଣି କିଛି ଲୋକଙ୍କ ମୁହଁରୁ ଶୁଣିବାକୁ ମିଳିଲା, "ବୁଢ଼ୀ ଟା ମରିଗଲା ଭଲ ହେଲା l ତାକୁଦୃଷ୍ଟି ରୁ ଏବେ ଗାଁ ସୁରକ୍ଷିତ ରହିବ l"


   ଦଶମ ଶ୍ରେଣୀର ଛାତ୍ର ରବି କିନ୍ତୁ ଭିନ୍ନ କଥା ଚିନ୍ତା କରୁଥିଲା, "ବାସଜେଜୀ ତୁମେ ମହାନ l ସତରେ ଦୃଷ୍ଟି ତୁମର ନିଆରା l"

  


Rate this content
Log in

Similar oriya story from Abstract