ବରଗଛ
ବରଗଛ
ଯେ ଦେଇପାରେ ଅସରନ୍ତି ଛାୟା , ଶୀତଳତା ଆଉ ଶ୍ରଦ୍ଧା ; ନୀରବରେ ସାରା ଜୀବନ ବିନା ପ୍ରତିବାଦରେ ବିନା ପ୍ରତିରୋଧରେ । ସେଇ ବିଶ୍ୱାସର ପରିଚିତ ନାଁ ବରଗଛ ।
***********************
ମୁଣ୍ଡ ପୋତି ଠିଆ ହେଇଥିଲା ଧରମା , ଉଁ କି ଚୁଁ କହୁ ନଥିଲା । ଯେମିତି ସେ ଗୋଟେ ମୁକ ବଧିର । କେବେ କଥା କହିନାହିଁ । ଆଖିରେ ମଧ୍ୟ ନଥିଲା କୌଣସି ଆଲୋଡନ । ଅଜବ ଭାବେ ସ୍ଥିର ଥିଲେ ସେ ଯୋଡିକ । ସାଧାରଣ ହଲଚଲଠୁ ବହୁତ ଦୂରରେ ଥିଲା ମଣିଷଟା ।
ସୁଲ ଏମିତି ରୂପରେ କେବେ ଦେଖିନଥିଲା ଧରମା କୁ । ଧରମା ତା' ଲାଗି ଗୋଟେ ଚୌକଷ ମରଦ , ଯାହା କଥାରେ ମେଦିନୀ କମ୍ପି ଜାଏ । ରାଗିଲେ ସେ ବ୍ରହ୍ମ ଚଣ୍ଡାଳ , ହାତ ଉଠେଇ ବାଡେଇ ପକାଏ । ସବୁବେଳେ ପାଟିଗୋଳ କେଇବା ତା'
କାମ । ସାରା ବସ୍ତିଟାକୁ ସେ ଡ଼ରେଇ ଧମକେଇ ରଖିଥାଏ । ସେ ପରିଚିତ ଧରମ ଦାଦା ନାଁ ରେ । ହାତରେ ତା'ର ରାମପୁରୀ ସାଜୁ ଥାଏ ଅହର୍ନିଶି । କଥା କଥାରେ ଗଳାରେ ଲଗେଇ ଦିଏ ସେ ଚାକୁ । ଦୁଇ ତିନିଟା ମର୍ଡର୍ କେସ୍ ବି ଅଛି ତା' ନାଁ ରେ । ଅବଶ୍ୟ ପ୍ରମାଣ ଅଭାବରୁ ସେ ବୁଲୁଛି ଜେଲ ବାହାରେ ।
ତା' ନାଁ ନେଇଗଲେ ଠିଆ ଠିଆ ଏକ ଦୁଇ କରିପକେଇବେ ଭଦ୍ର ଲୋକ ଗୁଡା । ପୋଲିସ ବାଲା ବି ଡରନ୍ତି ତାକୁ । ତା' ହାତ ବହୁତ ଲମ୍ବା ; ନେତା ଗୋତା ଯାଏଁ ।
ସେଇ ଧରମା ଆଜି ଆକାବୋକା ଭଳି ଲାଗୁଛି । ଲୁହ ଝରି ଝରି ଆଖି ଯୋଡ଼ାକ ଫୁଲି ଯାଇଛି । କେମିତି ଗୋଟେ ନୀରିହ ନୀରିହ ଦିଶୁଛି । ଭାରି ବେଖାପ ଲାଗୁଛି ଏଇ ରୂପ । କେହି କେବେ ଧରମ ଦାଦା କୁ ଏମିତି ଦେଖିନି । ସୁଲ ବି କିଛି ବୁଝି
ପାରୁନି । ଯେତେ ପଚାରିଲେ ବି କିଛି କହୁନି ଧରମା । ବସ୍ତି ଗୋଟାକ ଲୋକ ଘେରିଛନ୍ତି ତାକୁ । ସଭିଏଁ ନିଜନିଜ ବାଗରେ ପଚାରୁଛନ୍ତି , ବୁଝେଇବାକୁ ଚେଷ୍ଟା କରୁଛନ୍ତି , ଆଶ୍ୱସନା ଦେଉଛନ୍ତି , ବାପ ଲୋ ଧନ ଲୋ ବି କହୁଛନ୍ତି । କିନ୍ତୁ କିଛି ଅସର ପଡୁନି ଧରମା ଉପରେ । ସେ ସକାଳୁ ସେମିତି ବଇଚି ଯେ ବଇଚି , ହଲ ନାହିଁ କି ଚଲ ନାହିଁ ।
ଗୋଟେ ଦୁର୍ଦ୍ଦାନ୍ତ , ଗୁଣ୍ଡା , ଅସାମାଜିକ ମଣିଷ ଭିତରେ ଯେ ଏଭଳି ଚରିତ୍ରଟେ ରହିଥାଇ ପାରେ ବିଶ୍ୱାସ ଆସୁନି କାହାକୁ । ସଭିଏଁ ଟୁପୁରୁ ଟାପୁରୁ ହେଉଛନ୍ତି , ଆଉ ହୁଏତ ବହୁତ ଜଣ ଆଶ୍ଚର୍ଯ୍ୟ ହେଉଛନ୍ତି । କୁହନ୍ତା ଭଲା କିଛି ଲୋକଟା , ବୁଝି ହୁଅନ୍ତା । ଯଦି କିଛି ସମସ୍ୟା ଅଛି ସମାଧାନ କରିହୁଅନ୍ତା । କିନ୍ତୁ ନୀରବତା ଭିତରେ କିଛି ଥଳକୂଳ ମିଳିବାର ନାହିଁ ।
ସୁଲ ଆଉ ସହି ପାରିଲା ନାହିଁ । ଧାର ଧାର ଲୁହ ଝରା ଆଖି ଯୋଡିକ ଦେଖି ଅସ୍ତବ୍ୟସ୍ତ ହେଇଗଲା । ସେ ଜାଣିଚି ଗୋଟାଏ କଥା ଧରମା କୁ ବାଧେ , ସେ ନୀରବ ରହି ପାରେନି । ଓଗାଳି ପକାଏ ପେଟ ଭିତରେ ଥିବା ସବୁ ସତ କଥା ଗଳଗଳ କରି । ହଁ ତା' ମା' କଥା । ଯଦି କେହି କୁହେ , '' ତୋ ମା' ରାଣ ସତ କହ '' ସେ ଚୁପ ରହି ପାରେନି । କୁହେ ଅଲବତ କୁହେ ।
ସୁଲ ସେଇଆ କଲା , '' ଧରମା ତୋତେ ମା' ରାଣ ସତ କହ କ'ଣ ହେଇଚି ?''
ଧରମା ଏତକ ଶୁଣି ଭୋଭୋ ହେଇ କାନ୍ଦିଲା । ସୁଲିକୁ ଜାବୁଡି ଧରି କହିଲା , '' ଯା ତୋ ଶେଷ ଚାଲ ବି ଅକାମି ହେଇହଲା । ମୋ ମନ କଥା ବାହାର କରିବାକୁ ଆଉ ଗୋଟେ ବି ଉପାୟ ନାହିଁ ତୋ କତିରେ ।''
ସୁଲ ବଲବଲ ହେଇ ଅନେଇଲା , କ'ଣ କହୁଛି ଧରମା ? କଥାର କିଛି ଟେର ପାଉନି ମଣିଷ !...........
ମା' ରାଣ ଖାଇଲା ପରେ ବି କିଛି କହୁନି କିଆଁ ଆଜି ? କ'ଣ ହେଇଚି ଯେ ?
ସୁଲ ବି ଜୋରରେ କାନ୍ଦିଲା । ହାତ ଧରି ନେହୁରା ହେଲା । " କହିଦେରେ ମନ ତଳ ଅକୁହା ଦୁଃଖକୁ ବାହାର କରିଦେ । ନୋଇଲେ ବାଇଆ ହେଇଯିବୁ ।''
ହେଲେ ଧରମା ଚୁପ ବସିଥିଲା । ଆଖିରେ ତା'ର ନାଚି ଯାଉଥିଲା 'ଘର '!........
ମା' ର ଶୁଖିଲା ମୁହଁ । ବା'ର ରାଢୁଆ କଥା । ମଦ ପିଆ ନାଲି ଆଖି ଆଉ ଗଞ୍ଜେଇ ର କଡା ଗନ୍ଧ । ମା' କୁ ରୋଜ ବାଡେଇ ବାଡେଇ ଦରମରା କରୁଥିବା ଗୋଟେ ଜାନୁଆର । ଏଇମିତି ଥିଲା ତା' ଘର । ସେ କେବେବି ଦେଖିନଥିଲା ହସ ଖୁସି , ମଜାଗପ, ବୁଲାବୁଲି , ଖେଳକୁଦ । ବା' ଖାଲି ରାଗୁଥିବାର ଦେଖୁଥିଲା ସେ । ମା' ଖାଲି କାନ୍ଦୁଥିବାର ଦେଖୁଥିଲା । ସେଇ ଘରେ ତା' ପିଲା ଦିନ ବଡ଼ ଯନ୍ତ୍ରଣା ଭିତରେ ବିତୁଥିଲା । ଏତେ ଯନ୍ତ୍ରଣା ଥିଲା ଯେ ସେ ଟିକେ ହେତୁ ପାଇଲା ପରେ ଘର ଛାଡ଼ି ଦେଲା । ହେଇଗଲା ଭାଗାଵଣ୍ଡ , ବେହେମିଆନ୍ , ଭଗୋଡ଼ା । ବୁଲିଲା ଦିଶାହୀନ ହେଇ । ହଜିଲା ଜୀବନର ଅନ୍ଧଗଳିରେ । ନିଜର ଅସ୍ତିତ୍ବ ହରେଇ ହେଇଗଲା ନଷ୍ଟ ମଣିଷ । ଦାଦା , ଗୁଣ୍ଡା , ଅସାମାଜିକ । କିନ୍ତୁ ଆଉ ଗୋଟେ ଘର ଗଢି ପାରିଲା ନାହିଁ । ଯେଉଁଠି ବୃନ୍ଦାବତୀ ଥାନ୍ତି , ଚୁଲି ମୁଣ୍ଡ ଥାଏ , ଗାଈ ଗୁହାଳ ଥାଏ , କନ୍ଥା ଚଦର ଭିତରେ ମା' କୋଳର ଉଷ୍ମତା ଥାଏ । ଝୁରିଲା ସେ ସାରା ଜୀବନ ସେଇ ଘର ଖଣ୍ଡିକୁ ।
ସେ ବହୁତ ବଢିଆ ହୋଟେଲ ରେ ରହିଛି ।ସାରା ଦିନ ବସି ବୋତଲ ବୋତଲ ବିଅର୍ ଉଡେଇଛି । କୁକୁଡ଼ା , ଇଲିସି ହଜମ କରିଛି କିନ୍ତୁ ମା' ହାତ ଘର ତିଆରି ବଡ଼ି ଆଉ ପାମ୍ପଡ଼ ସୁଆଦ ପାଇନି । ଢେର୍ ମିଠେଇ ଖାଇଛି କିନ୍ତୁ ଘର ତିଆରି ମୁଢି ମୁଆଁକୁ ଭୁଲିନି । କେହି ଆଉ ଘର ଗୋଟାଏ ଗଢି ଦେଇନାହାନ୍ତି ମା' ଭଳି ।
ହାତକୁ ଦୁଇ ହାତ ହେଇ ସୁଲକୁ ନେଇ ସ୍ୱପ୍ନ ଦେଖିଚି ସେ ଅନେକ କିନ୍ତୁ ବାସ୍ତବ କରିପାରିନି କାରଣ ତା' ଜୀବନର କିଛି ଠିକଣା ନାହିଁ । କେତେବେଳେ କେଉଁଠି ତା' ପାଇଁ ଗୁଳି ଗୋଟେ ଅପେକ୍ଷା କରିଛି ସେ ଜାଣିନି ।
ଆଜିବି ମାସକୁ ଥରେ ସେ ଘରକୁ ଯାଇ ମା' କୁ ଟିକେ ଦେଖି ଆସେ । ବା' ଲାଗି ଦଶ ବାର ପ୍ରକାର ଚିଜ ଦେଇଆସେ । କିନ୍ତୁ ରୁହେନି ସେଠି । କାହିଁକି କେଜାଣି ଭଲ ଲାଗେନି ବା' ର ଦୌରାତ୍ମ୍ୟ । ଆଜିବି ମା' ସେମିତିହିଁ ଅଛି ।
ବରଗଛ ଭଳି ଲାଗେ ମା' ସବୁ ସହି ପାରୁଥିବା ବରଗଛ । ପ୍ରତିବାଦ ବିହୀନ ଛାୟା , ମାୟା ଆଉ ମୋହ ଦେଉଥିବା ବରଗଛ । ତା' ଶୀତଳ କୋଳରେ ଘଡ଼ିଏ ଶୋଇ ଯିବାରେ ଯେଉଁ ସୁଖ !.........
କାଲି ରାତିରେ କିନ୍ତୁ ମା' ଚାଲିଗଲା । ଖବର ଆସିଛି । ବା' ତାକୁ ଘରକୁ ଫେରିବାକୁ ଡାକିଛି । ସେ ଗଲେ ଦାହ ସଂସ୍କାର କରିବ । କେମିତି ଯିବ ସେ ମା' କୁ ନିଆଁ ଦେବାକୁ ? ଆଉ କ'ଣ ଘର ଘର ଭଳି ଲାଗିବ ? ବରଗଛର ଶୀତଳ ଛାୟା ଆଉ କିଏ ଦେବ ?...........