ବାପା-ଭିନ୍ନ ଏକ ମଣିଷ
ବାପା-ଭିନ୍ନ ଏକ ମଣିଷ
ବାପା ବୋଲି ଯାହା ଦୁଇଟି ଅକ୍ଷର
ସଂସାର ଭିତରେ ସାର
ବାପ ଶବ୍ଦଟିରୁ ଅମୃତ ଝରଇ
ପଟାନ୍ତର ନାହିଁ ତାର ।।
ସଂସାରର ବୋଝ ମୁଣ୍ଡେଇ ଚାଲେ ସେ
ଅଙ୍କା ବଙ୍କା ବାଟ ଦେଇ
ହସୁଥାଏ କେବେ କାନ୍ଦୁଥାଏ କେବେ
ନୀରବରେ ଝୁରୁଥାଇ ।।
ହାତ ଧରି ସିଏ ଅକ୍ଷର ଶିଖାଏ
ଚିହ୍ନାଏ ସେ ଦୁନିଆକୁ
କାନେ କାନେ କହେ ଜୀବନର କଥା
ଗୁରୁ ମନ୍ତ୍ର୍ର ବଂଚିବାକୁ ।।
କଠୋର ଖୋଳପା ଭିତରେ କୋମଳ
ହୃଦୟଟି ଚକମକ
ଭିନ୍ନ ସେ ମଣିଷ ଭିନ୍ନ ତା'ର ସ୍ବର
ହୁଏ ନାହିଁ ହତବାକ ।।
ସଂସାର ଗଢେ ସେ ଲୁହ ଲହୁ ଦିଏ
ସକାଳରୁ ସଂଜ ଯାଏ
ହସୁଥାଏ ସଦା ତା' ଛୋଟ ପୃଥିବୀ
ପିଣ୍ଡେ ପ୍ରାଣ ଥିବା ଯାଏ ।।
ଖୁସି ହୁଏ କେତେ ତା' ସନ୍ତାନ ଯେବେ
କାଳିଆ ଘୋଡାରେ ଚଢେ
ଆନନ୍ଦ ସାଗରେ ଲମ୍ପଂ ଦିଏ ଯେବେ
ମଧୁ ବାବୁ ସଙ୍ଗେ ଲଢେ ।।
ବାପ ଥିବା ପୁଅ ସଭାରେ ହାରେନି
ସଂସାରର ଏହି ରୀତି
ଯେତକ ଯାତନା ଯେତକ କଷଣ
ପାତି ଦିଏ ସିନା ଛାତି ।।
ବାପର ଗୌରବ ସନ୍ତାନ ବଢାଏ
ପିତୃତ୍ଵ ହୁଅଇ ଧନ୍ୟ
ଆନନ୍ଦର ଅଶ୍ରୁ ପ୍ଳାବିତ ହୁଅଇ
କୋଟିରେ ହୁଏ ସେ ମାନ୍ୟ ।।
ଶରତ କୁମାର ଦାସ
ବଡବିଲ ମହାବିଦ୍ୟାଳୟ,ବଡବିଲ।