ପୋତା ପାଉଁଜିର ମୋହ
ପୋତା ପାଉଁଜିର ମୋହ
ଜାଣିଛ?
ତାତିଲା ନିଶ୍ଵାସରେ ମୋର
ଅଧିକ ରଙ୍ଗେଇ ଯାଇଛି ଆଜି
ସାରା ଦିଗ୍ବଳୟ ।
ଆଉ ବି ଜାଣିଛ?
ମୋ ନିଶ୍ଵାସର କ୍ଷିପ୍ରତାରେ
ଛିନ୍ଛତ୍ର ହେଇ ସାରିଛି
ଶିକ୍ତ ଏ ବେଳାଭୂମିରେ କେବେ କାଳେ
ଛାପି ଯାଇଥିବା
ତୁମ କଅଁଳିଆ ପାଦର ମାପ ।
ତଥାପି ମୁଁ ଅଣ୍ଡାଳି ଚାଲିଛି
ସାରା ଏ ବାଲିର ଶେଯ
କାଳେ ପାଇଯିବି ଅକସ୍ମାତ୍
ପୋତି ହେଇ ଯାଇଥିବା ତୁମ
ପାଦର ପାଉଁଜି !
ଅବା କିଛି ଅନୂଢା ସୁରାକ ତୁମ
ଅମୋଘ ସାନ୍ନିଧ୍ୟର !
ଏବେ କିନ୍ତୁ ଲୋକ ହସା ହେଲିଣି
ଭାବୁଛି ଘେରି ସାରିଲାଣି ଭିଡ ମୋତେ
ଭିନ୍ନ ମଣ୍ଡଳରେ
ଭାଙ୍ଗିବାକୁ ଲାଗିଲାଣି ମୋର ଏକାଗ୍ରତା,
ଚରି ଗଲାଣି ପରଳ ମୋ
ନେତ୍ର ପଟଳରେ,
ଅହଙ୍କାରି ମରିଚିକାର ତାଣ୍ଡବରେ
ମିଳେଇ ଗଲାଣି ମୋର ଇୟତ୍ତା
ଅଣାୟତ୍ତ ଜୁଆର ମାଡ଼ରେ ।