ଚେନାଏ ସୂର୍ଯ୍ୟାସ୍ତ
ଚେନାଏ ସୂର୍ଯ୍ୟାସ୍ତ
ଆଉ ମାତ୍ର କିଛି କ୍ଷଣ -
କିଛି କ୍ଷଣ ରହିବ ଜୀବନ
ଅନେକ ଚିହ୍ନା ଚିହ୍ନା - ଏକାନ୍ତ ନିଜର
ପ୍ରିୟ ପରିଜନ, ପ୍ରତୀକ୍ଷାରେ ଅସ୍ତବ୍ଯସ୍ତ
ନିଉଛାଳି ମନ ।
ଆଉ ମାତ୍ର କିଛି କ୍ଷଣ -
ମୋ ଶରୀର ଶବ ହେବ
ନିଃଶବ୍ଦ କୋଳାହଳ ମାନ ଓହ୍ଲାଇ ଆସିବ ,
ଶବ୍ଦ ମାନେ ଚାଲିଯିବେ - ନିଜର ଆଳୟେ
ମିଶିବାକୁ ଓଁକାର ଧ୍ବନିରେ
ନାଦବ୍ରହ୍ମ ର ଅନନ୍ତ ସ୍ବରରେ
ଅଥବା ଆଉ ଏକ ସୁକ୍ଷ୍ମ ସଂଭାବନାର
ସୃଜନୀ ଛନ୍ଦରେ ।
ମୋର ନିଃଶ୍ଚୁପ୍ ଜଡ ହାତର ମଣିବଂଧରେ
କାହାର ସଶକ୍ତ ଅଙ୍ଗୁଳି ଚାପ !
ମାପିବାକୁ ଗତିଶୀଳ ବାୟୁର ସ୍ପନ୍ଦନ
ପୁନଃଶ୍ଚ ନାସା ରନ୍ଧ୍ରରେ କିଛି ଅଦେଖା ସ୍ପର୍ଶ !!
ଆଉ ମାତ୍ର କିଛି କ୍ଷଣ,
କିଛି କ୍ଷଣ ମାତ୍ର କୋଳାହଳ
ତାପରେ ସ୍ତବ୍ଧ ହେବ
ଚଳ ଚଞ୍ଚଳ ସୁନ୍ଦର ସକାଳ ।
ସେମାନେ କୁହାକୋହି ହେଲେ
ଚାଲିଗଲା - ଚାଲିଗଲା - ଏ ଜନ୍ତୁ ଜୀବନ
ଶବ୍ଦହୀନ ଯଂତ୍ରଣାରୁ ମୁକ୍ତି ପାଇଗଲା
ଗୋଟେ ଅମୂଲ୍ୟ ଜୀବନ ।
ଅପେକ୍ଷାର ଧୈର୍ଯ୍ୟ ବଂଧ ଭାଙ୍ଗି ସାରିଥିଲା
କେହି ଜଣେ କହିଲାଣି -
ଫୁଲମାଳ ଗୁନ୍ଥିବାକୁ,
ଆଉ କେହି - ଛଅ ଖଣ୍ଡ କାଠ ଯୋଗାଡି ଦେବାକୁ ।
ଦାଣ୍ଡରେ ଶୁଭିଲା - ହରିବୋଲ , ହରିବୋଲ
ରାମ ନାମ ସତ୍ୟ ହୈ,
ମୋ ଶବ ଉପରେ ଭର୍ତ୍ତିହେଲେ
କୁଢ କୁଢ ଫୁଲମାଳ ମାନ
ଧୂପ ଆଉ ଅଗରୁର ଭୁରୁ ଭୁରୁ ଗଂଧ
ବୋହିଲା ପବନ ।
ଆଘ୍ରାଣର ଶକ୍ତି କାହିଁ ମୋର ?
ଏତେ ଏତେ ବିପୁଳ ସମ୍ମାନ ଓ ସମ୍ବର୍ଦ୍ଧନା
ମୋ ଶବ ଉପରେ ସବାର୍ ।
ମୁଁ ନିଃସ୍ପୃହ - ମୁଁ ନିର୍ବିକାର
ଖୁସି ହେଲି ମୋର ଆତ୍ମାରେ ।
ଦେହ ଯା ' ଦେଖି ନ' ଥିଲା, ଜୀବଦ୍ଦଶାରେ
ମୁଁ ଆତ୍ମା ହୋଇ ଦେଖୁ ଥିଲି -
ଏତେ ସ୍ନେହ - ଏତେ ଶ୍ରଦ୍ଧା -
ମୁଁ ମରି ଗଲା ପରେ ।
ଶ୍ରଦ୍ଧା ର ସହ
ଭକ୍ତ ଚରଣ ମଲ୍ଲ ।
31 ଜୁଲାଇ 2017