ମମତାର ମୂଲ
ମମତାର ମୂଲ
କିଏ ଅଛି କହ ଦୁନିଆ ବୁକୁରେ
ମାଆଠୁ ବଳି ସୁନ୍ଦର
ସବୁ ସମୟରେ ସବୁ ବୟସରେ
ଲମ୍ବାଏ ମମତା ହାର ।
ପେଟ ଚିହ୍ନି ସିଏ ଖାଇବାକୁ ଦିଏ
ମନକୁ ଜାଣି ପଣତ
ହୃଦୟ ଭିତର କଥାକୁ ଜାଣଇ
ସ୍ନେହ କରେନି ବିରତ।
ଦୁନିଆ ତାହାର ଛୋଟ ପରିବାର
ପ୍ରେମରେ ବାନ୍ଧଇ ନୀଡ଼
ସେ ନୀଡ଼ରେ ବସି ଜଗି ରହିଥାଏ
ଘେରି ଥାଏ ପ୍ରେମ ବାଡ଼।
ସନ୍ତାନ ତାହାର ସୁଖର ଭଣ୍ଡାର
ଲୋଡେ ନାହିଁ କିଛି ଆଉ
ସନ୍ତାନ ହସରେ ଦୁଃଖକୁ ଭୁଲଇ
ଲେଖଇ ଖୁସି ଚିଟାଉ।
ମା’ ତୁମେ ମମତାର ଝର
ସ୍ନେହ ପ୍ରେମର ଗନ୍ତାଘର
ପାଇ ତୁମ ପରଶ, ମନେ ଭରେ ସରସ
ତୁମ ପଣତର ଛାଇରେ
ସୁଖ ଶାନ୍ତି ସବୁ ମିଳଇ
ଦୁଃଖର ପାହାଡ଼ ବି ସୋରିଷ ସଦୃଶ
ଲୁହର ସାଗର ଲାଗେ ଚୁଳାଏ ପାଣି
ଅନ୍ଧାର ରାତିରେ ତୁମେ ଦୀପକ
ଝଡ଼ ବତାସରେ ମହାଦ୍ରୁମ
ମେଘ ଆକାଶରେ କଳା ବଉଦକୁ
ଚିରି ସୂର୍ଯ୍ୟଙ୍କ କଅଳ କିରଣ ତୁମେ
ତୁମେ ପୂଜନୀୟ ତୁମେ ବନ୍ଦନୀୟ
ତୁମ ଚରଣେ ସନ୍ତାନର ସ୍ଵର୍ଗ
ତଥାପି ମୁଁ ବୁଝେନି ତୁମ ମହତ୍ତ୍ଵ ଜାଣେନି
ସେଥିପାଇଁ ମୁଁ ଆଜି ବି ନିର୍ବୋଧ
ତୁମ ପଣତର ଆଶ୍ରିତ
ଜାଣିଚି ତୁମେ କୋଳେଇ ନବ
ଘୋଡେଇ ରଖିବ ପଣତ ଛାୟାରେ
ମୁଁ ଆନନ୍ଦେ ଶୋଇ ରହିବି
ଶେଷ ନିଦ୍ରା ଯାଏ.......
ପଦ୍ମାଳୟା ମିଶ୍ର