ପ୍ରସ୍ତ ପ୍ରସ୍ତ ଅନ୍ଧକାର
ପ୍ରସ୍ତ ପ୍ରସ୍ତ ଅନ୍ଧକାର
ସଂଯୁକ୍ତl ମହାନ୍ତି
କେଜାଣି କାହିଁକି
ଭିତରେ ଭିତରେ ଗୋଟିଏ ଶୂନ୍ ଶାନ୍ ମରୁଭୁମି
ଜଳକଷ୍ଟରେ ଶୁଖିଯାଇଛି ତଣ୍ଟି
ଭାରି ଶୋଷ l
ଉଠି ଆସୁଛି କେଉଁ ନିବିଡ କ୍ରନ୍ଦନର ସ୍ଵର
ମୋ ଭିତରେ l
କେଜାଣି କେତେ ଦିନ ଚାଲିଆସିଲାଣି
ଗୋଟିଏ ଅକାଳ ପଡିଥିବା ରାସ୍ତାରେ
ସବୁଜ ଗଛର ମଥାନଟି ମାନ ଝୁଲେ
ଝୁଲୁଥାଏ ମୋ ଆଖି ଆଗରେ
ନାଈଟିଏ ବି ବହୁଥାଏ ସାମନାରେ ଆନମନେ
ଅଥଚ ଆଷାଢ, ଶ୍ରାବଣ, ଭଦ୍ରବରେ ବୁନ୍ଦାଏ
ଜଳ ନlହିଁ ? ଏତେ ଅନାବୃଷ୍ଟି ମୋ ସହରେ ?
କେଜାଣି ବହୁଦିନ ହେଲା ଅଟକି ଯାଇଛି
କୁଆଡେ ଉଠେନା ପାଦ
ଘର ଭିତରର ମହଣ ମହଣ ଅନ୍ଧକାର
ବସିଥାଏ ଚୁପ୍ ଚାପ୍, ରାତି ଘନ ହୁଏ
କେଉଁ କୋଣରେ ବସି ବସି
ଉଠି ବାଲକୋନିରେ ଆଖି ମଳି ଠିଆ ହୁଏ l
ଦେଖେ ଦପ୍ ଦପ୍ ତାରା l
ଝାପ୍ସା ଅନ୍ଧାରରେ ହଲୁଥାଏ ନାରୀ କେଳ ପତ୍ର
ସଜନା ଗଛରେ ହୁଟ୍ ହୁଟ୍ କରୁଥାଏ ପେଚା
ଭନ୍ ଗଢ଼ାର ‘ ଷ୍ଟାରି ନାଇଟ’ ର ଚିତ୍ର ପରି
ଘୂରୁଥାଏ ଏ ବିଶ୍ଵବ୍ରହ୍ମାଣ୍ଡ ଆଉ ଶତ ଶତ ତାରା l
ତା’ର ଆଉ ଆସିବାର ନାହିଁ l ଏ ରାତିରେ ବି
ବୃଷ୍ଟି ହେବାର ନାହିଁ l
କିଏ ନ ଚାହେଁ ଏକ ବୃଷ୍ଟିଭିଜା ଭୋର୍ ଆସୁ
ଆଉ ତା’ର ଆଲିଙ୍ଗନ ଭିତରେ
ଓହ୍ଳେଇ ଆସୁ ସକାଳର ଏ ଭିଜା ଭିଜା
ଅପସୁୟମାନ ଅନ୍ଧକାର !
ଏମିତିକି ଛେଚା ବର୍ଷାଟାଏ ହୋଇଯାଉ
ନୀବିଡ଼ ସତ୍ତାରେ ଶୋଷି ହୋଇ
ଜନ୍ମ ନେଉଆ ଗୋଟାଏ
ଚିର ହରିତ୍ ଅରଣ୍ୟ l
କିନ୍ତୁ ତା’ର ପାଦଚିହ୍ନ ନାହିଁ
ଧୁଳି ଧୂସରିତ ସବୁ l ଖୋଜି ପାଏନା ଆଉ
ସେ ଚୁପ୍ ଚାପ୍ ଚାଲି ଯାଇଛି
ଛାତି ତଳେ ରଖିଦେଇ ଖାଲି ପ୍ରସ୍ତ ପ୍ରସ୍ତ ଅନ୍ଧକାର l