ମିଥ୍ୟା ପଣ,ସତ୍ୟର ସହର
ମିଥ୍ୟା ପଣ,ସତ୍ୟର ସହର
ଅଚିହ୍ନା ଅଚିହ୍ନା ଲାଗେ
ଅଜଣା ଅଜଣା ଶୁଭେ
ଅକୁହା ଅକୁହା ତୁମ ଭାଷା ।
କପଟୀ କପଟୀ କଥା
ଛଳ ଛଳ ଆଖି ବ୍ୟଥା
ଛଳନାରେ ଜୀଇଁବାର ନିଶା ।
ବ୍ୟଥାରେ ସତେକି ବନ୍ଦୀ
କର୍ମରେ ମିଥ୍ୟାକୁ ଛନ୍ଦି
ଯନ୍ତ୍ରଣାରେ ମିଛ ଭିଜା ମନ ।
ଚାଲିଛ ଚାଲିଛ ତୁମେ
ଅସତ୍ୟେ, ସତ୍ୟର ଧାମେ
ବଞ୍ଚିବାର ଲାଳସା ଅଦମ୍ୟ ।
ଅଗ୍ନିକୁ ରଖୁଛ ସାକ୍ଷୀ
ଲଗ୍ନ ଯେ କାଳ ବୈଶାଖୀ
ମିଛେ ମିଛେ ଛଳନା ସୁଅରେ ।
ବନ୍ଧୁ ର ମୋହର ମାରି
ଗୋପନେ ହୁଅ ଅଇରି
ମାତିଯାଇ ଅର୍ଥର ମୋହରେ ।
ବନ୍ଧୁ ତ ବର୍ଣ୍ଣାଢ୍ୟ ଭାବ
ସ୍ବର୍ଗୀୟ ତା'ର ବୈଭବ
ଛାର ଅର୍ଥ ତା'ଆଗେ କୁତ୍ସିତ ।
ସ୍ୱାର୍ଥରେ ସ୍ୱାର୍ଥରେ ରହି
ମିଥ୍ୟାରେ ଦେଉଛ ଦ୍ୱାହି
ନୁହଁ କି ହେ ତୁମେ କଳଙ୍କିତ ?
କଳଙ୍କେ କଳଙ୍କେ ଭିଜି
ଲଜ୍ଜାକୁ ଲଜ୍ଜାରେ ମାଜି
ହୋଇଅଛ ନିର୍ମମ ନିର୍ଲ୍ଲଜ ।
ବନ୍ଧୁ ସମ୍ପର୍କେ କଟାକ୍ଷ
ଛନ୍ଦି ପାଇବ କି ମୋକ୍ଷ
ଧିକ ବନ୍ଧୁ ମିଛ ସଜବାଜ ।
ପ୍ରଥମେ ପାଖକୁ ଡାକି
ପରିଚୟ ମିଛେ ରଖି
ମିଠା ପଣେ ଢାଳିଲ ଜହର ।
ସମୟ କହିବ,ବନ୍ଧୁ
ବନ୍ଧୁ ଯେ ସ୍ବର୍ଗୀୟ ସିନ୍ଧୁ
କୃତଘ୍ନତା ବୈମାନ,ଅସୁର ।
ପ୍ରତାରଣା ପ୍ରୀତି କରି
ଭାବିଛ ହୋଇବ ପାରି
ମିଥ୍ୟା ପଣେ ସତ୍ୟର ସହର ।
ସତ୍ୟକୁ କଲି ମୁଁ ସାକ୍ଷୀ
ବେଦକୁ ବିଧାନେ ରଖି
ତୁମ ପରି ହେବିନି ବର୍ବର ।
ହେ ବନ୍ଧୁ,ବୟସେ ସାନ
ଆଶିଷ ଢାଳେ ଏ ପ୍ରାଣ
ପ୍ରତାରଣା କର ପ୍ରତିହାର ।
ଏବେ ବି ସମୟ ଅଛି
ବନ୍ଧୁତା ହାତ ବାଢୁଛି
ବନ୍ଧୁ କୋଳ ଅଳଙ୍କୃତ କର ।