ଶେଷ ଫଗୁଣର ଚିଠି
ଶେଷ ଫଗୁଣର ଚିଠି
ପ୍ରିୟତମା !
ସ୍ନେହ ନେବ,ଭଲ ରେ ଥିବ ନିଶ୍ଚୟ
ଲେଖିବି ଲେଖିବି ଚିଠିଟିଏ ଭାବି
ବୟସ ଟା ଗଡିଗଲା
ଉତ୍ତୀର୍ଣ୍ଣ ଯୌବନ
ଊତୁସବୁ ବଦଳିଗଲେ
ବଦଳିଗଲା ଫଗୁଣର ମହମହ ବାସ
ସ୍ବପ୍ନ ଅଭିସାର ଆଉ ସାତ ରଂଗର ମେଳଣ ,
ତଥାପି ମୋ ହୃଦୟର ପ୍ରତିଟି ସ୍ପନ୍ଦନ
ଉଦବେଳିତ ଓ ଆନ୍ଦୋଳିତ
ଉଲ୍ଲସିତ ତମର ରଂଗୀନ ସ୍ମୃତିରେ
ଫଗୁଣର ଶେଷ ସ୍ତବକଟି ଆଜିବି ସତେଜ
ଭୁରୁ ଭୁରୁ ବାସ୍ନାରେ ସତତ ବିଭୋର
ସଜଫୁଟା ଗୋଲାପର କଅଁଳ କଢିରେ ।।
ଅସ୍ତାଚଳେ ସୂର୍ଯ୍ୟ
ସଂଧ୍ୟା ଘନେଇ ଆସୁଛି
ଦଲକାଏ ଥଣ୍ଡା ପବନ ଝର୍କା ଦେଇ
ପଶିଆସୁଛି ମୋ ଘର ଭିତରକୁ
ଫଗୁଣର ସିକ୍ତ ମାଦକତା ସ୍ପଷ୍ଟ ଅନୁଭୂତ
ମୋ ଉଦାସ ହୃଦୟର ପ୍ରତିଟି ତନ୍ତ୍ରୀରେ
ନିର୍ଜୀବ କାଗଜ ଉପରେ ଶବ୍ଦମାନେ
ଫୁଲ ହୋଇ ଫୁଟିଯାଉଛନ୍ତି ମୋ ଅଜାଣତରେ
ପ୍ରୀତିର ମନ୍ଦିର ଟିଏ ଗଢିବାକୁ
କାବ୍ୟ-ମୂର୍ଚ୍ଛନା ର ତାଳେ ତାଳେ ।।
ପ୍ରେମର ଋତୁ ଓହ୍ଲାଇ ଆସୁଛି ଧୀରେ ଧୀରେ
ଆକାଶ ରୁ ମାଟି ଅଗଣାକୁ
ପତ୍ର ଝଡା ଆମ୍ବଗଛ ବଉଳ ଦେଲାଣି
ଚହଟୁଛି ବାସ ଚଉଦିଗ
ମୋ ଘର ,ମୋ ଦାଣ୍ଡ ,ମୋ ଅଗଣା
କୁହୁକୁହୁ ଶୁଭୁଛି କୋଇଲି ର କଣ୍ଠ
ଦୂର ତାଳବଣେ
ବୋଧହୁଏ ଫଗୁଣ ଫେରିଛି ପୁନଶ୍ଚ
ଲକ୍ଷେ ସପନକୁ ସାଥୀରେ ଧରି ।।
ସେଦିନ ତମେ ଥିଲ ମୁକ୍ତ ବିହଙ୍ଗିଣୀ
ସୁନୀଳ ଆକାଶ ର ପ୍ରସସ୍ଥ ଛାତିରେ
ମନଇଛା ଉଡୁୁଥିଲ
ସ୍ବପ୍ନ ରେ ଭିଜୁଥିଲ ,
ଖୁବ୍ ପ୍ରଗଳଭା ଥିଲ ବି
ଗୀତ ଗାଉଥିଲ ମନଖୋଲି
ବସନ୍ତର ସୁରେ ସୁରେ
ବିରହିଣୀ ନାୟିକା ଟି ଭଳି ,
କେଜାଣି କାହିଁକି
ତମ ନୀରିହ ଆଖିର ସୁକ୍ଷ୍ମ ପଲକରେ
ମୁଁ ନିଜକୁ ଦେଖିଥିଲି
ତମ ପାଗଳାମୀର ଇନ୍ଦ୍ରଧନୁ ରେ
ନିଜକୁ ମୁଁ ଭୁଲିଥିଲି
ଆଉ ତମ ସରଳତାର ମଧୁର ଆକର୍ଷଣ ରେ
ମୋ ବାକିତକ ଜୀବନ କୁ ଛନ୍ଦିଦେଇଥିଲି
ସ୍ବପ୍ନ ଓ ଶିହରଣ ର ପ୍ରୀତିଭରା ଆବର୍ତ୍ତ ମଧ୍ୟ ରେ ।।
ଏବେ ଜହ୍ନ କୁ ଆଖି ଖୋଲି ଚାହଁ ହେଉନାହିଁ
ଭିଜିବାକୁ ଇଛାନାହିଁ ତା' ଶୀତଳ ଜୌସ୍ନା ରେ
ଫିକା ଫିକା ଲାଗୁଛି
ବେଳାଭୂଇଁ ର ନୀଳ ଆକର୍ଷଣ
ଆଉ ତୋଳିବାକୁ ଇଛାନାହିଁ ନୀଳକଇଁ
ମେଘର ମହ୍ଲାର ବେସୁରା ଲାଗୁଛି
ତାରାମାନେ ଖତେଇ ହେଉଛନ୍ତି
ସାଇଁ ସାଇଁ ନିର୍ଜନତାର କରୁଣ ଅଟ୍ଟହାସ୍ୟ
ଅକ୍ଟୋପସ ଭଳି ଘେରି ରହିଛି
ମୋ ଚତୁର୍ଦିଗ
ସମୟେ ଅସମୟେ ଯାହା ଖାଲି ମାଡି ଆସେ
ତମ ଆଲିଭା ସ୍ମୃତିର ବଳିଷ୍ଠ ସୁନାମୀ
ମୋ ଶୁଷ୍କ ହୃଦୟର ମସୃଣ ଇଲାକା କୁ
ମୁଁ ଭାସିଯାଏ ତା' ଉତ୍ତାଳ ତରଙ୍ଗେ
ଠିକ୍ ଖଣ୍ଡେ କୁଟାଖିଅ ଭଳି ।।
ପ୍ରିୟତମା !
ଦିନଥିଲା ମୁଁ ଜହ୍ନ ଦେଖୁଥିଲି
ତମ ଭିଜା ଭିଜା ଚୂର୍ଣ୍ଣ କବରୀ ଫାଙ୍କରେ
ତାରାଗଣୁଥିଲି ତମ ଚୁନାଚୁନା ହସର
ସ୍ବର୍ଣ୍ଣ ପାଖୁଡା ରେ
ଗୋଟିଏ ବୃନ୍ତର ଦୁଇଟି କଳିକା ହୋଇ
ଝୁଲୁଥିଲେ ଏକାଠି
ଏବେ କିନ୍ତୁ ଦୂରତ୍ବ ଅନେକ ତମ ମୋ ମଧ୍ୟେ
ଯୋଜନ ଯୋଜନ
ବୃନ୍ତଚ୍ୟୁତ ପୁଷ୍ପ
ପାହାଡ ଏପଟେ ମୁଁ
ଆଉ ସେପଟେ ତମେ
ତଥାପି ଏମିତି ତମ ଆକର୍ଷଣ ଯେ
ନିଜକୁ ଆୟତ୍ତ କରିପାରେନି ଜମା
ଲମ୍ବି ଲମ୍ବି ଯାଏ ତମ ନିକଟକୁ ପ୍ରତି ମୁହୁର୍ତ୍ତରେ ।।
ଏଇ ଦେଖୁନ ବେଳ ଆସି ଉଛୁ ର ହେଲାଣି
ସଂଜ ଗଡି ରାତି ଆସିଲାଣି
ବିଛାଡି ହୋଇ ପଡିଛି ତାରାଫୁଲ କେତେ
ଆକାଶ ର ଖୋଲା ଅଗଣାରେ
ପୁନେଇଁ ର ଜହ୍ନ ହସୁଛି କିରି କିରି
ମୋ ଘରର ଫୁଙ୍ଗୁଳା ମଥାନରେ,
ରେଲିଂ ଦେଇ ପଶିଆସୁଛି ଶୀତଳ ଜୌସ୍ନା
ମୋ ଘରର ଫାଙ୍କା ଚଟାଣକୁ ଚେନାଏ ଚେନାଏ
ସ୍ପଷ୍ଟ ଦେଖିପାରୁଛି ମୁଁ ତମ କଇଁଫୁଲିଆ ମୁହଁ
ଆଉ ତମ ହଳଦୀ ରଂଗର ତୋଫା ଗୋରା ଦେହ
ଧରିବାକୁ ହାତ ବଢାଉଛି
ହେଲେ ହାତ ମୋର ପାଉ ନାହିଁ
ତମେ ଘୁଞ୍ଚି ଯାଉଛ ପଛକୁ ପଛକୁ ।।
ଏବେ ଲେଉଟାଣି ବେଳ
ବୟସ ଟା ବେଶ୍ ପରିପକ୍ବ
ଗଦା ଗଦା ସ୍ମୃତିର ପାହାଡ ତଳେ
ଝଲମଲ
କେତେବୁନ୍ଦା ଉଷୁମ ଲୁହ
ଖସି ପଡୁଛି ଆଖି କୋଣରୁ ମାଟି କୁ
ବହିଯାଉଛି ଧାର ଧାର ନଦୀଟିଏ ହୋଇ
ଭାସିଯାଉଛି ମୁଁ ଆଉ ଭାସିଯାଉଛ ତମେ ।।
ମୁଁ ଜାଣିଛି ପ୍ରିୟତମା
ଲକ୍ଷ୍ମଣ ଙ୍କ ତିନି ଗାର ତମ ମୋ ମଧ୍ୟେ
ତମେ ଆଉ ଫେରି ପାରିବନି
ମୋ ଶୂନ୍ୟ ମନ୍ଦିରକୁ
ଜାଳିବନି ଦୀପ ଆଉ ଜାଗର ରାତି ରେ
କରିବନି ବ୍ରତ ଉପବାସ ପୁନେଇଁ ତିଥିରେ
ମୁଁ କିନ୍ତୁ ଜାଳୁଥିବି ଦୀପ ଆଖି ର ଲୁହରେ
ଜୀବନର ଶେଷ ଦୃଶ୍ୟ ଯାଏ
ଅପେକ୍ଷା ମୁଁ କରିଥିବି ଯୁଗ ଯୁଗ ଯାଏ
ମେଘ ମେଦୁରିତ ନିଥର,ନିଃଶବ୍ଦ ରାତିରେ
କାଳେ ତମେ କେଉଁ ଦିନ ଆସିଯିବ ଅବେଳାରେ
ମୋ ଭଗ୍ନ ହୃଦୟ କୁ
ବିଶ୍ବାସ ର ଯଜ୍ଞକୁଣ୍ଡରୁ ପୁନର୍ଜନ୍ମ ନେଇ,
ଭାବିନିଅ ଏ ମୋର ଶେଷ ଚିଠି ତମକୁ
ଶେଷ ଫଗୁଣର ଶେଷ ସ୍ତବକ ରେ ।।
।। ଇତି ।।
ମୁଁ ...........
----------------'-------
ଶରତ କୁମାର ଦାସ