ଭାରତ ମାଆର ବାହାଦୁର ଲାଲ୍
ଭାରତ ମାଆର ବାହାଦୁର ଲାଲ୍
ସୈନିକ କୃଷକ ହିତେ ପ୍ରାଣ ଯା' ଆତୁର
ସୁଯୋଗ୍ୟ ସନ୍ତାନ ତୁମେ ଲାଲବାହାଦୁର ।
ଅଭାବ ଅନୀତି ସାଥେ ଟାଉଟର ନୀତି
ଭରିଥିଲା ଜାତିପ୍ରାଣେ ଥିଲା ଧର୍ମଭୀତି ।
ଘାରିଥିଲା ଜନତାଙ୍କୁ ଅଭାବ ଓ ଦୈନ୍ୟ
ଭଗାରି ରଚିତ ବ୍ୟୂହେ ଫଶିଥିଲେ ସୈନ୍ୟ ।
ମୁକ୍ତି ନାମେ ବିଭାଜିତ ସୀମାନ୍ତେ ଜନତା
ଉଜୁଡା ଇଜ୍ଜତେ କାହିଁ ନଥିଲା ସମତା ।
ମୁକ୍ତିକାମୀ ରକ୍ତମୁଖା ଭ୍ରାତୃଦ୍ରୋହ ବଳେ
ସ୍ବାଧୀନତା ଜାଣିଥିଲେ ସ୍ବାର୍ଥାନ୍ବେଷୀ ଦଳେ ।
ଶୋଷିତ ଅଙ୍ଗକୁ କନା ପେଟେ ନାହିଁ ଅନ୍ନ
ଶତ୍ରୁଙ୍କ ଘେରରେ ଯେତେ ସଙ୍କଟ ଆସନ୍ନ ।
ନେହେରୁ ଶରୀର ଛାଡି ଗଲେ ଆରପାରେ
ଶାସ୍ତ୍ରୀ ତୁମ କାନ୍ଧ ଭାରୀ ସଙ୍କଟର ଭାରେ ।
ସାମନ୍ତବାଦର ଦ୍ବାରେ ଘୃଣ୍ୟ ରାଜନୀତି
ଶୋଷିତ ଜନତା ମନେ ଥିଲା ଭୟଭୀତି ।
ଭାଇର ବୁକୁରେ ଗୁଳି ବିବେକ ତ ନାହିଁ
ଯୁବକ ବିପ୍ଳବେ ମାତେ ସ୍ବରାଜକୁ ଚାହିଁ ।
କବାଟ କୋଣରେ ବନ୍ଧା ନାରୀଙ୍କ କଷଣ
ଶିକ୍ଷା ଓ ପ୍ରଗତି ପାଇଁ ସହେ ଯେ' ଦୂଷଣ ।
ବିଫଳ ଅହିଂସା ନୀତି ପ୍ରତିଶୋଧ ନିଆଁ
ପଡୋଶୀର ହୃଦ ଜଳେ , ସଶସ୍ତ୍ର ଦୁନିଆ ।
ଦାରିଦ୍ର୍ୟର ପୀଡା ଯେଣୁ କରିଲ ସହନ
ଦେଶର ଉତ୍ଥାନେ ତେଣୁ କଳ୍ପିଲ ବହନ ।
ସରଳ ଜୀବନ ବହି ବିଳାସକୁ ତେଜି
ଜନତାଙ୍କ ସୁଖ ଦୁଃଖ ପାରିଥିଲ ହେଜି ।
ସ୍ଳୋଗାନ ଉଦ୍ଘୋଷ କଲ ଜାଣି ଷଡଯନ୍ତ୍ର
ଜୟ ହେ ଯବାନ ଜୟ କିଷାନ -ଏ ମନ୍ତ୍ର ।