ମା'
ମା'
ଆଖି-କାନ ଉଠିବା ଦିନରୁ
ଦରୋଟି-କୁରୁଳି ହସିବା ଦିନରୁ
କି’ଏ ଜଣେ ଆସେ
ପାଖରେ ବସେ
ବୋକ ଦିଏ
ରାହାଧରି କାନ୍ଦିଲେ କୋଳେଇ ନିଏ
ଗୁଣୁ-ଗୁଣୁ କ’ଣ ଗୀତ ଗାଏ ପିଠି ଥାପୁଡେଇ ଦିଏ
ସିଏ ଆଉ କେହି ନୁହେଁ , ମୋ ମା’ ସିଏ ॥୧॥
ସମୟ ଦୌଡିଚାଲେ ବୟସ ବଢିଚାଲେ
କର୍ମ – ଜଞ୍ଜାଳ ଅଳି-ଅର୍ଦଳି ଚଢିଚାଲେ
ମୁଁହ ଧୁଆ ପାଣି କାହିଁ – ବାପାଙ୍କ କୁହାଟ
ଭୂଜା –ପାଣି ଦବ ଯେ କେବେ – ହଳିଆଙ୍କ ହଟ
ଭେଁ ଭାଁ ଭେଁ - ସଁ ସଁ ସେଁ - ଭେଣ୍ଟୁ ଟୁନା ଟୁଟୁର
ଖଁ ଖାଁ ଖଁ –ଗାଁ ଗାଁ ଗାଁ – ଜେଜେ ଜେଜେମାର
କି’ଏ ଜଣେ ଚୁପ ଚାପ କରୁଥାଏ
କୁହାଟ –ହଟହଟା – କାନ୍ଦ-କୁନ୍ଥର
ବହୁତ ପୂର୍ବରୁ
ଲୋଟଣି ପାରା ପରି
ଘରୁ ପିଣ୍ଡା ପିଣ୍ଡା ଘରୁ
ଭାତ – ଭୂଜା ପରସିଲା ବେଳେ ବଲେଇ ଢାଳିଦିଏ
ନିଜ ଖାଇଲା ବେଳକୁ ତେନ୍ତୁଳୀ ଚକଟା କଞ୍ଚା ଲଙ୍କାରେ ଚଳେଇନିଏ
ଦୁଃଖ ନାହିଁ
ଶୋକ ନାହିଁ
ଅବଶୋଷ ନାହିଁ
ଅନୁଚିନ୍ତା ନାହିଁ
ବରଂ ! ଖୁକୁଣ୍ଡି –ଗୁଆ –ପାନ କଳରେ ଥାଏ
କଠେ ହସ ମୁଠେ ଖୁସିରେ ଦିନ ଚାଲିଥାଏ
ସିଏ ଆଉ କେହି ନୁହେଁ , ମୋ ମା’ ସିଏ ॥୨॥
ବୁଢା ଭିକାରୀ କାଣୀ ଭିକାରୁଣୀ ମା’ ଡାକିଲେ
ପଣତ କାନିକୁ ମୁଣ୍ଡରେ ଟେକି କୁଞ୍ଚି କଠାରେ
ଚାଉଳ – ଭୂଜା ଦିଏ
ଶତ ଆୟୁଷ ନିଏ
ଜାଗରରେ ସଳିତା ଜାଳେ
ବାରୁଣୀରେ ଫେଣି ଫୋପାଡ଼େବ୍ରତ କରେ ଉପାସ ରହେ
ଘର ପାଇଁ କଷ୍ଟ ସହେ
ଗାଳି ଖାଏ ଖେଣ୍ଟିଆ ମିଳେ
ରାଗିଯାଏ ମିଛିମିଛିକା ପୁଣି ହସିପକାଏ
ସିଏ ଆଉ କେହି ନୁହେଁ , ମୋ ମା’ ସିଏ ॥୩॥
ସକାଳୁ-ସଞ୍ଜ ଛାଞ୍ଚୁଣିରେ ଘର ଓଳାଏ
ପହଂରାରେ ଆଗ-ପଛ ସଫା କରୁଥାଏ
ବିକର୍ତ୍ତନ ଗଲେ ଅସ୍ତାଚଳ
ଠୁ-ଠା ଫୁଟେ ଜହ୍ନିଫୁଲଦଳ
ସଞ୍ଜ –ଦ୍ଵିପ ଦିଏ ତୁଲସୀ ମୂଳରେ
ଧୂଆଁ ଦିଏ ଝୁଣା ସରାରେ
ଗୁରୁବାରରେ ଲକ୍ଷ୍ମୀପୁରାଣ ପଢେ
ରାଜା-ରାଣୀ ଡାକୁ-ଡାହାଣୀ ଗପ ଯୋଡେ
ରସୁଣ ଛଡେ
ଶାଗ ଖରଡ଼େପଖାଳ ବାଢେ
ବାଡି ପିଆଜ ବଡ ସୁଆଦ
ତେଲ ଘସିଡିଏ ସମସ୍ତଙ୍କ ପାଦ
ବିଛଣା ଶୁଙ୍ଘେ ଶେଷରେ ସିଏ
ବଡି ଭୋରରୁ ଉଠି ହାଜର କି’ଏ
ଅମ୍ଳଜାନ ଯବକ୍ଷାରଜାନ ଚକ୍ର ପରି
ତା’ରି ଚକ୍ର ଅନବରତ ଘୂରୁଥାଏ
ସିଏ ଆଉ କେହି ନୁହେଁ , ମୋ ମା’ ସିଏ ॥୪॥
ଛାତ୍ରାବାସରେ ଅର୍ଥର ଅନଟନ
କରିବାକୁ ପଡେ ନିଜେ ନିଜର ବ୍ୟଞ୍ଜନ
ଘର ବାଇଗଣ-ପୋଡା କଉମାଛ-ଫୁଲକୋବି ଝୋଳ
ଏଠାରେ ମିଳେନା ସେସବୁ କେବଳ
ଆଶା ହିଁ ଆମ୍ବିଳ ସ୍ଵପ୍ନିଳ
ଚିଠି ଲେଖେ ଘରକୁ ଏଠାରେ ଭଲରେ ଅଚ୍ଛି
ଦେହ ମନ ଠିକ ଠାକ ଚାଲିଛି
ମଧୁରିଆ –ମନଭୁଲାଣିଆ ଶବ୍ଦର ପେନ୍ଥାରେ
ମିଛର ଅକ୍ଷରକୁ ଗୁନ୍ଥିବାକୁ ହେବ
କାଳେ ସିଏ ବରକୋଳିଆ ଦୁଇଟୋପା ବରଷେଇ ଦେବ
ସହରରେ ସବୁ ମିଳେ କେବଳ ମିଳେନା ସିଏ
ସିଏ ଆଉ କିଏ ହେବ,ମୋ ମା’ ସିଏ ॥୫॥