ମେଘ
ମେଘ
ଶ୍ରୀ ସୁକାନ୍ତ କୁମାର ସେଠୀ
ଆକାଶ ବୁକୁରେ ବଉଦକୁ ଯେବେ
ଶୀତଳ ପବନ ଛୁଏଁ
ଝିପି ଝିପି ଆମ୍ବୁ ନୟନରୁ ତା’ର
ହରଷରେ ଝରିଯାଏ l
ବରଷାର ଝର ଧରଣୀ ଦେହରୁ
ନିଦାଘ ପୀଡାକୁ ଦୂରେ
ସାରୁ ଗଛ ମୂଳେ ବେଙ୍ଗୁଲୀ ନାନୀ ତ
ତର ତର ଘର ଗଢେ l
ସୁନ୍ଦରୀ ଧରଣୀ ମେଘର ପରଶେ
ଶାଗୁଆ ବସନ ପିନ୍ଧେ
ଘାସ ଗାଲିଚା ଓ ଲତା ଧାରେ ଧାରେ
ମାଳ ପରି ଫୁଲ ବାନ୍ଧେ l
ଧୁଆ ଆକାଶରେ ଇନ୍ଦ୍ରଧନୁ ଭାସି
କେତେ ରମଣୀୟ ଦିଶେ
ଦୂର ତାଳବଣେ ଗର୍ଭିଣୀ ବଊଦ
ଘରଟିଏ ଗଢି ବସେ l
ଗାଁ ଓଠ ଦେଇ ବରଷାର ପୟଃ
ଢେଉ ହୋଇ ଝରୁଥାଏ
ଶୈଶବ ମନରେ କାଗଜ ତରୀଟି
ସ୍ମୃତି ହୋଇ ଭାସିଯାଏ l
ଚାଷୀଭାଇ ପରା ଅଧୀର ହୋଇ କି
ବରଷାର ଗୀତ ଗାଏ
ବରଷା କି କ୍ଷଣେ ଚାଷୀଭାଇ ଗୀତ
ଶୁଣିବାକୁ ମନ ଦିଏ l
କଡମ୍ବ ଶାଖାରେ ପେନ୍ଥି ପେନ୍ଥି ଫୁଲ
ହସେ ଆକାଶକୁ ଚାହିଁ
ଓଦା ସମୀରରେ ବରଷାର ଧାରା
ଝରିଯାଏ ସ୍ଵପ୍ନ ହୋଇ l