ବହୁଧା ବିଭକ୍ତ
ବହୁଧା ବିଭକ୍ତ
ଝିଅଟିଏ ଜନ୍ମହୁଏ ଗୃହଲକ୍ଷ୍ମୀ ହୋଇ କେତେ ଯେ ଆଦର
ଦୁହିତା ସେ ଦୁଇକୁଳ ହିତା ଘେନି ତା'ର ଆଚାର ସଂସ୍କାର ।
ବାପା ମା ଭାଇ ବଂଧୁ ସଭିଙ୍କର ନୟନର ମଣି
ଧିରେ ଧିରେ ବଡ ହୁଏ ବଦଳେ ତା ଦୃଷ୍ଟିଭଂଗି ଠାଣି ।
କୁମାରୀତ୍ୱ ପ୍ରାପ୍ତି ହେଲେ ବୀପରୀତ ଲିଂଗ ପ୍ରତି ହୁଏ ଆକର୍ଷିତ
ପ୍ରେମର ପହିଲି ପରଶ ସରମୀ ଲତାକୁ କରେ ଶତତ ବଂଚିତ ।
ସୀମାରେଖା ଡେଇଁଯିବା ଶତ ଚେଷ୍ଟା କରି ମଧ୍ୟ ନହୁଏ ସମ୍ଭବ
କୁଳର ମହତ ଟାଣେ ଯେ ଲକ୍ଷ୍ମଣ ରେଖା ଦୁର୍ବାର ଦୁର୍ଲଂଘ ।
ଯୌବନରେ ଆକର୍ଷଣ ହୁଏ ଦୁନିର୍ବାର ଦିଅଇ ଆହ୍ୱାନ
ତଥାପି ସରମୀ ଲତା ଲଜ୍ଜାକୁ କରଇ ତା'ର ମହାର୍ଗ ଭୁଷଣ ।
ଯୋଗ୍ୟ ବର ବରି ପିତା ବିଦାୟ କରନ୍ତି ତାକୁ ବସାଇ ସବାରି
ଅଲିଖିତ ନିୟମଟେ ଦୁତୀୟ ଡୋଲି ଉଠିବ ମଶାଣି ଆଦରି ।
କଣ୍ଢେଇଟିଏ ସେ କିଛି ସ୍ୱପ୍ନ କିଛି ଈଚ୍ଛା ନାହିଁ ଅଭିଳାଷ
ସୁତାରେ ବନ୍ଧା ସେ ସୁତା ହଲିବ ଯେପରି ମାନିବ ନିର୍ଦେଶ ।
ଝୁରି ହେବା ସାର ବାପ ମା ଭାଇ ବନ୍ଧୁ ପ୍ରିୟ ପରିଜନ
ଯୋଡିହେବ ସ୍ୱାମୀ ଶାଶୁ ଶ୍ୱଶୁରାଦି ସାଥେ ଦେଇ ପ୍ରାଣ ମନ ।
ଚନ୍ଦନ ପରି ବୋଳିବ ମଥାରେ ନିନ୍ଦା ଗାଳି ଝିଂଗାସ ବଚନ
'ଦୁହିତା ସେ ଦୁଇକୁଳ ହିତା' ଆପ୍ତ ବଚନକୁ କରିବ ପ୍ରମାଣ ।
ସୃଷ୍ଟିର ଆନେକ ଅମୃତ ହୁଏ ଯେବେ ସନ୍ତାନ ସମ୍ଭବା
ପ୍ରେମ ହୁଏ ବହୁଧା ବିଭକ୍ତ ଅପତ୍ୟକୁ ଦେଇଦିଏ ଅଧା ।
ପୁତ୍ରୀ ସେ ଭଗିନୀ କାର ଜାୟା କା'ର ଜନନୀ ମାନିନୀ
ଅଦଭୁତ ସ୍ରୁଷ୍ଟି ବିଧାତାର କୋମଳାଂଗୀ ସେ ମନ ମୋହିନୀ ା
-ବିଶ୍ୱେଶ୍ୱର ମାଝୀ-