ବାପା
ବାପା
ବାପାମାନେ କେବେ ଅଭିମାନ କରନ୍ତି ନି
କେବେ ରାଗକରନ୍ତି ନି
କେବେ ଅଭିଯୋଗ କରନ୍ତି ନି
କେବେ ମଧ୍ୟ ଅଭିଶାପ ଦିଅନ୍ତି ନି
କେବେ ହସିପାରନ୍ତି ନି
କେବେ କାନ୍ଦି ବି ପାରନ୍ତି ନି
କେବେ ମଧ୍ୟ ଦୁଃଖ କୁ ବାଣ୍ଟି ପାରନ୍ତି ନି
କେବେ ଅନ୍ୟ କୁ ଦୁଃଖ ଦେଇ ଜାଣନ୍ତି ନି
କେବେ ମଧ୍ୟ କାହାକୁ କନ୍ଦାଇପାରନ୍ତି ନି ।।
ବାପାମାନେ ରାଗ ଅଭିମାନ କୁ
ପିଇଯାଇପାରନ୍ତି ଆଂଜୁଳା ଆଂଜୁଳା
ସବୁ ଦୁଃଖ କଷ୍ଟ ର ଗରଳକୁ ଉଦରସ୍ଥ କରିପାରନ୍ତି
ହୋଇଯାଆନ୍ତି ନୀଳକଣ୍ଠ
ବିଷର ପିଆଲାରୁ ପୀୟୂଷ ଗୋଟାନ୍ତି
ମୁଣ୍ଡ ଉପରକୁ ନେଇଥାଆନ୍ତି ଦୁନିଆ ର ସବୁତକ ବୋଝ
ସବୁ ହସ ଖୁସି କୁ ଏକକାର କରିଦିଅନ୍ତି
ସବୁତକ ଲୁହ ଲହୁ କୁ ଲେପନ କରିଦିଅନ୍ତି ସର୍ବାଙ୍ଗେ
ଚନ୍ଦନ ସମ ମହ ମହ ବାସୁଥାଏ ପୃଥିବୀ
ବିନ୍ଦୁ ବିନ୍ଦୁ ସ୍ବେଦ ନିଗିଡି ପଡୁଥାଏ
ଡହ ଡହ ଖରା ରେ ଆଉଟୁ ପାଉଟୁ ହେଉଥାଏ ପ୍ରାଣଟିକକ ।।
ବାପାମାନେ ବାଣ୍ଟି ଦିଅନ୍ତି ମୁଠା ମୁଠା ହସ
ସରଗରୁ ଓହ୍ଲାଇ ଆଣନ୍ତି ପୂର୍ଣ୍ଣତା ର ଶଶୀ
ସାଉଁଟି ଆଣନ୍ତି ତାରାଫୁଲ କେତେ
ଅଜାଡି ଦିଅନ୍ତି ରିକ୍ତ ହାତ ପାପୁଲି ରେ
ସୁଖରେ ଦୁଃଖ ରେ ଛାଇହୋଇ ପାଖେ ଘୁରୁଥାନ୍ତି
ପିଠିରେ ବସେଇ ଆକାଶ ଦେଖାନ୍ତି
କୋଳରେ ବସେଇ ମଣିଷ କରାନ୍ତି
କାନେ କାନେ କହୁଥାନ୍ତି ଜୀଇଁବା ର କଥା
ଦେଖେଇ ଦିଅନ୍ତି ହାତଠାରି ଜୀବନର ରାସ୍ତା
ଅଙ୍କା ବଙ୍କା ବନ୍ଧୁର ପଥରେ କେତେ ଖାଲ ଢିପ
ଆଉ ସଶକ୍ତ ହେବାର ଯେତେ ଗାଣତିକ ସୂତ୍ର
ହାତଧରି ଶିଖେଇ ଦିଅନ୍ତି ଭଙ୍ଗା ସିଲଟରେ ।।
ବାପାମାନେ ଅବୁଝା ହୁଅନ୍ତି ନି କିମ୍ବା
ଅଝଟ ବି କରନ୍ତି ନି
ସବୁ ଅବୁଝା ପଣକୁ ,ସବୁ ଅଝଟ ପଣକୁ
ସାଇତି ରଖିଥାନ୍ତି ଅୟୁତ ଅୟୁତ ଦିନ ପର୍ଯ୍ୟନ୍ତ
ଜଉମୁଦ ଦେଇ କାଳେ କେଉଁ ଦିନ ମନେ ପଡିଯିବ ବୋଲି
ପାଦରୁ ଝରୁଥିବା ବୁନ୍ଦା ବୁନ୍ଦା ରକ୍ତକୁ ଝରିବାକୁ ଦିଅନ୍ତି
କ୍ଷତାକ୍ତ ଶରୀରକୁ ଚାହଁନ୍ତି ନି କେବେ
ବରଂ ପୁନଶ୍ଚ ଦୌଡ ପାଇଁ ପ୍ରସ୍ତୁତ କରୁଥାନ୍ତି ନିଜକୁ
ସମସ୍ତ ଙ୍କ ଅଜାଣତରେ ଖରା ରେ ଅବା ଛାଇରେ ।।
ଅନ୍ଧାର ରେ ରହି ଆଲୋକ ବାଣ୍ଟିବାର ଧର୍ମ କୁ ଆବୋରି ନେଇଥାଆନ୍ତି ବାପାମାନେ
କଣ୍ଟକିତ ରାସ୍ତା ରେ ଚାଲି ଚାଲି ଫୁଲ ବିଂଚିବାର
ବ୍ରତ ଗ୍ରହଣ କରିଥାଆନ୍ତି ବୋଧହୁଏ ବାପାମାନେ
ନିଜର ସମସ୍ତ ଅସ୍ତିତ୍ବକୁ ବଳିଦାନ ଦେବାର
ବଜ୍ର ଶପଥ ନେଇଥନ୍ତି ବାପାମାନେ
ହସଟିକେ ଦେଖିବାକୁ ନିଜ ସନ୍ତାନ ମୁହଁରେ
କାରଣ ସେ ବାପା , କେବଳ ବାପା
ବାପା ବିନା ଅନ୍ୟକିଛି ନୁହେଁ ତା ପରିଚୟ ।।
-----------------------
ଶରତ କୁମାର ଦାସ
ବଡବିଲ ମହାବିଦ୍ୟାଳୟ, ବଡବିଲ ।