କୋହ
କୋହ
-----
ଉଜାଗରେ ଅନ୍ଧାର ପଣତ ଉହାଡେ,
ନିର୍ଲିପ୍ତ, ନିର୍ବେଦ ଦୁଇଟି ଆଖି
ଅପେକ୍ଷାରେ ତାରା ଗଣୁଥିଲା
ସକଳ ପ୍ରତିବନ୍ଧତାକୁ ତୁଟେଇ
ବିଶ୍ବାସର ଇସ୍ତାହାରକୁ ପାଦେ ଆଡେଇ
ଯିଏ ଡେଇଁଗଲା ଏରୁଣ୍ଡି, ସେଆଉ ଫେରିବକି ?
ପଦେ କଥାରେ କଣ ଏମିତି ଥିଲା
ବର୍ଷ ବର୍ଷର ସ୍ତରୀଭୂତ ଶୀଳା ମାଟିରେ ମିଶି ମାଟି ହୋଇଗଲା
ତେବେ କାହା ପାଇଁ ସେ ରକ୍ତକୁ ପାଣି କରି
ଜୀବନର ବାଜି ଜିତୁଥିଲା,
ଅମୃତକୁ ଆଡ କରି ଜାଣି ଜାଣି ବିଷ ପିଉଥିଲା-
ଥିଲାକି -
ତା’ ଭିତରେ ମଣିଷରୁ ଦେବତା ହେବାର ମୋହ।
ଆତ୍ମୀୟର ଆଘାତ ଆତ୍ମାକୁ ଛୁଏଁ
ରୁଦ୍ଧ ହୁଏ କରୁଣା ନିର୍ଝର
ପାଲଟେ ସଂସାର ଅନାତ୍ମୀୟ ମୁଠାଏ ଅନ୍ଧାର,
ଜୀବନର ଯାବତ ସଂକଳ୍ପ
ପାହାଡି ଝରଣା ପରି କେଉଁ କୋଣେ ଅବଲୁପ୍ତ
ସାଥି ହୋଇ ନେଇଥିବା ଯେତେକ ନିଷ୍ପତ୍ତି
ପଥରର ଛାତିତଳେ ଅଙ୍କୁୁରିତ ବୀଜପତ୍ର ପରି
ଆଜି କେବଳ ପ୍ରଶ୍ନବାଚୀ ଭବିଷ୍ୟର ଆଉ ଜୀବନର ବି ।
ଶୁଣିବାକୁ କେହି ନାହିଁ ଉଜୁଡା ସଂସାର କାହାଣୀ
ପରିଚିତ ପୃଥିବୀ ଅଚିହ୍ନା ଲାଗୁଛି
ନିଜ ପାଇଁ ଭିନ୍ନ ଏକ ପରିଚୟ ତିଆରିବାକୁ
ତୟାର ହେଉଛି-
ତଥାପି ସକାଳ ସୂର୍ଯ୍ୟର ଗୋଲାପି ରଙ୍ଗ
ଦେହେ ମନେ ରଙ୍ଗ ବୋଳୁଛି ।
....
Email:litp.ranjan@gmail.com