ନାଁ ନଥିବା ଗାଁ
ନାଁ ନଥିବା ଗାଁ
ନଈ ଆର ପାରିରେ
ଜଙ୍ଗଲ ବୁକୁରେ
ଜଙ୍ଗଲକୁ ଆଉଜି ଧରି
ଆଁ' କରି ରହିଛି...
ନାଁ ନଥିବା ଗୋଟେ ଗାଁ ।
ଗାଁ'ରେ ହାତ ଗଣତି ପନ୍ଦର ଘର
ପ୍ରତିଟି ଘରେ କିଛି ଜୀବନ
ପ୍ରତିଟି ଜୀବନରେ କିଛି ସ୍ଵପ୍ନ
ପ୍ରତିଟି ସ୍ଵପ୍ନରେ କିଛି ଆକାଂକ୍ଷା
ଯେଉଁ ଆକାଂକ୍ଷା ପୂରଣରେ ମିଳିପାରେ ତୃପ୍ତି ।
ହେଲେ ତୃପ୍ତି ତ ସାତ ସପନ
ସ୍ଵପ୍ନ ହିଁ ତାଙ୍କ ଅମୂଲ୍ୟ ରତ୍ନ
ସେଥିପାଇଁ ସେମାନେ ସ୍ଵପ୍ନ ହିଁ ଦେଖନ୍ତି
ସ୍ଵପ୍ନରେ ହିଁ ଜୀଇଁଥାନ୍ତି...
ଶେଷରେ ସ୍ଵପ୍ନରେ ହିଁ ମରିଯାଆନ୍ତି ।
ଆମ ପରି କ୍ଷମତା ଓ ସମ୍ମାନ
ତାଙ୍କ ବୁଝା ପଣରୁ ଢେର୍ ବାହାରେ..
ସେମାନେ ସ୍ଵପ୍ନ ଦେଖିଥାନ୍ତି
କିଛିଟା ଆଲୋକ ପାଇଁ
କିଛିଟା ଖାଦ୍ୟ ପାଇଁ
ଯେଉଁ ଖାଦ୍ୟ ଯୋଗାଇ ପାରିବ ଶକ୍ତି
ଯାହା ବଳରେ ହାତ ପୋଛିପାରିବ
ନିଜ ଆଉ ନିଜର ଆଖି ଲୁହକୁ ।
ସେଇଠି ନା ଅଛି ବିଦ୍ୟାଳୟ
ନା ଅଛି ଡାକ୍ତରଖାନା
ନା ଅଛି କୌଣସି କୋଠା
ନା ଅଛି କିଛି ଟଙ୍କା କାରବାର..
ଗାଁ'ରେ ଗୋଟିଏ ମାତ୍ର ସଶକ୍ତ ଚାଲଘର
ରାତି ଅଧିଆ ଯେଉଁଠି ଶୁଭେ
ଢୁସ୍ ଢାସ୍ ଶବ୍ଦ...
ଯାହା' ପରେ ତରଙ୍ଗାୟିତ ହୋଇଥାଏ
ଏକ ବିକଳ କ୍ରନ୍ଦନ ଆଉ ଚିତ୍କାର...
ଯେଉଁ ଚିତ୍କାର ତରଳାଇ ଦେଇପାରେ
ଜଙ୍ଗଲ ଭିତରର ସୁପ୍ତ ମହାବଳ ବ୍ୟାଘ୍ରକୁ
ପରାକ୍ରମୀ ହସ୍ତୀକୁ , ଚଳଚଞ୍ଚଳ ଅହିରାଜକୁ
ପୁଣି ଗାଁ ଯାକର ଲୋକଙ୍କ ହୃଦୟକୁ ।
ସେଠାକାର ଲୋକ ଖୁବ ସରଳ ,
ଖୁବ ନିଷ୍କପଟ , ଖୁବ ବିଶ୍ଵାସୀ ଓ ଖୁବ ପରିଶ୍ରମୀ
ଦେହରୁ ରକ୍ତ ତକ ନିଗାଡ଼ି
ସେମାନଙ୍କୁ ଅନ୍ଧାର ଭିତରେ ହିଁ
ଖୋଜିବାକୁ ପଡେ
ନିଜ ଭିତର୍ ର ନିଜକୁ ।
( ସେଠାକାର ଲୋକ )
ପରିବେଶକୁ ଚାହିଁ
ନିଜେ ହିଁ ସାଜିପାରନ୍ତି ଅର୍ଜୁନ
ପୁଣି ନିଜେ ହିଁ ଶ୍ରୀକୃଷ୍ଣ
ତଥାପି ସୁଦର୍ଶନ ପ୍ରୟୋଗରେ
ନିଜତ୍ଵକୁ ହାଣିପାରନ୍ତି ନାହିଁ
ନିଜସ୍ଵ ସ୍ଵାର୍ଥରେ ।
ସ୍ପଞ୍ଜ ଭଳି ଚିପୁଡି ଚିପୁଡି
ବାହାର କରିପାରନ୍ତି
ନିଜେ ହିଁ ନିଜର କୋହକୁ ;
ତଥାପି ସ୍ଵାର୍ଥକୁ ସୁତୁଲି କରି
ଉଡେଇ ପାରନ୍ତି ନାହିଁ ତାକୁ
ଅଜଣା ଏକ ଛାତି ତଳ ମହାକାଶକୁ..।
ମାଟିଠୁ ସହନ ଶକ୍ତି ଧାର ନେଇ
ତରଳାଇପାରନ୍ତି
ମୁଣ୍ଡ ଉପର୍ ର ହିମାଳୟ ,
ତଥାପି ମୁଠାଏ ଅମ୍ଳଜାନ
ଆଉ ଆଞ୍ଜୁଳାଏ ଝରଣାକୁ ନେଇ
ନିର୍ଦ୍ଧାରିତ କରିପାରନ୍ତି ନାହିଁ
ନିଜେ ହିଁ ନିଜର କପାଳ ରେଖା ।
ବିଶ୍ଵାସ ବଳରେ ସେଇଠି ବି
ଅବିକଳ ଆମ ପୃଥିବୀ ପରି
ଆଡମ୍ବରରେ ପୂଜା ପାଇଥାଏ
ଭିନ୍ନ ଏକ ଈଶ୍ୱର- ଡୁମା ।
ମାଆ ଡାକିଲେ , ଓ..' କରେ
ବୁଆ ଡାକିଲେ , ଓ..' କରେ
ଦୁଃଖ ଜମା କଲେ , ସୁଖ ଦିଏ
ଲୁହ ସମର୍ପିଲେ , ହସ ଦିଏ
ରାତିଅଧିଆ ବନ୍ଧୁକ ଶୁଭିଲେ ,
ସାମ୍ନା କରିବା ପାଇଁ ଛାତିଦିଏ
ବେସାହାରା ଥିଲେ , ସାହାରା ହୁଏ
ବଞ୍ଚିବାର ରାହା ଦିଏ ।
ଭୋକ ବେଳେ
ଆହାର ସାଜିପାରେ
ହିଂସ୍ର ଜନ୍ତୁଙ୍କ ସାଥେ ଲଢିଲା ବେଳେ ,
ଅସ୍ତ୍ର ସାଜିପାରେ
ଜୀବନର ଶେଷ ତମ ଶୋଷ ବେଳେ
ଅମୃତ ସାଜିପାରେ
ଡୁମା ତାଂକ ପ୍ରତକ୍ଷ ଦେବୀ ।
ବଳି ଖାଇଲେ ବି ବଳ ଦିଏ
ଦୃଶ୍ୟମାନ ନହେଲେ ବି ଦମ୍ଭ ଦିଏ
ବାକ୍ ଶକ୍ତି ନଥିଲେ ବି ସାହସ ଦିଏ
କହେ ,ଏଇ ଆକାଶ ମୋର
ଏଇ ଜଙ୍ଗଲ ମୋର
ଏଇ ପାହାଡ଼ ମୋର
ତମେ ସବୁ ମୋର
ମୁଁ ତମମାନଙ୍କର;
ଆସ..ଆମେ ସମସ୍ତେ ମିଶି
ଜୀବନ ଖୋଜିବା
ଏମିତି ସେମିତି ଜୀବନ ନୁହଁ
ନଈ ଆରପାରିର ଜୀବନ...।