ତମେ ଆସିବ ବୋଲି - ୦୨
ତମେ ଆସିବ ବୋଲି - ୦୨
ତମେ ଆସିବ ବୋଲି
ଋତୁସବୁ ବଦଳି ଗଲାଣି
ବଦଳି ଗଲାଣି ଆକାଶର ଗତିପଥ
ସୂର୍ଯ୍ୟ,ଚନ୍ଦ୍ର, ଗ୍ରହ ଓ ନକ୍ଷତ୍ର
ବଦଳି ଗଲାଣି
ଗ୍ରୀଷ୍ମ-ବର୍ଷା-ବସନ୍ତର ଚକ୍ରାକାର ଗତି
ଅପସରି ଗଲାଣି କଳାମେଘ
ଧୂ ଧୂ ନିଛାଟିଆ ଖରାବେଳ
ଚାରିଆଡେ ଶୀତଳ ପବନ
ଟିପ୍ ଟିପ୍ ବର୍ଷାର
ରିମଝିମ୍ ସୁର
ଲାଗେଯାହା ପୃଥିବୀଟା
ଶ୍ରାବଣ ଶ୍ରାବଣ ।
ସୂର୍ଯ୍ୟସ୍ନାତ ଶିଶିର ବିନ୍ଦୁରେ
ଢଳ ଢଳ ତମ ରୂପର ଲାବଣ୍ୟ
ମହକୁଛି ଚଉଦିଗ ମହ ମହ
ଧୂପଝୁଣା/ ଅଗରୁଚଂଦନ
କାହିଁ ଏକ ଅଜଣା କୁଞ୍ଜବନ
ମୁରଲୀର ମଧୁର ସ୍ବନ
ମେଲିହୋଇଯାଏ
ପାର୍ବଣର ଅପୂର୍ବ ପଶରା
ଲାଗି ଯାଏ ରଙ୍ଗ
ମୋ ଜୀବନ ତନ୍ତ୍ରୀରେ
ଖୋଲିଯାଏ ଲମ୍ବା ରାସ୍ତା
ବଞ୍ଚିବାର,
ଇଚ୍ଛା ହୁଏ ଭିଜିବାକୁ
ଜହ୍ନର ଜ୍ୟୋସ୍ନାରେ
ଲାଗେ ଯାହା ପୃଥିବୀଟା
ଫଗୁଣ ଫଗୁଣ ।
ଟିକ୍ ଟିକ୍ ଗମ୍ଭୀର ଶବ୍ଦରେ
ସରିଯାଏ
ଦିନ-ମାସ-ବର୍ଷର
ଅଧାଲେଖା ଦସ୍ତାବିଜ୍
ସ୍ବପ୍ନିଳ ଆଖି ଦୁଇଟି ମୋ
ଲମ୍ବିଯାଏ
ଅନ୍ତରରୁ ଅନ୍ତରୀକ୍ଷ
ଅସୁମାରି ଆଶାଙ୍କର ଘୋଡାଦୌଡ
ମୋ ଅବରୁଦ୍ଧ ସାମ୍ରାଜ୍ୟରେ
ବିଷାଦର ବିଷଚକ୍ର,
ନିତି ନିତି ପରିବର୍ତ୍ତନ
ଜୀବନରଙ୍ଗର, ସ୍ବପ୍ନର
ଆଉ ସମ୍ପର୍କର ।