ସୁପ୍ତ ସ୍ଵାଭିମାନ
ସୁପ୍ତ ସ୍ଵାଭିମାନ
ଅନ୍ତର ଜଳୁଛି ହୃଦୟ କାନ୍ଦୁଛି
ଶୋଇଛି ଆମ ବିବେକ
ପାଣିରେ କୁମ୍ଭୀର ନାହିଁ ଜାଣି ବୀର
କଇଁଚ କାଢିଚି ବେକ ।
ସ୍ଵପ୍ନରେ ଭାସଇ କର୍ମଠୁ ଦୂରେଇ
ଆଜିର ସମାଜ ଦେଖ
ପାଇବା ଲୋଭରେ ସ୍ଵାଭିମାନ ମାରେ
ପରିଣାମ ଜାଣି ରଖ ।
କାହିଁ ସେଇ ଜାତି ହୋଇଛି କି ଇତି
ଇତିହାସ ଏବେ ସବୁ
ସ୍ଵାଭିମାନ ରକ୍ଷା ଥିଲା ଯା'ର ଦୀକ୍ଷା
ଲୋପ ପାଇଛି କି ଭବୁ ?
କାଞ୍ଚନ ସଦୃଶ ଆମରି ଏ ଦେଶ
ଯୁଗେ ଯୁଗେ ଲୋଭନୀୟ
ଆମର ସଂସ୍କୃତି ଆଦର୍ଶ ଓ ନୀତି
ହୋଇଛି ଆକର୍ଷଣୀୟ ।
ଟାଣି ହୋଇ ଆସି କେତେ ପରଦେଶୀ
ଜ୍ଞାନ ଆହରଣ କରି
ନିଜର ଜୀବନ ବଦଳାଇ ପୁଣ
ଜପୁଛନ୍ତି ହରି ହରି ।
ହେଲେ ଆମେ କାଇଁ ନିଜଠୁ ଦୂରେଇ
ଧାଇଁଚେ କେଉଁ ଦିଗରେ
ଦିଗହରା ହୋଇ ନିଜକୁ ହରେଇ
ଫସୁଚେ ଭ୍ରମ ଜାଲରେ ।
ସୁପ୍ତ ସ୍ଵାଭିମାନ କରି ଜାଗରଣ
ପାଇବା ନିଜକୁ ଏବେ
ମହାନ ସଂସ୍କୃତି ସ୍ନେହ-ଶ୍ରଦ୍ଧା-ପ୍ରୀତି
ଧ୍ବଜା ଉଡାଇବା ଭବେ ।
ଖାଇ ତେବେ ରାଣ କରିବା ଯେ ପ୍ରଣ
ରଖିବା ଜାତିର ମାନ
ଲୋଭ ମରୀଚିକା ନ ପାଇବା ଧୋକା
ଉଠୁ ସୁପ୍ତ ସ୍ଵାଭିମାନ ।।
..... ପଦ୍ମାଳୟା ମିଶ୍ର