ଛାଇ
ଛାଇ
1 min
547
ଦିନେ ସମସ୍ତେ ଚାଲିଯାଆନ୍ତି ଦୂରକୁ
ଏନ୍ତୁଡି ପାଉଁଶ ର ଭାଗ୍ଯ
ଦିକ୍ ଦିକ୍ ଜଳୁଥିବା ଠାକୁର ଘର ଦୀପ
ଠଣା ରେ ସାଇତା ନିଶ୍ଚୁପ ମନ
ଆଉ କିଟି ମିଟି କରି ଜାବୁଡି ଧରିଥିବା
ପାପୁଲିଏ ଆଲୁଅ...
ଏମିତି ବି ଉଡିଯାଆନ୍ତି
ଧାନ ବିଲ ରୁ ଗେଣ୍ଡାଳିଆ ପରି
ବେକମୂଳେ ବୋକ ଟେ ଦଉ ଦଉ ଯୌବନ,
ପାହାନ୍ତି ତାରା ପରି ଉଭାନ୍
ଚକ୍ ଚକ୍ ଆଖିର ରଙ୍ଗ
ସମୁଦ୍ରେ ବାଲି ରୁ ସାଉଁଟି ଆଣିଥିବା
ସବୁ ଶ୍ରଦ୍ଧେୟ ପାଦଚିହ୍ନ
ଆହୁରି ବି ବାହୁଡି ଯାଆନ୍ତି
ବିମ୍ବିତ ଜହ୍ନ ର ଶୁଭ୍ରାଂଶ
ନୀଳ କଇଁ ର ନିଃସର୍ତ୍ତ ଅନୁରାଗ
ଚାଖଣ୍ଡେ ମାଟି ଆଉ ଚେନାଏ ଆକାଶ
ଅଥଚ....
କେହିଜଣେ ଥାଏ ପାଖାପାଖି ମୋର
ଛପା ଅନ୍ଧାର ଟିଏ ହୋଇ
ସଂପର୍କ ଟେ ମୁହଁ ଫେରାଇ ନେବା ଆଗରୁ
ଧରିନିଏ ମୋ ହାତ
ଟଳ ମଳ ମାଟି ରେ ଥର ଥର ପାଦ କୁ
ଦିଏ ଭରସା ର ସ୍ପର୍ଶ
ମୁଁ ତାକୁ ଅନୁଭବ କରେ
ବର୍ଷା ର ତରଳ ତନ୍ମୟତା ରେ
ଶରତ ର ଶ୍ଯାମଳ ସୃଜନ ରେ
ଅବା ପାପ ପୂଣ୍ୟ ର ଚିତ୍ରିତ ଚିତ୍ରପଟ୍ଟ ରେ
ମହୁମାଛି ର ଗୁଞନ ପରି
ସେ ମୋତେ ଚିହ୍ନେଇ ଦେଉଥାଏ
ସତ, ମିଛ, ଭୋଗ୍ଯ, ଭାଗ୍ଯ ର ଜଟିଳ ଭଗ୍ନାଂଶ
ସେ ସଂଚରି ଯାଉଥାଏ ମୋ ସ୍ନାୟୁ ରେ, ଚେତନା ରେ
ଯାତନା ରେ ଜଳି ଦଗ୍ଧ ହୋଇ ସାରିଥିବା ମୋ ପାଉଁଶ ପିଣ୍ଡ ରେ
ସେ ଖୁବ୍ ସତର୍କ ରେ ଖୋଲିଦେଉଥାଏ କବାଟ
ଆୟୁଷ୍ମାନ ସ୍ବପ୍ନ ସବୁ ଓହ୍ଲାଇ ଆସନ୍ତି ସନ୍ତର୍ପଣରେ
ସଂଖ୍ୟାଲଘୁ ସୁଖ ମାନେ ଜୀଇଁ ଉଠନ୍ତି
କାହାର କାଉଁରୀ ସ୍ପର୍ଶ ରେ
ମୋ ପାପୁଲି ଏବେ ଓଜନିଆ
ଆଞୁଳାଏ ସଜ ଫୁଲ ର ବାସ୍ନା ରେ....
ଗାୟତ୍ରୀ ଦାସ
ଅନୁଗୁଳ