ଶୀତରେ କମଳ ମିତ
ଶୀତରେ କମଳ ମିତ
ଶୀତରେ କମଳ ମିତ
ଶୀତ, କମଳ, ମିତ
ଶୀତ ଆସିଲେ ତୁ ଆସୁ,
କିନ୍ତୁ, ତୁ ଆସିଲେ
ଶୀତ ଆସେ ନାହିଁ।
ତୁ ଆଉ ଶୀତ
ଶୀତ ଆଉ ତୁ ,
ତୁ ନ ଥିଲେ ଶୀତର ମଜା ନାହିଁ ,
ଶୀତ ରାତିଟା ବେକାର ହୋଇଯାଏ,
ଖାସ୍ ,ତୋ ପାଇଁ ଶୀତ
ଶ୍ୱେତବସ୍ତ୍ରରେ ସଜେଇ ହୋଇଆସେ।
ସବୁଠାରୁ ଅଧିକ ମଜା ଲାଗେ
ତୁମ ଦୁହିଁଙ୍କ ସାଥିରେ ମୋ ପାଖେ
ଥିଲେ ମୋ ମିତ ...
ତୁମଠାରୁ ସେ ମୋର
ବେଶୀ ଆପଣାର ।
ଆପଣା ଠାରୁ ବି ବେଶୀ ଆପଣାର।
ତୁ ,ଶୀତ,
ଆଉ ମୋ ମିତ।
ତୁମେ ମାନେ ହିଁ ତ ମୋ ବାଲ୍ୟସାଥି।
ତୁମ ବିନା ମୋ କାହାଣୀ ଅଧା ।
ଆରେ ତୁ ଆଉ କେହି ନୁହେଁ,
ତୁ କିଏ ଜାଣୁ?
ତୁ ପରା ମୋ ସୁନ୍ଦର, ନରମ
ମୁଲାୟମ କମଳ ।
ତୋ ଗରମ ପରଶ
ଶୀତର ଅଭୁଲା ସ୍ପର୍ଶ
ଆଉ ମିତର ମନ ଭୁଲାଣିଆ
ନରମ କଥା।
ସବୁକିଛି ସବୁ ନୂଆ ନୂଆ ଲାଗେ।
ଶୀତର ଆଗମନେ ଦେହ
ରୋମାଞ୍ଚିତ ହୋଇଯାଏ,
ଆଜି ଶୀତ ଆସିଛି ...
ବାହାରେ ,
ଭିତରେ,
ରାସ୍ତାରେ,
ମୋ ଗେଣ୍ଡୁ ବଗିଚାରେ,
ଚାଷୀଭାଇର ଶସ୍ୟ କ୍ଷେତରେ।
ତୋ ପାଖରେ
ଆଉ ମୋ ମିତ ପାଖରେ।
ହେଲେ ମୋଦେହରେ ଅସହ୍ୟ ଗରମ
କାରଣ?
ଆଜି ମୋ ପାଖରେ ସମସ୍ତେ ଅଛନ୍ତି,
ହେଲେ ଜଣେ ନାହିଁ ...
ନାହିଁ ମୋ ପାଖରେ ଆଜି
ମୋ ମିତ।
ଯିଏ ମୋର ଏକାନ୍ତ ନିଜର
ଯାହାକୁ କାହା ସହ ଭାଗ କରିବାକୁ
ମୁଁ ଚାହିଁ ନ ଥିଲି।
ଭାଗ୍ୟର ବିଡ଼ମ୍ବନା,
ସେ ମୋ ପାଖରେ ନାହିଁ।
ନାହିଁ ମୋ ପାଖରେ ମୋ ମିତ,
ଦେହରେ ପ୍ରବଳ ଉତ୍ତପ୍ତ,
ଅନୁଭବ କରି ପାରେନା ଶୀତ,
ସତରେ ଆଜି ମୁଁ ଅନୁତପ୍ତ।
ସବୁ ପାଇବା ଭିତରେ
ନ ପାଇବାର କ୍ଷତ,
ତଥାପି...
ତୁ ଥାଉ
ଥାଏ ଶୀତ।
ଓଃ ନ ଥାଏ ମୋ ମିତ।
ଅଭୁଲା ସେ ଅତୀତ,
ମନେ ପଡିଗଲେ ହୁଏ ମୁଁ କ୍ଷତାକ୍ତ।
କାରଣ?
ଏ ଶୀତରେ ହିଁ ତା ସହ ମୋ ମିତ।
ମୋ ପାଇଁ ସେ ଗାଏ
ମନ ଫୁଲାଣିଆ ଗୀତ ।
ହେଲେ..............
ସେ ଧରିବା ଆଗରୁ ମୋ ପଣତ,
ହୋଇଗଲା ମୋପାଇଁ ସମ୍ପୂର୍ଣ୍ଣ ଅତୀତ
ସେ ଆଉ କେହି ନୁହେଁ,
ମୋ ମିତ,
ଆଜି ମୋ ପାଖରେ ତୁ ଅଛୁ
ଅଛି ଶୀତ,
ହେଲେ ନାହିଁ ମୋ ମିତ
ହୋଇଯାଇଛି ମୋ ପାଇଁ ଅତୀତ ।
ପ୍ରଣତି ମହାପାତ୍ର।