ଅପୂରଣୀୟ ତବ ଶୂନ୍ୟସ୍ଥାନ
ଅପୂରଣୀୟ ତବ ଶୂନ୍ୟସ୍ଥାନ
ତୁମେ ଗଲାପରେ ଜୀବନ ରାସ୍ତାରେ
ଝୁଂଟୁଛି ମୁଁ ପ୍ରତିଦିନ
ପ୍ରତୀକ୍ଷଣେ ତୁମ ଉପସ୍ଥିତି ବିନା
ଜୀବନଟା ମୂଲ୍ୟହୀନ ।।(1)
ଅମଡା ବାଟର ବାଟୋଇ ସାଜିଣ
ତୁମେ ଚାଲିଗଲ ସିନା
ଜୀବନର ଏଇ ଚଳା ପଥେ ମୁଁ ଯେ
ଅନୁଭଵଇ ଶ୍ରୀହୀନ ।।(2)
ଅଥଳ ସାଗର ସମ ଏ ଜୀବନ
ଥଲକୁଳ ପାଉ ନାହିଁ
ଅଧା ବାଟେ କାହିଁ ଛାଡି ଚାଲିଗଲ
ଏ ମନ ବି ବୁଝୁ ନାହିଁ ।।(3)
ସମୟ ସ୍ରୋତରେ ସବୁ ବହିଯିବ
ସର୍ବେ ଦିନେ ଯିବେ ମରି
ଏକଥା ଜାଣି ବି ତବ ଶୂନ୍ୟ ସ୍ଥାନ
ପାରୁନି ଗ୍ରହଣ କରି ।।(4)
ନିର୍ଜନତା ଭରା ଶୂନ୍ୟ ମୁହୂର୍ତ୍ତରେ
ତୁମ କଥା ଭାଳେ ନୀତି
ଅବିସ୍ମୃତ ସେହି ସ୍ୱର୍ଣ୍ଣିମ ଅତୀତେ
ଖୋଜେ ତୁମ ସ୍ନେହ ପ୍ରୀତି।।(5)
ତବ ଶୁଭକୃପା ବୁହାଇ ଦିଅ ମା
ମୋର ବନ୍ଧୁର ଜୀବନେ
ବଞ୍ଚିପାରିବିନି ଏ ଜୀବନେ ମା ଗୋ
ତୁମ ସେ କୃପା ବିହୁନେ ।।(6)
ଅଦ୍ୟ ପୁଣ୍ୟ ତିଥି ତବ ଜନ୍ମଦିନେ
କରେ ଏତିକି ମନନ
ତବ କୃପା ବଳେ ଜିଉଁଥିବି କାଳ
ବିଭୁ ପଦେ ନିବେଦନ ।।(7)