ପୁରୁଷୋତ୍ତମ ଦେବ(23)
ପୁରୁଷୋତ୍ତମ ଦେବ(23)
ପୁରୁଷୋତ୍ତମ ଦେବ(23)
ଐତିହାସିକ କାବ୍ୟଂଶ
------------------------------
ମାଣିକ କହିଲା "ପସରାରେ ମୋର
ପୁରି ରହିଛି ଗୋରସ,
ବସାଦହି ମୋର ଗାମୁଛାରେ ବାନ୍ଧି
ନେଇହବ ସାତକୋଶ।
ଦଶକୋଶ ଡାକ 'ମାଣିକ ଲହୁଣୀ, ଘିଅ
ଦହିପାଣି,ଖିର '
ଗୋପ ଯଶୋଦାଙ୍କ ହାତଦହି ଠାରୁ
ମୋଦହି ଆହୁରି ସାର।
ଦହିପାଣିରେ ମୁଁ ଅଳ୍ପ ନୁଣଦେଇ
ଭାଙ୍ଗିଚି ଟଭାପତର,
କଉଡି ଗଣିଦେ,ଦହିପାଣି ପିଇ-
ଯାଆ ଯେତେ ଇଚ୍ଛା ତୋର।
ଯଶୋଦାଙ୍କ ନାଁ ଶୁଣି କଳାକାହ୍ନୁ
ଆଖିରେ ଆସିଲା ଲୁହ,
କହିଲେ " ଜନନୀଯଶୋଦା ତୁ ମୋର,
ମୁଁ ତୋର ଗେହ୍ଲା ପୁଅ।
ଯେତେ ଦୁଧ,ଦହି,ଲହୁଣୀ ରଖିଚୁ
ପସରାରେ ତୋର ଭରି,
ସବୁ ଖୁଆଇଦେ ପୁଅକୁ ତୋର ମା
ଭୋକ ,ଶୋଷ ଯାଉ ମରି।
ଯୁଗସରି ଦହି ଦୁଧ ଖାଇନି ମୁଁ
ମା'ଠାରୁ , ଦୂରେ ରହି,
ମନବୋଧ କରି ପୁଅକୁ ତୋ'ର
ଖାଇବାକୁ ଦେ ମାୟୀ।"
ଜଗନ୍ନାଥଙ୍କର ଆତୁରତା ଦେଖି
ହସିଦେଲେ ବଳରାମ,
କହିଲେ " ହରିଆ,ବଡ ଆତୁରିଆ
ନନ୍ଦଗାଆଁ କାହ୍ନୁ ସମ।"
ଜଗନ୍ନାଥଙ୍କର ମାଆ ଡାକ ଶୁଣି
ମାଣିକ ଆଖିରେ ଲୁହ,
ପସରାକୁ ଥୋଇ କହିଲା "ଯେତେ ତୁ
ଖାଉଚୁ ଖାଆରେ ପୁଅ।
ରଙ୍କପରି ହୋଇ ବସି ଦୁଇଭାଇ
ପସରା କରିଲେ ଶେଷ,
ମାଣିକ ପଣନ୍ତ କାନିଭିଡି, ମୁହଁ-
ପୋଛିହେଲେ ହୃଷିକେଶ ।
ଦହି ଖାଇସାରି କହିଲେ ଜଗତ-
ସାଇଁ ,"ଶୁଣଲୋ ଜନନୀ,
କଉଡି ଅଣ୍ଟାରେ ନାହିଁ, ଦେବାପାଇଁ
ଦୁଧ,ଦହି ମୂଲ ଗଣି।"
ମାଣିକ ବୋଇଲା "ଆଲୋ ,ମଲା ମଲା
କହନା ବାପା ଏପରି,
କଉଡି ନଦେଲେ କ'ଣ କରିବି
ଘର ଚଳିବ କିପରି ?
ପାଞ୍ଚ ପ୍ରାଣୀ ମୋର କୁଟୁମ୍ବ ମୁହଁରେ
ଦାନା ପଡିବ କିପରି ?
ବଡ ଦୁଃଖୀ ଗଉଡୁଣୀଟିଏ ବାପା,
ଏଇ ମାଆଟି ତୋହରି ।"
ତହୁଁ ରତ୍ନମୁଦି କାଢି ଜଗନ୍ନାଥ
ଦେଲେ ମାଣିକ ହାତରେ,
ମାଣିକ କହିଲା"ମହରଗୁଁ ନେଇ
ପକାଅ କିଆଁ କାନ୍ତାରେ ?
ସୁନାମୁଦି ମୋର ତେତିଶି ପୁରୁଷ
କେହି କେବେ ଦେଖିନାହିଁ,
ଦେଖିଲେ ଗାଁରେ ଚୋରଣୀଟା କହି,
ଅହ୍ନବ ଦେବେ କୁଢେଇ।
ଗେରସ୍ତ କହିବ "କାହା ଘରେ ପଶି
କରିଛୁ କି' କାମ ସତେ !
ନହେଲେ କିଏ ବା ଦହି ପସରାକୁ
ସୁନାମୁଦୀ ଦବ ତତେ?"
ବିଧବା ନଣନ୍ଦ ଅଟେ ବଡ ମନ୍ଦ
ଚେଙ୍ଗିଦବ ନିଆଁଖୁଣ୍ଟା,
ଘରୁ ତଡିଦେବେ ତଣ୍ଟିଆଣି ଦେଇ
ଅଣ୍ଟାରେ ମାରି ଗୋଇଠା।
ଜାଣିନୁ କି ବାପା,ଲକ୍ଷ୍ମୀ ଠାକୁରାଣୀ
ଚଣ୍ଡାଳ ଘରକୁ ଯାଇ,
ଭୋଗ ଖାଇଥିଲେ,କେତେସରି କଲେ
ଜଗା,ବଳିଆ ଦି'ଭାଇ ।
ଲକ୍ଷ୍ମୀ ବୋଲି ସିନା ପାରକରିଦେଲେ
ସେ 'ବାରବୁଲୀ' ଦୁର୍ନାମ,
ଛାର ଗୋପାଳୁଣୀ ହୋଇ କି କରିବି
ହେଲେ ମୋର ବଦନାମ ?"
ଶୁଣିଣ ଏମନ୍ତ ପ୍ରଭୁ ଜଗନ୍ନାଥ
ଚାହିଁଲେ ବଳରାମଙ୍କୁ,
ହସାହସି ହୋଇ ଦୁଇ ଭାଇ ପୁଣି
ବୁଝାଇଲେ ମାଣିକକୁ।
କହିଲେ " ମାଆଲୋ ! ପାଖରେ ଆମର
କଉଡି କଡାଏ ନାହିଁ,
ଆଉ ଦି'ଘଡିକି ଆମ ଗଜପତି
ପହଞ୍ଚିବେ ସୈନ୍ୟ ନେଇ।
ଏହି ସୁନାମୁଦି ତାଙ୍କୁ ଦେଖାଇଲେ
ଦେବେ ସେ ଦହିର ମୂଲ,
କଉଡି ପାଇଁ ତୁ ଚିନ୍ତା କରନାହିଁ
ପାଇବୁ ପାଉଣା ଭଲ।
କି'ଭାବି ମାଣିକ ମୁଦ୍ରିକା ଗୋଟିକ-
ରଖି ସନମତ ହେଲା,
ଥକାମାରିସାରି ଦୁଇ ଠାକୁରଙ୍କ
ବିଜୟଯାତ୍ରା ବଢିଲା।
ଚାହିଁଛି ମାଣିକ ଅଶ୍ୱ ଝପଟାଇ
ଦୁହେଁ ହେଲେ ଅନ୍ତର୍ଦ୍ଧାନ,
ରତ୍ନମୁଦିସ୍ପର୍ଶେ ମାଣିକର ମନ
ଅପୂର୍ବ ଉଲ୍ଲାସେ ପୂର୍ଣ୍ଣ ।
କ୍ରମଶଃ- -----