ମା’ ଦୁର୍ଗତିନାଶିନୀ
ମା’ ଦୁର୍ଗତିନାଶିନୀ
ଶରତ ଋତୁର କାଶତଣ୍ଡୀ ଫୁଲ, ଦେଇଗଲା ନିମନ୍ତ୍ରଣ
ଧରାକୁ ଓହ୍ଲେଇ ଦଶଭୁଜା ମାଆ, ହରିବେ ଦୁଃଖ କଷଣ ।
ଦଶ ଯନ୍ତ୍ରଣାକୁ ହରିଥାନ୍ତି ବୋଲି, ନାମ ତାଙ୍କ ଦଶଭୁଜା
ଚିନ୍ତା ଚେତନାର ଶାନ୍ତି ପାଇଁ କି, କରାଯାଏ ତାଙ୍କ ପୂଜା ।
ମହିଷାସୁରର ପ୍ରତାପରୁ ରକ୍ଷା କରିବାକୁ ଦେବକୁଳ
ହେଲୁ ଆବିର୍ଭାବ, ବିଷ୍ଣୁ ଆଶୀର୍ବାଦୁ, ଛାତି ଚିରି ଅନଳର ।
ଦୁର୍ଗତି ନାଶିନୀ ବୋଲି ତୁ ବିଖ୍ୟାତ ଭକ୍ତ ଗହଣରେ ତୋର
ହରିଛୁ କିନ୍ତୁ କା’ ଦୁଃଖ କି ଦୁର୍ଗତି, କହିଲୁ ଗୋଟାଏ ଥର !
ତୋ’ ପୁତ୍ର ସନ୍ତାନ ହାତେ ଜର୍ଜରିତ, କେତେ ଆଜିକାର ନାରୀ
ବର୍ଷକୁ ଥରଟେ ଆସିଲେ କେମିତି, ବୁଝିବୁ ଦୁଃଖ ତାହାରି ?
ସୁନ୍ଦର ଧରାକୁ ସର୍ଜିବା ପାଇଁ କି ଗଢିଲୁ କାୟାକୁ ତା’ର
ହେଲେ ଭରିଦେଲୁ ପୁରୁଷ ମନରେ ଯେତେକ ବିଷ ଜହର ।
ତୋ’ ଆଖି ଆଗରେ ଲୁଣ୍ଠିତ ହେଉଛି ଦିନ ଦ୍ବିପହରେ ନାରୀ
ମାତୃ ଗର୍ଭ ଆଉ ଅଛି କି ତା’ ପାଇଁ, ସୁରକ୍ଷା କବଚ ଧରି !
ଲିଙ୍ଗ ଭେଦ ପାଇଁ, କମି କମି ଯାଏ ମହିମଣ୍ଡଳେ ତା’ ସଂଖ୍ୟା
ମାତୃଶକ୍ତି ପୂଜା ଚାଲେ ଆଡମ୍ବରେ, ମାଆକୁ ମାରି ଗୋଇଠା !
ଘରେ କି ବାହାରେ, ନିଶ୍ଚିନ୍ତେ ବୁଲିବା, ତା’ ପାଇଁ ନୁହେଁ ସମ୍ଭବ
ଏମିତି ଚାଲିଲେ ଦିନ କେଇଟାରେ ସବୁ ତ ଉଭାନ ହେବ !
ଯୌତୁକ ବେଦୀରେ ଜଳୁଛି ସେ ନିତି ମୁଠାଏ ଧନର ପାଇଁ
ପାଠ ଶାଠ ପଢି, ଚାକିରି କରି ବି, ନିଷ୍କୃତି ପାଅଇ ନାହିଁ ।
ପୋଷଣ ବିହୀନ ଖାଦ୍ୟ ଖାଇ ସିଏ ହେଉଛି ରୋଗେ ଆକ୍ରାନ୍ତ
ଯାହା ଲାଗି ବଢେ ବଂଶ ମଣିଷର, ଦୁଃଖେ ସିଏ ଭାରାକ୍ରାନ୍ତ !
ଆସୁଛୁ ଧରାକୁ ଓହ୍ଲେଇ ଯେବେ ତୁ, ଦେଖିବୁ ଆଖିରେ ସବୁ
ତା’ପରେ ଦେଖିବି, ନିଜ ନାଁକୁ ତୁ ସାର୍ଥକ କେତେ କରିବୁ !!