ଜହ୍ନି ଫୁଲ
ଜହ୍ନି ଫୁଲ
ହୃଦୟ କୁ ମୁଠେ ଜହ୍ନି ଫୁଲ କରି ଦେଇ
ତୋଳି ଦେଲି ସଜଫୁଟା ସଞପହରରେ
ଚଉହଦୀ ଭରିଗଲା ଅପୂର୍ବ ବାସ୍ନାରେ
କ୍ରମଶଃ ବଢ଼ିଲା ରାତି
ସରି ସରି ଗଲା ଜହ୍ନି ଫୁଲର ଆୟୂଷ
ଉଜ୍ଜ୍ବଳ ବର୍ଣ୍ଣ ରେ ଭରି କ୍ରମେ ମଳିନତା
ଅବଶେଷେ ଆଦରିଲା ପରିତ୍ୟକ୍ତ ବେଶ
ରାତି ଯେ ଜାଣିଛି ସବୁ
ଗୋଟିଏ ରାତି ଠିକଣା ନେଇ
ହସେ ଏଠି ଜହ୍ନି ଫୁଲ
ସୁବାସରେ ପୂର୍ଣ୍ଣ କରିଦେଇ
ତଥାପି ପାଗଳ ମନ ଜହ୍ନି ଫୁଲ ପାଇଁ
କୁଆଁର ପୁନେଇଜହ୍ନ ସହ ନୀଳକଇଁ
ଏଇମିତି ବିହ୍ୱଳିତ ହୃଦୟ ମୋ
ମୁଠେ ଜହ୍ନି ଫୁଲ ରଙ୍ଗ ମାଖି
ଉଡିବୁଲେ ମଧୁପର ମୁଗଧ ମନ ନେଇ
ରଙ୍ଗ ଖୋଜି ,ରସ ଖୋଜି , ହୃଦୟ ଟେ ଖୋଜି
ସଚରାଚରରେ ଖାଲି ପ୍ରୀତିଭରା ହୃଦୟ ଟେ ପାଇଁ
କାହିଁ ଏଠି ମଣିଷ ? ହୃଦୟ ?
ଆଉ ମଣିଷ ପଣିଆର ସେ ଅମୃତ ଆସର
କାହିଁ ଅବା ସ୍ୱପ୍ନାୟିତ ଗଭୀର ଆବେଗଭରା
ମଉଳି ଯିବାର ସେହି ପବିତ୍ର ପ୍ରହର