ମନ ଯେବେ ଚାହେଁ
ମନ ଯେବେ ଚାହେଁ
ମନ ଯେବେ ଚାହେଁ
ଆଭାକାନ୍ତ ମହାନ୍ତି
ମନ ଯେବେ ଚାହେଁ ତୁମରି ସାନ୍ନିଧ୍ୟ
ତୁମେ ରୁହ ପର ପର,
ମନ ଯେବେ ଚାହେଁ ତୁମରି ଉତ୍ସାହ
ତୁମେ କୁହ - ଘର ଘର । ୦ ।
ଏଇ ତ ଲାଗୁଛି କାଲି ସଜନୀରେ
ସମ୍ପରକ ଥିଲା ସପନଭିଜା,
ଦରିଆ ବାଲିର ଶିଥିଳ ପରଶେ
ତୁମେ ଥିଲ ରାଣୀ, ମୁଁ ଥିଲି ରାଜା,
ସେ ଦରିଆ, ସେଇ ଜହ୍ନ ଆଉ ମନ
କିଆଁ ମାୟା ଜରଜର ? । ୧ ।
ସଂସାରଟି ଥିଲା, ସଂସାର ରହିଛି
ସଂସାର ଗୋ ରହିଥିବ କାଲିକି,
ଆଉ କି ଫେରିବ ସମୟର ସୁଅ
ଆମକୁ ଛୁଇଁ ସେ ଗଲେ କାଲିକି,
କାଲି ତ ନ ଥିଲେ, ଆଜି ଅଛେଁ, କାଲି
ପାଇଁ କିଆଁ ତରତର ? । ୨ ।
ସମୟଟା ସିନା ଶରୀର ଖାଏ ଗୋ
ମନଟି ଅମରମତ୍ତା ସଦାଟି,
ନ ବୁଝିଲେ ଏଇ ଅଳିକ ଜୀବନ
ସାଜଇ ଅଚିରେ ଦୁଃଖପ୍ରଦାଟି,
ଜୀବନର ଶେଷ ବତିଖୁଣ୍ଟ ପାଶ
ଆସେ ବୋଲି ତରତର । ୩ ।
ନୂଆସାହି, ବିଡ଼ାନାସୀ
କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****