ମୋ କଲମ
ମୋ କଲମ
ପାଠକ ବୁକୁର କ୍ଷତେ,
ଏହି ମୋ କଲମ ଭରିଛି ମଲମ,
ଆଶୁ ଉପଶମେ ସତେ ,
ନିଜେ ମୁଁ ସହିଛି ବୋଲି
ଅନ୍ତର ଯାକର ବେଦନା ତାଙ୍କର,
ହରିନିଏ ମନ ଖୋଲି ।
ଶୀତଳ ଚନ୍ଦନ ଭରି,
ଶବଦ ରତନେ ସଜାଏ ଯତନେ,
ନବ କଳେବର କରି ,
ଶବଦର ଶାଳଗ୍ରାମ,
ପୂଜି ନିଜ ଘରେ ଆଭୂଷଣ କରେ,
ଜପି ମୁଁ କବିତା ନାମ ।
କରେ ଆବାହନ ନିତି,
ଭାବ ରୂପେ ଝରି ଆସେ ଅବତରି,
ଗୀତେ ମନ ନିଏ ଜିତି ,
ଅନଳୁ ଉତୁରି ଆସି,
ଶବଦ କି ଆଉ ହୁଏ ଦାଉଦାଉ,
ଜଗତ ଯାତନା ନାଶି ।
ମାନସେ ରଚାଏ ସୁର,
ଲାଳିତ୍ୟ କି ସତେ ବୋଧ ହେବା ମତେ
ଝରିଯାଏ ଭରପୂର,
ଭାବରେ ଭାବନା ଲେଖି,
ଅନୁପମ ଧାର ମୋ କଲମ ଗାର,
ପାରିଲିଣି ଏବେ ଦେଖି ।
ଶାରଦା କରୁଣା କର,
ବିରାଜ ଗୋ ସୁଖେ ଶବଦଙ୍କ ମୁଖେ,
ଶୁକ୍ଳ ବର୍ଣ୍ଣେ ଫରଫର,
ବିଘନ କନ୍ଦରେ ତୁମେ,
ତୁମ୍ଭ କୃପା ଭାଳି ଆଖି ଲୁହ ଢାଳି,
ଶରଣେ ପୟର ଚୁମେ ।
ଲେଖନୀ ମୋ ବୀଣାପାଣି,
ଭାବ ନବରସେ ହୃଦରୁ ବରଷେ,
ପାରିଲିଣି ସବୁ ଜାଣି,
ମହିମା ତା' ଅନବଦ୍ୟ,
ସମାଜର ହିତେ ଲେଖେ କେହୁ ଗୀତେ,
କେ ଅବା ରଚଇ ଗଦ୍ୟ ।
ସୁଦୟା କଲେ ନିରତ,
ଭାବରେ ମୋହରି ସୁରଞ୍ଜନ କରି,
ଲେଖୁଥିବି ଅବିରତ,
କଲମ ସ୍ୟାହିରେ ବସ,
ଗୁଣୁଗୁଣୁ ହୋଇ କାନେ ଓଠ ଥୋଇ,
ଭରି ଯାଅ ଭାବ ରସ ।
ପ୍ରସନ୍ନ କୁମାର ମାଦଳା