ପ୍ରେମ
ପ୍ରେମ
ପ୍ରେମ ଏମିତି ଏକ ଶବ୍ଦ
ସୃଷ୍ଟି କରିବାକୁ ସକ୍ଷମ ହୁଏ
କେଦାର ଗୌରୀଙ୍କ ଜୀବନ୍ତ ଉପନ୍ୟାସ ।
ପ୍ରେମ ଏମିତି ଏକ ପରିଭାଷା
ଯେତେ ଅସ୍ପଷ୍ଟ ହେଲେ ବି
ପଢି ହୋଇଯାଏ ତା’ର ପ୍ରତିଟି ସ୍ପନ୍ଦନ ।
ପ୍ରେମ ଏମିତି ଏକ ଅନୁଭବ
ଖେଳିଯାଏ ବସନ୍ତର ମୃଦୁ ଶିହରଣ
ସମଗ୍ର ଶରୀରରେ ।
ପ୍ରେମ ଏମିତି ଏକ ଭାବ
ଭରି ଦିଏ ଅଶ୍ରୁର ଉଜାଣି
ନୟନ ନୀଡର କୋଣରେ ।
ପ୍ରେମ ଏମିତି ଏକ ଝଡ
ଥରାଇ ଦିଏ ହୃଦୟର ସେଇ
ନିଭୃତ୍ତ ଇଲାକାର ତନ୍ତ୍ରୀ ସମୂହକୁ ।
ପ୍ରେମ ଏମିତି ଏକ ଜ୍ୟୋତି
ଜଳି ଜଳି ଦୂରୀଭୂତ କରେ
କୃଷ୍ଣା କବରୀର ନିବିଡ ଅନ୍ଧାକାରକୁ ।
ପ୍ରେମ ଏମିତି ଏକ ଯାତ୍ରା
ଥକା ମାରି ବସିଯିବାକୁ ଇଚ୍ଛା ହୁଏ
ଜୀବନର ପାନ୍ଥଶାଳାରେ
ପ୍ରେମ ଏମିତି ଏକ ଶିଳ୍ପୀ
ସୃଷ୍ଟିକରେ କୋଣାର୍କର ତୁଳୀକଳ୍ପ
ଦୂର ଦିଗବଳୟର କାନ୍ଥରେ ।
ପ୍ରେମ ଏମିତି ଏକ ଅନୁଭୂତି
ସ୍ମୃତିର ଚଟାଣରେ ଲେଖିହେଇଯାଏ
ଅସରନ୍ତି ଇତିହାସ ଅଧ୍ୟାୟ ।
ପ୍ରେମ ଏମିତି ଏକ ମୂଲ୍ୟ
ଯାହାର କି ଆକଳନ ଅସମ୍ଭବ
ଦେଇ ହୁଏନା ମୂଲ୍ୟ ତା’ର ।
ପ୍ରେମ ଏମିତି ଏକ ସଂଜ୍ଞା
ଯାହାକି ଦେହରୁ ଦେହାତୀତ
ଶାଶ୍ଵତ, ଚିରନ୍ତନ ଓ ଅବିନଶ୍ଵର ।